ଶରଧାବାଲିରେ ତିନିରଥ, ସଅଳ ସଅଳ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ତିନିଠାକୁର

Published: Jul 1, 2022, 11:24 pm IST

ପୁରୀ: ବେଶ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ରଥଯାତ୍ରା। ତିନି ଠାକୁର ଏଥର ଭକ୍ତମାନଙ୍କୁ ସିଧା ଦର୍ଶନ ଦେଇଛନ୍ତି। କାରଣ ଦୀର୍ଘ ଦୁଇ ବର୍ଷ ଧରି କରୋନା ପାଇଁ ରଥରେ ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କୁ କରାଯାଇଥିଲା ବାରଣ। ସେଥିପାଇଁ ଭକ୍ତ ଭଗବାନଙ୍କର ମିଳନ ହୋଇପାରି ନ ଥିଲା।

ଆଜି ତିନି ଠାକୁର ସଅଳ ସଅଳ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଜାରୀ ହୋଇଥିବା ସମୟ ନିର୍ଘଣ୍ଟ ପୂର୍ବରୁ ତିନି ଠାକୁରଙ୍କ ସମସ୍ତ ନିତି ସମାପନ ହୋଇଥିଲା। ସେବକମାନେ ପ୍ରଭୃ ସେବାକୁ ବେଶ୍ ମନଧ୍ୟାନ ଦେଇ କରିଥିଲେ। ଫଳରେ ତିନିଠାକୁର ସଂଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ।

ଆଜି ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ଏଥିରେ ଜଣଙ୍କ ପରେ ଜଣେ ତିନି ଭାଇ ଭଉଣୀ ରଥାଋଢ ହୋଇଥିଲେ। ଏହାପରେ ଶଙ୍କରାଚାର୍ଯ୍ୟ ତିନିରଥରେ ଚଢି ପ୍ରଭୃଙ୍କ ଦର୍ଶନ କରିଥିଲେ। ଶେଷରେ ଗଜପତି ଦିବ୍ୟସିଂହ ଦେବ ପାଲିଙ୍କିରେ ଆସି ପ୍ରଥମେ ବଳଭଦ୍ର, ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ।

ଦିନ ପ୍ରାୟ ୧୨ଟା ୩୫ ରେ ରଥ ଭିଡା ଆରମ୍ଭ ହୋଇଥିଲା। ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ପ୍ରଥମେ ତାଳଧ୍ବଜ ରଥକୁ ଟାଣିଥିଲେ। ଏହାପରେ ମା ସୁଭଦ୍ରାଙ୍କ ରଥ ଦେବ ଦଳନକୁ ମଧ୍ୟ ଭକ୍ତମାନେ ଟାଣିବା ଆରମ୍ଭ କରିଥିଲେ। ଶେଷରେ ପ୍ରଭୃ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦାଣ୍ଡରେ ଗଡି ଚାଲିଥିଲା। ତିନି ରଥ ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ପହଁଞ୍ଚି ସାରିଥିଲା।

ଆସନ୍ତାକାଲି ଅପରାହ୍ନରେ ତିନିଠାକୁରଙ୍କ ପହଁଣ୍ଡି ବିଜେ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ। ସେଠାରେ ପ୍ରଭୃ ଆଡପ ଦର୍ଶନ ଦେବେ। ସେହିଠାରେ ଆଡପ ଭୋଗ ପ୍ରଚଳନ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତା ନଅ ତାରିଖରେ ତିନିଠାକୁର ଶ୍ରୀମନ୍ଦିରକୁ ବାହୁଡିବେ।

Related posts