ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ: ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ମଧ୍ୟ ଗଲେ

Published: Jun 9, 2023, 10:27 pm IST

ଭୁବନେଶ୍ବର: ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ପଡିଛି ଚଡକ। ଆଜି ଏହି ବିଭାଗର ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାରକୁ ରାଜ୍ୟପାଳ ଅନୁମୋଦ କରିଛନ୍ତି।

ରୋହିତ ପୂଜାରୀଙ୍କୁ ହଟାଇବା ପରେ ଏହି ବିଭାଗର ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରାଯାଇଛି। ରୋହିତ ଗତ ବର୍ଷ ଜୁନ ମାସରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ସେ କେତେକ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଲେ। ମୁଖ୍ୟତଃ ତାଙ୍କ ବିଭାଗର ଦକ୍ଷତା ନେଇ କୁଆଡେ ମୁଖ୍ୟମନ୍ତୀ ଅସନ୍ତୁଷ୍ଠ ଥିଲେ।

ସେହିପରି ଏହି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି ନିଷ୍ପତି ନେଲେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ବିଭାଗରେ କିଛି ବଡ ଦୁର୍ନିତି ହୋଇଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ନିକଟରେ ନବୀନ ତାଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ନବୀନଙ୍କ ଏପରି ସର୍ଜିକାଲ ଷ୍ଟ୍ରାଇକ ଦେଖି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରମାଦ ଗଣିଲେଣି ବୋଲି ଜଣାପଡିଛି।

Related posts