ଇରାନରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚମ୍ପିୟାନସିପରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

Published: Aug 22, 2022, 11:39 pm IST

ଭୁବନେଶ୍ବର: ୧୪ ତମ ଏସିଆନ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚମ୍ପିୟାନସିପରେ କୋରିଆକୁ ହରାଇ ଭାରତ ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛି। ଗତ ଥର ସିଲଭର ପଦକ ଜିତିଥିବା କୋରିଆକୁ ୩-୨ ସେଟ୍ (୨୫-୨୦, ୨୫-୨୧, ୨୬-୨୮, ୧୯-୨୫ ଏବଂ ୧୫-୧୨) ରେ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ଜିତିଛି।

କୋରିଆକୁ ହରାଇବାରେ ଭାରତୀୟ ଦଳର ଆଶିଷ ସ୍ବାଇଁ, ଆର୍ଯ୍ୟାୟନ ବାଲିଆନ, ଖୁଶ ସିଂ ଏବଂ କାର୍ତ୍ତିକ ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରାଥମିକ ଲିଗ୍ ମ୍ୟାଚରେ ଭାରତ କୋରିଆକୁ ପରାସ୍ତ କରି ସେମିପାଇନାଲକୁ ଉନ୍ନତ ହୋଇଥିଲା।

ଗତକାଲି ଆୟୋଜିତ ସେମିଫାଇନାଲ ମ୍ୟାଚରେ ଇରାନଠାରୁ ଭାରତ ହାରିଯାଇଥିଲା। ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବ ଚାମ୍ପିଅନ୍ ଚୀନ୍ ୫ମ ସ୍ଥାନ ଏବଂ ଚାଇନିଜ୍ ତାଇପେଇ ଷଷ୍ଠ ଏବଂ କୋରିଆ ୪ର୍ଥ ସ୍ଥାନ ପାଇଛି। ଏହି ଚାମ୍ପିୟନସିପ୍‌ରେ ଭାରତ ଅଲରାଉଣ୍ଡର ପ୍ରଦର୍ଶନ ପ୍ରଦର୍ଶନ କରିଥିଲା।

ଇରାନର ତେହେରାନଠାରେ ଥିବା ଫେଡେରେସନ୍ ହଲ୍ ରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପ୍ ୨୦୨୨ ଆୟୋଜିତ ହୋଇଥିଲା। ଏହା ୧୫ ଅଗଷ୍ଠରୁ ଆରମ୍ଭ ହୋଇ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଭାରତୀୟ ଦଳରେ ଓଡିଶାରୁ ଏକମାତ୍ର ଖେଳାଳୀ ଆଶିଷ ସ୍ବାଇଁ ସାମିଲ ହୋଇଥିଲେ।

Related posts