ନୂଆଦିଲ୍ଲୀ: ରାହୁଳ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ଭୋପାଳରେ ତାଙ୍କ ବିରୋଧରେ ଏଫଆଇଆର ଋଜୁ କରାଯାଇଛି। ଏଥିସହିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଋଜୁ ହେବା ପରେ ଆଇନି ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଉଛି।
ହିନ୍ଦୁ ଦେବାଦେବୀ ଏବଂ ଆରଏସଏସ ବିରୋଧରେ ରାହୁଳ ଗାନ୍ଧୀ ଯେପରି ବୟାନ ଦେଇଛନ୍ତି ତାହା ଠିକ୍ ନୁହେଁ। ରାହୁଳ ଗାନ୍ଧୀ ସୁବିଧାବାଦୀ ରାଜନୀତି କରିବା ପାଇଁ ଏପରି ବୟାନ ଦେଇଛନ୍ତି। ଯାହା କୋଟି କୋଟି ହିନ୍ଦୁଙ୍କୁ ଆଘାତ ଦେଇଛି। ଏହା ବିରୋଧରେ ଏକ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ସେହିପରି ମଧ୍ୟ ପ୍ରଦେଶ ବିଜେପି ବିଧାୟକ ରାମେଶ୍ବର ଶର୍ମା ମଧ୍ୟ ଥାନାରେ ଏକ ମାମଲା ଋଜୁ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳଙ୍କ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ହିନ୍ଦୁ ସମାଜକୁ ଆଘାତ କରିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।
ନିକଟରେ ରାହୁଳ ଗାନ୍ଧୀ ନୂଆଦିଲ୍ଲୀରେ ମହିଳା କଂଗ୍ରେସର ଏକ ସଭାରେ ବିଜେପି ଏବଂ ଆରଏସଏସ କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ, ସେଥିରେ ତାଙ୍କ ସହିତ ଦୁଇ ତିନି ଜଣ ମହିଳା ଥିବାର ନିଶ୍ଚିତ ନଜରକୁ ଆସିବ। ହେଲେ ଆପଣମାନେ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କୁ ଦେଖିଛନ୍ତି। ତାଙ୍କ ସହିତ କେବେ ଜଣେ ମହିଳା ଥିବାର ଦେଖିଛନ୍ତି କି ? ଆପଣମାନେ କେବେ ଦେଖି ନ ଥିବେ।
ଏହାପରେ ସେ କହିଥିଲେ ଯେ, ଏହାର କାରଣ କଣ ଜାଣିଛନ୍ତି ? ଏହାର କାରଣ ହେଲା ଆରଏସଏସ ନାରୀମାନଙ୍କୁ ଦମନ କରିବାକୁ ଚାହେଁ। ହେଲେ କଂଗ୍ରେସ ମହିଳାମାନଙ୍କୁ ଉପରକୁ ଉଠିବା ପାଇଁ ମଞ୍ଚ ତିଆରି କରେ। ଏହାପରେ ସେ କହିଥିଲେ ଯେ, ଆରଏସଏସ ହିନ୍ଦୁ ଧର୍ମ ନାମରେ ଦଲାଲି କରୁଛି।
ରାହୁଳଙ୍କ ଏହି ଭାଷଣ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ସଂଘ ତରଫରୁ ତାଙ୍କର ଏହି ଭିଡିଓ ଉପରେ ତୀବ୍ର ସମାଲୋଚନା କରାଯାଇଛି।