ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ଛକ ଭାବେ ପରିଚିତ ସିଆରପି ଛକରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ସମ୍ପୃକ୍ତ ଯୁବକ ଜଣକ ନିଜ ବାଇକ୍ ଯୋଗେ ସିଆରପି ଛକ ଦେଇ ଯାଉଥିବା ବେଳେ ଏକ କାର ତାଙ୍କୁ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ଜଣକ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିବା ସହ କାର ଚାଳକ ଏବଂ ସେଥିରେ ଥିବା ଅନ୍ୟ ତିନି ଜଣଙ୍କୁ ମିଶାଇ ମୋଟ ଚାରି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ରାତି ସମୟରେ ଗାଡ଼ିର ବେଗ ଅଧିକ ଥିବାରୁ କିମ୍ବା ଚାଳକଙ୍କ ଅସାବଧାନତା ଯୋଗୁଁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


