ଆଜି ଦେଶର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀ ପାଳିତ

Published: Nov 12, 2021, 4:44 pm IST

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଦେଶର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀରେ ଏଜି ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ଜୟୀ ରାଜଗୁରୁଙ୍କ ଅଦମ୍ୟ ବୀରତ୍ୱ, ଦେଶଭକ୍ତି ତଥା ନିଷ୍ଠାର ପଟ୍ଟାନ୍ତର ନାହିଁ । ଇଂରେଜମାନଙ୍କୁ ଗରିଲା ଯୁଦ୍ଧରେ ପରାସ୍ତ କରିବା ସହ ପାଇକମାନଙ୍କୁ ଏକାଠି କରି ଦେଶ ମାତୃକା ପାଇଁ ଲଢି ଯେଉଁ ପ୍ରାଣବଳୀ ଦେଇଥିଲେ ତାହା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ସମ୍ମାନିତ ଅତିଥି ଓ ସଂଯୋଜକ ଭାବେ ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରାଙ୍କ ସହିତ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂ, ବି ମୁରଲୀଧର, ଡ. ଅସିତ ଦାସ, ପ୍ରବୀର ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍‌, ଭାଷାଯୋଦ୍ଧା ସୀତାବଲ୍ଲଭ ମହାପାତ୍ରଙ୍କୁ ଜୟୀ ରାଜଗୁରୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଅଭିଯାନର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ନାରାୟଣ ମୁଦୁଲି, ତନ୍ମୟ ସାମନ୍ତରାୟ ଯୋଗ ଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Related posts