ନୂଆଦିଲ୍ଲୀ: ଶୀତଋତୁ ଆସିବା ପୂର୍ବରୁ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ବାୟୁର ଗୁଣବତ୍ତା ସୁଧାରିବା ଉଦ୍ଦେଶ୍ୟରେ ଦିଲ୍ଲୀ ସରକାର ଏକ କଡ଼ାକଡ଼ି ଶୀତକାଳୀନ କାର୍ଯ୍ୟଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ବ୍ୟାପକ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି, ଯାହାକି ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ପ୍ରତିବର୍ଷ ଶୀତଦିନେ ଚିନ୍ତାଜନକ ସ୍ଥିତିକୁ ଚାଲିଯାଉଥିବାରୁ ଏଥର ସରକାର ପ୍ରତ୍ୟେକଟି କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
ନୂତନ ନିୟମାବଳୀ ଅନୁଯାୟୀ, ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଏବଂ ବିଏସ-୬ ମାନଦଣ୍ଡ ପୂରଣ କରୁନଥିବା ଯାନଗୁଡ଼ିକର ପ୍ରବେଶ ଉପରେ କଟକଣା ଲଗାଯାଇଛି। ନଭେମ୍ବର ୧ରୁ ଜାନୁଆରି ୩୧ ପର୍ଯ୍ୟନ୍ତ ଏହି ବାହ୍ୟ ଯାନଗୁଡ଼ିକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଏହାସହ ବ୍ୟକ୍ତିଗତ ଯାନବାହାନର ବ୍ୟବହାରକୁ କମ କରିବା ଏବଂ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ହାତକୁ ନିଆଯାଇଛି।
ନଭେମ୍ବର ୧ରୁ ଫେବୃଆରୀ ୨୮, ୨୦୨୭ ପର୍ଯ୍ୟନ୍ତ ସମସ୍ତ ଅଧିକୃତ ପାର୍କିଂ ସ୍ଥାନରେ ଦୁଇଗୁଣା ଶୁଳ୍କ ଆଦାୟ କରାଯିବ, ଯାହାଦ୍ୱାରା ଲୋକମାନେ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରିବାକୁ ନିରୁତ୍ସାହିତ ହେବେ। ତେବେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଅଧୀନରେ ଥିବା ପାର୍କିଂଗୁଡ଼ିକୁ ଏହି ବୃଦ୍ଧିରୁ ବାଦ ଦିଆଯାଇଛି। ଟ୍ରାଫିକ୍ ଭିଡ଼ ଏବଂ ଯାନଜନିତ ଧୂଆଁକୁ କମ କରିବା ପାଇଁ ମହାନଗର ନିଗମ କାର୍ଯ୍ୟାଳୟଗୁଡ଼ିକ ସକାଳ ୮:୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସକାଳ ୧୦ଟାରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ପରିଚାଳିତ ହେବ।
ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ଅର୍ଦ୍ଧେକ ଅର୍ଥାତ୍ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ନୋ ପିୟୁସି, ନୋ ଫୁଏଲ୍’ ନୀତି ଅନୁଯାୟୀ, ଗାଡ଼ିରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ଦିଲ୍ଲୀ-ଏନସିଆର ଅଞ୍ଚଳର କୌଣସି ବି ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ ଦିଆଯିବ ନାହିଁ। ନମ୍ବର ପ୍ଲେଟ୍ ଚିହ୍ନଟ କରୁଥିବା କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହାକୁ କଡ଼ାକଡ଼ି ଭାବେ ତଦାରଖ କରାଯାଉଛି।
ନିର୍ମାଣ ଏବଂ ଭଙ୍ଗାକାର୍ଯ୍ୟ ଉପରେ କଡ଼ା ନିୟନ୍ତ୍ରଣ ଜାରି କରାଯିବା ସହ ପ୍ରଦୂଷଣ ନିୟମ ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ କୃତିିମ ପ୍ରଜ୍ଞା କିମ୍ବା ଏଆଇ-ଆଧାରିତ ମନିଟରିଂ ବ୍ୟବସ୍ଥା କରାଯାଇଛି। ଇଲେକ୍ଟ୍ରିକ୍ ବସଗୁଡ଼ିକର ସଂଖ୍ୟା ବୃଦ୍ଧି, ମେଟ୍ରୋ ସଂଯୋଗୀକରଣ ଏବଂ କାର୍ ପୁଲିଂକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି ଯାହାଫଳରେ ସାଧାରଣ ଲୋକେ ସହଜରେ ଯାତାୟାତ କରିପାରିବେ ଏବଂ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ।


