Categories
ବିଶେଷ ଖବର ରାଜ୍ୟ ଖବର

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ବିରୋଧୀଙ୍କ ଅଭିଯୋଗ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶିତ ଏକ ବିଜ୍ଞାପନରେ ଶଙ୍ଖ ଚିହ୍ନ ରହିଥିବା  ନେଇ ବିରୋଧ କରିଛନ୍ତି ବିରୋଧୀ। ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ସେଥିରେ ଶଙ୍ଖର ଏକ ଗ୍ରାଫିକାଲ ଚିତ୍ର ପ୍ରଦାନ କରାଯାଇଛି। ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

ବିଜେପି କହିଛି ଯେ, ସରକାରୀ ବିଜ୍ଞାପନରେ କଣ ପାଇଁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନକୁ ସ୍ଥାନିତ କରାଯାଇଛି। ସରକାରୀ ବିଜ୍ଞାପନରେ ଦଳୀୟ ପ୍ରଚାର ଅଗଣତାନ୍ତ୍ରିକ ବୋଲି ବିଜେପି ଅଭିଯୋଗ କରିଛି। ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନର ବ୍ୟବହାର ଘୃଣ୍ୟ ପରମ୍ପରା, ବେଆଇନ ବୋଲି କହିଛନ୍ତି।

ତେବେ ଏହାର ଜବାବ ଦେଇଛି ବିଜେଡି। ଦଳ କହିଛି ଯେ, ” ଶଙ୍ଖ – ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ। ଆମ ପରମ୍ପରା ଅନୁସାରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ “ଶଙ୍ଖ’ ବଜାଯାଏ। ରାଜ୍ୟ ବିଜେପି ନେତା କଣ ଚାହୁଁଛନ୍ତି ଏହା ବନ୍ଦ ହେଉ? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହାର ନାମ ପରିବର୍ତ୍ତନ କରିବାକୁ କଣ ବିରୋଧୀ ଦଳ ଚାହୁଁଛନ୍ତି କି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁ।

ଡକ୍ଟର ସାହୁ କହିଛନ୍ତି ଯେ ଆମ ଓଡିଶା, ନବୀନ ଓଡିଶା – ଓଡିଶାର ଜନସାଧାରଣଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ। ଜନତା ନିଜ ପଞ୍ଚାୟତରେ ଯେଉଁ ପ୍ରକଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ତାକୁ ଏହି ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ଲୋକଙ୍କ ପାଇଁ ହେଉଥିବା ଭଲ କାମରେ ଶୁଭ ଶଙ୍ଖ ରହିଲେ ରାଜ୍ୟ ବିଜେପି ନେତାଙ୍କୁ କଷ୍ଟ କ’ଣ ପାଇଁ ହେଉଛି? ପ୍ରତି କଥାରେ ରାଜନୀତି କରିବା ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି।

ଓଡିଶାରେ ହେଉଥିବା ଦ୍ରୁତ ବିକାଶ ଜନତା ଦେଖୁଛନ୍ତି ଆଉ ଅନୁଭବ ମଧ୍ୟ କରୁଛନ୍ତି । ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି। ତେଣୁ ରାଜ୍ୟ ବିଜେପି ନେତା ଜନବିରୋଧୀ କାର୍ଯ୍ୟରେ ନିଜକୁ ସାମିଲ କରି ବିକାଶ ପ୍ରକ୍ରିୟାରେ ବାଧା ଆଣୁଛନ୍ତି। ସାଢେ ୪ କୋଟି ଓଡିଶାବାସୀ ଏଭଳି ଜନବିରୋଧୀଙ୍କୁ ଲଗାତାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଯେଉଁଥିପାଇଁ ବିରୋଧୀ ଦଳ ହତାଶ ହୋଇଗଲେଣି ବୋଲି ଡକ୍ଟର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜ୍ଞାନ ଓ ବିଜ୍ଞାନ ସମିଶ୍ରଣରେ ପୂର୍ଣ୍ଣାଙ୍ଗ ଛାତ୍ରର ସୃଷ୍ଟି: ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ବିଧାୟକ ଡ଼ଃ ଅରୁଣ ସାହୁ

ରଣପୁର/ଓଡଗାଁ: ନୟାଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଓଡଗାଁ ସ୍ଥିତ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ମଣ୍ଡଳ ଶିକ୍ଷା ଅଧିକାରୀଣୀ ଗୀତାଞ୍ଜଳୀ ସାହୁ ପରିଚୟ ପ୍ରଦାନ କରି ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ସମାଜସେବୀ ବିଭୁପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ବସନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମେ ପ୍ରଭୁ ରଘୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ, ଧୂପ, ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଜିଲ୍ଲାର ପ୍ରତି ବ୍ଳକରୁ ୧୩ଟି ଲେଖାଏଁ ମନୋନୀତ ହୋଇଆସିଥିବା ମୋଟ ୧୦୪ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବିଚାରକ ରୂପେ ରଘୁନାଥ ସମବାୟ ମହାବିଦ୍ୟାଳୟର ପଦ୍ମଚରଣ ସାହୁ, ପ୍ରସନ୍ନ କୁମାର ଦାଶ, ପବିତ୍ର କୁମାର ସାହୁ, ନୟାଗଡ଼ ଅଟୋନୋମସ କଲେଜର ଗିତାଞ୍ଜଳୀ ତ୍ରିପାଠୀ, ପ୍ରସନ୍ନ କୁମାର ବସନ୍ତିଆ, ବଉଳସାହି କଲେଜର ଆଲୋକ କୁମାର ସାମନ୍ତରା ଯୋଗଦେଇ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ।

ସମସ୍ତ ପ୍ରକଳ୍ପ ଧାରୀ ମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବରିଷ୍ଠ ବିଭାଗରୁ ଓମ ପ୍ରକାଶ ପାତ୍ର, ବୈଷ୍ଣବୀ ରାଣୀ ସାହୁ, ରିତାଞ୍ଜଳୀ ସାହୁ, ତୁଳସୀ ନାୟକ, ଅଭିପ୍ସା ଚମ୍ପତି, ଗାୟତ୍ରୀ ନାୟକ, ସାଗରିକା ପ୍ରଧାନ ରାଜ୍ୟ ସ୍ତରର ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।

ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ଼ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ରାମେଶ୍ୱର ଶତ୍ପଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ ବସନ୍ତ କୁମାର ନାୟକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମାନସରଞ୍ଜନ ଷଡ଼ଙ୍ଗୀ, ଲୋକନାଥ ସାହୁ, ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଓଡଗାଁ ବ୍ଲକ ଶିକ୍ଷା ଅଧିକାରିଣୀ ଗିତାଞ୍ଜଳୀ ସାହୁ ମଞ୍ଚ ସଞ୍ଚାଳନ କରିଥିଲେ। ବିଧାୟକ ଶ୍ରୀ ସାହୁ କହିଥିଲେ ଯେ, ଜ୍ଞାନ ଓ ବିଜ୍ଞାନ ସମିଶ୍ରଣରେ ପୂର୍ଣ୍ଣାଙ୍ଗ ଛାତ୍ରର ସୃଷ୍ଟି ସମ୍ଭବ।

ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସଂଘର କର୍ମକର୍ତ୍ତା, ଜିଲ୍ଲା ବିଜ୍ଞାନ ମେଳା କମିଟି ଓ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ, ବିଭିନ୍ନ ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ଭକ୍ତ ରଞ୍ଜନ ମିଶ୍ର, ଭକ୍ତ ବଲଭ ବଟକୃଷ୍ଣ ମିଶ୍ର, ଜ୍ୟୋତି ରଞ୍ଜନ ଦାଶ, ପଞ୍ଚାନନ ପଣ୍ଡା, ଶୁସେନ୍ଦୁ ଷଡ଼ଙ୍ଗୀ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ, ଦେବାଶିଷ ଦାଶ, ସୁଶୀଲ କୁମାର ରଣା, ଏକଲବ୍ୟ ଦାଶ, ଭାବଗ୍ରାହୀ ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ଚିତ୍ତ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ-୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କୃଷି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଥିବା ବେଳେ ଶିକ୍ଷିତ ଯୁବପିଢ଼ି ଚାଷ କାର୍ଯ୍ୟରେ ମନୋନିବେଶ କରିବା ସହ ଏ କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଲେ ହିଁ ସମାଜରେ କୃଷକଙ୍କର ସାମାଜିକ ମୂଲ୍ୟବୋଧ ଓ ସମ୍ମାନ ବଢ଼ିବ ବୋଲି ମତ ବ୍ୟକ୍ତ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ।

ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨”ର ଉଦ୍‌ଘାଟନ କରିବା ଅବସରରେ ଡଃ ସାହୁ କହିଛନ୍ତି ଯେ କୋଭିଡ ମହାମାରୀ ଘର ଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କୁ ଘରମୁହାଁ କରିଛି ଏବଂ ଚାଷ କାର୍ଯ୍ୟ ପ୍ରତି ସେମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। ଏହା କୃଷି କ୍ଷେତ୍ର ପାଇଁ ଖୁବ୍ ଭଲ ପ୍ରସଙ୍ଗ ବୋଲି ଡଃ ସାହୁ କହିଛନ୍ତି।

ଆମ ଦେଶରେ ଗବେଷଣା ଓ ଗବେଷକଙ୍କ ସଂଖ୍ୟା ଖୁବ୍ କମ୍ ରହିଥିବା ବେଳେ ୧୦ ଲକ୍ଷ ରେ ମାତ୍ର ୨୦୦ ଜଣ ଗବେଷଣା କରୁଛନ୍ତି। ସେପଟେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଗବେଷକଙ୍କ ସଂଖ୍ୟା ଖୁବ୍ ଅଧିକ। ଦେଶରେ ଗବେଷଣା ଓ ଗବେଷକଙ୍କ ସଂଖ୍ୟା ଅଧିକ ହେବା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଛନ୍ତି ଯେ ଏ ଦିଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଖୁବ୍ ଭଲ ପଦକ୍ଷେପ ନେଉଛି। ଗବେଷଣାକୁ ଖୁବ୍ ପ୍ରାଧାନ୍ୟ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିଜର ନାମ ଶିକ୍ଷା ଓ ଅନୁସନ୍ଧାନକୁ ଉଚିତ୍ ଭାବେ ପ୍ରତିପାଦିତ କରିପାରୁଛି ବୋଲି ଡଃ ସାହୁ କହିଛନ୍ତି।

“ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨” ଭଳି କୃଷି ଭିତିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି ମନ୍ତ୍ରୀ ଡଃ ସାହୁ କହିଛନ୍ତି ଏହି ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଦ୍ୱାରା ହିଁ କୃଷି କ୍ଷେତ୍ରରେ ଅଧିକ ଉନ୍ନତି ଘଟିପାରିବ। ତେବେ ଲୋକଙ୍କୁ କୃଷି କାର୍ଯ୍ୟ ନେଇ ସଚେତନ କରାଇବା ସହ କୃଷି ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ପ୍ରଦାନ କରିବା ନିମନ୍ତେ ସୋଆ ପକ୍ଷରୁ ଏକ ଡିଜିଟାଲ୍ ପ୍ଲାଟଫର୍ମର ଆରମ୍ଭ କରାଯିବା ନିମନ୍ତେ ସେ ଅନୁରୋଧ କରିଛନ୍ତି।

ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ କୃଷି ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ତଥା କାର୍ଯ୍ୟକ୍ରମର ଆବାହକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କୃଷକ, ଉଦ୍ୟୋଗୀ ଏବଂ ବ୍ୟବସାୟୀ ମାନଙ୍କ ଦ୍ୱାରା ଉଚିତ୍ ସମନ୍ୱୟ ସହ କାର୍ଯ୍ୟର ଆଦାନପ୍ରଦାନ ହୋଇପାରିବ ବୋଲି କହିଥିଲେ। ଏହା ଦ୍ୱାରା କୃଷି କ୍ଷେତ୍ର ଅଧିକ ବଳିଷ୍ଠ ହୋଇପାରିବ ବୋଲି ସେ କହିଥିଲେ। ଆଗାମୀ ଦିନରେ ଏହା ଏକ ବଳିଷ୍ଠ ପ୍ଲାଟଫର୍ମ ହେବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଫେସର ଦାସ କହିଥିଲେ।

ଏହି ସମାବେଶର ଅନ୍ୟତମ ଆକର୍ଷଣ ହେଉଛି କୃଷି ପ୍ରଦର୍ଶନୀ। ଏହି ପ୍ରଦର୍ଶନୀରେ ୩୦ରୁ ଊର୍ଦ୍ଧ୍ୱ ବିଭିନ୍ନ କୃଷି ଭିତିକ ଅନୁଷ୍ଠାନ ଓ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ମାନେ ଯୋଗ ଦେଇ ସେମାନଙ୍କର ଆଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଛନ୍ତି। ଏହି ପ୍ରଦର୍ଶନୀକୁ କୃଷି ମନ୍ତ୍ରୀ ଉଦ୍‌ଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ତିନି ଦିନ ବ୍ୟାପୀ ଆୟୋଜିତ ହେଉଥିବା ସମାବେଶରେ ରାଜ୍ୟ ତଥା ଦେଶର ଶତାଧିକ ଅଗ୍ରଣୀ କୃଷକଙ୍କ ସମେତ ଜାତୀୟ ସ୍ତରରେ ସୁଖ୍ୟାତି ପାଇଥିବା ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ ତଥା ସଫଳ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି ବୋଲି କାର୍ଯ୍ୟକ୍ରମର ସଂଯୋଜକ ଡଃ ଅଂଶୁମାନ ଜେନା ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଏବଂ ଆଏଏସ୍‌ର ଓଏସ୍‌ଡି ତଥା ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟର ବିଭିନ୍ନ କୃଷି ମହାବିଦ୍ୟାଳୟ ମାନଙ୍କରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି +3 କଳା ବାଣିଜ୍ୟ ବିଜ୍ଞାନରେ ପଢାଯିବ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’, ଉନମୋଚିତ ହେଲା ପୁସ୍ତକ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିଶାସ୍ତ୍ର ଓ ମୂଲ୍ୟବୋଧ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏକ ସଂପୂର୍ଣ୍ଣ ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଉଚ୍ଚଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ ଜଣେ ଜଣେ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ପାଠ୍ୟଖସଡ଼ା ଲାଗୁ କରିବାକୁ ଯାଉଛନ୍ତି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ପ୍ରକାଶ କରିଛନ୍ତି।

ଭୁବନେଶ୍ବରର ଭୋଇନଗରସ୍ଥିତ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବ୍ୟୁରୋ ବୋର୍ଡରୁମ୍‌ରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ଶିକ୍ଷା ପାଠ୍ୟଖସଡ଼ାର ପ୍ରଥମ ଭାଗ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି।

ସଂପୂର୍ଣ୍ଣ ସିଲାବସ୍‌କୁ ୬ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି ଏବଂ ଯୁକ୍ତ-୩ ସ୍ତରର ସମସ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ୬ଟି ସେମିଷ୍ଟାରରେ ଗୋଟିଏ ଲେଖାଏଁ ୟୁନିଟ୍‌ ସାମିଲ କରାଯାଇଛି । ପ୍ରତ୍ୟେକ ୟୁନିଟ୍‌ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଯୁକ୍ତ-୩ର ପ୍ରତ୍ୟେକ ସେମିଷ୍ଟାରରେ ଏକ ୟୁନିଟ୍‌ ହିସାବରେ ସଂଯୁକ୍ତ ହେବ । ଗୋଟିଏ ୟୁନିଟ୍‌ ବିଷୟ ପଢ଼ାଯିବା ପାଇଁ ୧୫ଟି ପିିରିୟଡ୍‌ ରହିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଯୋଜନାର ସଫଳ ରୂପାୟନ ତଦାରଖ ପାଇଁ ଗଠନ ହେଲା ଯୁଗ୍ନ ସ୍କ୍ବାର୍ଡ, କରିବେ ତଦାରଖ

ଭୁବନେଶ୍ୱର, ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏଥିରେ କୃଷି, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ମାନ ଓ ଦର ସୁନିଶ୍ଚିତ କରିବା ସହିତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷିଭବନଠାରେ ନବଗଠିତ ଯୁଗ୍ମ ସ୍କ୍ୱାଡ୍‌ର ଅଧିକାରୀ ଓ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଯୋଜନାର ସଫଳ ରୂପାୟନ ନିମନ୍ତେ ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରାଯାଇଛି । ତେଣୁ ଯୋଜନାର ଅର୍ଥ ଠିକ୍‌ ସମୟରେ ବ୍ୟୟ କରି ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ।

ଏଣିକି ପ୍ରତି ମାସରେ ଯୋଜନାରେ ଆବଣ୍ଟିତ ଅର୍ଥର ବ୍ୟୟ ସଂପର୍କରେ ସମୀକ୍ଷା କରାଯିବ । ଯୁଗ୍ମ ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାରଅଗ୍ରଗତି ସଂପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ମନ୍ତ୍ରୀଙ୍କ ସମେତ ଶାସନ ସଚିବ ଓ ନିର୍ଦ୍ଦେଶକମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିବେ ।

ଜିଲ୍ଲା ଗସ୍ତ ସମୟରେ ସ୍କ୍ୱାଡ୍‌ ଚଳିତ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ସମୀକ୍ଷା କରି ବିହନ, ସାର ଆଦି ଯୋଗାଣକୁ ନିଶ୍ଚିତ କରିବେ । ମନରେଗା ଯୋଜନାରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ତଦାରଖ କରିବେ । ଏଥି ସହିତ ସ୍କ୍ୱାଡ୍‌ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବେ । ସଫଳ ଉଦ୍ୟୋଗଗୁଡ଼ିକୁ ଲୋକଲୋଚନକୁ ଅଣାଯିବ । ଯେଉଁ ପ୍ରକଳ୍ପ ନିର୍ମାଣରେ ସମସ୍ୟା ରହୁଛି ତାହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରର ବରିଷ୍ଠ କୃଷି ଅଧିକାରୀମାନଙ୍କର ଜିଲ୍ଲା ତଥା ବ୍ଲକ୍‌ ସ୍ତରର କୃଷି ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ପ୍ରତ୍ୟକ୍ଷ ଅନୁଭବ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ସୂଚନାଯୋଗ୍ୟ ଯେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ତତ୍ପରତା ଆଣିବା ଓ ତଦାରଖ ନିମନ୍ତେ ଅତିରିକ୍ତ ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୬ଟି ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ୩୦ ଜିଲ୍ଲା ନିମନ୍ତେ ନିୟୋଜିତ ଜିଲ୍ଲା ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।