ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ କାହିଁକି ଖପ୍ପା ହେଉଛି ବିଜେପି ?

Published: Jan 10, 2023, 7:12 am IST
Manoj Mishra

ଭୁବନେଶ୍ବର: ଗତ କିଛି ଦନ ଧରି ଓଡିଶା ରାଜନୀତିରେ ଚାଲିଛି ଏକ ବଡ ବିତର୍କ। ତାହା ହେଲା ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତି ପ୍ରସଂଗ। ଏ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ନିଯୁକ୍ତିକୁ ନେଇ ତୁମ୍ବିତୋଫାନ କରିଛି। ରାଜ୍ୟ ସରକାରରେ ତାଙ୍କର ନିଯୁକ୍ତି ବେଆଇନ ବୋଲି ଦର୍ଶାଇଛି। ହେଲେ ତା ଭିତରେ ଲୁଚି ରହିଛି ଏକ ବଡ ରହସ୍ୟ। ଯାହା ବିଜେପି ଜାଣିବା ପରେ ଏହାକୁ ବିରୋଧ କରିବା ଆରମ୍ଭ କରିଛି।

ମନୋଜ ମିଶ୍ର ହେଉଛନ୍ତି କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ ଅଫିସର। ସେ ବହୁ ବର୍ଷ ଧରି ଓଡିଶାକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରିଛନ୍ତି। ବର୍ତ୍ତମାନ ମନୋଜ ଆଇଟି ଏବଂ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଅଛନ୍ତି। ସେ ମଧ୍ୟ ଓକାକର ଅଧ୍ୟକ୍ଷ ଅଛନ୍ତି। ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମଧ୍ୟ ଅଛନ୍ତି।

ତେବେ ନିକଟରେ ମନୋଜ କେନ୍ଦ୍ର ସରକାରଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ରେଳ ବିଭାଗ ମଧ୍ୟ ସ୍ବୀକୃତି ପ୍ରଦାନ କରିଛି। କେନ୍ଦ୍ରରୁ ମୁକ୍ତ ହେବା ପରେ ରାଜ୍ୟ ସରକାର ତାଙ୍କୁ ରାଜ୍ୟରେ ସେହି ପଦବୀରେ ପୂର୍ବପରି ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ତରଫରୁ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି କେତେ ଠିକ କେତେ ଭୁଲ ତାହା ଭିନ୍ନ କଥା। ହେଲେ ବିଜେପି ଖପ୍ପା ହେବାର ଅନ୍ୟ କାରଣ ରହିଛି।

ଏକ ବିଶେଷ ସୁତ୍ର ଅନୁସାରେ ମନୋଜ କୁଆଡେ ଢେଙ୍କାନାଳ ଲୋକସଭା ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ ହେବେ। ମନୋଜଙ୍କ ନିଜ ଘର ଢେଙ୍କାନାଳ ହୋଇଥିବାରୁ ତାଙ୍କୁ ସେହି ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ବିଜେଡି ମନସ୍ତ କରିଛି। ଆଉ ବଡ କଥା ହେଲା ସେହି ଆସନରେ ବିଜେପି ତରଫରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମାସାଧିକ କାଳ ସେହି ଅଞ୍ଚଳରେ ନିଜର ପତିୟାରା ଦେଖାଇବାରେ ଲାଗିଛନ୍ତି। ଯଦି ଏହି ଚର୍ଚ୍ଚା ଠିକ ହୁଏ ତେବେ ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ସହିତ ମନୋଜଙ୍କ ଟକ୍କର ହେବ।

ତେଣୁ ମନୋଜ ଢେଙ୍କାନାଳରୁ ପ୍ରାର୍ଥୀ ହେବେ ବୋଲି ଧର୍ମେନ୍ଦ୍ରଙ୍କ ଟିମ ଖବର ପାଇବା ପରେ ବର୍ତ୍ତମାନ ସେମାନେ ତାଙ୍କ ପଛରେ ଲାଗିଯାଇଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ଗୋଟିଏ ପରେ ଗୋଟିଏ ଅସ୍ତ୍ର ନିକ୍ଷେପ କରିବାରେ ଲାଗିଛନ୍ତି। ତେବେ ଏ ନେଇ ବିଜେଡି ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ମନୋଜ ନିଜର ପତିୟାରା ଜାହିର କରିବା ପାଇଁ ଖୁବ ଶିଘ୍ର ବାରମ୍ବାର ଢେଙ୍କାନାଳ ଗସ୍ତ କରିବେ।

Related posts