ଅନାହାରରେ ବିମଳା: ୧୦ କେଜି ଚାଉଳ କାଟିଦେଲା ପଂଚାୟତ

Published: Jan 12, 2021, 10:10 pm IST

କନ୍ଦର୍ପ ବେହେରା

ରେଢାଖୋଲ: ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ କେହି ବି ଅନାହାରରେ ରହିବେ ନାହିଁ ବୋଲି ସରକାର କେତେ କଣ ଯୋଜନା ମଧ୍ୟ କରିଛନ୍ତି। ହେଲେ ଏବେ ବି ବହୁ ଯୋଜନା ଗରୀବ ଲୋକମାନଙ୍କ ପାଖରେ ପହଂଚି ପାରୁ ନ ଥିବା ଜଣା ପଡିଛି। କିଏ ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଗୁହାରୀ କରୁଛି ତ ଆଉ କିଏ ଚାଏଳ ପାଇଁ ଗୁହାରୀ କରୁଛି ହେଲେ କେହି ବି ଶୁଣୁ ନାହାନ୍ତି ଗରୀବ ଲୋକଙ୍କ କଥା। ଶୁଣୁ ନାହାନ୍ତି ସେମାନଙ୍କ ବ୍ୟଥା ଆଉ ବେଦନାର କାହାଣୀ।

ଏମିତି ଏକ ବ୍ୟଥା ଓ ବେଦନାର କାହାଣୀ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ରହୁଥିବା ଜଣେ ବିଧବା ମହିଳା। ସେ ହେଲେ ବିମଳା ଦାଶ। ବୟସ ୬୫ ପାଖା ପାଖି। ସ୍ୱାମୀ କେବେଠୁ ଆର ପାରିରେ। ଛୁଆ ପିଲା କେହି ବି ନାହାନ୍ତି। ଜମି ବାଡି କିଛି ବି ନାହିଁ। କେବଳ ଘର ଡିହ ପଟ୍ଟା ପାଇଛନ୍ତି। ଘର କହିଲେ ଚାଳ ଛପର ଘର। ଘର ଭିତରୁ ଦିନରେ ସୂର୍ଯ୍ୟ ଦେଖାଯାଉଥିବା ବେଳେ ରାତିରେ ଚନ୍ଦ୍ର କୁ ଦେଖିବାକୁ ମିଳେ ଘର ଭିତରୁ। ବର୍ଷା ହେଲେ ଘର ଭିତରେ ପାଣି। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପୋଲିଥିନ୍ ଖଣ୍ଡେ ଛପର କରିଛନ୍ତି ସେ। ଏବେ ଖରାରେ ପୋଲିଥିନ୍ ନଷ୍ଟ ହୋଇଗଲାଣି।

ବିମଳାକୁ ୧୦ କିଲୋ ଚାଉଳ ମିଳୁଥିଲା। ତା ୫/୯/୨୦୧୭ ରୁ ୫/୧୦/୨୧୦୧୯ ପର୍ଯ୍ୟନ୍ତ ୧୦ କେଜି ଲେଖାଏଁ ଚାଉଳ ପାଉଥିଲେ ଶିମିଳିପାଳ ପଂଚାୟତରୁ। ତା ପରଠୁ ତାଙ୍କୁ ଆଉ ଚାଉଳ ଦିଆଗଲା ନାହିଁ। ସେଇ ଦିନଠାରୁ ସେ ବେଳେ ଖାଇଲେ ଆଉ ଗୋଟେ ବେଳ ଓପାସରେ ଦିନ ବିତାଉଛନ୍ତି। ଗ୍ରାମର ଶତୃଘନ ମାଝୀ ନାମକ ବ୍ୟକ୍ତି ବେଳେ ବେଳେ ବିମଳାକୁ ଖାଇବାକୁ ଦେଉଛନ୍ତି। ସବୁ ସମୟରେ ମଧ୍ୟ ସେ ଖାଇବାକୁ ଦେଇପାରୁନାହାନ୍ତି। ଯା ଫଳରେ ସେ ଅନାହାରରେ ଜୀବନ ବିତାଉଥିବା ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଚାଉଳ ନ ଥିବାରୁ ରାନ୍ଧି ମଧ୍ୟ ପାରୁ ନାହାନ୍ତି। ଗୋଟିଏ ହାତ କେବେଠୁ ଅକର୍ମଣ୍ୟ ହୋଇଛି ଯେ ସେ କିଛି ବି କରି ପାରୁ ନାହାନ୍ତି।

ପଂଚାୟତରେ ବହୁବାର ଅଭିଯୋଗ କରିଛନ୍ତି ଘର ଖଣ୍ଡିଏ ପାଇଁ ଆଉ ଚାଉଳ ପାଇଁ। ହେଲେ ତାଙ୍କ କଥାକୁ କେହି ବି ଗୁରୁତ୍ୱ ଦେଉ ନ ଥିବା ସେ ପ୍ରକାଶ କରିଛନ୍ତି। ଯଦି ମୋ କଥାକୁ କେହି ଶୁଣିବେ ନାହିଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ବୋଲି ପ୍ରକାଶ କରିଛନ୍ତି ନିଃସହାୟ ବିମଳା। ନାକଟିଦେଉଳ ବିଡିଓ ଓ ସମ୍ବଲପୁର ଜିଲ୍ଲାପାଳ ଅନାହାରରେ ରହୁଥିବା ବିମଳାର କଥା ବୁଝିବାକୁ ଦାବୀ ହେଉଛି।

Related posts