ସରୋଜ ଜେନା
ଏକଦା ତଥାକଥିତ ଷ୍ଟାର ଏବଂ ସୁପରଷ୍ଟାରଙ୍କ ଫିଲ୍ମ ଭଲ ଆୟ କରୁଥିବା ବେଳେ ଛୋଟ ବଜେଟରେ ନିର୍ମିତ ଫିଲ୍ମ ନିମନ୍ତେ ବିଶେଷ ସୁଯୋଗ ନଥିଲା । ମାତ୍ର ଇଣ୍ଟରନେଟ୍ର ବହୁଳ ପ୍ରସାର ଯୋଗୁଁ ଛୋଟ କାହାଣୀ ସମ୍ପର୍କରେ ମଧ୍ୟ ଦର୍ଶକ ଜାଣିବାକୁ ପାଇବା ସହିତ ଦେଖିବାର ସୁଯୋଗ ମଧ୍ୟ ପାଉଛନ୍ତି । ବର୍ତ୍ତମାନର ସମୟରେ ଲୋକ ସୁପରଷ୍ଟାରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଉତ୍ତମ କାହାଣୀ ଏବଂ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଆଜିର ବ୍ୟବସାୟିକ ସିନେମା ଦୁନିଆରେ ମଲ୍ଟିପ୍ଲେକ୍ସ ପାଇଁ କମ୍ ଫିଲ୍ମ ନିର୍ମାଣ ହେଉଛି । ଏକଦା କଳାତ୍ମକ ସିନେମା ପାଇଁ ଭାରତୀୟ ସିନେମା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ବ୍ୟବସାୟୀକରଣ ପରେ ଫିଲ୍ମରୁ ଏହାର ମୌଳିକ ବାସ୍ନା ଧୀରେ ଧୀରେ ଉଭେଇ ଯାଉଛି । କିଛି ନିର୍ମାତା ବର୍ତ୍ତମାନ ମଧ୍ୟ ଏପରି ଫିଲ୍ମ ନିର୍ମାଣ କରୁଛନ୍ତି ଯେଉଁଥିରେ କଳା ଏବଂ ବ୍ୟବସାୟକୁ ସମାନ ଗୁରୁତ୍ବ ଦିଆଯାଉଛି । ୨୦୧୮ରେ ବିଭିନ୍ନ ଭାରତୀୟ ଭାଷାରେ ଅନେକ ଭିନ୍ନ ସ୍ବାଦର ଫିଲ୍ମ ନିର୍ମାଣ ହୋଇଛି । ଏହି ଭିନ୍ନ ସ୍ବାଦର ଫିଲ୍ମ ମଧ୍ୟରୁ ଅନେକ ଫିଲ୍ମ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିଥିବା ବେଳେ ଅନେକ ଫିଲ୍ମ ସାଧାରଣ ବ୍ୟବସାୟ କରିଛି । ଅପରପକ୍ଷରେ ସେହି ସମାନ ବର୍ଷରେ ଅନେକ ସୁପରଷ୍ଟାରଙ୍କ ଫିଲ୍ମ ଫ୍ଲପ୍ ହୋଇଛି । ଥଗ୍ସ ଅଫ୍ ହିନ୍ଦୋସ୍ତାନ, ଜିରୋ, ବତୀ ଗୁଲ୍ ମିଟର ଚାଲୁ, ଆୟାରୀ ପରି ଫିଲ୍ମ ଫ୍ଲପ୍ ହୋଇଥିବା ବେଳେ ଛୋଟ ବଜେଟ୍ର ଫିଲ୍ମକୁ ଦର୍ଶକ ପସନ୍ଦ କରିଛନ୍ତି । ଷ୍ଟାର୍ ପାଓ୍ବାର ନୁହେଁ, ବରଂ ଫିଲ୍ମରେ କାହାଣୀ ହିଁ ପ୍ରକୃତ ହିରୋ ବୋଲି ଏହା ପ୍ରମାଣିତ କରିଛି । ଭଲ କାହାଣୀ, ଉତ୍ତମ ଷ୍ଟାର କାଷ୍ଟ ଏବଂ ନିଖୁଣ ନିର୍ଦ୍ଦେଶନାରେ ପରିପୁଷ୍ଟ ୨୦୧୮ର କିଛି ଶ୍ରବଣଯୋଗ୍ୟ କାହାଣୀ ସମ୍ପର୍କରେ ଏହି ଆଲୋଚନା । ଏଥିରେ ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଭିନ୍ନ ସ୍ବାଦର ଚଳଚିତ୍ରକୁ ସାମିଲ କରାଯାଇଛି ।
ଆରୁଭି :
ଅରୁଣ ପ୍ରଭୁ ପୁରୁଷୋତ୍ତମମଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ତାମିଲ ଭାଷାରେ ନିର୍ମିତ । ଫିଲ୍ମଟି ଜଣେ ଏଚ୍ଆଇଭି ଆକ୍ରାନ୍ତ ଯୁବତୀ ଏବଂ ଜଣେ କିନ୍ନରର ବନ୍ଧୁତ୍ବକୁ ନେଇ ଗତିଶୀଳ । ଏଥିରେ ସମାଜରେ ଏଚଆଇଭି ରୋଗୀକୁ କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ତାହା ଦେଖିବାକୁ ମିଳିଛି । ଅଦିତି ବାଲାନ୍ଙ୍କ ଅଭିନୟକୁ ଦର୍ଶକ ଢେର ପ୍ରଶଂସା କରିଥିଲେ । ଫିଲ୍ମଟି ମାତ୍ର ୬ କୋଟିର ବ୍ୟବସାୟ କରିଥିଲେ ମଧ୍ୟ ଏହା ବକ୍ସ ଅଫିସ୍ରେ ବ୍ଲକ୍ବଷ୍ଟର ଘୋଷିତ ହୋଇଥିଲା ।
ପ୍ୟାଡ୍ମ୍ୟାନ୍ :
ତାମିଲନାଡୁର ସାମାଜିକ କର୍ମୀ ଅରୁଣାଚଳମ ମୁରୁଗାନାଥମ୍ଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ନଜର ଆସିଥିଲେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର । ସୁସ୍ଥ ଏବଂ ନୀରୋଗ ଜୀବନଯାପନ ପାଇଁ ମହିଳା ମାନେ ସାନିଟାାରୀ ପ୍ୟାଡ୍ ବ୍ୟବହାର କରିବା ପରି ଏକ ସାମାଜିକ ବାର୍ତ୍ତା ସହ ପରଦାକୁ ଆସିଥିବା ଏହି ଫିଲ୍ମଟିକୁ ଉଭୟ ସମାଲୋଚକ ଏବଂ ଦର୍ଶକ ବେଶ ପସନ୍ଦ କରିଥିଲେ । ଆର. ବଲ୍କୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସ୍ରେ ୬୬ କୋଟିର ବ୍ୟବସାୟ କରିଥିଲା ।
ରେବା :
ତାଲିକାର ତୃତୀୟ ସ୍ଥାନରେ ରହିଛି ଗୁଜୁରାଟୀ ଫିଲ୍ମ ରେବା । ଚେତନ ଧନାନୀ ଏବଂ ମୋନାଲ ଗୁଜରାଲ୍ଙ୍କ ଅଭିନୀତ ଏହି ଫିଲ୍ମଟି ଜଣେ ବିଦେଶ ଫେରନ୍ତା ଯୁବକର କାହାଣୀ । ନର୍ମଦା ତଟବର୍ତ୍ତୀ ଅଞ୍ଚଳ ଭ୍ରମଣ ପରେ କିପରି ଭାବରେ ସେ ନର୍ମଦା ବଞ୍ଚାଓ ଆନ୍ଦୋଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟୁଛନ୍ତି ଏହା ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ଫିଲ୍ମଟି ମାତ୍ର ୩ କୋଟିର ବ୍ୟବସାୟ କରିଥିଲେ ମଧ୍ୟ ଏହା ବକ୍ସ ଅଫିସ୍ରେ ସଫଳ ହୋଇଥିଲା ।
ଅକ୍ଟୋବର :
ସୁଜିତ୍ ସିିରକାରଙ୍କ ଏହି ରୋମାନ୍ସ ଡ୍ରାମାରେ ବରୁଣ ଧଓ୍ବନ୍ ଏବଂ ବନିତା ସାନ୍ଧୁ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଫିଲ୍ମଟିରେ ଡାନ୍(ବରୁଣ) ଏବଂ ଶିଉଳୀ (ବନିତା)ଙ୍କ ମଧ୍ୟରେ ଏକ ଅଲଗା ସମ୍ପର୍କ ଦେଖାଯାଇଛି । ଯେତେବେଳେ ଶିଉଳୀ ଏକ ଦୁର୍ଘଟଣାର ସମ୍ମୁଖୀନ ହେଉଛି ସେତେବେଳେ ପ୍ରେମ, ଜୀବନ ଏବଂ ସମ୍ପର୍କ ପ୍ରତି ଡାନ୍ର ଦୃଷ୍ଟିଭଙ୍ଗୀରେ ଯେଉଁ ପରିବର୍ତ୍ତନ ହୋଇଛି ତାହାକୁ ଫିଲ୍ମରେ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଛନ୍ତି ସୁଜିତ। ଫିଲ୍ମଟି ୭୮ କୋଟିର ବ୍ୟବସାୟ କରିଥିଲା ।
ନ୍ୟୁଡ୍ :
ମରାଠୀ ଫିଲ୍ମ ନ୍ୟୁଡ୍ ଏହି ତାଲିକାରେ ମଧ୍ୟ ସ୍ଥାନ ପାଇଛି । ରବି ଜାଦବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କଲ୍ୟାଣୀ ମୁଲେ ଏବଂ ଛାୟା କଦମ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପାରିବାରିକ ଜୀବନରେ ନିର୍ଯାତିତା ଜଣେ ମହିଳାର କାହାଣୀ ଉପରେ ଆଧାରିତ । ପରିବାର ଛାଡିବା ପରେ ପୁନର୍ବାର ପାଠ ପଢିବାକୁ ଚେଷ୍ଟା କରୁଥିବା ସମୟରେ ନିଜ ଅତୀତ ସମ୍ପର୍କରେ ଏକ ଅଲଗା ଜିନିଷ ଜାଣିବାକୁ ପାଆନ୍ତି କଲ୍ୟାଣୀ । ଫିଲ୍ମଟି ମାତ୍ର ୨ କୋଟିର ବ୍ୟବସାୟ କରି ଆଭରେଜ୍ ଘୋଷିତ ହୋଇଥିଲା ।
ଏ ମା ୟୁ :
ଲିଜୋ ଜୋସ୍ ପେଲିସେରିଙ୍କ ନିର୍ଦ୍ଦେଶିତ ଏହି ମାଲାୟଲମ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଚେମ୍ବନ ବିନୋଦ । ଚେଲ୍ଲାନାମ, କୋଚିରେ ଏହି କାହାଣୀ ଗତିଶୀଳ ହୋଇଛି । ଏହି ଫିଲ୍ମରେ ଜଣେ ବ୍ୟକ୍ତିର ମୃତ୍ୟୁ ପରର ଦୁଇଟି ସନ୍ଧ୍ୟାର କାହାଣୀ ଏବଂ ମୃତ୍ୟୁକୁ ନେଇ ରହିଥିବା ଭିନ୍ନ ଦୃଷ୍ଟିଭଙ୍ଗୀକୁ ଫିଲ୍ମରେ ଚମତ୍କାର ଢଙ୍ଗରେ ଉପସ୍ଥାପନ କରାଯାଇଥିଲା । ଫିଲ୍ମଟି କେରଳ ବକ୍ସ ଅଫିସ୍ରେ ୭ କୋଟିର ବ୍ୟବସାୟ କରିଥିଲା ।
ଓମେର୍ଟା :
କୁଖ୍ୟାତ ଆତଙ୍କବାଦୀ ଓମାର ଶେଖ୍ର ଜୀବନୀକୁ ନେଇ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ନିର୍ମାଣ କରିଥିଲେ ଓମେର୍ଟା । ଓମାର ଶେଖ ଭୂମିକାରେ ରାଜକୁମାର ରାଓଙ୍କ ଅଭିନୟ ଅତ୍ୟନ୍ତ ଚମତ୍କାର ରହିଥିଲା ।୧୯୯୪ରେ ବିଭିନ୍ନ ବିଦେଶୀ ପର୍ଯ୍ୟଟକଙ୍କ ହତ୍ୟା ଏବଂ ୨୦୦୨ରେ ଓ୍ବାଲ୍ଷ୍ଟ୍ରିଟ୍ ସମ୍ବାଦିକ ଡାନିଏଲ୍ ପର୍ଲଙ୍କ ହତ୍ୟାରେ ସାମିଲ ଥିଲା ଓମାର ଶେଖ । ଫିଲ୍ମ ପାଇଁ ହଂସଲ ମେହଟ୍ଟାଙ୍କୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଇଥିଲା । ଫିଲ୍ମଟି ବକ୍ସ ଅଫିସ୍ରେ ୫କୋଟିର ବ୍ୟବସାୟ କରିଥିଲା ।
ରାଜି :
୧୯୭୧ ମସିହାରେ ପାକିସ୍ତାନରେ ରହିଥିବା ଜଣେ ମହିଳା ଗୁପ୍ତଚରର କାହାଣୀ ଦେଖାଇଥିଲେ ମେଘନା ଗୁଲଜାର । ବିଭିନ୍ନ ପରିସ୍ଥିତିରେ କିପରି ଜଣେ ସାଧାରଣ ଝିଅ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା । ଗୁପ୍ତଚର ସେହମତ ଖାନ୍ ଭୂମିକାରେ ଆଲିଆ ଭଟ୍ଟ ଏବଂ ମେଜର ଇକ୍ବାଲ୍ ସଏଦ୍ ଭୂମିକାରେ ଭିକି କୌଶଲଙ୍କ ଭୂମିକା ଅତ୍ୟନ୍ତ ଚମତ୍କାର ରହିଥିଲା । ଫିଲ୍ମଟିକୁ ଉଭୟ ଦର୍ଶକ ଏବଂ ସମାଲୋଚକ ବହୁତ ପସନ୍ଦ କରିଥିଲେ । ଫିଲ୍ମଟି ବକ୍ସ ଅଫିସ୍ରେ ୧୧୩ କୋଟିର ବ୍ୟବସାୟ କରିଥିଲା ।
ଓଣ୍ଡାଲା ଏରାଡାଲ୍ଲା :
ଡି ସତ୍ୟ ପ୍ରକାଶଙ୍କ ନିର୍ଦ୍ଦେଶିତ ଏହି କନ୍ନଡ ଫିଲ୍ମରେ ଜଣେ ଛୋଟ ପିଲା ଏବଂ ତାର ପୋଷା କୁକୁର ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଛି । ନିଜ ପୋଷା କୁକୁର ହଜିଯିବା ପରେ ତାକୁ ଖୋଜିବା ପାଇଁ ସହରକୁ ଆସେ ସମୀରା । ନିଜ ପୋଷା କୁକୁରକୁ ଖୋଜିବା ପାଇଁ ସମୀରାର ଯାତ୍ରା ଫିଲ୍ମରେ ଚମତ୍କାର ଢଙ୍ଗରେ ଉପସ୍ଥାପନା କରାଯାଇଛି । ସମୀରା ଭୂମିକାରେ ମାଷ୍ଟର ପି. ଭି ରୋହିତଙ୍କ ଅଭିନୟ ଚମତ୍କାର ହୋଇଛି ।ଆଇଏମ୍ଡିବି ପକ୍ଷରୁ ଫିଲ୍ମଟିକୁ ୯.୨ ରେଟିଂ ପ୍ରଦାନ କରାଯାଇଥିଲା ।
ଅନ୍ଧାଧୁନ୍ :
ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ଥ୍ରୀଲରରେ ଆୟୁଷ୍ମାନ ଖୁରାନାଙ୍କୁ ଜଣା ଅନ୍ଧ ପିଆନୋ ବାଦକ ଭୂମିକାରେ ଦେଖିବାକୁ ମିଳିଥିଲା । ଆୟୁଷ୍ମାନଙ୍କ ବ୍ୟତୀତ ତବୁ ଏବଂ ରାଧିକା ଆପ୍ତେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଜଣେ ଅନ୍ଧ ଲୋକ ଏକ ହତ୍ୟା ହେଉଥିବାର ଦେଖିନିଏ ଏହାର ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଫିଲ୍ମଟି ୭୮କୋଟିର ବ୍ୟବସାୟ କରିଥିଲା ।
ଏହି ସମସ୍ତ ଫିଲ୍ମ ବ୍ୟତୀତ ଅନ୍ୟ କିଛି ଫିଲ୍ମ ମଧ୍ୟ ଚର୍ଚ୍ଚାରେ ରହିଥିଲା । ମେକ୍ ଇନ୍ ଇଣ୍ଡିଆ ଉପରେ ଆଧାରିତ ସୁଇ ଧାଗା, ଶାହାଦତ ହାସନ ମାଣ୍ଟୋଙ୍କ ଉପରେ ଆଧାରିତ ମାଣ୍ଟୋ, ତୁମ୍ବାଡ, ବିଶାଲ ଭରଦ୍ବାଜଙ୍କ ପଟାଖା, ଶିକ୍ଷା ଏବଂ ଜାତିପ୍ରଥାକୁ ନେଇ କାଥିରଙ୍କ ତାମିଲ୍ ଫିଲ୍ମ ପରିୟେରମ୍ ପେରୁମଲ୍, ତେଲୁଗୁ ଫିଲ୍ମ ସି/ଓ କାଞ୍ଚରାପାଲେମ ଏବଂ ବଲିଉଡ୍ ଫିଲ୍ମ କରଓ୍ବାନ୍ ପ୍ରମୁଖ ଚର୍ଚ୍ଚାରେ ରହିଥିଲା ।