ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବ ହେଲେ ପୁର୍ତ୍ତ ବିଭାଗର ପ୍ରମୁଖ ସଚିବ। ଏଥିସହିତ ସେ ପୂର୍ବପରି ଖାଦ୍ୟ ଓ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ମଧ୍ୟ କାର୍ଯ୍ୟ କରିବେ। ଏହି ଦୁଇ ବିଭାଗ ସହିତ ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ସେହିପରି ନିକୁଞ୍ଜ ସୁନ୍ଦର ରାୟ କେନ୍ଦ୍ରରୁ ଆସିବା ପରେ ତାଙ୍କୁ ସାଧାରଣ ଉଦ୍ୟୋଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟତମ ବରିଷ୍ଠ ପ୍ରଶାସକ ସଂଜୀବ କୁମାର ଚଢା ତାଙ୍କର କୃଷି ଓ କୃଷକ ଶସକ୍ତ ବିଭାଗ ସହିତ ସମବାୟ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ। ଲଘୁ ଖଣିଜ ସଂପଦର ନିର୍ଦ୍ଦେଶକ ଥିବା ଶୁଭମ୍ ସାକ୍ସେନାଙ୍କୁ ଯୋଗାଣ ନିଗମର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।