ଭୁବନେଶ୍ୱର: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋସର୍ଜନ। ଏହି ଆକାରର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହେବା ବିଶ୍ୱର ପ୍ରଥମ ବୋଲି କୁହାଯାଉଛି।
ଶିଶୁଟିର ପିଠିରେ ୪୩୦୦ ସ୍କୋୟାର ସେମି ଭଲ୍ୟୁମର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହୋଇଥିଲା ଯାହାକୁ କି ଜାଏଂଟ ମେନିନ୍ଗୋମାଇଲୋସିଲ୍ କୁହାଯାଏ। ଶିଶୁଟିକୁ ଧରି ତା’ର ପିତାମାତା ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନପାରି ସମ୍କୁ ଆସିଥିଲେ। ଶିଶୁଟିର ଅସ୍ତ୍ରୋପଚାର ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କରାଯାଇଥିଲା। ୪୦୦୦ରୁ ଊର୍ଦ୍ଧ୍ୱ ଏପରି ଅସ୍ତ୍ରୋପଚାର କରିସାରିଥିବା ପ୍ରଫେସର (ଡାକ୍ତର) ମହାପାତ୍ର ଏପରି ବିଶାଳ ଆକାରର ମେନିନ୍ଗୋମାଇଲୋସିଲ ପୂର୍ବରୁ ଦେଖି ନଥିଲେ ବୋଲି କହିଥିଲେ।
ଶିଶୁଟିର ଶରୀରରେ ଥିବା ମାଂସପିଣ୍ଡୁଳା ଜନ୍ମ ସମୟରେ ଖୁବ୍ ଛୋଟ ଥିଲା। ମାତ୍ର ଚିକିତ୍ସାରେ ବିଳମ୍ବ ଯୋଗୁଁ ଏହାର ଆକାର ବୃଦ୍ଧି ପାଇଥିଲା। ୨୦୧୫ ମସିହାରେ ନୂଆଦିଲ୍ଲୀ ଏମ୍ସରେ ୨୩୦୦ ସ୍କୋୟାର ସେମି ଭଲ୍ୟୁମର ଏଭଳି ଏକ ସମସ୍ୟା ଥିବା ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ପୃଥିବୀରେ ଏତେ ବଡ଼ ଆକାରର ମାଂସପିଣ୍ଡୁଳା ପୂର୍ବରୁ ନଜିର ଥିବାର ଜଣା ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଥିବା ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି।
ଏହି ରୋଗର ଡାକ୍ତରୀ ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ଯେ ଗର୍ଭଧାରଣର ଏକ ମାସ ଭିତରେ ଗର୍ଭାଶୟରେ ଏକ ଇଂଚର ଏକ ନ୍ୟୁରାଲ୍ ଟ୍ୟୁବ୍ ସୃଷ୍ଟି ହୋଇଥାଏ ଯାହାକି ଆଗକୁ ସୁଷୁମ୍ନାକାଣ୍ଡରେ ପରିଣତ ହୋଇଥାଏ। ତେବେ କୌଣସି କାରଣରୁ ଯଦି ଏହା ଫାଟିଯାଏ ତେବେ ସେହି ସ୍ଥାନରେ ତରଳ ପଦାର୍ଥ ନିର୍ଗତ ହୋଇଥାଏ।
ଏହି ପଦାର୍ଥଗୁଡ଼ିକ ସହିତ ଅନେକ ନ୍ୟୁରାଲ୍ ଟିସ୍ୟୁ ମଧ୍ୟ ଶରୀରର ପିଠି ପାଖରେ ଜମା ହୋଇ ଧୀରେ ଧୀରେ ଏହାର ଆକାର ବୃଦ୍ଧି ପାଇଥାଏ। ଏହା ଏକ ବିରଳ ସମସ୍ୟା ବୋଲି ସେ କହିଛନ୍ତି।
ପ୍ରାୟ ୩ ସପ୍ତାହ ତଳେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଥି ନିମନ୍ତେ ୩ ରୁ ୪ ଘଂଟା ସମୟ ଲାଗିଥିଲା। ଶିଶୁଟି ବର୍ତମାନ ବିପଦମୁକ୍ତ ଥିବା ବେଳେ ଏହି ସମସ୍ୟା ଯୋଗୁଁ ଶିଶୁର ଅଂଟା ତଳକୁ ପକ୍ଷାଘାତ ହୋଇଯାଇଥିବା ପ୍ରଫେସର ମହାପାତ୍ର କହିଥିଲେ।
ସମ୍ ହସ୍ପିଟାଲ୍ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏଭଳି ଅସ୍ତ୍ରୋପଚାର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ନିୟମିତ ଭାବେ କରାଯାଉଛି। ସଂପୃକ୍ତ ଶିଶୁଟିର ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଅଧିନରେ କରାଯାଇଥିବା ସେ କହିଛନ୍ତି।
ସଂପୃକ୍ତ ବିଭାଗର ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ରାମଚନ୍ଦ୍ର ଦେଓ କହିଥିଲେ ଯେ ଏଭଳି ସମସ୍ୟାର ଚିକିତ୍ସା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ଏହି ଅସ୍ତ୍ରୋପଚାରରେ ଅନେକ ରକ୍ତହାନୀ ହେବାର ଆଶଙ୍କା ରହିଥିବାରୁ ଅନେକେ ଏଭଳି ସର୍ଜରୀ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯାହାଦ୍ୱାରା ଏହି ସମସ୍ୟାର ଉପଯୁକ୍ତ ଚିକିତ୍ସା ହୋଇପାରୁ ନାହିଁ।