କୈଳାସ ଚନ୍ଦ୍ର ଦାଶ
ଊନବିଂଶ ଶତକର ଶେଷଭାଗରୁ ବିଂଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ ଓଡିଶାରେ ସମାଜ ସଂସ୍କୃତି କ୍ଷେତ୍ରରେ ଅବିସ୍ମରଣୀୟ ଆଲୋଡନରେ ନାରୀମାନଙ୍କର ଭୂମିକା ଉପରେ ଆବଶ୍ୟକ ଗୁରୁତ୍ୱ ଦିଆଯିବା ଉଚିତ । ଏହି କାଳରେ ନାରୀଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ପତ୍ରପତ୍ରିକାମାନଙ୍କରେ ନାରୀମାନଙ୍କର ଲେଖା ତଥା ନାରୀ ସମସ୍ୟା ସମ୍ପର୍କରେ ବିସ୍ତାରିତ ଆଲୋଚନା ହୋଇଥିଲା । ୧୮୯୦ ବେଳକୁ ଆଶା ମାସିକ ପତ୍ର ଏକ ମହିଳା ପତ୍ରିକାରେ ପରିଣତ ହୋଇଥିଲା । ଏହି କାଳର ଶିକ୍ଷିତା ମହିଳାମାନଙ୍କ ମଧ୍ୟରେ ସୁଲକ୍ଷଣା ଦେବୀ, ରେବା ରାୟ, ବସନ୍ତକୁମାରୀ ଦେବୀଙ୍କ ପରି ଅନ୍ନପୂର୍ଣ୍ଣା ନାରୀ ଜାଗରଣ ପାଇଁ ପ୍ରବଳ ଉଦ୍ୟମ କରିଥିଲେ । ଫକୀରମୋହନ ସେନାପତି ଉକ୍ରଳବାସୀରେ ୧୯୦୮ ଡିସେମ୍ବର ୮ରେ ତାଙ୍କର ମୂଲ୍ୟାୟନ କରିଥିଲେ । ଚନ୍ଦ୍ରମୋହନ ମହାରଣା ପ୍ରଜାବନ୍ଧୁରେ ୧୯୦୫ ଫେବୃଆରୀ ୧୫ରେ ତାଙ୍କ ସମ୍ପର୍କରେ ଲେଖିଥିଲେ-ବନର ମାଳତୀ ଫୁଟି ବିଜନ ବନରେ/ମର୍ତ୍ତ୍ୟଲୀଳା ସାଂଗକରେ ବିଧିବିଧାନରେ //ମାନବ ମଧ୍ୟରେ ଥାଏ ବନର ମାଳତୀ/ଉକ୍ରଳ ଅରଣ୍ୟେ ଅନ୍ନପୂର୍ଣ୍ଣା ସରସ୍ୱତୀ// ଏପରି ମୂଲ୍ୟାୟନରୁ ଜଣାପଡେ ଯେ ସେତେବେଳର ଓଡିଆ ମାନସକୁ ଅନ୍ନପୂର୍ଣ୍ଣା ବେଶ୍ ପ୍ରଭାବିତ କରିପାରିଥିଲେ ।
ଗଞ୍ଜାମର ଚିକିଟି ତାଲୁକରେ ଗୋବିନ୍ଦ ପଟ୍ଟନାୟକ ଓ ସୁଭଦ୍ରା ଦେବୀଙ୍କ କନ୍ୟା ଅନ୍ନପୂର୍ଣ୍ଣା । ଜନ୍ମ ୧୮୮୩ ଏବଂ ମୃତ୍ୟୁ ୧୯୪୮ । ତାଙ୍କର ଶୈଶବ ମାନସର ପରିଗଠନରେ ଶିକ୍ଷାର ଭୂମିକା ଯେତେନୁହେଁ ତାଠାରୁ ଅଧିକ ଥିଲା ପରିବେଶର ପ୍ରଭାବ । ସେ ଗ୍ରାମ୍ୟ ଚାଟଶାଳୀର ଏରୁଣ୍ଡି ଡେଇଁ ବାହାରକୁ ଯାଇନାହାନ୍ତି । ଗାଁର ଚୌପାଢୀ ଓ ଅବଧାନୀ ଶିକ୍ଷା ମଧ୍ୟରେ ତାଙ୍କର ଅଧ୍ୟୟନ ସୀମିତ । ସେ ଆପଣା ଉଦ୍ୟମରେ ପିତାମାତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଚୀନ ଓଡିଆ ଗ୍ରନ୍ଥ ପାଠରୁ ଅନେକ ଶିକ୍ଷା ପାଇଥିଲେ । ମାତ୍ର ୧୭ ବର୍ଷ ବୟସରେ ଗଞ୍ଜାମ ପୁରୁଷୋତ୍ତମ ପୁର ଗ୍ରାମର ତରୁଣ ଶ୍ରୀରାମ ପଟ୍ଟନାୟକଙ୍କ ସହିତ ୧୯୦୦ ମସିହା ମେ ମାସରେ ବିବାହ ସମ୍ପନ୍ନ ହେଲା । ଶ୍ରୀରାମ ପଟ୍ଟନାୟକ ଥିଲେ ବଡଖେମୁଣ୍ଡି ରାଜାଙ୍କର ଜଣେ କର୍ମଚାରୀ । ତେଣୁ ବଡଖେମୁଣ୍ଡି ଥିଲା ତାଙ୍କ ଦାମ୍ପତ୍ୟ ଜୀବନର ଆଦ୍ୟନିକେତନ । କ୍ରମେ ଅନ୍ନପୂର୍ଣ୍ଣା ଲେଖା ଆରମ୍ଭ କଲେ ଏବଂ ୧୯୦୭ ବେଳକୁ ସମ୍ବଲପୁର ହିତୈଷିଣୀ ରେ ତାଙ୍କର ମୂଲ୍ୟାୟନ ହୋଇଥିଲା । ମାର୍ଚ୍ଚ ୩ ୧୯୦୭ର ହିତୈଷିଣୀରେ ତାଙ୍କ ସମ୍ପର୍କରେ ଲେଖାଯାଇଥିଲା-“ଆପଣମାନେ ଶ୍ରୀମତୀ ଅନ୍ନପୂର୍ଣ୍ଣାଙ୍କଠାରେ ଅପରିଚିତ ନୁହଁନ୍ତି । ଅବଶ୍ୟ ଉକ୍ରଳୀୟ ପତ୍ରିକାମାନଙ୍କ ସାହାଯ୍ୟରେ ତାହାଙ୍କ ପରିଚୟ ପାଇଥିବେ । ତାହାଙ୍କର କବିତା ରଚନାପ୍ରଣାଳୀ ଦେଖି କେବଳ ଉକ୍ରଳବାସୀ କାହିଁକି ସମ୍ମୁନ୍ନତ ବଙ୍ଗ ପ୍ରଦେଶର ପ୍ରତିଭାଶାଳୀ ଲେଖକ ଏବଂ ସମ୍ବାଦପତ୍ରିକାମାନଙ୍କର ସମ୍ପାଦକମାନେ ଏପରିକି ଶ୍ୱେତଦ୍ୱୀପବାସୀମାନେ ମଧ୍ୟ ଏକ ମୁଖରେ ତାଙ୍କର ପ୍ରଶଂସାଗୀତି ଗାୟନ କରିଛନ୍ତି । ତାଙ୍କର ପ୍ରତିଭା ବିଷୟରେ ଇଂରାଜୀ ପତ୍ରିକାମାନଙ୍କ ମଧ୍ୟରୁ “ମାଡ୍ରାସ୍ ମେଲ୍”, “ଇଷ୍ଟ୍ କୋଷ୍ଟ୍ ନିଉଜ୍”, “ଟେଲିଗ୍ରାଫ୍” ଏବଂ “ବ୍ୟାନର୍” ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଅଛି । “ଦି ବ୍ୟାନର୍” ପତ୍ରିକାର ସେପ୍ଟେମ୍ବର ଏବଂ ଅକ୍ଟୋବର ୧୯୦୪ ସଂଖ୍ୟାରେ ତାଙ୍କ ବିଷୟରେ ଇଂରାଜୀରେ ଲେଖାଯାଇଥିଲା । ୧୯୦୪, ୨୩ ନଭେମ୍ବର “ଦି ଟେଲିଗ୍ରାଫ୍”ରେ ସେ ବଡଖେମୁଣ୍ଡିର ଗୌରବ ବୋଲି ବର୍ଣ୍ଣିତ ।
ବଡଖେମୁଣ୍ଡି ରାଜାଙ୍କ ସହିତ ମନମାଳିନ୍ୟ ହେବା ଯୋଗୁଁ ଅନ୍ନପୂର୍ଣ୍ଣା ସପରିବାର ବ୍ରହ୍ମପୁରର ପର୍ଶୁରାମ ପାତ୍ରଙ୍କ ପରାର୍ମଶ କ୍ରମେ ତାଙ୍କରି ଘରେ ଆଶ୍ରୟ ନେଇଥିଲେ । ୧୯୦୬ରୁ ୧୯୧୫ ମଧ୍ୟରେ ତାଙ୍କର ବ୍ରହ୍ମପୁର ଅବସ୍ଥାନ ତାଙ୍କ ସାରସ୍ୱତ ଜୀବନର ନୂତନ ସମ୍ଭାବନାର ଦିଗନ୍ତ ଉନ୍ମୋଚନ କରିଥିଲା । ପର୍ଶୁରାମଙ୍କ ଉଦ୍ୟମରୁ ତାଙ୍କ ସ୍ୱାମୀ ଶ୍ରୀରାମ ପଟ୍ଟନାୟକଙ୍କୁ ବ୍ରହ୍ମପୁର ତହସିଲଦାରଙ୍କ ଅଫିସରେ ମାସିକ ପନ୍ଦର ଟଙ୍କା ବେତନରେ ଗୋଟିଏ କିରାଣୀ ଚାକିରୀ ମିଳିଥିଲା । କବିଙ୍କର ପରିବାର ଏଥିପାଇଁ ଓକିଲ ପାତ୍ରଙ୍କ ପ୍ରତି ଅତ୍ୟନ୍ତ ଅନୁଗତ ଥିଲେ । ବ୍ରହ୍ମପୁରରେ ଥିବା ବେଳେ ଅନ୍ନପୂର୍ଣ୍ଣା ବହୁ ସାହିତ୍ୟିକ ଓ ସମାଜସେବୀଙ୍କର ସଂସ୍ପର୍ଶରେ ଆସିଥିଲେ । କେତେ ଉତ୍ସାହ ଓ ଉଦାର ପ୍ରେରଣା ଲାଭର ସୁଯୋଗ ମଧ୍ୟ ତାଙ୍କୁ ମିଳିଥିଲା । ବ୍ୟାସକବି ଫକୀରମୋହନ, ଭକ୍ତକବି ମଧୁସୂଦନ, ନୀଳମଣୀ ବିଦ୍ୟାରତ୍ନ, ଚନ୍ଦ୍ର ମୋହନ ମହାରଣା, ଚିନ୍ତାମଣି ମହାନ୍ତି, ଶ୍ରୀବତ୍ସ ପଣ୍ଡା ଓ ଲକ୍ଷ୍ମୀନାରାୟଣ ସାହୁ ପ୍ରଭୃତିଙ୍କ ସାହଚର୍ଯ୍ୟ ତାଙ୍କୁ ଲେଖାଲେଖି କ୍ଷେତ୍ରରେ ଉତ୍ସାହିତ କରିଥିଲା । ୧୯୧୫ରେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଗଜପତିଙ୍କର ଆହ୍ୱାନକ୍ରମେ ଶ୍ରୀରାମ ପଟ୍ଟନାୟକ ଓ ଅନ୍ନପୂର୍ଣ୍ଣା ଯାତ୍ର କରିଥିଲେ । ପାରଳାରେ ଅନ୍ନପୂର୍ଣ୍ଣା ପାଟରାଣୀ ମହୋଦୟାଙ୍କର ସାହିତ୍ୟ ଶିକ୍ଷୟତ୍ରୀରୂପେ ମାସିକ ୨୫ ଟଙ୍କା ବେତନରେ ନିଯୁକ୍ତ ହୋଇଥିଲେ ଏବଂ ଶ୍ରୀରାମ ପଟ୍ଟନାୟକ ମାସିକ ୨୦ ଟଙ୍କା ବେତନରେ ମହାରାଜାଙ୍କର ଛାପାଖାନାରେ ଯୋଗଦେଲେ ।
କିଛିକାଳ ସେମାନଙ୍କର ଚଳଣି ଓ ଆର୍ଥିକ ଅବସ୍ଥାରେ କୌଣସି ଅଭାବ ପ୍ରବେଶ କରିନଥିଲା । ମାତ୍ର ସମୟକ୍ରମେ ଲୋକମାନଙ୍କର ଚକ୍ରାନ୍ତ ଯୋଗୁଁ ଅନ୍ନପୂର୍ଣ୍ଣା ରାଜଦମ୍ପତ୍ତିଙ୍କର ଆସ୍ଥା ହରାଇଲେ । ପାରଳାଖେମୁଣ୍ଡି ଅବସ୍ଥାନ ବେଳେ ଅନ୍ନପୂର୍ଣ୍ଣାଙ୍କର ଦୁଇଟି ସନ୍ତାନ ନଷ୍ଟ ହୋଇଯିବାରୁ ତାଙ୍କୁ ଅଲକ୍ଷଣୀ ବୋଲି ଅନ୍ତଃପୁରର ପରିଚାରୀଗଣ ପ୍ରଚାର କରି ପାଟରାଣୀଙ୍କର ସଂସର୍ଗରୁ ଏହାଙ୍କୁ ବଞ୍ôଚତ କରାଇବା ଲାଗି ଖୁବ୍ ଉଦ୍ୟମ କରିଥିଲେ । ଦୈବଯୋଗକୁ ରାଣୀଙ୍କର ଏକ ଗର୍ଭ ନଷ୍ଟ ହେଲା । ଏହା ଅନ୍ନପୂର୍ଣ୍ଣାଙ୍କ ସହ ରାଣୀଙ୍କର ମିଳାମିଶାର ପରିଣାମ ବୋଲି ସାଧାରଣରେ କୁହାଗଲା । କୁସଂସ୍କାରପୀଡିତ ସେବକସେବିକାଗଣ ରାଜାରାଣୀଙ୍କୁ ମଧ୍ୟ ଏପରି ଧରଣା ଦେଲେ ଯେ ସେମାନେ ଏହାକୁ ସତ ମଣିବାକୁ କୁଣ୍ଠିତ ହେଉଥିଲେ ସୁଦ୍ଧା ପାରଂପାରିକ ବିଶ୍ୱାସର ଅନ୍ଧବଶ୍ୟତାରେ କ୍ରମେ ମୋହାଚ୍ଛନ୍ନ ହୋଇପଡିଲେ । ଏହି ଘଟଣା ଓ ଅପପ୍ରଚାର କବି ଦମ୍ପତ୍ତିଙ୍କର ବିପର୍ଯ୍ୟୟର କାରଣ ହେଲା । ପାରଳାରୁ ୧୯୧୯ ନଭେମ୍ବରରେ ବିଦାୟ ନେଇ ସେମାନେ ବିଶାଖାପାଟଣା ଆଡେ ଚାଲିଗଲେ । ବିକ୍ରମଦେବ ବର୍ମା ବିଶାଖାପାଟଣାରେ ଅବସ୍ଥାନ କରୁଥିବାରୁ ସେ ମଧ୍ୟ କବି ଦମ୍ପତ୍ତିଙ୍କୁ ସାହାଯ୍ୟ କଲେ । ଏହି ସମୟରେ ଅନ୍ନପୂର୍ଣ୍ଣା କଟକରୁ ପ୍ରକାଶିତ ସହକାର ପତ୍ରିକାର ସମ୍ପାଦନ ଭାର ଲକ୍ଷ୍ମୀନାରାୟଣ ସାହୁଙ୍କ ତାଡନାରେ ଗ୍ରହଣ କଲେ । ତାଫଳରେ ତାଙ୍କ ସାରସ୍ୱତ ଜୀବନ ପ୍ରଦୀପ୍ତ ହେଲା । ୧୯୨୫ରୁ ୧୯୨୯ ମଧ୍ୟରେ ସେ ସହକାରର ସମ୍ପାଦିକା ହିସାବରେ କାର୍ଯ୍ୟ କରିଥିଲେ । ସହକାରର ପଞ୍ଚମ ଭାଗ ଦ୍ୱିତୀୟ ସଂଖ୍ୟାରେ ତାଙ୍କ କବିତା ସହିତ ତାଙ୍କ ସମ୍ପର୍କରେ ଏକ ଅଭିମତ ଉପସ୍ଥାପିତ । ସେଥିରେ କୁହାଯାଇଥିଲା-“ଉକ୍ରଳ ଲଳନାକୂଳର ଗୌରବମଣି ଅନ୍ନପୂର୍ଣ୍ଣା ନିରକ୍ଷରା ଥିଲେ । କିନ୍ତୁ କବିତାର ଉତ୍ସ ତାଙ୍କ ଜୀବନରେ ଯେତେବେଳେ ଫୁଟିଉଠିଲା ସେ ସେତେବେଳେ ବିଦ୍ୟାଶିକ୍ଷା କଲେ ଓ ଦୁଷ୍ଟ ସମାଜର ଅନ୍ଧବିଶ୍ୱାସ ସହ ତାଙ୍କୁ ମାନସିକ ଯୁଦ୍ଧ କରିବାକୁ ପଡିଲା । ସବୁ ସହି ସେ ଆଜି ନିଜକୁ ଓଡିଆ ସ୍ତ୍ରୀମଣ୍ଡଳରେ କବି ବୋଲି ପ୍ରମାଣ କରିଛନ୍ତି । ତାଙ୍କର କବିତା ଅମଳତରଳ, ଯେପରି ନଦୀର ସ୍ରୋତ ଓ ନିର୍ଝରର ଅବିରାମ ପ୍ରବାହ ।” ସହକାର ଷଷ୍ଠ ଭାଗରୁ ସମ୍ପାଦନା ଭାର ଗ୍ରହଣ କରି ସେ ପତ୍ରିକାର ରୂପରେଖ ବଦଳାଇଦେବା ଲାଗି ବହୁ ଉଦ୍ୟମ କରିଥିଲେ । ସମ୍ପାଦନାର ଦାୟିତ୍ୱବୋଧ ସମ୍ପର୍କରେ ସେ ଉନ୍ନତ ମତ ପ୍ରକାଶ କରିଥିଲେ ।
ତାଙ୍କର କବିତାଗୁଡିକ ସମ୍ବଲପୁର ହିତୈଷିଣୀ, ଉକ୍ରଳ ସେବକ, ମନୋରମା, ଗଡଜାତବାସିନୀ, ଗୁଣଦର୍ପଣ, ପ୍ରଜାବନ୍ଧୁ, ସହକାର, ଉକ୍ରଳବାସିନୀ, ଉକ୍ରଳବାର୍ତ୍ତା, ସମ୍ବାଦବାହିକା, ନବୀନ ପ୍ରଭୃତି ସମ୍ବାଦପତ୍ର ତଥା ପତ୍ରିକାମାନଙ୍କରେ ପ୍ରକାଶିତ । ୧୯୩୫ରେ ପ୍ରକାଶିତ ଆଶାହାଟ ତାଙ୍କ ମନ୍ମୟ କଳ୍ପନାର ଆଧାରରେ ରଚିତ ଏକ ଖଣ୍ଡକାବ୍ୟ । ଜୀବିତାବସ୍ଥାରେ ତାଙ୍କର ପଦ୍ୟମାଳା-ପ୍ରଥମ(୧୯୦୪), ପଦ୍ୟମାଳା-ଦ୍ୱିତୀୟ(୧୯୦୫), ପକ୍ଷୀଘର(୧୯୦୬) ଏବଂ ବିଚ୍ଛେଦମିଳନ(୧୯୪୧)ରେ ସର୍ବମୋଟ ୩୭ଟି କବିତା ସଂକଳିତ ହୋଇ ପ୍ରକାଶିତ । ଅନ୍ନପୂର୍ଣ୍ଣାଙ୍କ ସମ୍ପର୍କରେ ରାଧାଚରଣ ପଣ୍ଡା ୧୯୩୬ରେ ଏକ ପୁସ୍ତକ ପ୍ରକାଶ କରିଥିଲେ । ବାସ୍ତବରେ ଅନ୍ନପୂର୍ଣ୍ଣାଙ୍କ ଜୀବନରେ ସାହିତ୍ୟ ଥିଲା ଏକ ପ୍ରାଣସ୍ପୃର୍ତ୍ତି, ନିତ୍ୟବିଳାସର ଏକ ଅବଲମ୍ବନ । ସାରସ୍ୱତ ବିଳାସକୁ ଜୀବନର ବ୍ରତରୂପେ ବରଣ କରି ତାଙ୍କର ଆତ୍ମାପୁରୁଷ ଆନନ୍ଦମୟ ଅବସ୍ଥାର ଯେଉଁ ଅତିନ୍ଦ୍ରିୟ ରାଜ୍ୟରେ ଉପନୀତ ହୋଇଥିଲା ତାହା ତୁଳନାରେ ପାର୍ଥିବ ଆକର୍ଷଣ କିଛି ନୁହେଁ । ସାହିତ୍ୟ ପ୍ରତି ତାଙ୍କର ପ୍ରାଣାଧିକ ସମ୍ପର୍କ । କବିତା ଲେଖିବାର ଲାଳସା ଘେନି ସେ କବିତା ଲେଖିନଥିଲେ । ଜୀବନକୁ ଚିହ୍ନି ଚିହ୍ନେଇବାର ଅତୁଟ ଆଗ୍ରହ ତାଙ୍କର ଥିଲା । ନିଜ ଜୀବନର ଭିତ୍ତି ଯାହା ହେଉନା କାହିଁକି ସାର୍ବଜନୀନ ଜଗତର ଗତିଧାରାରୁ ଆପଣା ପାଇଁ ସେ ଯାହା ସଂଗ୍ରହ କରିଥିଲେ ତାହାର ଭାବମୂର୍ତ୍ତିହିଁ ସେ କାବ୍ୟାକାରରେ ଅଙ୍କନ କରିଥିଲେ । ବାସ୍ତବରେ ସେ ଥିଲେ ଅନନ୍ୟା କବି ।
(ଡ. କୈଳାସ ଚନ୍ଦ୍ର ଦାଶ ଓଡିଶାର ଜଣେ ଖ୍ୟାତନାମା ଐତିହାସିକ ଓ ପୂର୍ବତନ ଇତିହାସ ଅଧ୍ୟାପକ। )