ରଣପୁର: ପ୍ରତିଭାର ସମ୍ମାନ, ସଂସ୍କୃତିର ସୁରକ୍ଷା ଓ ସମାଜସେବାର ସଂକଳ୍ପକୁ ନେଇ ରାଜସୁନାଖଳାସ୍ଥିତ ଆଶୀର୍ବାଦ କଲ୍ୟାଣୀ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ରାଜ୍ୟସ୍ତରୀୟ ‘ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ସାମ୍ବାଦିକ, କଳାକାର ଓ ପ୍ରତିଭାବାନ ବ୍ୟକ୍ତିତ୍ୱ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ଜିଲ୍ଲା ଉପଭୋକ୍ତା ଅଦାଲତର ପୂର୍ବତନ ବିଚାରପତି ନାରାୟଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ, ଯୁବ ସମାଜସେବୀ ବାସୁଦେବ ସାହୁ, ଶିକ୍ଷାବିତ୍ ସଦାଶିବ ସାହୁ, ସମାଜସେବୀ ସୁରେଶ କୁମାର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକବିନ୍ଦୁ ପଟ୍ଟନାୟକ ଓ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା ମଞ୍ଚାସୀନ ଥିଲେ।
ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତ୍ ବଲ୍ଲଭ ପ୍ରଧାନ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା।
ସମାରୋହରେ ‘ଓଡ଼ିଶାର ବିକାଶରେ ବୁଦ୍ଧିଜୀବୀ ସମାଜର ଭୂମିକା’ ଶୀର୍ଷକ ଆଲୋଚନା ସହ ସନ୍ଥ ଭକ୍ତଚରଣଙ୍କ ଜୀବନୀ, ଆଦର୍ଶ ଓ ସମାଜ ପ୍ରତି ଅବଦାନ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଓ ରାଜ୍ୟର ସାମଗ୍ରିକ ପ୍ରଗତି ପାଇଁ ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା।
ମୁଖ୍ୟ ଅତିଥି ଇଂ. ଦେବାଶିଷ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଉତ୍କଳୀୟମ ଫାଉଣ୍ଡେସନ ୨୦୧୪ ମସିହାରୁ ପ୍ରକୃତି, ସଂସ୍କୃତି ଓ ମାନବିକ ଅଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି। ବର୍ତ୍ତମାନ ଏହି ଅନୁଷ୍ଠାନ ଓଡ଼ିଶା ସମେତ ଦେଶର ୧୧ଟି ରାଜ୍ୟରେ ନିଜର ସାମାଜିକ କାର୍ଯ୍ୟକଳାପ ଜାରି ରଖିଥିବା ସେ ପ୍ରକାଶ କରିଥିଲେ।
ଏହି ଅବସରରେ ସମାଜସେବା, ଶିକ୍ଷା, ସାମ୍ବାଦିକତା, ସଂସ୍କୃତି ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ କର୍ମଚାରୀ, ସରପଞ୍ଚ, ଶିକ୍ଷକ, କବି, କବୟିତ୍ରୀ ଓ କୁନି ନୃତ୍ୟଶିଳ୍ପୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଦିଲ୍ଲୀପ କୁମାର ସାହୁ, ପ୍ରମୋଦ କୁମାର ସେଠୀ, ଉମାକାନ୍ତ ରଣସିଂହ ଓ ଭଗବାନ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ।
ପ୍ରତିଭାର ପ୍ରୋତ୍ସାହନ, ସାମାଜିକ ସଚେତନତା ଓ ଓଡ଼ିଆ ସଂସ୍କୃତିର ସୁରକ୍ଷାକୁ ମୁଖ୍ୟ ଲକ୍ଷ୍ୟ ରଖି ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହ ରାଜସୁନାଖଳା ଅଞ୍ଚଳରେ ଏକ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ସୃଷ୍ଟି କରିଥିଲା। ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଥିଲେ।


