Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଅହମ୍ମଦାବାଦରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଖେଳ

ଅହମ୍ମଦାବାଦରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ

September 30, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଗୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦ୍ବାରା ଦେସାରରେ ବିଶ୍ବସ୍ତରୀୟ ‘‘ସ୍ବର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ବବିଦ୍ୟାଳୟ’’ ଉଦଘାଟନ କରାଯାଇଥିଲା। ଜାତୀୟ କ୍ରୀଡ଼ାରେ ସାରା ଦେଶର ବିଭିନ୍ନ ସ୍ଥାନରୁ ଭାଗ ନେଇଥିବା କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ କ୍ରୀଡ଼ାର ଉଦଘାଟନୀ ସମାରୋହରେ ଦେଖିବାକୁ ମିଳିଥିବା ବର୍ଣ୍ଣାଢ୍ୟ ପରିବେଶକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ସେ କହିଥିଲେ ଯେ ଏପରି ଭବ୍ୟ ସମାରୋହରେ ଅନୁଭୂତି ଏବଂ ଉତ୍ସାହକୁ ସହଜରେ ବର୍ଣ୍ଣନା କରି ହେବ ନାହିଁ। ୭ ହଜାରରୁ ଅଧିକ କ୍ରୀଡ଼ାବିତ, ୧୫ ହଜାରରୁ ଅଧିକ ଅଂଶଗ୍ରହଣକାରୀ, ୩୫ ହଜାରରୁ ଅଧିକ କଲେଜ, ବିଶ୍ବବିଦ୍ୟାଳୟ ଏବଂ ସ୍କୁଲ ସହିତ ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଜାତୀୟ କ୍ରୀଡ଼ା ସହ ଯୋଡ଼ି ହେବା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ।

ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମରେ ବିଶ୍ବର ସବୁଠୁ ଯୁବ ରାଷ୍ଟ୍ରର ସବୁଠୁ ବଡ଼ କ୍ରୀଡ଼ା ମହୋତ୍ସବ ଆୟୋଜନ କରାଯାଉଛି! ଯେତେବେଳେ କାର୍ଯ୍ୟକ୍ରମ ଏତେ ଚମତ୍କାର ଓ ଅଭିନବ ହୋଇଥାଏ, ଏହାର ଉତ୍ସାହ ମଧ୍ୟ ଅସାଧାରଣ ହେବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ ଜାତୀୟ କ୍ରୀଡ଼ା ସଙ୍ଗୀତର ପ୍ରମୁଖ ବାର୍ତ୍ତା ‘ଜୁଡ଼େଗା ଇଣ୍ଡିଆ – ଜିତେଗା ଇଣ୍ଡିଆ’ ଆବୃତ୍ତି କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ସବୁ ଦର୍ଶକ ତାଙ୍କ ସହ ସ୍ବର ମିଳାଇଥିଲେ। ସେ କହିଥିଲେ ଯେ ଭାରତୀୟ କ୍ରୀଡ଼ାବିତମାନଙ୍କର ମୁଖମଣ୍ଡଳରେ ଆଜି ଯେଉଁ ଉଜ୍ଜ୍ବଳତା ଦେଖିବାକୁ ମିଳିଛି ତାହା ଆଗାମୀ ଦିନରେ ଭାରତୀୟ କ୍ରୀଡ଼ାର ସ୍ବର୍ଣ୍ଣିମ ଭବିଷ୍ୟତର ସଙ୍କେତ ଦେଉଛି। ଏତେ କମ ସମୟ ମଧ୍ୟରେ ଏତେ ବିଶାଳ ସମାରୋହ ଆୟୋଜନ କରିବା ଲାଗି ସେ ଗୁଜରାଟ ଜନସାଧାରଣଙ୍କ କ୍ଷମତାକୁ ପ୍ରଶଂସା କରିଥିଲେ।

ଗତକାଲି ଅହମ୍ମଦାବାଦରେ ବିଶାଳ ଡ୍ରୋନ ଶୋ’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ଏକ ଚମତ୍କାର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ ଏବଂ ଗର୍ବିତ। ଡ୍ରୋନ ଭଳି ପ୍ରଯୁକ୍ତିର ଏଭଳି ଯତ୍ନଶୀଳ ବ୍ୟବହାର ଗୁଜରାଟ ତଥା ଭାରତକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାତୀୟ କ୍ରୀଡ଼ା ୨୦୨୨ର ଅଫିସିଆଲ ମାସ୍କଟ ଏସୀୟ ସିଂହ ‘ସାଭଜ’ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ମାସ୍କଟ କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଯୁବଶକ୍ତିଙ୍କ ସାହସିକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ବିଶ୍ବ ସ୍ତରରେ ପ୍ରଗତିଶୀଳ ଭାରତର ଏକ ପ୍ରତୀକ ବୋଲି ସେ କହିଥିଲେ ।

ଷ୍ଟାଡିୟମର ଅଭିନବ ବୈଶିଷ୍ଟ୍ୟ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ୟ କ୍ରୀଡ଼ା କମ୍ପ୍ଲେକ୍ସଗୁଡ଼ିକରେ ସୀମିତ ସୁବିଧା ରହିଛି । କିନ୍ତୁ ସର୍ଦ୍ଦାର ପଟେଲ କ୍ରୀଡ଼ା କମ୍ପ୍ଲେକ୍ସରେ ଫୁଟବଲ, ହକି, ବାସ୍କେଟ ବଲ, କବାଡ଼ି, ବକ୍ସିଂ ଏବଂ ଲନ ଟେନିସ ଭଳି ବହୁ କ୍ରୀଡ଼ା ଆୟୋଜନ ପାଇଁ ସୁବିଧା ରହିଛି । ଏକପ୍ରକାରରେ ଏହା ସମ୍ପୂର୍ଣ୍ଣ ରାଷ୍ଟ୍ରର ଏକ ମଡେଲ । ‘‘ଭିତ୍ତିଭୂମି ଉନ୍ନତ ମାନର ହୋଇଥିଲେ, ଖେଳାଳୀମାନଙ୍କ ମନୋବଳ ଉଚ୍ଚ ରହିଥାଏ’’, ଶ୍ରୀ ମୋଦୀ କହିଥିଲେ । ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳୀମାନଙ୍କ ରାଜ୍ୟରେ ନବରାତ୍ରୀ ଉତ୍ସବକୁ ଉପଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ । ସେ କହିଥିଲେ ଯେ, ପାର୍ବଣର ଉଲ୍ଲାସ ମା’ ଦୁର୍ଗାଙ୍କ ଉପାସନା ଠାରୁ ଊର୍ଦ୍ଧ୍ବକୁ ଯିବା ସହ ଗରବା ନୃତ୍ୟର ଆନନ୍ଦଦାୟକ ଉତ୍ସବ ପାଳନରେ ସମସ୍ତଙ୍କୁ ସାମିଲ କରିଛି ।

ଜାତୀୟ ଜୀବନରେ କ୍ରୀଡ଼ାର ଗୁରୁତ୍ବ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ‘‘କ୍ରୀଡ଼ା କ୍ଷେତ୍ରରେ ଖେଳାଳୀଙ୍କ ବିଜୟ ଏବଂ ସେମାନଙ୍କର ଦୃଢ଼ ପ୍ରଦର୍ଶନ ମଧ୍ୟ ଅନ୍ୟ କ୍ଷେତ୍ରରେ ଦେଶର ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ,’’ ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ‘‘କ୍ରୀଡ଼ା ସହ ଜଡ଼ିତ ମୋର ବନ୍ଧୁମାନଙ୍କୁ ମୁଁ ପ୍ରାୟ ସମୟ କହିଥାଏ – କାର୍ଯ୍ୟ ସହିତ ସଫଳତା ଆରମ୍ଭ ହୋଇଥାଏ! ଅର୍ଥାତ୍‌, ଆପଣ ଯେଉଁ ମୁହୂର୍ତ୍ତ ଠାରୁ ଆରମ୍ଭ କରିଥାନ୍ତି, ସେହି ମୁହୂର୍ତ୍ତ ଠାରୁ ହିଁ ସଫଳତା ଆରମ୍ଭ ହୋଇଥାଏ । ଆପଣମାନେ ଆଗକୁ ବଢ଼ିବାର ଭାବନା ତ୍ୟାଗ ନକରିବା ପର୍ଯ୍ୟନ୍ତ, ବିଜୟ ଆପଣଙ୍କ ପଛରେ ଗୋଡ଼ାଇଥାଏ।’’

କ୍ରୀଡ଼ା କ୍ଷେତ୍ରରେ ପ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୮ ବର୍ଷ ପୂର୍ବରୁ, ଭାରତୀୟ ଖେଳାଳୀମାନେ ୧୦୦ରୁ କମ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଉଥିଲେ । ଏହାର ବିପରୀତ, ଏବେ ଭାରତୀୟ ଖେଳାଳୀମାନେ ୩୦୦ରୁ ଅଧିକ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ପାରୁଛନ୍ତି । ‘‘ଆଠ ବର୍ଷ ପୂର୍ବରୁ ଭାରତୀୟ କ୍ରୀଡ଼ାବିତମାନେ ୨୦-୨୫ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଉଥିଲେ । ମାତ୍ର ଏବେ ୪୦ରୁ ଅଧିକ ଭିନ୍ନ ଭିନ୍ନ କ୍ରୀଡ଼ାରେ ଭାରତୀୟ ଖେଳାଳୀମାନେ ଅଂଶଗ୍ରହଣ କରିପାରୁଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପଦକ ଏବଂ ଭାରତୀୟ ଖେଳାଳୀଙ୍କ ସମ୍ମାନ ମଧ୍ୟ ଏବେ ବୃଦ୍ଧି ପାଇଛି’’, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ମହାମାରୀ ଭଳି କଷ୍ଟକର ସମୟରେ ମଧ୍ୟ ଦେଶର କ୍ରୀଡ଼ାବିତମାନଙ୍କର ମନୋବଳକୁ କ୍ଷତିଗ୍ରସ୍ତ ହେବାକୁ ଦିଆଯାଇନଥିଲା। ଏକ କ୍ରୀଡ଼ାସୁଲଭ ମନୋଭାବ ନେଇ ଆମେ କ୍ରୀଡ଼ା ପାଇଁ କାର୍ଯ୍ୟ କରିଛୁ । ଟିଓପିଏସ ଭଳି ଯୋଜନା ଜରିଆରେ ବହୁ ବର୍ଷ ଧରି ମିଶନ ମୋଡରେ ପ୍ରସ୍ତୁତି କରିଛୁ । ଆଜି ବଡ଼ ଖେଳାଳୀଙ୍କ ସଫଳତା ଠାରୁ ଆରମ୍ଭ କରି ନୂଆ ଖେଳାଳୀଙ୍କ ଭବିଷ୍ୟତ ନିର୍ମାଣ ପର୍ଯ୍ୟନ୍ତ, ଟିଓପିଏସ ଏକ ବଡ଼ ଭୂମିକା ନିର୍ବାହ କରୁଛି । ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବୋଲି ସେ କହିଥିଲେ । ସେହିପରି, ବ୍ୟାଡମିଣ୍ଟନ ଦଳର ଥୋମାସ କପ୍‌ ବିଜୟ କ୍ରୀଡ଼ା ଜଗତରେ ସତେଜ ଉଲ୍ଲାସ ନେଇ ଆସିଥିଲା। ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ାରେ ପାରା-କ୍ରୀଡ଼ାବିତମାନଙ୍କର ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । କ୍ରୀଡ଼ାର ଏହି ଅଭ୍ୟୁଦୟରେ ମହିଳା କ୍ରୀଡ଼ାବିତମାନଙ୍କର ସମାନ ଏବଂ ଦୃଢ଼ ଅଂଶଗ୍ରହଣକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଏପରି ସଫଳତା ପାଇବା ସମ୍ଭବପର ଥିଲା, କିନ୍ତୁ ଭାରତରେ କ୍ରୀଡ଼ା କ୍ଷେତ୍ର ପେସାଦାର ଆବଶ୍ୟକତା ପରିବର୍ତ୍ତେ ଦୁର୍ନୀତି ଓ ପରିବାରବାଦ ମଧ୍ୟରେ ଛନ୍ଦି ହୋଇ ରହିଥିଲା । ଆମେ ଏହି କଳୁଷତା ଦୂର କଲୁ ଏବଂ ନିଜର ସ୍ବପ୍ନ ପୂରଣ କରିବା ପାଇଁ ଯୁବବର୍ଗଙ୍କ ମନୋବଳ ବଢ଼ାଇବା ଦିଗରେ ପଦକ୍ଷେପ ନେଲୁ । ସେ କହିଥିଲେ ଯେ ନୂତନ ଭାରତ କେବଳ ନୀତି ନିର୍ମାଣରେ ବିଶ୍ବାସ କରିନଥାଏ, ବରଂ ଦେଶର ଯୁବକମାନଙ୍କୁ ନେଇ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆଗେଇ ଯାଇଥାଏ। ଫିଟ୍‌ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆ ଭଳି ଅଭିଯାନ ଏକ ଗଣଆନ୍ଦୋଳନରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ଗତ ଆଠ ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟ୍‌ ପ୍ରାୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ଫଳରେ କ୍ରୀଡ଼ାବିତଙ୍କ ପାଇଁ ଅଧିକରୁ ଅଧିକ ପରିମାଣରେ ସମ୍ବଳ ଉପଲବ୍ଧ ହୋଇପାରିଛି ଏବଂ ଏହା ଖେଳାଳୀଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିଛି।  ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିଭିନ୍ନ ସ୍ଥାନରେ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଅବସରପ୍ରାପ୍ତ ଖେଳାଳୀଙ୍କ ଜୀବନକୁ ସହଜ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି । ଏ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ଯାହାଫଳରେ ନୂଆ ପିଢ଼ି ଅବସରପ୍ରାପ୍ତ ଖେଳାଳୀଙ୍କ ଅଭିଜ୍ଞତାରୁ ଲାଭ ପାଇପାରିବେ ।

ଭାରତର ସଭ୍ୟତା ଓ ସାଂସ୍କୃତିକ ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହଜାର ହଜାର ବର୍ଷ ଧରି ଭାରତର ପରମ୍ପରା ଏବଂ ଅଭିବୃଦ୍ଧି ଯାତ୍ରାରେ କ୍ରୀଡ଼ା ଏକ ଅଭିନ୍ନ ଅଙ୍ଗ ହୋଇ ରହି ଆସିଛି । ସ୍ବାଧୀନତାର ଅମୃତ କାଳରେ ଦେଶ ଗର୍ବର ସହିତ ନିଜ ଐତିହ୍ୟରୁ ଏହି ପରମ୍ପରାକୁ ଉଜ୍ଜୀବିତ କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ପ୍ରୟାସ ଏବଂ ଉତ୍ସାହ କେବଳ ଗୋଟିଏ କ୍ରୀଡ଼ାରେ ସୀମିତ ରହିନାହିଁ, ବରଂ ‘କଲରିପୟଟ୍ଟୁ’ ଏବଂ ‘ଯୋଗାସନ’ ଭଳି ଭାରତୀୟ କ୍ରୀଡ଼ା ମଧ୍ୟ ଗୁରୁତ୍ବ ହାସଲ କରୁଛି । ଜାତୀୟ କ୍ରୀଡ଼ା ଭଳି ବଡ଼ ପ୍ରତିଯୋଗିତାରେ ଏହିସବୁ କ୍ରୀଡ଼ାକୁ ସାମିଲ କରାଯିବା ଖୁସିର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଠାରେ ଏହି କ୍ରୀଡ଼ାର ପ୍ରତିନିଧିତ୍ବ କରୁଥିବା ଖେଳାଳୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ମୁଁ ଏକ ନିର୍ଦ୍ଦିଷ୍ଟ କଥା କହିବାକୁ ଚାହୁଁଛି । ଗୋଟିଏ ପଟେ ଆପଣମାନେ ଭାରତର ହଜାର ହଜାର ବର୍ଷର ପରମ୍ପରାକୁ ଆଗେଇ ନେଉଛନ୍ତି, ଅନ୍ୟପଟେ ଭବିଷ୍ୟତ କ୍ରୀଡ଼ା ଦୁନିଆର ନେତୃତ୍ବ ନେଉଛନ୍ତି । ଭବିଷ୍ୟତରେ ଯେତେବେଳେ ଏହି ସବୁ କ୍ରୀଡ଼ାକୁ ବିଶ୍ବସ୍ତରରେ ମାନ୍ୟତା ମିଳିବ, ସେତେବେଳେ ଆପଣମାନେ ଏହିସବୁ କ୍ରୀଡ଼ା କ୍ଷେତ୍ରରେ କିମ୍ବଦନ୍ତୀ ଭାବେ ବିବେଚିତ ହେବେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ, କ୍ରୀଡ଼ାବିତମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିଥିଲେ ଏବଂ ସେମାନଙ୍କୁ ଏକ ଗୁରୁମନ୍ତ୍ର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ଆପଣମାନେ ଏକ ପ୍ରତିଯୋଗିତା ଜିତିବା ଲାଗି ଚାହୁଁଛନ୍ତି, ତା’ହେଲେ ଆପଣମାନେ ପ୍ରତିବଦ୍ଧତା ଓ ନିରନ୍ତରତା ବଜାୟ ରଖିବାକୁ ଶିକ୍ଷା ଲାଭ କରିବା ଉଚିତ୍‌ । କ୍ରୀଡ଼ା ଭାବନା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କ୍ରୀଡ଼ାରେ ବିଜୟ ଏବଂ ପରାଜୟକୁ ଅନ୍ତିମ ପରିଣାମ ଭାବେ ବିବେଚନା କରାଯିବା ଉଚିତ୍‌ ନୁହେଁ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, କ୍ରୀଡ଼ା ଭାବନା ଆପଣମାନଙ୍କ ଜୀବନର ଏକ ଅଂଶବିଶେଷ ହୋଇପାରିଲେ, ଭାରତ ଭଳି ଯୁବ ରାଷ୍ଟ୍ରର ସ୍ବପ୍ନ ସାକାର ହୋଇପାରିବ ।  ‘‘ଆପଣମାନଙ୍କୁ ଏହା ମନେ ରଖିବାକୁ ହେବ, ଯେଉଁଠି ଗତିଶୀଳତା ଥାଏ, ସେଇଠି ପ୍ରଗତି ରହିଥାଏ । ପଡ଼ିଆ ବାହାରେ ମଧ୍ୟ ଆପଣମାନଙ୍କୁ ଏହି ଧାରା ବଜାୟ ରଖିବାକୁ ପଡ଼ିବ । ଆପଣମାନଙ୍କ ଜୀବନରେ ମଧ୍ୟ ଏହି ଗତି ରହିବା ଉଚିତ୍‌ । ମୁଁ ନିଶ୍ଚିତ ଯେ, ଜାତୀୟ କ୍ରୀଡ଼ାରେ ଆପଣମାନଙ୍କର ବିଜୟ, ଦେଶକୁ ଖୁସି ମନାଇବାର ଏକ ସୁଯୋଗ ଆଣିଦେବ । ଭବିଷ୍ୟତରେ ଏହା ଏକ ନୂଆ ଆତ୍ମବିଶ୍ବାସ ଜାଗ୍ରତ କରିବ,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ସମାରୋହରେ ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ସାଂସଦ ସି ଆର ପାଟିଲ, ଗୁଜରାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହରିଶ ସାଙ୍ଘଭି ଏବଂ ଅହମ୍ମଦାବାଦ ମେୟର ଶ୍ରୀ କିରିଟ ପରମାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଥମ ଥର ପାଇଁ ଗୁଜରାଟରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହା ୨୯ ସେପ୍ଟେମ୍ବର ଠାରୁ ୧୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୬ରୁ ଅଧିକ କ୍ରୀଡ଼ା ବର୍ଗରେ ସାରା ଦେଶରୁ ୧୫ ହଜାରରୁ ଅଧିକ କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଫଳରେ ଏହା ହେବ ସବୁଠୁ  ଜାତୀୟ କ୍ରୀଡ଼ା ପ୍ରତିଯୋଗିତା । ଏହି ରାଷ୍ଟ୍ରୀୟ କ୍ରୀଡ଼ା ମହାକୁମ୍ଭ ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଏବଂ ଭାବନଗରକୁ ମିଶାଇ ୬ଟି ସହରରେ ଆୟୋଜିତ ହେଉଛି । ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୁଜରାଟ ଅନ୍ତର୍ଜାତୀୟ ମାନର ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ଯାତ୍ରା ଆରମ୍ଭ କରିଥିଲା । ଫଳରେ ଆଜି ଏତେ କମ ସମୟ ମଧ୍ୟରେ ଜାତୀୟ ସ୍ତରର ଏକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇପାରିଛି।

ଅହମ୍ମଦାବାଦ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.