ଟାଙ୍ଗିଆ ଚୋଟରେ ଯୁବକର ବାହାରିଲା ଅନ୍ତ ବୁଜୁଳା: ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

Published: Mar 31, 2023, 11:21 pm IST

ରେଢ଼ାଖୋଲ: ନଦୀକୁ ଶୌଚ ପାଇଁ ଯାଉଥିଲା ବେଳେ ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ଯୁବକଙ୍କର ଅନ୍ତ ବୁଜୁଳା ବାହାରି ପଡିବା ଭଳି ଘଟଣା ଘଟିଛି। କିସିଣ୍ଡା ଥାନା ବ୍ରାହ୍ମଣୀପାଲି ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁୁରୁତର ଆହତ ବ୍ୟକ୍ତିଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ହସ୍ତଗତ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ପାଣିଗ୍ରାହୀପାଲି ଗ୍ରାମର ହରି କଂସରିଆ ନାମକ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ସହ ବ୍ରାହ୍ମଣିପାଲି ଗ୍ରାମରେ ଏକ ଇଟାଭାଟିରେ କାମ କରୁଥିଲେ। ହେଲେ ଆଜି ସକାଳୁ ବ୍ରାହ୍ମଣିପାଲି ଗ୍ରାମର ବାଇଧର ଶବର ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ହରି ଆଜି ସକାଳ ପ୍ରାୟ ୬ଟା ବେଳେ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ।

ନଦୀକୁ ଶୌଚ ହେବା ପାଇଁ ଗ୍ରାମର ସନୁ ଶବର ନାମକ ଜଣେ ବ୍ୟକ୍ତିଙ୍କ ଘର ଦେଇ ଯାଉଥିବା ବେଳେ ଘର ସମ୍ମୁଖରେ ଏକ ଟାଙ୍ଗିଆ ଧରି ଛିଡା ହୋଇଥିବା ସନୁ ଶବର ହଠାତ୍ ଅତର୍କିତ ଭାବେ ହରି କଂସରିଆର ପେଟକୁ ଟାଙ୍ଗିଆରେ ହାଣିଦେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣା ପଡ଼ିଛି। ପେଟରେ ହାଣି ଦେବାରୁ ହରି କଂସରିଆର ଅନ୍ତବୁଜୁଳା ବାହାରି ପଡିଥିଲା। ଗ୍ରାମବାସୀ ହରି ର ସ୍ତ୍ରୀଙ୍କୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଦ୍ବାରା ରକ୍ତଜୁଡୁବୁ ଗୁରୁତର ଅବସ୍ଥାରେ ହରିକୁ ବୁର୍ଲା ଡାକ୍ତରଖାନାକୁ ପଠା ଯାଇଥିଲା।

ଖବର ପାଇ କିସିଣ୍ଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସନୁ ଶବରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ତେବେ କଣ ପାଇଁ ଏପରି କାଣ୍ଡ ହେଲା ଜଣା ପଡ଼ିନାହିଁ।

Related posts