ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଦୃଷ୍ଠିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ମା’ଶାରଳାଙ୍କ ମନ୍ଦିର ସମେତ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକରେ ୧୪୪ ଧାରା ଜାରି କରିଛନ୍ତି। ଜିଲ୍ଲାର ଯେ କୌଣସି ସ୍ଥାନରେ ୫ ଜଣରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ଏକାଠି ନହେବା ବିଶେଷତଃ ଶାରଳା ମନ୍ଦିର, ଗୋରେଖନାଥ ମନ୍ଦିର,ଧ୍ୟାନକୁଦ ମନ୍ଦିର, ଶିଆଳୀ ବେଳାଭୂମି,ଏବଂ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ମନ୍ଦିର , ମସଜିଦ୍,ମାର୍କେଟ ସ୍ଥାନ,ମଣ୍ଡପ, ସମୁଦ୍ର ବେଳାଭୂମୀ ମାନଙ୍କରେ ୫ ଜଣରୁ ଅଧିକ ଲୋକ ଏକାଠି ନହେବାକୁ କଟକଣା ଜାରି କରାଯାଇଛି।
ଏଥି ସହିତ ସାମାଜିକ ଉତ୍ସବ, କର୍ମକର୍ମାଣୀରେ ଏହି ନିୟମ ଲାଗୁ କରାଯାଇଛି।ଏପରିକି ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣସଭା,ସେମିନାର୍,କର୍ମଶାଳା ,କନଫରେନ୍ସ ଓ ଜନସମାବେଶ ଉପରେ କଟକଣା ଜାରି କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।