ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ତରଫରୁ ୫ମ ଦେବ ପ୍ରସାଦ ଦାସ ସମ୍ମାନ

Published: May 9, 2022, 8:08 am IST

ଭୁବନେଶ୍ବର: ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାର୍ଚ୍ଚନା’ ତରଫରୁ ୫ମ ଦେବ ପ୍ରସାଦ ଦାସ ସମ୍ମାନ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପହଁଚାଇବାରେ ଗୁରୁ ଶ୍ରୀ ଦେବ ପ୍ରସାଦ ଦାସଙ୍କ ଦାସଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା ବୋଲି କହିଥିଲେ।

ବିଶିଷ୍ଟ ଗୀତିକାର ଇଂଜିନିୟର ରାଧାଶ୍ୟାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଓଡିଶା ବିଧାନ ସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ତଥା ଓଡିଶୀ ନୃତ୍ୟଗୁରୁ ତଃ. ସ୍ନେହପ୍ରଭା ସାମନ୍ତରାୟ, ଖ୍ୟାତନାମା ଡାକ୍ତର ବିଶ୍ୱନାଥ ପଟ୍ଟନାୟକ ଯୋଗଦେଇ ଗୁରୁ ଦେବପ୍ରସାଦ ଦାସଙ୍କ ଓଡିଶୀ ନୃତ୍ୟରେ ମୌଳିକତା ରକ୍ଷା, ଉତ୍କର୍ଷତା ପ୍ରତିପାଦନ ସମସ୍ତ ଓଡିଶୀ ଗୁରୁ ଓ ଓଡିଶୀ ଶିଳ୍ପୀମାନକୁ ପ୍ରେରଣା ଯୋଗାଇବା ସହ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ରୁଦ୍ଧିମନ୍ତ କରିବାରେ ସହାୟକ ହୋଇଛି ବୋଲି କହିଥିଲେ।

ନୃତ୍ୟାର୍ଚ୍ଚନାର ସଂପାଦକ ଗୁରୁ ସୁରେଶ କୁମାର ଖୁଣ୍ଟିଆ ଓ ସଭାପତି ଶିଳାଲିପି ଦାସଙ୍କ ଉପସ୍ଥିତିରେ ପ୍ରଫେସର ଡଃ. ମୃତ୍ୟୁଞ୍ଜୟ ରଥ ମଂଚ ସଂଯୋଜନା କରିଥିଲେ। ଚଳିତ ବର୍ଷ ଓଡିଶୀ ନୃତ୍ୟଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ୫ମ ଦେବ ପ୍ରସାଦ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଡଃ ମୃତ୍ୟୁଞ୍ଜୟ ରଥଙ୍କୁ ଗୁରୁ ଦେବପ୍ରସାଦ ଦାସ ବାଣିଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଗୁରୁ ଡଃ. ମନୋରଂଜନ ପ୍ରଧାନ, ଗୁରୁ ମିନତୀ ପ୍ରଧାନ, ଗୁରୁ ଡଃ. ଦିପ୍ତୀ ରାଉତରାୟ, ଗୁରୁ ସୁହାଗ ନଳିନୀ ଦାସଙ୍କୁ ୫ମ ନୃତ୍ୟାର୍ଚ୍ଚନା ସମ୍ମାନରେ ସମ୍ମାନିତ କରାଯାଇଛି।

ଓଡିଶୀ ନୃତ୍ୟ ଶିଳ୍ପୀ ଲିମା ଦାସ, ଅନ୍ୱେଷା ଦାସ , ହିମାଂଶୁ କୁମାର ରାୟ, ଦିପ୍ତିରଂଜନ ବରାଳ ,ସ୍ନେହାଙ୍କା ମହାପାତ୍ର, ଅଶ୍ୱିନୀ ମିଶ୍ରଙ୍କୁ ୫ମ ଗୁରୁ ଦେବପ୍ରସାଦ ଦାସ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ସଭା ପରେ ପରେ ନୃତ୍ୟାର୍ଚ୍ଚନା ଅନୁଷ୍ଠାନର ନୃତ୍ୟଗୁରୁ ଓ ଓଡିଶୀ ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା ଆକର୍ଷଣୀୟ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କାର‌୍ୟ୍ୟକ୍ରମରେବହୁ ସଂଖ୍ୟାରେ ନୃତ୍ୟ , କଳା, ସଂଗୀତ ଓ ସଂସ୍କୃତିପ୍ରେମୀ ଜନସାଧାରଣ ଯୋଗଦେଇଥିଲେ।

Related posts