ରଣପୁର: ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ଭୁବନେଶ୍ୱରର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ନୟାଗଡ଼ ଜିଲ୍ଲା ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ରାଜସୁନାଖଳା ପରିଦର୍ଶନ କରିଛନ୍ତି।
ଏହି ପରିଦର୍ଶନ ସମୟରେ ସେ ପ୍ରତିଷ୍ଠାନର ବିଭିନ୍ନ ଶିକ୍ଷା ଓ ପ୍ରଶିକ୍ଷଣ ସମ୍ବଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିରେ ଆଇସିଟି ଲ୍ୟାବ୍, ଷ୍ଟୁଡିଓ, ଜିମ୍ ସେଣ୍ଟର, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) ସମ୍ବଳ କେନ୍ଦ୍ର, ବାଲ ବାଟିକା, ଟ୍ରେନିଂ ହଲ୍ ଏବଂ ଶ୍ରେଣୀଗୃହ ପରିଦର୍ଶନ କରି ସେଠାକାର ବ୍ୟବସ୍ଥା ଓ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ।
ପରିଦର୍ଶନ ସମୟରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କର ସୁବିଧା, ଅସୁବିଧା, ଶିକ୍ଷାଗତ ଆବଶ୍ୟକତା ଓ ଅନୁଭୂତି ବୁଝିଥିଲେ। ଶିକ୍ଷକ ପ୍ରଶିକ୍ଷଣର ଗୁଣାତ୍ମକ ମାନ ବୃଦ୍ଧି ସହିତ ଆଧୁନିକ ଶିକ୍ଷା ପଦ୍ଧତି ଓ ପ୍ରଯୁକ୍ତିର ସଠିକ୍ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ପରିଦର୍ଶନ ଶେଷରେ ନିର୍ଦ୍ଦେଶିକା ମହୋଦୟା ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକଳାପ ଓ ବ୍ୟବସ୍ଥା ପ୍ରତି ସନ୍ତୋଷ ବ୍ୟକ୍ତ କରିବା ସହ ସକାରାତ୍ମକ ମତାମତ ପ୍ରଦାନ କରିଥିଲେ। ତାଙ୍କର ଏହି ପରିଦର୍ଶନ ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଇଛି।


