ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶିତ ଏକ ବିଜ୍ଞାପନରେ ଶଙ୍ଖ ଚିହ୍ନ ରହିଥିବା ନେଇ ବିରୋଧ କରିଛନ୍ତି ବିରୋଧୀ। ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ସେଥିରେ ଶଙ୍ଖର ଏକ ଗ୍ରାଫିକାଲ ଚିତ୍ର ପ୍ରଦାନ କରାଯାଇଛି। ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।
ବିଜେପି କହିଛି ଯେ, ସରକାରୀ ବିଜ୍ଞାପନରେ କଣ ପାଇଁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନକୁ ସ୍ଥାନିତ କରାଯାଇଛି। ସରକାରୀ ବିଜ୍ଞାପନରେ ଦଳୀୟ ପ୍ରଚାର ଅଗଣତାନ୍ତ୍ରିକ ବୋଲି ବିଜେପି ଅଭିଯୋଗ କରିଛି। ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନର ବ୍ୟବହାର ଘୃଣ୍ୟ ପରମ୍ପରା, ବେଆଇନ ବୋଲି କହିଛନ୍ତି।
ତେବେ ଏହାର ଜବାବ ଦେଇଛି ବିଜେଡି। ଦଳ କହିଛି ଯେ, ” ଶଙ୍ଖ – ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ। ଆମ ପରମ୍ପରା ଅନୁସାରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ “ଶଙ୍ଖ’ ବଜାଯାଏ। ରାଜ୍ୟ ବିଜେପି ନେତା କଣ ଚାହୁଁଛନ୍ତି ଏହା ବନ୍ଦ ହେଉ? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହାର ନାମ ପରିବର୍ତ୍ତନ କରିବାକୁ କଣ ବିରୋଧୀ ଦଳ ଚାହୁଁଛନ୍ତି କି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁ।
ଡକ୍ଟର ସାହୁ କହିଛନ୍ତି ଯେ ଆମ ଓଡିଶା, ନବୀନ ଓଡିଶା – ଓଡିଶାର ଜନସାଧାରଣଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ। ଜନତା ନିଜ ପଞ୍ଚାୟତରେ ଯେଉଁ ପ୍ରକଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ତାକୁ ଏହି ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ଲୋକଙ୍କ ପାଇଁ ହେଉଥିବା ଭଲ କାମରେ ଶୁଭ ଶଙ୍ଖ ରହିଲେ ରାଜ୍ୟ ବିଜେପି ନେତାଙ୍କୁ କଷ୍ଟ କ’ଣ ପାଇଁ ହେଉଛି? ପ୍ରତି କଥାରେ ରାଜନୀତି କରିବା ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି।
ଓଡିଶାରେ ହେଉଥିବା ଦ୍ରୁତ ବିକାଶ ଜନତା ଦେଖୁଛନ୍ତି ଆଉ ଅନୁଭବ ମଧ୍ୟ କରୁଛନ୍ତି । ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି। ତେଣୁ ରାଜ୍ୟ ବିଜେପି ନେତା ଜନବିରୋଧୀ କାର୍ଯ୍ୟରେ ନିଜକୁ ସାମିଲ କରି ବିକାଶ ପ୍ରକ୍ରିୟାରେ ବାଧା ଆଣୁଛନ୍ତି। ସାଢେ ୪ କୋଟି ଓଡିଶାବାସୀ ଏଭଳି ଜନବିରୋଧୀଙ୍କୁ ଲଗାତାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଯେଉଁଥିପାଇଁ ବିରୋଧୀ ଦଳ ହତାଶ ହୋଇଗଲେଣି ବୋଲି ଡକ୍ଟର ସାହୁ କହିଛନ୍ତି।