Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ: ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ମଧ୍ୟ ଗଲେ

ଭୁବନେଶ୍ବର: ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ପଡିଛି ଚଡକ। ଆଜି ଏହି ବିଭାଗର ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାରକୁ ରାଜ୍ୟପାଳ ଅନୁମୋଦ କରିଛନ୍ତି।

ରୋହିତ ପୂଜାରୀଙ୍କୁ ହଟାଇବା ପରେ ଏହି ବିଭାଗର ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରାଯାଇଛି। ରୋହିତ ଗତ ବର୍ଷ ଜୁନ ମାସରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ସେ କେତେକ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଲେ। ମୁଖ୍ୟତଃ ତାଙ୍କ ବିଭାଗର ଦକ୍ଷତା ନେଇ କୁଆଡେ ମୁଖ୍ୟମନ୍ତୀ ଅସନ୍ତୁଷ୍ଠ ଥିଲେ।

ସେହିପରି ଏହି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି ନିଷ୍ପତି ନେଲେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ବିଭାଗରେ କିଛି ବଡ ଦୁର୍ନିତି ହୋଇଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ନିକଟରେ ନବୀନ ତାଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ନବୀନଙ୍କ ଏପରି ସର୍ଜିକାଲ ଷ୍ଟ୍ରାଇକ ଦେଖି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରମାଦ ଗଣିଲେଣି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ: ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ।

ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ।
ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତିଭୂମୀ ଓ ଶିକ୍ଷା ଗ୍ରହଣ ସଂଶାଧନ, ଛାତ୍ରଙ୍କ ସହଯୋଗ ଏବଂ ପ୍ରଗତି, ପ୍ରଶାସନ, ନେତୃତ୍ୱ ଏବଂ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା।

ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସଦସ୍ୟମାନେ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ।

୨୦୦୯ ଏବଂ ୨୦୧୫ ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା। ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା। ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି +3 କଳା ବାଣିଜ୍ୟ ବିଜ୍ଞାନରେ ପଢାଯିବ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’, ଉନମୋଚିତ ହେଲା ପୁସ୍ତକ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିଶାସ୍ତ୍ର ଓ ମୂଲ୍ୟବୋଧ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏକ ସଂପୂର୍ଣ୍ଣ ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଉଚ୍ଚଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ ଜଣେ ଜଣେ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ପାଠ୍ୟଖସଡ଼ା ଲାଗୁ କରିବାକୁ ଯାଉଛନ୍ତି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ପ୍ରକାଶ କରିଛନ୍ତି।

ଭୁବନେଶ୍ବରର ଭୋଇନଗରସ୍ଥିତ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବ୍ୟୁରୋ ବୋର୍ଡରୁମ୍‌ରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ଶିକ୍ଷା ପାଠ୍ୟଖସଡ଼ାର ପ୍ରଥମ ଭାଗ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି।

ସଂପୂର୍ଣ୍ଣ ସିଲାବସ୍‌କୁ ୬ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି ଏବଂ ଯୁକ୍ତ-୩ ସ୍ତରର ସମସ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ୬ଟି ସେମିଷ୍ଟାରରେ ଗୋଟିଏ ଲେଖାଏଁ ୟୁନିଟ୍‌ ସାମିଲ କରାଯାଇଛି । ପ୍ରତ୍ୟେକ ୟୁନିଟ୍‌ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଯୁକ୍ତ-୩ର ପ୍ରତ୍ୟେକ ସେମିଷ୍ଟାରରେ ଏକ ୟୁନିଟ୍‌ ହିସାବରେ ସଂଯୁକ୍ତ ହେବ । ଗୋଟିଏ ୟୁନିଟ୍‌ ବିଷୟ ପଢ଼ାଯିବା ପାଇଁ ୧୫ଟି ପିିରିୟଡ୍‌ ରହିବ।

Categories
ଜୀବନ ଶୈଳୀ ବିଶେଷ ଖବର

ଯଦି ଆପଣ ୪୦ ବର୍ଷ ବୟସ ପରେ ସଠିକ୍ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ୪୦ ରୁ ୫୦ ବର୍ଷ ବୟସ ପରେ ଅଧିକାଂଶ ଲୋକ କ୍ୟାରିୟର ସ୍ଥିରତା ଆଣିଥାନ୍ତି। ଏହି ସମୟରେ ଅଧିକାଂଶ ଲୋକ ଟଙ୍କା ରୋଜଗାର ସହିତ ଭବିଷ୍ୟତ ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରଥାନ୍ତି।

ଆପଣଙ୍କର ସଞ୍ଚିତା ଟଙ୍କାକୁ କେଉଁଠାରେ ଏବଂ କିପରି ବିନିଯୋଗ କରିବେ, ତାହା ଉପରେ ଆପଣଙ୍କ ଜୀବନ ନିର୍ଭର କରେ। ଜୀବନର ଏହି ସମୟରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇପାରେ। ଏହି ସମୟରେ ଆପଣଙ୍କର ଛୋଟ ଭୁଲଟିଏ, ଆପଣଙ୍କ ଭବିଷ୍ୟତ ପ୍ରତି ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହା ବିଷୟରେ ଜାଣନ୍ତୁ-

ସର୍ବଦା ଏକ ଜରୁରୀକାଳୀନ ପାଣ୍ଠି ରଖନ୍ତୁ:

୪୦ ବର୍ଷ ବୟସ ପରେ, ଜଣେ ବ୍ୟକ୍ତି ସର୍ବଦା ତାଙ୍କ ପାଇଁ କିଛି ଜରୁରୀକାଳୀନ ପାଣ୍ଠି ରଖିବା ଉଚିତ୍। ବେଳେବେଳେ ଜୀବନରେ କିଛି ଖର୍ଚ୍ଚ ଅଛି, ଯାହା ବିନା ଯୋଜନାରେ ଆସେ। ଅସୁସ୍ଥତା କିମ୍ବା ଚାକିରି ହରାଇବା କ୍ଷେତ୍ରରେ ଏହି ଟଙ୍କା ସହାୟକ ହେବ। ଘର ଚଳାଇବା ପାଇଁ ଜଣେ ବ୍ୟକ୍ତି ସର୍ବଦା ଅତି କମରେ ୬ ମାସର ଜରୁରୀକାଳୀନ ପାଣ୍ଠି ରଖିବା ଉଚିତ। ଯାହା ଦ୍ଵାରା ଆପଣ ଘରର ଭଡା, ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ଇଏମଆଇ ଋଣ ଦେଇପାରିବେ।

ଜରୁରୀକାଳୀନ ପାଣ୍ଠି ନଥିଲେ ଆବଶ୍ୟକତା ସମୟରେ ଜଣେ ବ୍ୟକ୍ତି ଅଧିକ ସୁଧ ହାର ସହିତ ଋଣ ବିକଳ୍ପ ଆଡକୁ ଯାଆନ୍ତି। ଯାହା ସମସ୍ୟା ବଢାଇଥାଏ। ଆପଣ ଏହି ଟଙ୍କାକୁ ସେଭିଂ ଆକାଉଣ୍ଟ୍ କିମ୍ବା ଫିକ୍ସଡ୍ ଜମା ଆକାରରେ ରଖିପାରିବେ।

ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ଟଙ୍କା ରଖନ୍ତୁ:

ଯେହେତୁ ଆମେ ୫୦ ବର୍ଷ ନିକଟତର ହେବା ଆରମ୍ଭ କରୁଛୁ, ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ମଧ୍ୟ ଆମକୁ ଟଙ୍କା ଦରକାର ହେବ। ଆଜିର ସମୟରେ ଶିକ୍ଷା ଅତ୍ୟନ୍ତ ମହଙ୍ଗା ହୋଇଛି ଏବଂ ଯଦି ଟଙ୍କା ସଠିକ୍ ଭାବରେ ଯୋଜନା କରାଯାଇ ନାହିଁ, ତେବେ ଏହା ଶିଶୁର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇପାରେ। ୪୦ ପରେ, ଅବସର ଯୋଜନା ଠାରୁ ଅଧିକ, ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି।

ପିଲାମାନଙ୍କର ଶିକ୍ଷା ଏବଂ ଅବସରକୁ ନେଇ ଆପଣଙ୍କୁ ଜୀବନରେ ସନ୍ତୁଳନ ସୃଷ୍ଟି କରିବା ଆବଶ୍ୟକ। ଅନେକ ଥର ଅବସର ପରେ, ସ୍ୱାସ୍ଥ୍ୟ ଖରାପ ହେତୁ ସମସ୍ତ ପିଏଫ ଟଙ୍କା ଶେଷ ହୋଇଯାଏ। ଏହି ପରିସ୍ଥିତିକୁ ଏଡାଇବା ପାଇଁ, ଏହା ପରେ ସଠିକ୍ ଯୋଜନା କରିବାର ଆବଶ୍ୟକତା ଅଛି ଯାହା ଦ୍ଵାରା ଉଭୟ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ନଥାଏ।

ବୀମା କଭର କରିବା ଆବଶ୍ୟକ:

ଜୀବନରେ ସଠିକ୍ ବୀମା କଭର ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆପଣଙ୍କର ଭବିଷ୍ୟତ ରୋଜଗାର ପରି ହୋଇଥାଏ ଏବଂ ବେଳେବେଳେ ୧୫ ଥର ରିଟର୍ନ ଦେଇଥାଏ। କିନ୍ତୁ, ବୀମା କଭର ନେବାବେଳେ, ମନେରଖନ୍ତୁ ଯେ ଏହି ଯୋଜନା ସଠିକ୍ ଏବଂ ସଠିକ୍ ରିଟର୍ଣ୍ଣ ଦେଉଛି କି ନାହିଁ। ଭୁଲ ସ୍ଥାନରେ ଟଙ୍କା ବିନିଯୋଗ କଲେ ଲାଭ ବଦଳରେ କ୍ଷତି ହୋଇପାରେ। ଜୀବନର ପ୍ରାରମ୍ଭରେ ଏକ ବୀମା କଭର ନେବା ସଠିକ୍ ରିଟର୍ଣ୍ଣ ପାଇବା ସମ୍ଭାବନା ବୃଦ୍ଧି କରିଥାଏ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଖରିଫରେ ଚାଷୀଙ୍କୁ ନୂଆ କିସମ ଧାନ ବୁଣିବା ପାଇଁ ନିଆଯିବ ପଦକ୍ଷେପ, ହଟିବ ପୁରୁଣା

ଭୁବନେଶ୍ୱର, ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ବିହନ ଯୋଗାଣ ସଂପର୍କରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଧାନ ବିହନ ଚାଷୀମାନଙ୍କ ନିକଟରେ ଯେପରି ନିରନ୍ତର ଯୋଗାଣ ହୋଇପାରିବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିକୁଳ ପାଣିପାଗ ଯୋଗୁ ବିହନ ଯୋଗାଣରେ ଯେପରି ବାଧା ନ ଉପୁଜେ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଆଗାମୀ ଏକ ମାସ ଖରିଫ ଚାଷ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଚାଷୀମାନଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚାଷୀମାନେ ଯେପରି ଉନ୍ନତ ମାନର ବିହନ ନିର୍ଦ୍ଧାରିତ ମୂଲ୍ୟରେ ପାଇପାରିବେ ସେଥି ନିମନ୍ତେ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିହନ ଯୋଗାଣ ଦିଗରେ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ କହିଥିଲେ ।

ବିହନ ଯୋଗାଣ କ୍ଷେତ୍ରରେ କୌଣସି ଅଭିଯୋଗ ଆସିଲେ ତୁରନ୍ତ ତାହାର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ନୂତନ କିସମର ଧାନ ବିହନ ପ୍ରୟୋଗ ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।

୧୦ ବର୍ଷରୁ ଅଧିକ ପୁରୁଣା ପୂଜା ଏବଂ ସ୍ୱର୍ଣ୍ଣ ପ୍ରଜାତିର ଧାନରେ ରୋଗପୋକ ଆକ୍ରମଣର ଅଧିକ ସମ୍ଭାବନା ଥିବାରୁ ଏହାର ବ୍ୟବହାରକୁ କମ୍‌ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉନ୍ନତ ମାନର ଓ ଅଧିକ ଉତ୍ପାଦନକ୍ଷମ ନୂତନ କିସମର ବିହନ ବ୍ୟବହାର ନିମନ୍ତେ ଚାଷୀମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଚଳିତ ଖରିଫରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ବିହନ ଯୋଗାଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏ ଦିଗରେ ସମବାୟ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇଛି । ଏଥି ସହିତ ଚାଷୀମାନଙ୍କୁ ବାସନାଯୁକ୍ତ ଚାଉଳ ଉତ୍ପାଦନ ନିମନ୍ତେ ଧାନ ବିହନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ବୋଲି କହିଥିଲେ । ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ୫ ଲକ୍ଷ କ୍ୱିଣ୍ଟାଲ ଧାନ ବିହନ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଥିଲେ ।

ବୈଠକରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜଳଭଣ୍ଡାରଗୁଡ଼ିକରୁ କେଜ କଲଚର ଦ୍ବାରା ବର୍ଷକୁ ୧ ଲକ୍ଷ ୨୫ ହଜାର ଟନ ମାଛ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର, କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛି । କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରୁ ବର୍ଷକୁ ୧ ଲକ୍ଷ ୨୫ ହଜାର ଟନରୁ ଅଧିକ ମାଛ ଉତ୍ପାଦନ କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଡ. ସାହୁ ଉଦ୍ୟୋଗୀମାନଙ୍କୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ହୀରାକୁଦ ଜଳଭଣ୍ଡାରର ୪୪ଟି ସବ୍‌ଜୋନ୍‌ରେ ଏହି ମାଛଚାଷ କରାଯିବ । ଜଳଭଣ୍ଡାରରେ ପଂଜୁରୀ ନିର୍ମାଣ କରି ମାଛଚାଷ କରିବା ଯେହେତୁ ଏକ ନୂତନ ପଦ୍ଧତି, ତେଣୁ ଏ ବିଷୟରେ ସରକାରଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି ।

ରାଜ୍ୟ ସରକାର ବୃହତ ଓ ମଧ୍ୟମ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୂତନ ନୀତି ପ୍ରଣୟନ କରିଛନ୍ତି ଏବଂ ଏଥି ନିମନ୍ତେ ଉଦ୍ୟୋଗୀମାନଙ୍କୁ ରିହାତି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ନୂତନ ଉଦ୍ୟୋଗୀ ସୃଷ୍ଟି ହେବା ସହିତ ଅନେକ ନିଯୁକ୍ତିର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଲେ ଯେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ କରିବା ପାଇଁ ୩୯ ଜଣ ଉଦ୍ୟୋଗୀ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ଭବିଷ୍ୟତରେ ପ୍ରାୟ ୧୫ ହଜାର କେଜ ନିର୍ମାଣ କରାଯାଇ ମାଛଚାଷ କରିବାର ସୁବିଧା ରହିଛି ।

ଜଳଭଣ୍ଡାରରେ ଜେଟି, ଅବତରଣ କେନ୍ଦ୍ର ଆଦି ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବା ନିମନ୍ତେ ଇଡ୍‌କୋ ସହିତ ସ୍ୱତନ୍ତ୍ର ବୈଠକ କରାଯିବ ବୋଲି ସଚିବ ରଘୁପ୍ରସାଦ କହିଥିଲେ । ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କେଜ କଲଚର ନିର୍ମାଣର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେଜ କଲଚର ଉଦ୍ୟୋଗୀମାନେ ଯୋଗଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷାକୁ କର୍ମସଂସ୍ଥାନ ଓ ଔଦ୍ୟୋଗିକ ସାମର୍ଥ୍ୟ ସହ ସଂଯୋଗ କରିବା ପାଇଁ ବଜେଟରେ ହୋଇଛି ଉଦ୍ୟମ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି।

ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଦେଶର ଯୁବଗୋଷ୍ଠୀର ଆତ୍ମବିଶ୍ୱାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣଙ୍କର ଆତ୍ମବିଶ୍ୱାସ ତାର ଶିକ୍ଷା ଓ ଜ୍ଞାନର ବିଶ୍ୱାସ ଉପରେ ନିର୍ଭରଶୀଳ। ଆତ୍ମବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ହୃଦବୋଧ ହେବ ଯେ ସେମାନଙ୍କ ଶିକ୍ଷା ସେମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ନିମନ୍ତେ ସୁଯୋଗ ଓ ଆବଶ୍ୟକ କୌଶଳ ପ୍ରଦାନ କରିଛି। ଏହି ଭାବନାକୁ ଆଧାର କରି ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ସହ ଚଳିତ ବଜେଟ ଏଥିପାଇଁ ଖୁବ ଭଲଭାବେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ ପରେ ଦ୍ୱିତୀୟ ସର୍ବବୃହତ ଗୁରୁତ୍ୱ ଶିକ୍ଷା, କୌଶଳ, ଗବେଷଣା ଏବଂ ଉଦ୍ଭାବନ ଉପରେ ଆରୋପ କରାଯାଇଛି। ଦେଶର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଏଥିରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବଜେଟରେ କୌଶଳ ବିକାଶ ଓ ଶିକ୍ଷା ନବୀଶ ଉପରେ ଦିଆଯାଇଥିବା ଗୁରୁତ୍ୱ ଅଭୂତପୂର୍ବ ବୋଲି ସେ କହିଛନ୍ତି। ଯେପରି କର୍ମନିଯୁକ୍ତି ଓ ଔଦ୍ୟୋଗିକ ସାମର୍ଥ୍ୟ ଆଗାମୀ ଦିନରେ ବୃଦ୍ଧି ପାଇବ ସେଥିପାଇଁ ବଜେଟ ଶିକ୍ଷାର ଆର୍ଥିକ ପରିସରକୁ ସଂପ୍ରସାରିତ କରିଛି। ଏସବୁ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଜ୍ଞାନିକ ପ୍ରକାଶନ, ପିଏଚଡି ବିଦ୍ୱାନଙ୍କ ସଂଖ୍ୟା ଓ ଷ୍ଟାର୍ଟଅପ ସେ ତୃତୀୟ ସ୍ଥାନରେ ରହିଛି।

ଭାରତ ବୈଶ୍ୱିକ ଉଦ୍ଭାବନ ସୂଚୀର ପଚାଶତମ ସ୍ଥାନରେ ରହିଛି ଓ ଏହି ସ୍ଥାନ କ୍ରମଶଃ ଉନ୍ନତ ହେବାରେ ଲାଗିଛି। ଉଚ୍ଚଶିକ୍ଷା, ଗବେଷଣା ଓ ଉଦ୍ଭାବନ ଉପରେ ଅଧିକ ଧ୍ୟାନ ଦିଆଯବା ଯୋଗଁତ ଆମର ଛାତ୍ରଛାତ୍ରୀ ଓ ଯୁବ ବିଜ୍ଞାନୀଙ୍କ ନିମନ୍ତେ ଅଧିକରୁ ଅଧିକ ନୂତନ ସୁଯୋଗ ସୃଷ୍ଟି ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ନିମନ୍ତେ ବିଦ୍ୟାଳୟଗୁଡିକରେ ଅଟଳ ଟିଙ୍କରିଂ ଲ୍ୟାବରୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଟଳ ଉଷ୍ମେଳନ କେନ୍ଦ୍ର ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ଷ୍ଟାର୍ଟ ଅପ ନିମନ୍ତେ ହକାଥନ ଭଳି ନବୀନ ପରମ୍ପରା ସୃଷ୍ଟି ହୋଇ ଦେଶର ଯୁବାଗୋଷ୍ଠୀ ଓ ଶିଳ୍ପ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଦେଶରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ୩୫୦୦ରୁ ଅଧିକ ଷ୍ଟାର୍ଟଅପ ମଧ୍ୟ ବିକଶିତ କରାଯାଇଛି। ସେହିପରି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ତିନିଟି ସୁପର କମ୍ପ୍ୟୁଟର ପରମ ଶିବାୟ, ପରମ ଶକ୍ତି ଏବଂ ପରମ ବ୍ରହ୍ମ ଆଇଆଇଟି ବିଏଚୟୁ, ଆଇଆଇଟି ଖଡଗପୁର ଓ ଆଇଜର ପୁଣେରେ ସ୍ଥାପନ କରାଯାଇଛି। ଦେଶରେ ଏକ ଡର୍ଜନରୁ ଅଧିକ ପ୍ରତିଷ୍ଠାନ ଏହି କମ୍ପ୍ୟୁଟର ନେବାକୁ ପ୍ରସ୍ତାବ ଦେଇଛନ୍ତି। ତିନିଟି ଅତ୍ୟାଧୁନିକ ବିଶ୍ଳେଷକ ଏବଂ ବୈଷୟିକ ସାହାଯ୍ୟକାରୀ ପ୍ରତିଷ୍ଠାନ (ସାଥୀ) ଆଇଆଇଟି ଖଡଗପୁର, ଆଇଆଇଟି ଦିଲ୍ଲୀ ଏବଂ ବିଏଚୟୁରୁ କାର୍ଯ୍ୟ କରୁଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଜ୍ଞାନ ଓ ଗବେଷଣା ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ଦେଶର ସାମର୍ଥ୍ୟ ପ୍ରତି ଏକ ଅନ୍ୟାୟ। ମେଧାବୀ ଯୁବଗୋଷ୍ଠୀଙ୍କ ନିମନ୍ତେ ମହାକାଶ ଆଣବିକ ଶକ୍ତି, ଡିଆରଡିଓ ଓ କୃଷି କ୍ଷେତ୍ରରେ ଅନେକ ସୁଯୋଗ ରଖିଛି। ଦେଶ ପ୍ରଥମ ଥର ନିମନ୍ତେ ପାଣିପାଗ କ୍ଷେତ୍ରରେ ଆନ୍ତର୍ଜତିକ ମାନ୍ୟତା ହାସଲ କରିବାରେ ସମର୍ଥ ହୋଇଛି। ଏ ଦିଗରେ ଥିବା ଗବେଷଣା ଓ ବିକାଶ ଯୋଗୁଁ ବୈଶ୍ୱିକ ଦକ୍ଷତା ବୃଦ୍ଧି ସହ ଯେଉଁ ତଥ୍ୟ ମିଳିବ ତାହା ମହାକାଶ କ୍ଷେତ୍ରରେ ଦେଶର ଯୁବଗୋଷ୍ଠୀ ନିମନ୍ତେ ବେଶ ସହାୟକ ହେବ। ଦେଶରେ ପ୍ରଥମ ଥର ନିମନ୍ତେ ଜାତୀୟ ଗବେଷଣା ପ୍ରତିଷଠାନ ତିଆରି ହେଉଛି। ଏଥିପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଏହା ଗବେଷଣା ପ୍ରତିଷ୍ଠାନଗୁଡିକ ପ୍ରଶାସନିକ ପରିପାଟୀକୁ ସୁଦୃଢ଼ କରିବା ସହ ଗବେଷଣା ଓ ପରିପାଟୀ, ଶିକ୍ଷା ବ୍ୟବସ୍ଥା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଶତକଡା ଶହେ ଭାଗରୁ ଅଧିକ ବ୍ୟୟବରାଦ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣା କ୍ଷେତ୍ରରେ କରାଯାଇଥିବାରୁ ଏହା ସରକାରଙ୍କ ପ୍ରାଥମିକତାର ଯଥାର୍ଥତା ପ୍ରତିପାଦନ କରିଥାଏ। ଖାଦ୍ୟ ନିରାପତ୍ତା, ପୌଷ୍ଟିକତା ଓ କୃଷି କ୍ଷେତ୍ରରେ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣାର ପରିସର ବୃଦ୍ଧି ପାଇଁ ସେ ଆହ୍ୱାନ ଜଣାଇଛନ୍ତି।

ଆନ୍ତର୍ଜାତିକ କ୍ୟାମ୍ପସ ସିଲେକସନ ଜରିଆରେ ସର୍ବୋତ୍ତମ କୌଶଳ ଆହରଣ ପାଇଁ ଯୁବଗୋଷ୍ଠୀଙ୍କୁ ତାଲିମ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଶିକ୍ଷାନବୀଶ କାର୍ଯ୍ୟକ୍ରମର ସୁଗମତା ନେଇ ବଜେଟରେ ଯେଉଁ ବ୍ୟବସ୍ଥା ରହିଛି ତାହା ଦେଶର ଯୁବଗୋଷ୍ଠୀଙ୍କ ପାଇଁ ବେଶ ଲାଭପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭବିଷ୍ୟତରେ ଇନ୍ଧନ ଓ ଗ୍ରୀନ ଏନର୍ଜି ଆମର ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆବଶ୍ୟକ। ସେଥିପାଇଁ ବଜେଟରେ ଉଦଯାନ ମିଶନ ଘୋଷଣା କରଯାଇଛି। ଭାରତ ଉଦଯାନରୁ ଯାନ ପରୀକ୍ଷା କରିଛି ଓ ଉଦଯାନକୁ ପରିବହନ ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଛି ଓ ସେଥିପାଇଁ ଆମ ଶିଳ୍ପଜଗତ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।

ନୂତନ ଜାତୀୟ ଶିକ୍ଷାନୀତି ଅଧିକରୁ ଅଧିକ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିଛି। ସେ ଦୃଷ୍ଟିରୁ ପ୍ରତ୍ୟେକ ଭାଷାର ବିଶେଷଜ୍ଞ ଓ ଶିକ୍ଷାବିତ ପ୍ରତ୍ୟେକ ବିଷୟ ଭାରତୀୟ ଭାଷାରେ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନେବେ। ପ୍ରଯୁକ୍ତି ଯୁଗରେ ଏହା କିଛି ବଡ କଥା ନୁହେଁ। ବଜେଟରେ ପ୍ରସ୍ତାବିତ ଜାତୀୟ ଭାଷା ଅନୁବାଦ ମିଶନ ଏ ଦିଗରେ ଅନେକ କିଛି କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ପ୍ରସଙ୍ଗ: ଉଚ୍ଚସ୍ତରୀୟ କମିଟି ଗଠିତ

ଭୁବନେଶ୍ବର: ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଲାଗି ସଂରକ୍ଷଣ ଦିଆଯିବ ବୋଲି ନିକଟରେ ରାଜ୍ୟ ସରକାର ଘୋଷଣା କରିଥିଲେ।

ତେବେ ଏନେଇ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କ୍ୟାବିନେଟର ନିଷ୍ପତ୍ତି ପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ମୁଖ୍ୟ ଭାବେ ଉଚ୍ଚନ୍ୟାୟଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟଧିଷ ଏ.କେ.ମିଶ୍ର ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, ଆଇଏଏସ ଭୁପିନ୍ଦର ପୁନିଆ, ଜି. ରେଘୁ କମିଟିର ସଦସ୍ୟ ଅଛନ୍ତି। ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏ.କେ. ନାୟକ କମିଟି ଆବାହାକ ଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଉଚ୍ଚଶିକ୍ଷା ପାଇଁ ଗରିବ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ପିପୁଲ୍ସ ଫର୍ ଦି ପବ୍ଲିକ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗରିବ ମେଧାବୀ ଛାତ୍ରୀଛାତ୍ରୀମାନଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି ପିପୁଲ୍ସ ଫର୍ ଦି ପବ୍ଲିକ୍ ଅନୁଷ୍ଠାନ। ଯାହାକି ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥ ଅଭାବ ଯୋଗୁଁ ମାଟ୍ରିକ ପାସ୍ କଲା ପରେ ଉଚ୍ଚଶିକ୍ଷାରୁ ବଂଚିତ ହେଉଛନ୍ତି ଏବଂ ଅଧାରୁ ପାଠଛାଡ଼ି ନିଜର ସ୍ୱପ୍ନକୁ ସାକାର କରିପାରନ୍ତି ନାହିଁ ସେମାନଙ୍କ ପାଇଁ ପିପୁଲ୍ସ ଫର୍ ଦ ପବ୍ଲିକ୍ ଅନୁଷ୍ଠାନ ସର୍ବଦା ଛିଡ଼ା ହୋଇଛି।

ଏହି ପରିପ୍ରେକ୍ଷୀରେ ଆଜି ଜଣେ ମେଧାବୀ ଛାତ୍ରୀ ବ୍ରହ୍ମପୁର ଅଶୋକନଗର ନିବାସୀ ବାପା କୃଷ୍ଣଚନ୍ଦ୍ର ପରିଡ଼ା ଓ ମାତା ପିନାକୀ ପରିଡ଼ାଙ୍କ ଝିଅ ସାନିଆ ପରିଡ଼ାଙ୍କୁ ଆଜି ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଛି ପିପୁଲ୍ସ ଫର୍ ଦ ପବ୍ଲିକ୍। ତଳ ଦିନେ ପିପୁଲ୍ସ ଫର ଦି ପବ୍ଲିକ୍ ତରଫରୁ ଏହି ପରିପ୍ରେକ୍ଷୀରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯାହାକି ଭିତ୍ତିକରି ସାନିଆ ପରିଡ଼ାଙ୍କ ମା’ ପିନାକୀ ପରିଡ଼ା ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲେ। ଶୁଣିବାକୁ ମିଳିଲା ଯେ, ପିନାକ ପରିଡ଼ାଙ୍କ ଦୁଇଟି ଝିଅ। ପିତା କୃଷ୍ଣଚନ୍ଦ୍ର ପରିଡ଼ା ମା’ ଏବଂ ଦୁଇଝିଅକୁ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି। ଯାହାଫଳରେ ପିନାକୀ ପରିଡ଼ା ଅତି କଷ୍ଟରେ ଦୁଇଝିଅକୁ ଅଶୋକ ନଗରରେ ଏକ ଚା’ ଦୋକାନ କରି ନିଜର ଗୁଜରାଟ ମେଣ୍ଟାଉଛନ୍ତି।

ସୂଚନାଥାଉକି ପିନାକୀ ପରିଡ଼ା ଜଣେ ଯାତ୍ରା କଳାକାର ହୋଇଥିଲେ ସୁଦ୍ଧା ଏହି ଲକ୍‌ଡ଼ାଉନ୍ ସମୟରେ ତାଙ୍କର ଆର୍ଥିକ ଅବସ୍ଥା ସଂପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଛି। ଯାହାକି ପରିବାର ଭରଣପୋଷଣ ପାଇଁ ଛୋଟିଆ ଚା’ ଦୋକାନ କରି ଅତିକଷ୍ଟରେ ଚଳୁଛନ୍ତି। ଯାହାକି ଦୁଇଝିଅଙ୍କୁ ପାଠ ପଢ଼ାଇବା ଅତି କଷ୍ଟକର ବ୍ୟାପାର। ଏହାକୁ ନେଇ ସାନିଆ ପରିଡ଼ାକୁ ନେଇ ପିନାକ ପରିଡ଼ା ବାବାଜୀ ତୋଟା ସାହିରେ ଥିବା ପିପୁଲ୍ସ ଫର୍ ଦି ପବ୍ଲିକ୍ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ଉକ୍ତ ଅନୁଷ୍ଠାନର ସଭାପତି ଡ. ସୁବ୍ରତ ସାହୁ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ପ୍ରସାଦ ରାଉଳ, ସଂପାଦକ ଶତିସ ପାଣିଗ୍ରାହୀଙ୍କୁ ନିଜର ଦୁଃଖ ଜଣାଇବା ସହ ନିଜ ଝିଅର ଉଜ୍ୱଳ ଭବିଷ୍ୟତ ପାଇଁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ଯାହାକୁ ନେଇ ଅନୁଷ୍ଠାନର ସଭାପତି ଏବଂ ସଂପାଦକ ଏସ୍‌ଏମ୍‌ଆଇଟିର ନିର୍ଦ୍ଦେଶିକା ପ୍ରଜ୍ଞା ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ।

ସୂଚନାଥାଉକି ପ୍ରଜ୍ଞା ପଣ୍ଡା ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବେ ଅତି ପରିଚିତ। ସେ ଜଣେ ସାମାଜିକ କର୍ମୀ। ଅନେକ ଗରିବ ଛାତ୍ରଛାତ୍ରୀଙ୍କୁ ଏହିଭଳି କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଥିବା ଚର୍ଚ୍ଚିତ ଚେହେରା। ପିପୁଲ୍ସ ଫର୍ ଦ ପବ୍ଲିକ୍‌ର ଅନୁରୋଧକୁ ସେ ସଂଗେ ସଂଗେ ଗୁରୁତର ଭାବେ ନେଇ ସାନିଆ ପରିଡ଼ାଙ୍କୁ ଏସ୍‌ଏମ୍‌ଆଇଟିର ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟରେ ଆଡ଼୍‌ମିଶନ କରାଇଥିଲେ। କେବଳ ସେତିକି ନୁହେଁ, ସେ ଉକ୍ତ ଛାତ୍ରୀର ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ପିପୁଲସ ଫର ଦି ପବ୍ଲିକ୍ ତାଙ୍କର ଏହି ମହତ କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି।

ଅନୁଷ୍ଠାନର ମିଡ଼ିଆ ସେଲ୍‌ର ପ୍ରବକ୍ତା ତଥା ଉପସଭାପତି ବିଶ୍ୱନାଥ ମାଲଣାଙ୍କ ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ଏସ୍‌ଏମ୍‌ଆଇଟିର ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ପିପୁଲ୍ସ ଫର୍ ଦି ପବ୍ଲିକ୍ ସର୍ବଦା ଗରିବ, ଖଟିଖିଆ ଏବଂ ଏହିଭଳି ଗରିବ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରୟାସ ଜାରି ରହିବ ବୋଲି ସଂପାଦକ ଶ୍ରୀ ସତୀଶ ପାଣିଗ୍ରାହୀ କହିଛନ୍ତି।