ପ୍ରାଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ନେଇ ‘ଇନଷ୍ଟିଚ୍ୟୁସନାଲ୍ ମେକାନିଜିମ ରିପୋର୍ଟ’ର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

Published: May 17, 2022, 8:18 pm IST

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କ ସହ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ନେଇ ‘ଇନଷ୍ଟିଚ୍ୟୁସନାଲ୍ ମେକାନିଜିମ ରିପୋର୍ଟ’ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ଦୀର୍ଘ ସମୟ ଧରି ବୈଠକରେ ଚର୍ଚ୍ଚା ହେବା ପରେ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି।

ଏକବିଂଶ ଶତାବ୍ଦୀର ଭାରତର ଅନେକ ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରାଧ୍ୟାପକଙ୍କ ଦକ୍ଷତାକୁ ବିକାଶ କରିବା ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୟନ ହୋଇଥିବା ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଓ ଶିକ୍ଷା ଦେବା ଦିଗରେ ବିବିଧ ପଦକ୍ଷେପ ନେବା ଦିଗରେ ଉଲ୍ଲେଖ କରାଯାଇଛି। ଭାରତୀୟ ମୂଲ୍ୟବୋଧ, ଭାରତୀୟ ଭାଷା, ଜ୍ଞାନ, ନୈତିକତା ଏବଂ ପରମ୍ପରା ଆଧାରରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Related posts