
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପୂର୍ବାହ୍ନରେ ବାଣପୁର ଥାନା ଅନ୍ତର୍ଗତ ଟାକିଆ ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, ଗୋଦାବରୀଶ ବିଦ୍ୟାପୀଠର ଇଂରାଜୀ ଶିକ୍ଷୟତ୍ରୀ ଶୁଚିସ୍ମିତା ବଳ (୩୦) ନିଜର ସ୍କୁଟି ଯାହାର ନମ୍ବର ଓଡି ୦୨ ବିଏକ୍ସ ୫୪୧୨ ରେ ରେଲୱେ ଷ୍ଟେସନରୁ ସ୍କୁଲ ଅଭିମୁଖେ ଯାଉଥିଲେ। ସେହି ସମୟରେ ବାଣପୁର ନିକଟସ୍ଥ ଟାକିଆ ଶଙ୍ଖ ନିକଟରେ ଆଗରେ ଯାଉଥିବା ଏକ ୧୬ ଚକିଆ ଟ୍ରକ ଯାହାର ନମ୍ବର (ଏପି ୫୯ ୟୁଏମ ୩୮୦୮) ହଠାତ ବ୍ରେକ ମାରିବାରୁ ଶୁଚିସ୍ମିତାଙ୍କ ସ୍କୁଟିଟି ଟ୍ରକ ପଛପଟେ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ଶୁଚିସ୍ମିତାଙ୍କର ମୁଣ୍ଡ ଓ ଓଠରେ ଗଭୀର କ୍ଷତ ସୃଷ୍ଟି ହୋଇ ଅଚେତ ହୋଇ ପଡ଼ିଥିଲେ।
ସଙ୍ଗେସଙ୍ଗେ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଡାକ୍ତର ସ୍ଥାନାନ୍ତରଣ କରିଥିବାର ସୂଚନା ମିଳିଛି।
ପ୍ରକାଶଥାଉକି ବାଣପୁର ବଜାର ଅଞ୍ଚଳ ସଂକୀର୍ଣ୍ଣ ଥିବା ସତ୍ତ୍ୱେ ଭାରିଯାନନ ଗୁଡିକ ବଜାର ଭିତରକୁ ପ୍ରବେଶ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ତେଣୁ ସ୍କୁଲ ସମୟ ଭିତରେ ଭାରିଯାନ ପ୍ରବେଶକୁ ଅନୁମତି ନ ଦେବାକୁ ସାଧାରଣରେ ବାରମ୍ବାର ଅଭିଯୋଗ ହୋଇ ଆସୁଅଛି, ରିପୋର୍ଟ ଲେଖାହେଲା ବେଳକୁ ଥାନାରେ କୌଣସି ମାମଲା ଦାୟର ହୋଇନଥିବା ଜଣାଯାଇଛି।