ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦୁଇଟି ପରମର୍ଶ ଦେଇଛନ୍ତି। ସେହି ଦୁଇଟି ପରାମର୍ଶକୁ ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ କରୁ ବୋଲି ଉପରାଷ୍ଟ୍ରପତି ଆସା କରିଛନ୍ତି। ତାଙ୍କ ଅଭିଭାଷଣରେ ସେ ଏହି ଦୁଇଟି ପ୍ରସ୍ତାବ ସଂପର୍କରେ ଯାହା କହିଲେ ତାହା ହେଲା..
” ଓଡ଼ିଶାର ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ।
ଏଠାରେ ମୁଁ ଯୋରଦେଇ ସହ କହିବାକୁ ଚାହେଁ ଯେ ଆଦିବାସୀଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ସମ୍ମାନବୋଧ ଏବଂ ସମ୍ବେଦନଶୀଳତା ରହିବା ଆବଶ୍ୟକ । ଏ କ୍ଷେତ୍ରରେ ପୈତୃକ ଦୃଷ୍ଟିକୋଣ ଠିକ୍ ନୁହେଁ ସତକଥା ହେଲା ଆଦିବାସୀ ସମ୍ପ୍ରଦାୟଙ୍କ ଠାରୁ ଆମର ଅନେକ କିଛି ଶିଖିବାର ଅଛି। ସେମାନେ ପ୍ରକୃତି ସହ ସଦ୍ଭାବ ଓ ସମନ୍ୱୟ ରଖି ଅତି ସରଳ ଜୀବନଯାପନ କରନ୍ତି ।
ତଫସିଲଭୁକ୍ତ ଜାତି ଓ ଉପଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଉପରେ କୋଭିଡ୍ ମହାମାରୀର ପ୍ରାୟ କୌଣସି ପ୍ରଭାବ ପଡ଼ିନାହିଁ । ସେମାନେ ନିଜର ଅନୁପମ ରୀତିନୀତି ଓ ପରମ୍ପରା ପାଳନ କରି ସଂକ୍ରମଣକୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି । ଏହି ଅଧ୍ୟୟନ ଅନୁସାରେ ଆଦିବାସୀମାନେ ଅଭ୍ୟାସତଃ ସଂଘବଦ୍ଧ ବା ଗୋଷ୍ଠୀରେ ନ ଯାଇ ଧାଡ଼ିରେ ଯାଆନ୍ତି । ଚାଲିବାବେଳେ ସେମାନେ ପରସ୍ପର ଠାରୁ ଉପଯୁକ୍ତ ଦୂରତ୍ୱ ରକ୍ଷା କରନ୍ତି । ଏଭଳି ନିରାପଦ ଦୂରତ୍ୱ ରକ୍ଷା ଓ ସ୍ୱାସ୍ଥ୍ୟଗତ ନୀତି ପାଳନ କରିବା ଆଦିବାସୀ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଛଡ଼ା ସେମାନେ ପ୍ରାକୃତିକ ଖାଦ୍ୟ ଖାଇଥାଆନ୍ତି । ଏହା ଫଳରେ ମହାମାରୀ ସମୟରେ ସେମାନେ ନିରାପଦ ରହିଛନ୍ତି ।
ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଦିବାସୀ ସମୁଦାୟଙ୍କ ଏଭଳି ସକାରାତ୍ମକ ଦିଗ ସମ୍ପର୍କରେ ଧ୍ୟାନ କେନ୍ଦ୍ରିତ କରିବାକୁ ମୁଁ ପ୍ରସ୍ତାବ ଦେଉଛି । ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏକଥା ସ୍ଥାନ ପାଇବା ଆବଶ୍ୟକ । ମୁଁ ଚାହେଁ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାବଳୀ ଉପରେ ଗବେଷଣା କରି ଏହି ସମୁଦାୟର ବିକାଶ ପାଇଁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଉଚିତ ।
ଓଡ଼ିଶା ଭଳି ରାଜ୍ୟପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିପର୍ୟ୍ୟୟ ପରିଚାଳନା । ଏହି ରାଜ୍ୟ ନିୟମିତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ତେଣୁ ଆମ ଶିକ୍ଷାର ଆରମ୍ଭ କାଳରୁ ବିପର୍ୟ୍ୟୟ ପରିଚାଳନାକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବାର ବିଶେଷ ଆବଶ୍ୟକତା ରହିଛି । ଏହା ଦ୍ୱାରା ଭବିଷ୍ୟତରେ ବିପର୍ୟ୍ୟୟ ମୁକାବିଲା କରିବାକୁ ଆମେ ଭଲଭାବେ ପ୍ରସ୍ତୁତ ହୋଇପାରିବା। ମୋର ଆଶା ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ।”