ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର: ଓଡିଆ ଲେଖାପଢା ଜାଣିନଥିବାରୁ ସରପଂଚଙ୍କ ପଦଗଲା। ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ସରପଂଚ ପି.ସିମାଦ୍ରିଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ଛତ୍ରପୁର ସିଭିଲ ଜର୍ଜ ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହି।
ସୂଚନା ମୁତାବକ ୨୦୧୭ ପଚାଂୟତ ନିର୍ବାଚନରେ ପି.ସିମାଦ୍ରୀ ଅଗସ୍ତିନୂଆଗାଁ ସରପଂଚ ଭାବେ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୈାଡ ସେହି ସମୟରେ ଓକିଲଙ୍କ ଜରିଆରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସରପଂଚ ପି.ସିମାଦ୍ରୀ ଓଡିଆ ଲେଖିପଢି ଜାଣିନାହାନ୍ତି, ସେ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କରି ୬ଟି ସନ୍ତାନ ରହିଥିବା ଉକ୍ତ ପିଟିସନରେ ଉଲ୍ଲେଖ କରିଥିଲେ।
ଏନେଇ ଆଜି ଏହି ପିଟିସନ ଉପରେ ରାୟ ପ୍ରକାଶ ପାଇଛି। ୪ଜଣଙ୍କ ସାକ୍ଷ୍ୟପ୍ରମାଣ ଭିତିରେ ମାନ୍ୟବର ବିଚାରପତି ସିମାଦ୍ରୀଙ୍କୁ ସରପଂଚ ପଦବୀରୁ ଅଯୋଗ୍ୟ ଘୋଷଣା କରିଥିବା ନିବାସୀଙ୍କ ଓକିଲ ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଏବଂ ବିହିତ କାର୍ଯ୍ୟନୁଷ୍ଠାନ ନେବାପାଇଁ ଗଞ୍ଜାମ ଜିଲାପାଳଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି ୨୦୧୭ ପଚାଂୟତ ନିର୍ବାଚନରେ ଅଗସ୍ତିନୂଆଗାଁ ସରପଂଚ ପଦବୀ ପାଇଁ ତିନିଜଣ ପାର୍ଥୀଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ପି.ସିମାଦ୍ରୀ ବିଜୟୀ ହୋଇଥିବା ବେଳେ ନିବାସୀ ଗୈାଡ ୨ୟ ସ୍ଥାନରେ ରହିଥିଲେ।