Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ ଜିଲ୍ଲାରେ ରାଜ୍ୟ ସ୍ତରୀୟ ସଫଳତା ସର୍ବେକ୍ଷଣ

ରଣପୁର: ମାର୍ଚ୍ଚ ୨୨ ତାରିଖ ଆଜି ନୟାଗଡ ଜିଲ୍ଲାର ୮୦ ଟି ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ସଫଳତା ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ନୟାଗଡ ଜିଲ୍ଲା ରାଜସୁନାଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା।

ଏହି ସର୍ବେକ୍ଷଣରେ ଦ୍ଵିତୀୟ, ଚତୁର୍ଥ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଥିଲା।  ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତି ବ୍ଲକର ୧୦ଟି ବିଦ୍ୟାଳୟରେ କରାଯିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ନୟାଗଡ ଜିଲ୍ଲାର ୮ଟି ବ୍ଲକର ମୋଟ ୮୦ ଟି ବିଦ୍ୟାଳୟରେ ଏହି ସର୍ବେକ୍ଷଣ କରାଯାଇଛି।

ଏହି କାର୍ଯ୍ୟରେ ନୟାଗଡ ଜିଲ୍ଲା ରାଜସୁନାଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଖୋର୍ଦ୍ଧା ଜିଲ୍ଲା ପାଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାଇ ଥିଲେ। ଏହା ସହିତ ଦଶପଲ୍ଲା, ଗଣିଆ, ନୂଆଗାଁ ଓ ଖଣ୍ଡପଡା ବ୍ଲକରେ ୪୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ କ୍ଷେତ୍ର ଅନୁସନ୍ଧାନନକାରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ନୟାଗଡ ଜିଲ୍ଲାରେ ଦ୍ଵିତୀୟ ଶ୍ରେଣୀର ୧୧୨୬ ଜଣ, ଚତୁର୍ଥ ଶ୍ରେଣୀର ୮୭୮ ଜଣ ଏବଂ ସପ୍ତମ ଶ୍ରେଣୀର ୯୩୫ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୭୮ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନେ ଶିକ୍ଷକ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଛନ୍ତି।

ଭୁବନେଶ୍ୱର ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନର ଶ୍ଵେତା ଡୋଭଲ, ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀ, ଶିକ୍ଷକ ପ୍ରଶିକ୍ଷକ ଦୀପକ କୁମାର ପ୍ରଧାନ,ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ ନିରୀକ୍ଷକ ଭାବେ ନରସିଂହପୁର ୟୁଜିଏମଇ ବିଦ୍ୟାଳୟ, ବି.ସି. ହାଇସ୍କୁଲ, ରାଜସୁନାଖଳା ବିଦ୍ୟାଳୟରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ।

ସେହିପରି ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ମଧ୍ୟ ନୟାଗଡ ଜିଲ୍ଲାର ବିଦ୍ୟାଳୟଗୁଡିକରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ। ଆସନ୍ତା ୨୦୨୪ ମସିହାରେ ନଭେମ୍ବର ମାସରେ ହେବାକୁ ଥିବା ନାସ୍ ପରୀକ୍ଷାରେ ଓଡିଶାର ପିଲାମାନେ କିପରି ଭଲ ସଫଳତା ପ୍ରଦର୍ଶନକରିବେ ସେ ନେଇ ଏହା ଏକ ସରକାରଙ୍କ ପ୍ରସ୍ତୁତି କାର୍ଯ୍ୟକ୍ରମ ଅଟେ।

ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ବଟକୃଷ୍ଣ ସାହୁ, ଅନିନ୍ଦିତା ପ୍ରିୟଦର୍ଶିନୀ, ମାନସ କୁମାର ସାହୁ, ସନ୍ତୋଷ କୁମାର ମିଶ୍ରଙ୍କ ସମେତ ସି.ଆର.ସି.ସି. ସୁଶୀଲ କୁମାର ରଣା, ସଞ୍ଜୟ କୁମାର ବରାଡ଼, ଜ୍ୟୋତି ରଞ୍ଜନ କର, ପବିତ୍ର ମୋହନ ସାମନ୍ତରାୟ, ବିଶ୍ୱ ଭୂଷଣ ବେହେରା, ଅକ୍ଷୟ ମହାପାତ୍ରଙ୍କ ସମେତ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସି.ଆର.ସି.ସି.ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜସୁନାଖଳା ମହୋତ୍ସବ ଉଦଯାପିତ: ଶୀତୁଆ ସନ୍ଧ୍ୟାରେ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ରଣପୁର: ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୩ ମଙ୍ଗଳବାର ଅନ୍ତିମ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର ଓ ଖାଦ୍ୟ ଦୋକାନଗୁଡିକ ରେ ଲୋକଙ୍କ ଭିଡ଼ ଜମିଥିଲା। ଓଡିଶା ସରକାରଙ୍କର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାଭାଗିତାରେ ଚାଲିଥିବା ଏହି ମହୋତ୍ସବରେ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ବକ୍ତାଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମ୍ମାନିତ ବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ, ଶିଶିର କୁମାର ସାହୁ, ସେବା ମହୋତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ର, ମହୋତ୍ସବ ପ୍ରଚାର ପ୍ରସାର କମିଟି ସମ୍ପାଦକ ତଥା ଯୁବ ସାମ୍ବାଦିକ ରାଜେନ୍ଦ୍ର କୁମାର ସାହୁ, ନୟାଗଡ଼ ଜିଲ୍ଲା ପରିଷଦ ସରୋଜ କୁମାର ସିଂ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମଞ୍ଚରେ ସୁନ୍ଦର ସଙ୍ଗୀତ ଗାନ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ କରି ସମସ୍ତଙ୍କୁ ବିମୋହିତ କରିଥିଲେ।

ପରିଶେଷରେ ମହୋତ୍ସବ କମିଟିର ସମ୍ପାଦକ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଂଚଳର ବିଭିନ୍ନ ପ୍ରତିଭା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲ ଗୁଚ୍ଛଦେଇ ସମ୍ମାନୀତ କରାଯାଇଥିଲା। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆସାମର ଲୋକ ନୃତ୍ୟ ବିହୁ ମଧ୍ୟ ପରିବେଷଣକୁ ଦର୍ଶକମାନେ ଉପଭୋଗ କରିଥିଲେ। ପରେ ପରେ ଶେଷ ଦିବସକୁ ସ୍ମରଣୀୟ କରିବା ପାଇଁ ଅତସବାଜି ପଦର୍ଶନ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେଲା “କାଉଁରୀ-୨୦୨୩”

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା “କାଉଁରୀ ମହୋତ୍ସବ” ପଞ୍ଚମ ବର୍ଷରେ ସଫଳତାର ସହ ପାଦ ଥାପିଛି। ଏହି ପଞ୍ଚମ ବର୍ଷର”କାଉଁରୀ ମହୋତ୍ସବ-୨୦୨୩” ପ୍ରଥମ ଦିବସର ମୁଖ୍ୟ ଅତିଥି ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି।

ମୁଖ୍ୟ ବକ୍ତା ଭାବେ ଜାତୀୟ ପର୍ଯ୍ୟଟକ ବିଭାଗର ଅଧ୍ୟକ୍ଷ ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ସେବା ଉତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ର, ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ରାଜସୁନାଖଳାର ଐତିହ୍ୟ ପରମ୍ପରା, ଶିକ୍ଷା, କଳା, ସଂସ୍କୃତି ଓ ଇତିହାସକୁ ନେଇ ଏକ ବାର୍ଷିକ ବିଶେଷାଙ୍କ ”କାଉଁରୀ” ଉନ୍ମୋଚିତ ହୋଇ ଯାଇଛି।  ରାଜସୁନାଖଳାକୁ ଭଲ ପାଉଥିବା ପ୍ରତ୍ୟେକ କବି, ଲେଖକ ତଥା ବାହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଗଳ୍ପ, କବିତା ଆଦି ଏହି ପତ୍ରିକାରେ ସ୍ଥାନିତ ହୋଇଛି।

ରାଜସୁନାଖଳା ମହୋତ୍ସବ ପାଇଁ ନିର୍ଦ୍ଧିଷ୍ଟ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜା କାନ୍ତ ମହାପାତ୍ର ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ।

ଏହି ଅବସରରେ ବିଭିନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ମହୋତ୍ସବ କମିଟି ତରଫରୁ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ରାଜ୍ୟପାଳ ମହୋଦୟଙ୍କୁ ମୁମେଣ୍ଟମ ଉପହାର ଭାବେ ପ୍ରଦାନ କରିଥିଲେ।

ମହାମହିମ ରାଜ୍ୟପାଳ କହିଥିଲେ ଯେ ମୁଁ ଏଠି ଜନସାଧାରଣଙ୍କ ସେବକ ଭାବେ ଉପସ୍ଥିତ ଅଛି। ଶହୀଦ ରଘୁଦିବାକରଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉତ୍ସବ ବିନା ଜୀବନ ବ୍ୟର୍ଥ ଅଟେ। ତେଣୁ ସମୟ ସମୟରେ ଉତ୍ସବ କରି ଜୀବନକୁ ସାର୍ଥକ କରିବାର ଆବଶ୍ୟକତା ରହିଛି।

ଏହି ଉତ୍ସବ ମାଧ୍ୟମରେରେ ସଂସ୍କୃତି, ପ୍ରଥା, ପରମ୍ପରାର ପ୍ରଚାର ପ୍ରସାର ହୋଇ ପାରିଛି।  ଏହା ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପାଇ ପାରନ୍ତି। ସଭାକାର୍ଯ୍ୟ ପରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ରାଜସୁନାଖଳା ମହୋତ୍ସବ ‘କାଉଁରୀ ୨୦୨୩’ ପ୍ରସ୍ତୁତି ବୈଠକ

ରଣପୁର: ରାଜସୁନାଖଳା ମହୋତ୍ସବ କମିଟିର ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସମସ୍ତ ସଦସ୍ୟଙ୍କ ଗହଣରେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା’ କାଉଁରୀଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା।

ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଉପଦେଷ୍ଟା ମଣ୍ଡଳି, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ସଦସ୍ୟ, କାର୍ଯ୍ୟକାରୀ ସଦସ୍ୟ ଏବଂ ଆଜୀବନ ସଦସ୍ୟ ଉପସ୍ଥିତ ରହିଥିଲେ। ରାଜସୁନାଖଳା ଅଞ୍ଚଳର କଳା, ସାହିତ୍ୟ ଏବଂ ସଂସ୍କୃତିର ବିକାଶ ନିମନ୍ତେ ଚଳିତ ବର୍ଷ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ମହୋତ୍ସବ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ଏବଂ ଜାତୀୟ ସ୍ତରୀୟ କଳାକାର ମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ବିଭିନ୍ନ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସେଲିବ୍ରେଟି ମାନଙ୍କୁ ନିମନ୍ତ୍ରିତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା।

ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାର ମାନଙ୍କୁ ଚୟନ ପାଇଁ କମିଟିର ସାଂସ୍କୃତିକ ସମ୍ପାଦକ ମତ ରଖିଥିଲେ। ଚଳିତ ବର୍ଷ ଆସାମ ଏବଂ ମେଘାଳୟ ରୁ କଳାକାର ଦଳ ଆସି ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିବାବେଳେ ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ତଥା ଶାନ୍ତି ଶୃଙ୍ଖଳା କମିଟି ପକ୍ଷରୁ ଶୃଙ୍ଖଳା କୁ ଗୁରୁତ୍ୱ ଦେବାପାଇଁ ଦୃଢ଼ତା ପ୍ରକାଶ କରାଯାଇଛି।

ସଭା ଶେଷରେ ଅଧ୍ୟକ୍ଷଙ୍କ ପକ୍ଷରୁ କମିଟି ମିଡ଼ିଆ ସେଲ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜସୁନାଖଳା ପୋଲିସକୁ ମିଳିଲା ବଡ ସଫଳତା: ଚାରି ବାଇକ ସହ ଚୋରି ଗ୍ୟାଙ୍ଗ ଗିରଫ

ରଣପୁର: ନୟାଗଡ ଜିଲ୍ଲା ରାଜସୁନାଖଳା ଫାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା। ଚାରୋଟି ମୋଟର ସାଇକଲ ସହ ଚୋରକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାମ ସର୍ବେଶ୍ୱର ବାରିକ, ବାପାଙ୍କ ନାମ ସଂସାରୀ ବାରିକ ବୟସ ୨୪ ବର୍ଷ ହେଇଥିବା ବେଳେ ଗ୍ରାମ ବେଗୁନିଆଁ ନୂଆସାହି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଚାରୋଟି ମୋଟର ସାଇକେଲ ମଧ୍ୟରୁ ଗୋଟିଏ ସିଡ଼ି ଡିଲକ୍ସ ମେଟାଲ ରଙ୍ଗ, ଯାହାର ନମ୍ବର ଓଡି-୦୨-ବିଏ-୬୦୮୬ ହେଇଥିବା ବେଳେ ଅନ୍ୟ ତିନୋଟିର ନମ୍ବର ବିହୀନ ବୋଲି ଜଣା ପଡିଛି।

ଏହି ମୋଟର ସାଇକଲ ଗୁଡିକ ରାଜସୁନାଖଳା ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡିଛି। ଏହି ରାକେଟକୁ ଧରିବାପାଇଁ ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ବଡ଼ କୌଶଳ କ୍ରମେ ଚୋର କୁ ଧରିବାରେ ସଫଳ ହୋଇଥିଲେ। ଏହାକୁ ନେଇ ଏକ ପ୍ରେସ ମିଟ କରାଯାଇଥିଲା।

ଏହି ପ୍ରେସ ମିଟରେ ଏସ.ଡି.ପି.ଓ ସୁଧାକର ସାହୁ ଓ ରାଜସୁନାଖଳା ପୋଲିସଙ୍କ ମିଳିତ ସହଯୋଗରେ କରିଯାଇଥିଲା। ଆଗାମୀ ଦିନରେ ଆହୁରି ବଡ ଧରଣର କେଶ ଧରିବାପାଇଁ ସଫଳ ହେବେ ବୋଲି ପ୍ରୀତିପ୍ରକାଶ ମହାନ୍ତି ଅଧିକାରୀ ରାଜସୁନାଖଳା ପୋଲିସ କହିଥିଲେ।

Categories
ଆଞ୍ଚଳିକ

ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ରଣପୁର: ରାଜସୁନାଖଳାସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ବୁଧବାର ଦିନ ସପ୍ତବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରସାନନ୍ଦ ପ୍ରଧାନ ସହ -ଗୋଷ୍ଠୀ ଶିକ୍ଷାଅଧିକାରୀ, ରଣପୁର ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ କିଶୋର ଚନ୍ଦ୍ର ଭଞ୍ଜ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ତଥା ଅଧ୍ୟାତ୍ମିକ ପ୍ରବଚକ। ଶିଶୁଟିଏ କିପରି ଜଣେ ଭଲ ଦେଶ ସେବକ ହେବ ଏବଂ ତାର ଭାବନା ଆଧ୍ୟାତ୍ମିକ ଭାବନାରେ ପରିପୃଷ୍ଟ ହେବ ସେ ସମ୍ଭଧରେ ବକ୍ତବ୍ୟ ରଖିଥିଲେ।

ବିଦ୍ୟାଳୟର ସଭାପତି ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ।  ସମ୍ପାଦକ ସନ୍ତୋଷ କୁମାର ସାଥୁଆ ଅତିଥିମାନଙ୍କ ର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସେବା ଦେଇଥିବା ୭ ଜଣ ସେବାବ୍ରତୀ ମାନଙ୍କୁ ମାନପତ୍ର ଓ ଉପ ଢୋଉକୁନ ପ୍ରଦାନ କରି ସନମାନିତ କରାଯାଇଥିଲା। ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସୌମ୍ୟଶ୍ରୀ ସାହୁ ଓ ଅଂଶୁମାନ ପ୍ରସାଦଙ୍କୁ ଟ୍ରଫି ପ୍ରଦାନ କରାଯଇଥିଲା।

ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟର ସହ ସମ୍ପାଦକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୱତ ପରିଷଦ, ମାତୃଭାରତୀ ଓ ପରିଚାଳନା ସମିତିର ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ। ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଶିଶୁମନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମହ୍ଲାର ଅବିଭାବକମାନଙ୍କୁ ବେଶ ବିମୋହିତ କରିଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରାଜସୁନାଖଳା ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ  

ଭୁବନେଶ୍ୱର/ ନୟାଗଡ଼: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନୟାଗଡ଼ ଜିଲ୍ଲାର ରାଜସୁନାଖଳା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ରାଜସୁନାଖଳା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ରାଜସୁନାଖଳା ସହର ତଥା ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ରାଜସୁନାଖଳା ସହରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୬୪୦୦ ବର୍ଗଫୁଟ ପରିମିତି ରହିଛି। ଏହି ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ରାଜସୁନାଖଳା ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।