Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନୂଆ-ଓ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ସୂଚନା ଥାଉ କି ନୂଆ- ଓ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡା, ସମାଜସେବା, ବିଭିନ୍ନ ପ୍ରକାର ଜ୍ଞାନକୌଶଳ, ଶାରୀରିକ ବିକାଶ ଇତ୍ୟାଦିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ଏହି ନୂଆ-ଓ କାର୍ଯ୍ୟକ୍ରମର ଅବଧିକୁ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିିଡ଼ିଓଗ୍ରାଫି ଏବଂ ଫୋଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା କରିବା ସହ ଯେଉଁ ଛାତ୍ରଛାତ୍ରୀ ସାମାଜିକ କାର୍ଯ୍ୟକ୍ରମ, ଭିିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗ ନେଇଥିବେ ସେମାନଙ୍କୁ ସାମ୍ସ ଲ୍ୟାବ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯିବ। ରାଜ୍ୟର ଛଅଶହରୁ ଊଦ୍ଧ୍ୱର୍ ଶିକ୍ଷାନୁଷ୍ଠାନରେ ଏହି ନୂଆ-ଓ କାର୍ଯ୍ୟକ୍ରମ ଚାଲିଥିବା ପ୍ରକାଶ।

ସାମାଜିକ କାର୍ଯ୍ୟକଳାପ ପାଇଁ କୌଣସି ଡେଡ଼୍‌ଲାଇନ ରହିବ ନାହିଁ। ଏପରିକି ଫେବୃୟାରୀ ମାସ ପରେ ମଧ୍ୟ ସମାଜସେବା କାର୍ଯ୍ୟକ୍ରମ ଜାରି ରହିବ। ବୈଠକରେ ଉଚ୍ଚଶିକ୍ଷା କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର ସମେତ ବହୁ ବରିଷ୍ଠ ପଦାଧିକାରୀବୃନ୍ଦ ଓ ନୂଆ-ଓ ଅନୁଦାନ ପ୍ରାପ୍ତ ୭ ବିଭାଗର ସମସ୍ତ ନୋଡାଲ୍‌ ଅଫିସର ଓ ରାଜ୍ୟର ୩୦ ଗୋଟି ଜିଲ୍ଲାର ସମସ୍ତ କଲେଜର ଅଧ୍ୟକ୍ଷ, ଅଧ୍ୟାପକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଡିଜି-ଟେକ୍ ସାଜିବ ଗଣମାଧ୍ୟମ ଓ ଗଣତନ୍ତ୍ର ମଧ୍ୟରେ ସେତୁବନ୍ଧ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଜାତୀୟ ମିଡିଆ କନକ୍ଲେଭ ଗୁରୁବାର ଉଦଯାପିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ସହଯୋଗରେ ଆୟୋଜିତ ଏହି କନକ୍ଲେଭରେ ଭାରତର ବିଶେଷଜ୍ଞମାନେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ଡିଜି-ଟେକ୍ ସହ ଯୋଡ଼ିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

ଅନଲାଇନ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ୍ ଏଭଳି ଏକ ପରିକଳ୍ପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗଣମାଧ୍ୟମ ଓ ଗଣତନ୍ତ୍ର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଡକ୍ଟର ମୁର୍ଗାନ କହିଥିଲେ। ଡିଜି-ଟେକ୍ ସହିତ ସେମାନଙ୍କର ସମ୍ପର୍କ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବ ବୋଲି ଡକ୍ଟର ମୁର୍ଗାନ୍ ଅବିହିତ କରିଥିଲେ। ସେ ନାସନାଲ ମିଡ଼ିଆ କନକ୍ଳେଭର ଏଭଳି ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଓଡ଼ିଶାରେ ଗଣମାଧ୍ୟମର ବିକାଶ ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସରକାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରୟୁକ୍ତିବିଦ୍ୟା ଓ ଗଣମାଧ୍ୟମର ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଏଥିରେ ଜନମାନସର ସହଭାଗିତା ଗଣତନ୍ତ୍ରକୁ ସୁଦୃଢ କରିପାରିବ ବୋଲି ସେ କହିଥିଲେ।

କର୍ଣ୍ଣାଟକର କୋପ୍ପାଲ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. କେ. ରବି କହିଥିଲେ ଯେ ଗଣମାଧ୍ୟମ ଶିଳ୍ପ, ଶିକ୍ଷା ଏବଂ ଗବେଷଣା ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି।
ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନଦୟାଲ ଏନର୍ଜି ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଲିବରାଲ୍ ଷ୍ଟଡିଜ୍ରର ପ୍ରଫେସର ପ୍ରଦୀପ ମଲିକ୍ ଜୀବନର ବିଭିନ୍ନ ଦିଗ ଯଥା ରାଜନୀତି, ଗଣମାଧ୍ୟମ ଓ ଗଣତନ୍ତ୍ର କିପରି ଡିଜିଟାଲ୍ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେଉଛି ତାହା ବର୍ଣ୍ଣନା କରିଥିଲେ।

ପ୍ରେସ୍ କ୍ଲବ୍ ଅଫ୍ କୋଲକାତାର ସଭାପତି ସ୍ନେହାସିସ ସୁର କହିଥିଲେ ଯେ ଡିଜିଟାଇଜେସନ୍ ସମଗ୍ର ବିଶ୍ୱକୁ ଗଣତାନ୍ତ୍ରିକ କରିଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଏବେ କଣ୍ଟେଟ ପ୍ରଦାନକାରୀ ସାଜିଛି ।

ଏହି ଅବସରରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶେଷଜ୍ଞମାନେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ ‘ଲିଙ୍ଗଗତ ସମାନତା, ଡିଜିଟାଲ ଇକୋସିଷ୍ଟମରେ ପ୍ରବେଶ ଓ ଅଂଶଗ୍ରହଣ’ ଉପରେ ଆଲୋଚନା କରି ‘ସମ୍ବାଦ’ ର ସମ୍ପାଦକ ତନୟା ପଟ୍ଟନାୟକ କହିଲେ ଯେ ଗଣମାଧ୍ୟମରେ ମହିଳା ପ୍ରସଙ୍ଗକୁ ଅଣଦେଖା କରାଯାଉଛି।

ଗଣମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ୱ ଓ ଚିତ୍ର ବଦଳିବା ଦରକାର, ଗଣମାଧ୍ୟମ ମହିଳାମାନଙ୍କୁ ଏକ ସନ୍ତୁଳିତ ଉପାୟରେ ଖବର ପରିବେଷଣ କରିବାର ଆବଶ୍ୟକ ରିହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମାନସବିନୀ ଯୋଗୀ ଗଣମାଧ୍ୟମରେ ମହିଳାଙ୍କୁ ଠିକ ଭାବରେ ଚିତ୍ରଣ କରାଯାଉନାହିଁ ବୋଲି ଉଦବେଗ ପ୍ରକାଶ କରିଥିଲେ।

କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସୂଚନା ଦେଇ କହିଥିଲେ ଯେ ଭାରତ ସମେତ ଦକ୍ଷିଣ ଏସିଅ ରାଷ୍ଟ୍ରରୁ ୧୩୦ରୁ ଉର୍ଦ୍ଧ ଗବେଷକ ୬ଟି ସମାନ୍ତରାଳ ଅଧିବେଶନରେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜର ସାମ୍ବାଦିକତା ଓ ଗଣଯୋଗାଯଗ ବିଭାଗର ସହକାରୀ ଅଧ୍ୟାପକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ସରକାରଙ୍କ ୫-‘ଟି’ ଧାରାରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଏକ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ଏବଂ ସରକାରଙ୍କ ୫-‘ଟି’ ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତା ପାଳନପୂର୍ବକ କାର୍ଯ୍ୟକରିବାକୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ସରକାରୀ ଛୁଟି ଦିବସ ଥିଲେ ମଧ୍ୟ ସମୀକ୍ଷା ବୈଠକକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଦୁଇ ଘଣ୍ଟାରୁ ଊଦ୍ଧ୍ୱର୍ ବିଭାଗୀୟ କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ତୁରନ୍ତ ଏକ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଆରମ୍ଭ କରିବ ଏବଂ ଅବସରଗ୍ରହଣ କରୁଥିବା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ଯେପରି ପେନ୍‌ସନ୍‌ ପାଇବେ ଏବଂ ସମସ୍ତ ବାକିଥିବା ପେନ୍‌ସନ୍‌ କେସ୍‌ (ମାମଲା)ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପିକ/ଅଧ୍ୟାପିକା ପଦବୀ ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ/ଜି.ଆଇ.ଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦବୀଗୁଡ଼ିକ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି ଓ ଖାଲିଥିବା ପଦବୀଗୁଡ଼ିକୁ ନିରୀକ୍ଷଣ ଏବଂ ଯୁକ୍ତିଯୁକ୍ତ କରିବା ଉପରେ ପରାମର୍ଶ ଦେଇଥିଲେ। ରୁସା(ଆର୍‌ୟୁଏସ୍‌ଏ) ସ୍ଥିତି ଓ ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ସେ ସମୀକ୍ଷା କରିଥିଲେ।

ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି ଏବଂ ବିକାଶ ଉପରେ ସବିଶେଷ ଆଲୋଚନା ହୋଇଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ହେଡ୍‌ରେ ଥିବା ଅନୁଦାନ ରାଶି ସଠିକ୍‌ ଭାବେ ବିନିଯୋଗ କରିବା, ନାକ୍‌ (ଏନ୍‌ଏଏସି) ର୍ୟାଙ୍କିଂ ଏବଂ ଏନ୍‌ଆଇଆର୍‌ଏଫ୍‌ରେ ଅଂଶଗ୍ରହଣ କରିବା ସଂପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚଶିକ୍ଷା ସଚିବଙ୍କୁ ବିଭିନ୍ନ ମହାବିଦ୍ୟାଳୟରେ ଗଚ୍ଛିତ ଥିବା ଅର୍ଥରାଶି ଏବଂ ତା’ର ସହଳ ବିନିଯୋଗ ଉପରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ୍‌ଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ: ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ମଧ୍ୟ ଗଲେ

ଭୁବନେଶ୍ବର: ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ପଡିଛି ଚଡକ। ଆଜି ଏହି ବିଭାଗର ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାରକୁ ରାଜ୍ୟପାଳ ଅନୁମୋଦ କରିଛନ୍ତି।

ରୋହିତ ପୂଜାରୀଙ୍କୁ ହଟାଇବା ପରେ ଏହି ବିଭାଗର ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରାଯାଇଛି। ରୋହିତ ଗତ ବର୍ଷ ଜୁନ ମାସରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ସେ କେତେକ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଲେ। ମୁଖ୍ୟତଃ ତାଙ୍କ ବିଭାଗର ଦକ୍ଷତା ନେଇ କୁଆଡେ ମୁଖ୍ୟମନ୍ତୀ ଅସନ୍ତୁଷ୍ଠ ଥିଲେ।

ସେହିପରି ଏହି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି ନିଷ୍ପତି ନେଲେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ବିଭାଗରେ କିଛି ବଡ ଦୁର୍ନିତି ହୋଇଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ନିକଟରେ ନବୀନ ତାଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ନବୀନଙ୍କ ଏପରି ସର୍ଜିକାଲ ଷ୍ଟ୍ରାଇକ ଦେଖି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରମାଦ ଗଣିଲେଣି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରୁଚିକାକୁ ନ୍ୟାୟ, ପ୍ରଶ୍ନପତ୍ର ପ୍ରଘଟ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ, ର‌୍ୟାଗିଂମୁକ୍ତ କ୍ୟାମ୍ପସ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା।

ଏହି ପ୍ରସଙ୍ଗରେ ଶ୍ରୀ ନୱାଜ କହିଥିଲେ ଯେ, ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ପୂର୍ବରୁ ଯେତେବେଳ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ମନ୍ତ୍ରୀ ନିଜକୁ କୋଭିଡ଼ ରୋଗୀ ବୋଲି କହି ଦାୟିତ୍ୱ ନିର୍ବାହ କାର୍ଯ୍ୟରୁ ଖସି ଯାଇଥିଲେ । ହେଲେ ଛାତ୍ର କଂଗ୍ରେସ ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଥିଲା । ଏହାରି ମଧ୍ୟରେ ଉଚ୍ଚଶିକ୍ଷାମନ୍ତ୍ରୀ ରୁଚିକା ମହାନ୍ତିଙ୍କ ପ୍ରସଙ୍ଗରେ ପଦୁଟିଏ କହି ନାହାଁନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଞ୍ଜିତ ପାତ୍ର, ଅଜୟ ସାହୁ, ନଳିନୀକାନ୍ତ ନାୟକ, ନିହାର ବେହେରା, ଦିପ୍ତୀରଞ୍ଜନ ପରିଡ଼ା, ସୁନିଲ ମାଟିଆ, ମହମ୍ମଦ ଗୁଲଫାମ, ବିଶ୍ୱଭୂଷଣ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, କାର୍ତ୍ତିକେଶ୍ୱର କାଣ୍ଡି, ଅରମାନନ୍ଦ ଜେନା, ଉଦିତ ପ୍ରଧାନ, ଅଜିତ ବାରିକ, ଶାହରୁଖ ଖାନ, ନିତେଶ ବେହେରା, ଆର୍ଯ୍ୟାନ ସାସମଲ, ମୁନା ପରିଡ଼ା, ରାଜଶ୍ରୀ ମହାନ୍ତି, ରାଜଲକ୍ଷ୍ମୀ ସାହୁ, ଶାଶ୍ୱତ ନନ୍ଦ, ସାମସଙ୍ଗ ଦାସ, ପ୍ରମୁଖ ଶହ ଶହ ଛାତ୍ରକଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ । ସେ ଏକ ଟୁଇଟ୍ କରି ଏହି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,

ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ରୁଚିକା ମହାନ୍ତି ଯେକି କାରୁବାକୀ ଛାତ୍ରୀନିବାସରେ ରହୁଥିଲେ, ତାକଂ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଖିତ ଓ ମର୍ମାହତ।ତାକଂ ଶୋକସନ୍ତପ୍ତ ପରିବାର କୁ ମୋର ସମବେଦନା ଜଣାଉଛି।ଏହା ଏକ ସମ୍ବେଦନଶୀଳ ଘଟଣା।ଏହାର ପୋଲିସ୍ ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀ ଯତ୍ନବାନ ହୁଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ। ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀମାନେ ଯତ୍ନବାନ ହୁଅନ୍ତୁ ବୋଲି ଉପଦେଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁପାଳନ ବିକାଶମନ୍ତ୍ରୀ ଡଃ ଅରୁଣ କୁମାର ସାହୁ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ହୋଇଥିବା ଜାତୀୟ ସଂହତି ଶିବିରର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦ ଟି ରାଜ୍ୟରୁ ଏହି ଶିବିରରେ ଭାଗ ନେବାକୁ ଆସିଥିବା ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଡଃ ସାହୁ।

ହକି ଭଳି କ୍ରିଡାକୁ ପ୍ରୋତ୍ସାହନ ଦେବା ସହ ଦୀର୍ଘ ୪୦ ବର୍ଷ ପରେ ଭାରତ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଶଂସା କରି ଡଃ ସାହୁ କହିଥିଲେ ଯେ ସ୍କୁଲ୍‌ରେ ପଢ଼ିଲା ବେଳୁ ମୁଖ୍ୟମନ୍ତ୍ରୀଙ୍କର ହକି ପ୍ରତି ଆଗ୍ରହ ଥିଲା। ତେଣୁ ଏହି ଜାତୀୟ କ୍ରୀଡାର ଉନ୍ନତି କରିବା ଦିଗରେ ସେ ଅନେକ ପଦକ୍ଷେପ ନେଉଛନ୍ତି।

ନିଜ ସ୍କୁଲ୍ ଓ କଲେଜ ସମୟରେ ବିଭିନ୍ନ କ୍ୟାମ୍ପରେ ଯୋଗ ଦେଇ ପାଇଥିବା ଶିକ୍ଷାର ସ୍ମୃତିଚାରଣ କରିବା ସହ ଭାରତ ଓ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଡଃ ସାହୁ କହିଥିଲେ ଯେ ଓଡ଼ିଶା ଏଭଳି ଏକ
ରାଜ୍ୟ ଯେଉଁଠି ଥରେ ସମ୍ପର୍କ ଯୋଡିଲେ ଆଉ କାଟି ହୁଏ ନାହିଁ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍‌, ରାଜ୍ୟ ଏନ୍‌ଏସ୍‌ଏସ୍ ସେଲ୍‌ର ଏସ୍‌.ଏନ୍ ଓ ଡଃ ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ବିଶ୍ୱ ବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗତ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସଂହତି ଶିବିରରେ ୨୦ଟି ରାଜ୍ୟରୁ ପ୍ରାୟ ୨୦୦ ପ୍ରତିନିଧି ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ୍ ୟୁନାଇଟେଡ୍ ନେସନସ୍ (ସୋଆମୁନ୍-୨୦୨୧) ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡ. ସାହୁ କହିଲେ, ବିଶ୍ୱରେ କ’ଣ ସବୁ ଘଟିଯାଉଛି, ତାହାକୁ ଅନୁଧ୍ୟାନ କର। ବିଶ୍ୱର ସ୍ଥିତିକୁ ଦେଖି ପରିବେଶ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଅ। ପରିବେଶ ସୁରକ୍ଷିତ ରହିଲେ ହିଁ ଆଗାମୀ ଭବିଷ୍ୟତ ଓ ମାନବ ସଭ୍ୟତା ବଞ୍ଚିବ।

ସୋଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଡ. ସାହୁ ପ୍ରଶଂସା କରିଥିଲେ। ସେ ପୁଣି କହିଲେ, ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପରିବେଶ ସଂରକ୍ଷଣ ଲାଗି ଦିଆଯାଉଥିବା ସହାୟତା ଉପରେ ଛାତ୍ରଛାତ୍ରୀ ସଚେତନ ହୁଅନ୍ତୁ। ଏହି ଅବସରରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ସାହୁ ବିଶ୍ୱରେ ନିରନ୍ତର ବିକାଶ ଉପରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ। ଏକ ଉନ୍ନତ ବିଶ୍ୱ ତିଆରି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ସୋଆମୁନର ଆବାହାକ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀ ବିଷୟରେ ସୋଆମୁନ୍ ର ସାଧାରଣ ସମ୍ପାଦକ ଆୟୁଷ୍ମାନ ରାଏ କହିଥିବାବେଳେ ଡାଇରେକ୍ଟର ଜେନେରାଲ୍ ସୁଭନ ଦେବନାଥ ଅତିଥିଙ୍କୁ ସ୍ବାଗତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେଲା ଜୀବ ମଙ୍ଗଳ ଯୋଜନା, ଏଥିରେ ପ୍ରାଣୀମାନଙ୍କ ପାଇଁ ରହିଛି ବିଭିନ୍ନ ସୁବିଧା

ଭୁବନେଶ୍ୱର: ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍‌ଦାର ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନସ୍ଥିତ ପ୍ରେକ୍ଷାଳୟରେ ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳାର ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି ।

ମଣିଷର ସୁବିଧାବାଦୀ ଜୀବନଶୈଳୀ ପାଇଁ ବୁଲା ଓ ବେସାହାରା ପ୍ରାଣୀଙ୍କ ଜୀବନରେ ବିପର୍ଯ୍ୟୟ ସୃଷ୍ଟି ହେବା ଉଚିତ୍‌ ନୁହେଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚିତ୍‌ ଦିଗ୍‌ଦର୍ଶନରେ ବୁଲା ଓ ବେସାହାରା ପ୍ରାଣୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ନୂତନ ଜୀବ ମଙ୍ଗଳ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାଗୁଡ଼ିକ ସ୍ଥାନୀୟ ସଂସ୍ଥା, ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି( SPCA), ଜୀବ ମଙ୍ଗଳ କାର୍ଯ୍ୟକ୍ରମ ସହ ଜଡ଼ିତ ସ୍ବେଚ୍ଛାସେବୀ ବେସରକାରୀ ସଂଗଠନ ଏବଂ ରାଜ୍ୟ ଜୀବ ମଙ୍ଗଳ ପରିଷଦର ସମନ୍ୱୟରେ କାର୍ଯ୍ୟକାରୀ ହେବ ।

ରାଜ୍ୟରେ ନୂତନ ଗୋରୁ ଆଶ୍ରୟ ଗୃହ, ଗୋଶାଳା ପ୍ରତିଷ୍ଠା ପାଇଁ ଜୀବ ମଙ୍ଗଳ ସହ ଜଡ଼ିତ ସେ୍ୱଚ୍ଛାସେବୀ ଅଣ-ସରକାରୀ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇ ପାରିବେ । ମ୍ୟୁନିସିପାଲ କର୍ପୋରେସନ, ମ୍ୟୁନିସିପାଲିଟି ଏବଂ ଏନ୍‌.ଏ.ସି.ରେ ବୁଲା ଗୋରୁ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ସଂଗଠନଗୁଡ଼ିକୁ ପୁଞ୍ଜି ଭିତ୍ତିଭୂମି ସହାୟତା ଦିଗରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଗୋରୁ ଆଶ୍ରୟସ୍ଥଳର କ୍ଷମତାକୁ ଆଧାର କରି ସରକାର ୧୬ ରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ପୁଞ୍ଜି ଅନୁଦାନ ପ୍ରଦାନ କରିବେ । ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ । କ
ବୁଲା ଓ ବେସାହାରା ପ୍ରାଣୀଙ୍କୁ ଚିକିତ୍ସା ସେବା ଓ ଆଶ୍ରୟସ୍ଥଳ ପ୍ରଦାନ ନିମନ୍ତେ ଭିତ୍ତିଭୂମି ନିର୍ମାଣ ଦିଗରେ ରାଜ୍ୟ ସରକାର ଜୀବ ମଙ୍ଗଳ ସହ ଜଡ଼ିତ ସେ୍ୱଚ୍ଛାସେବୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦେବେ ।

ଏହି ଯୋଜନାଗୁଡ଼ିକ ରାଜ୍ୟ ଜୀବ ମଙ୍ଗଳ ବୋର୍ଡ ଦ୍ୱାରା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହେବ । ପ୍ରାଣୀ ଚିକିତ୍ସାଳୟ , କ୍ଲିନିକ୍‌, ପ୍ରାଣୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ଅପରେସନ ଥିଏଟର, ଯନ୍ତ୍ରପାତି, ପଶୁ ପରିବହନ ପାଇଁ ଯାନ, ଅସୁସ୍ଥ ତଥା ପରିତ୍ୟକ୍ତ ପଶୁମାନଙ୍କ ପାଇଁ ଆଶ୍ରୟ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯୋଗ୍ୟ ସେ୍ୱଚ୍ଛାସେବୀ ସଂଗଠନଗୁଡ଼ିକ ଏହି ଯୋଜନା ଅନ୍ତର୍ଗତ ଏକାଧିକ ଉପାଦାନ ପାଇଁ ସମୁଦାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇ ପାରିବେ ।

ପଶୁ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ (Animal Birth Control)) ଏବଂ ପ୍ରାଣୀ ଚିକିତ୍ସା ହେଲ୍‌ପ ଲାଇନ୍‌ (Animal Help Line) ସୁଦୃଢ଼ କରାଯିବ ଏବଂ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଅନଗୁଳ, ଜଗତସିଂହପୁର, ବାରିପଦା, ବ୍ରହ୍ମପୁର, ବାଲେଶ୍ୱର, ଭବାନୀପାଟଣା, ରାଉରକେଲା ଏବଂ ଯାଜପୁର ସମେତ ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । କର୍ମଶାଳାରେ ବକ୍ତବ୍ୟ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମ୍‌ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ରାଜ୍ୟରେ ବୁଲା ଓ ବେସାହାରା ପ୍ରାଣୀଙ୍କ କଲ୍ୟାଣ ପାଇଁ ବାଟ ଫିଟାଇବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୋନା ମହାମାରୀ ସମୟରେ ଖାଦ୍ୟାଭାବରୁ ବିକଳ ହେଉଥିବା ରାଜ୍ୟର ବୁଲା ଓ ବେସାହାରା ପ୍ରାଣୀଙ୍କ ଖାଦ୍ୟ ନିମନ୍ତେ ପ୍ରାୟ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ବିନିଯୋଗରେ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିଥିବାରୁ ମନ୍ତ୍ରୀ ଡ. ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ।

କର୍ମଶାଳାରେ ବକ୍ତବ୍ୟ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଯୋଜନାରେ ଅଂଶୀଦାର ସଂଗଠନମାନଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ସ୍ୱାଗତ ଭାଷଣ ଦେଇଥିଲେ । ଏହି କର୍ମଶାଳାରେ ସେ୍ୱଚ୍ଛାସେବୀ ସଂଗଠନ, ପୌରପାଳିକା ପ୍ରତିନିଧି, ବିଭାଗୀୟ ଅଧିକାରୀମାନେ ଏବଂ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସକମାନେ ଅଂଶଗ୍ରହଣ କରିଥିଲେ ।