ଦୋଳ ମେଲଣ “ଫଗୁଣ ଫେରିଛି ଆମ ଗାଁକୁ”ରେ ଯୋଗଦେଲେ ଜଗତସିଂହପୁର ସାଂସଦ

Published: Mar 10, 2020, 4:19 pm IST

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ମହୋତ୍ସବ ପାଳନ କରାଯାଉଛି । ତିର୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ବଜାରର ଇନ୍ଦରପା ଗ୍ରାମବାସୀଙ୍କ ସହଯୋଗରେ ଏକ ନିଆରା ଢଙ୍ଗରେ ମହାଡମ୍ବରରେ ପାଳନ ହୋଇଯାଇଛି ଦୋଳ ମେଲଣ ଉତ୍ସବ “ଫଗୁଣ ଫେରିଛି ଆମ ଗାଁକୁ”। ଏହି ଅବସରରେ ସୋମବାର ସନ୍ଧ୍ୟାରେ ଇନ୍ଦ୍ରପା ଗ୍ରାମବାସୀଙ୍କ ଆନୂକୁଲ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଏହି ଦୋଳ ମେଲଣ ଉତ୍ସବକୁ ଆୟୋଜନ କରି ସରସ ସୁନ୍ଦର କରିଥିବା ଇନ୍ଦ୍ରପା ଗ୍ରାମବାସୀଙ୍କୁ ଭୂୟସି ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ରଘୁନାଥପୁର ବ୍ଲକର ଜିଲ୍ଲାପରିଷଦ ସଭ୍ୟା ଡେଜାଲିନ୍ ମହାପାତ୍ର, ଅଧ୍ୟାପକ ତଥା ସଫଳ ଲେଖକ ରମେଶ ଚନ୍ଦ୍ର ସାହୁ, ଅଧ୍ୟାପକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଅଶୋକ କୁମାର ରାଉତ, ଶିକ୍ଷକ ମନୋରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ସଭାରେ ଗ୍ରାମର ବୟୋଜ୍ୟେଷ୍ଠ ମୁରବୀ ଧନେଶ୍ୱର ସ୍ୱାଇଁ, ଚକ୍ରଧର ସ୍ୱାଇଁ, ଧୂନଚନ୍ଦ୍ର ଦାସ, ଶିବ ପ୍ରସାଦ ମଲ୍ଲିକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଭାବେ ପ୍ରଦୀପ୍ତ କୁମାର ଦାସ, ଅଭୟ କୁମାର ସ୍ୱାଇଁ, ବିଶିଷ୍ଟ କଳାକାର ଜଗବନ୍ଧୁ ମନ୍ତ୍ରୀ ଓ ଜଗବନ୍ଧୁ ସ୍ୱାଇଁ ପ୍ରମୁଖ ସାଂସଦ ଡା ରାଜଶ୍ରୀ ମଲ୍ଲିକ ପୁଷ୍ପଗୁଚ୍ଛ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଆଇନଜୀବି ପ୍ରଶାନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିସହିତ ଉକ୍ତ ସଭାମଂଚରେ କୁନି କୁନି ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ। ଏହା ସହିତ ରାତିରେ ଲୋକମାନଙ୍କ ମନୋରଞ୍ଜନ ପାଇଁ ରାମଲୀଳାର ଆୟୋଜନ କରାଯାଇଥିଲା।

Related posts