କେଦାର ମିଶ୍ର
୨୦୧୯ ସାଧାରଣ ନିର୍ବାଚନରେ ବିଜପିର ସବୁଠୁ ବଡ ସଫଳତାର ଏକମାତ୍ର କାରଣ ହେଉଛି, ବିରୋଧୀ ଦଳ ଗୁଡିକ ବିଜେପି ବିଛାଇଥିବା ଜାଲରେ ଆପେ ଆପେ ଧରା ପଡିଥିଲେ ଓ ସେମାନେ ବିଜେପି ଯେମିତି ଚାହୁଁଥିଲା, ଠିକ ସେଇ ରଣନୀତିକୁ ଅନୁସରଣ କରୁଥିଲେ। ଲାଗୁଥିଲା, ଯେମିତି ପ୍ରତ୍ୟେକ ବିରୋଧୀ ଦଳ ଭିତରେ ବିଜେପିର ରଣନୀତିକାର ହିଁ କାମ କରୁଥିଲେ। ଉତ୍ତର ପ୍ରଦେଶରେ ମାୟାବତୀଙ୍କ ଜିଦ ଯୋଗୁଁ କଂଗ୍ରେସକୁ ମହା ଗଠବନ୍ଧନରେ ସାମିଲ ନ କରିବାର ପରିଣତି ଖାଲି ଯେ କଂଗ୍ରେସ ଭୋଗିଛି ତା ନୁହେଁ, ଏହାର ବଡ ପ୍ରଭାବ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଉପରେ ମଧ୍ୟ ପଡିଛି। ତେବେ କେବଳ ଦୁଇଜଣ ବିରୋଧୀ ଦଳ ନେତା ବିଜେପିକୁ କଡା ମୁକାବିଲା କରିବାର କ୍ଷମତା ରଖିଥିଲେ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ନିଜ ରାଜ୍ୟରେ ବିଜେପିକୁ ଅଟକାଇବାରେ କିଛିକାଂଶରେ ସଫଳ ହୋଇଛନ୍ତି। ଅବଶ୍ୟ କର୍ଣ୍ଣାଟକ ବ୍ୟତୀତ ବାକି ଚାରୋଟି ଦକ୍ଷିଣ ଭାରତୀୟ ରାଜ୍ୟରେ ମଧ୍ୟ ବିଜେପି ନିଜର ପ୍ରଭାବ ପକାଇ ପାରିନାହିଁ। ତାମିଲନାଡୁରେ ଷ୍ଟାଲିନ, କେରଳରେ କଂଗ୍ରେସ, ଆନ୍ଧ୍ର ରେ ଜଗନ୍ମୋହନ ରେଡ୍ଡୀ, ତେଲେଙ୍ଗାନା ରେ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ନିଜ ଦୁର୍ଗରେ ବିଜେପିକୁ ଅଟକାଇବାରେ ସଫଳ ହୋଇଛନ୍ତି। ତେବେ ଏହି ସବୁ ରାଜ୍ୟରେ ବିଜେପି ଆଜି ମଧ୍ୟ ତୃତୀୟ କିମ୍ବା ଚତୁର୍ଥ ପକ୍ଷ ଭାବରେ ରହିଛି। କିନ୍ତୁ ଓଡିଶା ଓ ବଙ୍ଗଳାରେ ବିଜେପି ତୃତୀୟ –ଚତୁର୍ଥ ସ୍ଥାନରୁ ଦ୍ଵିତୀୟ ପକ୍ଷ ଭାବରେ ଉନ୍ନୀତ ହୋଇଛି।
ଓଡିଶାରେ ବିଧାନସଭା ପାଇଁ ବିଜେପି ଦୂରତର ଦ୍ଵିତୀୟ ସ୍ଥାନ ପାଇଥିବା ବେଳେ ଲୋକସଭାରେ ଏହା ଆଠଟି ଆସନ ହାସଲ କରିଛି। ବଙ୍ଗଳାରେ ବିଜେପିକୁ ୧୮ ଟି ଲୋକସଭା ଆସନ ମିଳିବା ମମତା ବାନାର୍ଜୀଙ୍କ ଲାଗି ଏକ ବଡ ଆହ୍ଵାନ। ୨୦୨୧ ରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ବିଜେପି ଇତି ମଧ୍ୟରେ ତୃଣମୂଳକୁ ଧୂଳିସାତ କରିବା ଲାଗି ସବୁ ପ୍ରକାର ସାମ, ଦାନ, ଦଣ୍ଡ, ଭେଦ ନୀତି ଆପଣାର କରିଛି। ବିଧାନସଭା ନିର୍ବାଚନ ଆଗରୁ ଓଡିଶାରେ ମଧ୍ୟ ବିଜେପି ଏହି ସମାନ ପ୍ରକାର ଆକ୍ରାମକତା ପ୍ରଦର୍ଶନ କରିଥିଲା। ନବୀନ ପଟ୍ଟନାୟକଙ୍କ ଉପରେ ଓ ତାଙ୍କର ସହଯୋଗୀ ଅମଲାମାନଙ୍କ ବିରୋଧରେ ବିଜେପି ଗତ ଦୁଇ ବର୍ଷ ଧରି ଷଣ୍ଢୁଆସୀ ଆକ୍ରମଣ ଜାରି ରଖିଥିଲା। ବିଜେଡି କୁ ଭାଙ୍ଗିବା ଉଦ୍ଦେଶ୍ୟରେ ଏହାର ବହୁ ଅସନ୍ତୁଷ୍ଟ ନେତାଙ୍କୁ ରାତାରାତି ବିଜେପି ଟିକଟ ଦେଇଥିଲା। ଖୋଦ ପ୍ରଧାନମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବରେ ଆକ୍ଷେପ କରିଥିଲେ। ତେବେ ବିଜେପିର ସବୁ ପ୍ରକାର ଆକ୍ରମଣ କୁ ନବୀନ ପଟ୍ଟନାୟକ ଏକ ପ୍ରକାର ଅଣଦେଖା କରିଥିଲେ। ବିଜେପିର କୌଣସି ଆକ୍ରମଣର ଉତ୍ତର ରଖିବା ବେଳେ ନବୀନ, ଅତ୍ୟନ୍ତ ଶିଷ୍ଟ ଓ ଶାଳୀନ ଭାଷା ପ୍ରୟୋଗ କରିଥିଲେ। ନବୀନଙ୍କ ନୀରବତା ଆଗରେ ବିଜେପିର ସବୁ ଆକ୍ରମଣ ବ୍ୟର୍ଥ ଯାଇଥିଲା।
ଅପର ପକ୍ଷରେ ମମତା ବାନାର୍ଜୀ ତାଙ୍କର ରଣନୀତିରେ ବିଜପି ସହିତ ମୁହାଁମୁହିଁ ହୋଇଥିଲେ। ବିଜେପି ଆକ୍ରମଣର ପ୍ରତି ଆକ୍ରମଣ କରିବାକୁ ଯାଇ ମମତା ବାନାର୍ଜୀ ଅନେକ ସମୟରେ ନିଜର ନିୟନ୍ତ୍ରଣ ହରାଇଛନ୍ତି। ବିଜେପି ନିଜର ପୋଷା ଗଣମାଧ୍ୟମକୁ ଲଗାଇ ଅନେକ ସମୟରେ ମମତାଙ୍କୁ ଉତ୍ତେଜିତ କରାଇବାକୁ ଉଦ୍ଦେଶ୍ୟମୂଳକ ଭାବରେ ଚେଷ୍ଟା କରିଛି। ମମତା ମଧ୍ୟ ତୁରନ୍ତ ଯେସା କୁ ତେସା ନୀତି ଆପଣାର କରିଛନ୍ତି। ଏଥିରୁ ଲାଭ ଉଠାଇ ବିଜେପି ପୁରା ପଶ୍ଚିମ ବଙ୍ଗରେ ସାମ୍ପ୍ରଦାୟିକ ଧୃବୀକରଣ କରାଇବାରେ ସଫଳ ହୋଇଛି। ତାହା ସହିତ କମ୍ୟୁନିଷ୍ଟ ମାନଙ୍କର ମମତା ବାନାର୍ଜୀଙ୍କ ପ୍ରତି ରହିଥିବା ହତାଦରର ଫାଇଦା ବିଜେପି ଉଠାଇଛି। ପ୍ରଥମ ଥର ଲାଗି ଏହି ନିର୍ବାଚନରେ କମ୍ୟୁନିଷ୍ଟ ଭୋଟର ମାନେ ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି। ଏହା ମମତାଙ୍କ ଲାଗି ଆଗାମୀ ଦିନରେ ସବୁଠୁ ବଡ ସମସ୍ୟା ସୃଷ୍ଟି କରିବ।
ମମତା ଯଦି ବିଜେପି ଦ୍ଵାରା ବୁଣାଯାଉଥିବା ଜାଲରେ ପଡିବା ଆରମ୍ଭ କରନ୍ତି, ତାହେଲେ ୨୦୨୧ ରେ ବିଜେପି ତୃଣମୂଳକୁ ହଟାଇବାରେ ସମର୍ଥ ହେବା ସ୍ଵାଭାବିକ। ବିଜେପିର “ଜୟ ଶ୍ରୀରାମ” ସ୍ଲୋଗାନ ପଛରେ ପଡି ମମତା ନିଜ ସମୟ ଓ ଶକ୍ତିର ଅପଚୟ କରୁଛନ୍ତି ଯାହା। ବାସ୍ତବରେ ବିଜେପି ତାହା ହିଁ ଚାହୁଁଛି। କ୍ରୋଧ ଓ ଉତ୍ତେଜନା ର ବଶବର୍ତ୍ତୀ ହୋଇ ମମତା ବାରଂବାର ଭୁଲ କରନ୍ତୁ ବୋଲି ବିଜେପି ତରଫରୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ମମତା ତାକୁ ବୁଝି ନପାରିଲେ ତାଙ୍କର ହିଁ ସମସ୍ୟା। ଏ କ୍ଷେତ୍ରରେ ମମତାଙ୍କୁ ନବୀନ ପଟ୍ଟନାୟକଙ୍କ ଠାରୁ ଅନେକ କିଛି ଶିଖିବାର ଅଛି। କ୍ରୋଧ, ଘୃଣା, ଉତ୍ତେଜନା, ବିଭାଜନ ଓ ଭାବ ପ୍ରବଣତାକୁ ନେଇ ରାଜନୀତି କରିବାରେ ବିଜେପିର ସ୍ଵତନ୍ତ୍ର ଦକ୍ଷତା ରହିଛି। ତାକୁ ପ୍ରତିହତ କରିବାକୁ ହେଲେ ନବୀନଙ୍କ ପରି ଏକ ସକାରାତ୍ମକ ରଣନୀତି କରିବାକୁ ପଡିବ। ଅତ୍ୟନ୍ତ ଚତୁରତାର ସହିତ ମୋଦୀ-ଶାହାଙ୍କ ରଣନୀତିକୁ ଭେଦ କରିବାକୁ ହେଲେ ନବୀନଙ୍କ ପରି ଶାନ୍ତ ଓ ନୀରବ ରହିବାର କଳା ଟି ମମତା ବାନାର୍ଜୀ ନବୀନଙ୍କ ପାଖରୁ ଶିଖିବା ଉଚିତ।