Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ “ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ

ଭୁବନେଶ୍ବର: ବିଶ୍ବ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ ” ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ ହୋଇଯାଇଛି।

ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନପୀଠ ପୁରସ୍କାରରେ ଭୂଷିତ ବିଶିଷ୍ଟ ସାହିତ୍ୟିକ ପଦ୍ମ ବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ପୁସ୍ତକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ଅତନୁଙ୍କ କବିତାରେ ତିନୋଟି ମୁଖ୍ୟ କଥା ରହିଛି- ତାଙ୍କ ବାପା, ବୋଉ ଏବଂ ଚିତ୍ରୋତ୍ପଳା ନଦୀ। ଏମାନଙ୍କ ଉପରେ ସେ କବିତା ଲେଖିଛନ୍ତି। “ସବ୍ୟସାଚୀର ଶବ୍ଦ” ଅନୁଭୂତିର କବିତା ବୋଲି ଦର୍ଶାଇ ସେ କହିଥିଲେ ଯେ, ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ।

ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ପୁସ୍ତକ ଉପରେ ଆଲୋଚନା କରି କହିଥିଲେ ଯେ, ଅତନୁଙ୍କ କବିତାରେ କାରୁଣ୍ୟର ସ୍ବର ରହିଛି। ତାଙ୍କର ଜୀବନାନୁଭୂତି ପ୍ରଚୁର। ତେଣୁ ସେ ଆହୁରି ଲେଖନ୍ତୁ ବୋଲି ଶ୍ରୀମତୀ ମିଶ୍ର ଉପଦେଶ ଦେଇଥିଲେ।

ଲେଖକ ଅତନୁ ସବ୍ୟସାଚୀ ନିଜ କବିତା ରଚନା ଉପରେ ଆଲୋକପାତ କରି କହିଥିଲେ ” ମୋ ବୋଉ ମୋ ପ୍ରେରଣା। ମତେ ସେ ହିଁ କଲମ ଧରେଇଛନ୍ତି।” ସେ ଦର୍ଶାଇଥିଲେ, ଆଗରୁ କିଛି କିଛି କବିତା ଲେଖିଛି। କିନ୍ତୁ ବିଶେଷ ପ୍ରକାଶ ପାଇନାହିଁ।

ପିଲାଦିନେ ମନପବନ ଓ ମୀନାବଜାରରେ ମୋର କିଛି ଲେଖା ପ୍ରକାଶିତ ହୋଇଛି। ମୋ ମନର ଆବେଗ ଓ ଭାବପ୍ରବଣତା କବିତା ଆକାରରେ ବାହାରି ଆସିଥିଲା। ସେସବୁ ଆଜି ସଂକଳିତ ହୋଇଛି।

ଉତ୍ସବରେ ସଭାପତିତ୍ବ କରି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ କହିଥିଲେ, ଆଜି ଗୋଟିଏ ଭଲ ଦିନ। ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ। ମାତୃଭାଷା ବଞ୍ଚିବ, ଯଦି ମାତୃଭାଷାରେ ଆମେ ଲେଖିବା। ଆଜି ଅତନୁ ବାବୁ ନିଜ ବହି ଉନ୍ମୋଚନ କରାଇ ମାତୃଭାଷାର ସେବା କରିଛନ୍ତି।

ମାଆ ବାପା ସାହିତ୍ୟର ସେବା କଲେ ତା’ର ପ୍ରଭାବ ପିଲାଙ୍କ ଉପରେ ପଡ଼େ। ଏହାର ପ୍ରକୃଷ୍ଟ ଉଦାହରଣ ଅତନୁ ବାବୁ। ସେ ଜଣେ ସଫଳ ରାଜନେତା, ମନ୍ତ୍ରୀ। ଆଜି କବି ଭାବେ ସେ ନୂଆ ପରିଚୟ ପାଇଲେ ବୋଲି ଡକ୍ଟର ଦାସ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ପୁସ୍ତକର ପ୍ରକାଶକ ବ୍ଲକ ଈଗଲ ବୁକ୍ସ ପକ୍ଷରୁ ଅଶୋକ ପରିଡ଼ା ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ନିଳୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାହିତ୍ୟିକ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ, ବିଧାୟକ ଦେବୀ ମିଶ୍ର, ରାଜନେତା, ଲେଖକଙ୍କ ପରିବାର, ଶୁଭେଚ୍ଛୁ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସମବାୟ ବ୍ୟାଙ୍କ ଦ୍ଵାରା ପାକ୍ସଗୁଡିକୁ ସହାୟତା ପ୍ରଦାନ, ୫୦ହଜାର ଟଙ୍କା ଲେଖାଏଁ କରିବେ ଖର୍ଚ୍ଚ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ପାକ୍ସ ଗୁଡିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର ଉତ୍କର୍ଷ ସାଧନ ପାଇଁ ଏଗୁଡ଼ିକର ସଦସ୍ୟ ସଦସ୍ୟାଙ୍କ ନିଷ୍ଠାପର ଅବଦାନ ଅପରିହାର୍ଯ୍ୟ।

ସମବାୟ ସମିତି ଗୁଡିକ ସୁଦୃଢ ଓ ସଶକ୍ତ ହେଲେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ରାଜ୍ୟ ସରକାର ପାକ୍ସ ଗୁଡିକୁ ସୁଦୃଢ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି l  ସେଗୁଡିକୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉଛି। ଭିତ୍ତିଭୂମିର ବିକାଶ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।

ବିଳମ୍ବ ନ କରି  ସମୟୋଚିତ ଢଙ୍ଗରେ ଏହି ଆର୍ଥିକ ସହାୟତା ରାଶିର ସୁବିନିଯୋଗ ଜରୁରୀ।ମାର୍ଶାଘାଇ ଓ ମହାକାଳପଡ଼ା ଅଞ୍ଚଳର ୩୪ ଟି ପାକ୍ସକୁ  ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ବ୍ଲକରେ ଥିବା ପାକ୍ସ ଗୁଡିକୁ ଏହି ସହାୟତା ରାଶି ପ୍ରଦାନ କରାଯିବ।

ଓଡ଼ିଶା ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଟି ପ୍ରସାଦ ରାଓ ଦୋରା ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ସାରା ଭାରତରେ ଚାଷୀଙ୍କ ବୀମାକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛି। ଲ୍ୟାମ୍ପ୍ସ ଓ ପାକ୍ସ ଗୁଡିକର କମ୍ପୁଟରୀକରଣ , ମୋ ସେବା କେନ୍ଦ୍ର ପ୍ରତିଷ୍ଠା ଓ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି।

ଜାତୀୟ ସ୍ତରରେ କୃଷି କ୍ଷେତ୍ରକୁ ସମବାୟ ଋଣ ମାତ୍ର ୧୭ ପ୍ରତିଶତ ଥିବାବେଳେ ଆମ ରାଜ୍ୟରେ କୃଷି ନିମନ୍ତେ ସମବାୟ ଋଣ ୫୨ ପ୍ରତିଶତ ହାସଲ କରିବା ନିଶ୍ଚିତ ରୂପେ ଗୌରବର ବିଷୟ ବୋଲି ଶ୍ରୀ ଦୋରା ମତବ୍ୟକ୍ତ କରିଥିଲେ।

ବୈଠକରେ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦ୍ଧବ ଚନ୍ଦ୍ର ମାଝୀ ,  କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନନ୍ତ କୁମାର ସାମଲ ଏବଂ ୩୪ ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି, ଉପସଭାପତି ଓ  ସମ୍ପାଦକଗଣ ଏହି ସମାରୋହରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଡିଜି-ଟେକ୍ ସାଜିବ ଗଣମାଧ୍ୟମ ଓ ଗଣତନ୍ତ୍ର ମଧ୍ୟରେ ସେତୁବନ୍ଧ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଜାତୀୟ ମିଡିଆ କନକ୍ଲେଭ ଗୁରୁବାର ଉଦଯାପିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ସହଯୋଗରେ ଆୟୋଜିତ ଏହି କନକ୍ଲେଭରେ ଭାରତର ବିଶେଷଜ୍ଞମାନେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ଡିଜି-ଟେକ୍ ସହ ଯୋଡ଼ିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

ଅନଲାଇନ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ୍ ଏଭଳି ଏକ ପରିକଳ୍ପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗଣମାଧ୍ୟମ ଓ ଗଣତନ୍ତ୍ର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଡକ୍ଟର ମୁର୍ଗାନ କହିଥିଲେ। ଡିଜି-ଟେକ୍ ସହିତ ସେମାନଙ୍କର ସମ୍ପର୍କ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବ ବୋଲି ଡକ୍ଟର ମୁର୍ଗାନ୍ ଅବିହିତ କରିଥିଲେ। ସେ ନାସନାଲ ମିଡ଼ିଆ କନକ୍ଳେଭର ଏଭଳି ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଓଡ଼ିଶାରେ ଗଣମାଧ୍ୟମର ବିକାଶ ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସରକାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରୟୁକ୍ତିବିଦ୍ୟା ଓ ଗଣମାଧ୍ୟମର ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଏଥିରେ ଜନମାନସର ସହଭାଗିତା ଗଣତନ୍ତ୍ରକୁ ସୁଦୃଢ କରିପାରିବ ବୋଲି ସେ କହିଥିଲେ।

କର୍ଣ୍ଣାଟକର କୋପ୍ପାଲ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. କେ. ରବି କହିଥିଲେ ଯେ ଗଣମାଧ୍ୟମ ଶିଳ୍ପ, ଶିକ୍ଷା ଏବଂ ଗବେଷଣା ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି।
ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନଦୟାଲ ଏନର୍ଜି ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଲିବରାଲ୍ ଷ୍ଟଡିଜ୍ରର ପ୍ରଫେସର ପ୍ରଦୀପ ମଲିକ୍ ଜୀବନର ବିଭିନ୍ନ ଦିଗ ଯଥା ରାଜନୀତି, ଗଣମାଧ୍ୟମ ଓ ଗଣତନ୍ତ୍ର କିପରି ଡିଜିଟାଲ୍ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେଉଛି ତାହା ବର୍ଣ୍ଣନା କରିଥିଲେ।

ପ୍ରେସ୍ କ୍ଲବ୍ ଅଫ୍ କୋଲକାତାର ସଭାପତି ସ୍ନେହାସିସ ସୁର କହିଥିଲେ ଯେ ଡିଜିଟାଇଜେସନ୍ ସମଗ୍ର ବିଶ୍ୱକୁ ଗଣତାନ୍ତ୍ରିକ କରିଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଏବେ କଣ୍ଟେଟ ପ୍ରଦାନକାରୀ ସାଜିଛି ।

ଏହି ଅବସରରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶେଷଜ୍ଞମାନେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ ‘ଲିଙ୍ଗଗତ ସମାନତା, ଡିଜିଟାଲ ଇକୋସିଷ୍ଟମରେ ପ୍ରବେଶ ଓ ଅଂଶଗ୍ରହଣ’ ଉପରେ ଆଲୋଚନା କରି ‘ସମ୍ବାଦ’ ର ସମ୍ପାଦକ ତନୟା ପଟ୍ଟନାୟକ କହିଲେ ଯେ ଗଣମାଧ୍ୟମରେ ମହିଳା ପ୍ରସଙ୍ଗକୁ ଅଣଦେଖା କରାଯାଉଛି।

ଗଣମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ୱ ଓ ଚିତ୍ର ବଦଳିବା ଦରକାର, ଗଣମାଧ୍ୟମ ମହିଳାମାନଙ୍କୁ ଏକ ସନ୍ତୁଳିତ ଉପାୟରେ ଖବର ପରିବେଷଣ କରିବାର ଆବଶ୍ୟକ ରିହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମାନସବିନୀ ଯୋଗୀ ଗଣମାଧ୍ୟମରେ ମହିଳାଙ୍କୁ ଠିକ ଭାବରେ ଚିତ୍ରଣ କରାଯାଉନାହିଁ ବୋଲି ଉଦବେଗ ପ୍ରକାଶ କରିଥିଲେ।

କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସୂଚନା ଦେଇ କହିଥିଲେ ଯେ ଭାରତ ସମେତ ଦକ୍ଷିଣ ଏସିଅ ରାଷ୍ଟ୍ରରୁ ୧୩୦ରୁ ଉର୍ଦ୍ଧ ଗବେଷକ ୬ଟି ସମାନ୍ତରାଳ ଅଧିବେଶନରେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜର ସାମ୍ବାଦିକତା ଓ ଗଣଯୋଗାଯଗ ବିଭାଗର ସହକାରୀ ଅଧ୍ୟାପକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ କୃଷି ଶିଳ୍ପ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ଦେଲେ ୧୫ କୋଟି ଟଙ୍କାର ଚେକ୍

ଭୁବନେଶ୍ବର: ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ କରିଥିଲେ।

ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର ଏକ ଚେକ୍‌ ଲାଭାଂଶ ବାବଦରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ।

ସେହିପରି ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମୁଦାୟ ୫ କୋଟି ୬୨ ଲକ୍ଷ ୫୩ ହଜାର ୭୯୪ ଟଙ୍କା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଓଡିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ତାର ଲାଭାଂଶ ପ୍ରଦାନ କରିଆସୁଛି।

କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ଏହି ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କୃଷି ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର କଲେଜ ଅଧ୍ୟକ୍ଷଙ୍କୁ ଦିଗ୍‌ଦର୍ଶନ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ

ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରରେ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ୩ ଜଣ କୁଳପତି ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏହି କର୍ମଶାଳାରେ ଯୋଗଦେଇଛନ୍ତି।

୫‘ଟି’ର ସମସ୍ତ ‘ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରିବା, ତୃଣମୂଳ ସ୍ତରରୁ ପରିବର୍ତ୍ତନ ଆଣି ଆଗାମୀ ପିଢ଼ି ନିମନ୍ତେ ଏକ ଆଦର୍ଶ ଓଡ଼ିଶା ଗଠନ କରିବା ଦିଗରେ ସତ୍‌ପ୍ରୟାସ କରିବା ଏହି କର୍ମଶାଳା ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମର ଲକ୍ଷ୍ୟ।

ଖାଦ୍ୟ ସୁରକ୍ଷା ବା କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଯେପରି ସମଗ୍ର ଦେଶରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି, ସେହିଭଳି ସମ୍ମିଳିତ ଉଦ୍ୟମ ବଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ମତ ପ୍ରକାଶ କରିଛନ୍ତି।

“ଶିକ୍ଷା ହିଁ ସମ୍ପତ୍ତି’’କୁ ଆଧାର କରି ଆମେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିପାରିବା ଓ ଏଥିନିମନ୍ତେ କଲେଜଗୁଡ଼କର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବା ଜରୁରୀ ବୋଲି ‘ମୋ କଲେଜ’ ସଭାପତି ଶ୍ରୀ ଆକାଶ ଦାସ ନାୟକ ପ୍ରକାଶ କରିଛନ୍ତି।

ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ
ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ନରହରି ସେଠୀ, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଅଶୋକ ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଏହି କର୍ମଶାଳା ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ, ମନ୍ତ୍ରୀ ଅତୁନୁ ସବ୍ୟସାଚୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଆଜି ପରଲୋକ ଘଟିଛି। ସେ କଟକ ଏସ୍‌.ସି.ବି ମେଡିକାଲ କଲେଜ ଚିକିତ୍ସାଧିନ ଥିବା ବେଳ ଆଜି ସକାଳ ୬.୪୦ ମିନିଟରେ ଇହଲୀଳା ସମ୍ଭରଣ କରିଛନ୍ତି।

ସେ କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଓ ଗୌରବ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଚରଣ ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ। ବ୍ରିଟିଶ୍ ରାଜ୍ ବିରୁଦ୍ଧରେ ସଂଗ୍ରାମକରି କାରାବରଣ କରିଥିଲେ ସେ ଜଣେ ସତ୍ୟନିଷ୍ଠ ପରୋପକାରୀ ବନ୍ଧୁବଚ୍ଛଳ ବ୍ୟକ୍ତି ଥିଲେ।

ତାଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। 

Categories
ବିଶେଷ ଖବର

ସରକାରଙ୍କ ୫-‘ଟି’ ଧାରାରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଏକ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ଏବଂ ସରକାରଙ୍କ ୫-‘ଟି’ ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତା ପାଳନପୂର୍ବକ କାର୍ଯ୍ୟକରିବାକୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ସରକାରୀ ଛୁଟି ଦିବସ ଥିଲେ ମଧ୍ୟ ସମୀକ୍ଷା ବୈଠକକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଦୁଇ ଘଣ୍ଟାରୁ ଊଦ୍ଧ୍ୱର୍ ବିଭାଗୀୟ କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ତୁରନ୍ତ ଏକ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଆରମ୍ଭ କରିବ ଏବଂ ଅବସରଗ୍ରହଣ କରୁଥିବା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ଯେପରି ପେନ୍‌ସନ୍‌ ପାଇବେ ଏବଂ ସମସ୍ତ ବାକିଥିବା ପେନ୍‌ସନ୍‌ କେସ୍‌ (ମାମଲା)ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପିକ/ଅଧ୍ୟାପିକା ପଦବୀ ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ/ଜି.ଆଇ.ଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦବୀଗୁଡ଼ିକ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି ଓ ଖାଲିଥିବା ପଦବୀଗୁଡ଼ିକୁ ନିରୀକ୍ଷଣ ଏବଂ ଯୁକ୍ତିଯୁକ୍ତ କରିବା ଉପରେ ପରାମର୍ଶ ଦେଇଥିଲେ। ରୁସା(ଆର୍‌ୟୁଏସ୍‌ଏ) ସ୍ଥିତି ଓ ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ସେ ସମୀକ୍ଷା କରିଥିଲେ।

ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି ଏବଂ ବିକାଶ ଉପରେ ସବିଶେଷ ଆଲୋଚନା ହୋଇଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ହେଡ୍‌ରେ ଥିବା ଅନୁଦାନ ରାଶି ସଠିକ୍‌ ଭାବେ ବିନିଯୋଗ କରିବା, ନାକ୍‌ (ଏନ୍‌ଏଏସି) ର୍ୟାଙ୍କିଂ ଏବଂ ଏନ୍‌ଆଇଆର୍‌ଏଫ୍‌ରେ ଅଂଶଗ୍ରହଣ କରିବା ସଂପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚଶିକ୍ଷା ସଚିବଙ୍କୁ ବିଭିନ୍ନ ମହାବିଦ୍ୟାଳୟରେ ଗଚ୍ଛିତ ଥିବା ଅର୍ଥରାଶି ଏବଂ ତା’ର ସହଳ ବିନିଯୋଗ ଉପରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ୍‌ଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ନୂଆ ନିଯୁକ୍ତି, ଅତନୁ ଏବଂ ସୁଶାନ୍ତ ସିଂଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜେଡି କେତେକ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ତାହା ହେଲା ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ ଥିବାରୁ ତାହାର ପରିଚାଳନା ପାଇଁ ଏହି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ସେହି ଅନୁସାରେ ଅତାବିରା ଏନଏସି ପାଇଁ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ

1-ଅତନୁ ସବ୍ୟସାଚୀ ନାୟକ

2-ସୁଶାନ୍ତ ସିଂ

3-ଦେବେଶ ଆଚାର୍ଯ୍ୟ

ସେହିପରି ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ

1-ସୁଧୀର କୁମାର ସାମଲ

2-ସୁଶାନ୍ତ କୁମାର ରାଉତ

3-କୁନା ବିହାରୀ ଦାସ

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜ୍ୟ ସମବାୟ ବିଭାଗରେ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଦେଲେ ଦିଗଦର୍ଶନ

ଭୁବନେଶ୍ବର: ଓଡିଶା ସରକାରଙ୍କ ବିଭିନ୍ନ ସମବାୟ ସମିତି ତଥା ରାଜ୍ୟ ଗୋଦାମ ନିଗମରେ ଆଜି ୧୮୪ ଜଣ ଅଧିକାରୀ ରାଜ୍ୟ ସମବାୟ ବିଭାଗରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୪ ଜଣ  କୋଅପରେଟିଭ୍ ସୋସାଇଟି ଇନ୍ସପେକ୍ଟର ଭାବରେ ଯୋଗ ଦେଇଥିବା ବେଳେ ୫୫ ଜଣ ଅଡିଟର ଭାବରେ ଯୋଗ ଦେଇଛନ୍ତି।

ସେହିଭଳି ୧୫ ଜଣ ଅଧିକାରୀ ଗୋଦାମ ଗୃହ ନିଗମରେ ସହକାରୀ ପରିଚାଳକ, ଅଧୀକ୍ଷକ ଏବଂ ସହକାରୀ ଅଧୀକ୍ଷକ ଭାବରେ ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତମାନଙ୍କୁ ସ୍ବାଗତ କରିଥିଲେ।

ରାଜ୍ୟ ସରକାରଙ୍କ ୫ଟି ନୀତି ଅନୁସରଣ କରି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ୫ଟି ଯାହା ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ ଏବଂ ସମୟ (transparency, technology, teamwork, and time) ଭଳି ଉପାଦାନର ପ୍ରୟୋଗ ସହିତ ରାଜ୍ୟକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେ ଆଶା କରିଛନ୍ତି ଯେ ନୂତନ ଅଧିକାରୀମାନେ ଏହି କ୍ଷେତ୍ରକୁ ନୂତନ ଶକ୍ତି ଯୋଗାଇବା ପାଇଁ ସମବାୟ ସମିତି ପାଇଁ ଦକ୍ଷତା, ସ୍ବଚ୍ଛତା ଏବଂ ପ୍ରତିବଦ୍ଧତା ଆଣିବେ। ନୂତନ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ, ସମବାୟ ସମିତିର ତଦାରଖ ଏବଂ ପ୍ରଣାଳୀକୁ ମଜବୁତ କରି ନୂତନ ଇନ୍ସପେକ୍ଟର ଏବଂ ଅଡିଟର ଲୋକମାନଙ୍କୁ ସେବା ପ୍ରଦାନକୁ ସରଳ କରିବେ ବୋଲି ଆଶା କରିଛନ୍ତି।

ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶା ରାଜ୍ୟ ଗୋଦାମ ନିଗମରେ ନୂତନ ନିଯୁକ୍ତି ନିଶ୍ଚିତ ଭାବେ ଗୋଦାମଗୁଡ଼ିକର ଉନ୍ନତ କାର୍ଯ୍ୟ ଏବଂ ବୈଜ୍ଞାନିକ ପରିଚାଳନା କରିବ। ଅର୍ଥନୀତିର ସହଯୋଗୀ ମଡେଲ ରାଜ୍ୟର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱୀକୃତି ଲାଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ୬୦୦୦ ରୁ ଅଧିକ ସକ୍ରିୟ ସମବାୟ ସମିତି କାର୍ଯ୍ୟ କରୁଛି।୧୯୫୦ ଦଶକରେ କୃଷକଙ୍କ ଋଣ ଆବଶ୍ୟକତାର ମାତ୍ର ୩ ପ୍ରତିଶତ ଯୋଗାଉଥିବା ସମବାୟ ସମିତି ବର୍ତ୍ତମାନ କୃଷକମାନଙ୍କୁ ପ୍ରାୟ ୬୦ ପ୍ରତିଶତ ଋଣ ସହାୟତା ଯୋଗାଉଛି ଯାହା ସମଗ୍ର ଦେଶରେ ସର୍ବାଧିକ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଏହି ସମବାୟ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ଏବଂ କୃଷି ବିଭାଗ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ଖାଦ୍ୟ ଅଭାବରୁ ରାଜ୍ୟକୁ ରୂପାନ୍ତର କରିବାରେ ସମବାୟ ବିଭାଗର ପ୍ରମୁଖ ଭୂମିକା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୫ଟି ପଦକ୍ଷେପଗୁଡିକର ପ୍ରୟୋଗ ସମବାୟ ବିଭାଗର କାର୍ଯ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଏହା ଏକ ଭିନ୍ନ ଓଡିଶା ଯାହା ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ଅନୁଯାୟୀ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷକମାନଙ୍କୁ ଆବଶ୍ୟକ ଋଣ ଯୋଗାଇ ସମବାୟ ବ୍ୟାଙ୍କ ଏବଂ PACS ଅନେକ ବ୍ୟାଙ୍କବିହୀନ ଅଞ୍ଚଳରେ ଚମତ୍କାର କାର୍ଯ୍ୟ କରୁଛନ୍ତି। ସମବାୟ ଋଣ ପ୍ରଣାଳୀରେ ଅଧିକ କୃଷକ ନାମ ଯୋଡିବାକୁ ସେ ନୂତନ ଅଧିକାରୀମାନଙ୍କୁ କହିଥିଲେ।

ନିଜର ଅଭିଜ୍ଞତା ବାଣ୍ଟି ଦୁଇଜଣ ଇନ୍ସପେକ୍ଟର ସୁଶ୍ରୀ ସୋମଶ୍ରୀ ବାରିକ୍, ଇନ୍ସପେକ୍ଟର ସୁଭଦ୍ରା ଶୁଭଦର୍ଶିନୀ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ନ୍ୟାୟପୂର୍ଣ୍ଣ ଏବଂ ସ୍ୱଚ୍ଛତା ଭିତରେ କରାଯାଇଛି। ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ପରେ ସେମାନେ ସମାଜର ଅବହେଳିତ ଶ୍ରେଣୀର ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବେ।

ନୂତନ ନିଯୁକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ (୫ଟି ) ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ସେମାନଙ୍କୁ ସେମାନଙ୍କର ସାଧାରଣ ଜୀବନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅନୁସରଣ କରିବାକୁ ଏବଂ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ସଚିବ ସମବାୟ ସମିତି ଶ୍ରୀ ସଞ୍ଜୀବ ଚଢା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସମବାୟ ସମିତି ରେଜିଷ୍ଟର ଧନ୍ୟବାଦ ଅର୍ପଣ କରିଥିଲେ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ: ଖୋଲା ଦେହ ଓ ଲୁଙ୍ଗି ପିନ୍ଧି ହକି ନିମନ୍ତ୍ରଣକୁ କଲେ ଗ୍ରହଣ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ସରକାର ବିଶ୍ବକପ ହକି ଆୟୋଜନରେ ମନୋନିବେଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିଜ ମନ୍ତ୍ରୀମାନଙ୍କୁ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପଠାଇଛନ୍ତି। ଫଳରେ ଏବେ ରାଜ୍ୟର ସମସ୍ତ ମନ୍ତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ଜର୍ସି, ତାରକସି କୋଣାର୍କ ଚକ ଏବଂ ନିମନ୍ତ୍ରଣ ଦେଉଛନ୍ତି।

ତେବେ ଏହି ନିମନ୍ତ୍ରଣ ଗ୍ରହଣ କରିବାରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀ। ତାଙ୍କୁ ନିମନ୍ତ୍ରଣ ପତ୍ର ଦେବା ପାଇଁ ଯାଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ତାଙ୍କଠାରୁ ସେ ହକି ନିମନ୍ତ୍ରଣ ସହ ତାରକସି କୋଣାର୍କ ଚକ ଏବଂ ହକି ଜର୍ସି ଗ୍ରହଣ କରିଥିଲେ।

ହେଲେ ସେ ଯେଉଁ ବେଶ ଭୂଷାରେ ଆସିଥିଲେ ସେଥିରେ ମନ୍ତ୍ରୀ ଅତନୁ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ଖୋଲା ଦେହରେ ଏକ ଲୁଙ୍ଗି ପିନ୍ଧି ସାକ୍ଷାତ କରିଥିଲେ। କାରଣ ଜଣ ମୁଖ୍ୟମନ୍ତ୍ରୀ କାହାକୁ ସାକ୍ଷାତ କଲେ ନିଜେ ବେଶପୋଷାକରେ ଆସିଥାନ୍ତି। ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ତାହା କରନ୍ତି ନାହିଁ। ତାହାର କାରଣ ହେଲା ସେ ଏକ ସାଧାରଣ ଜୀବନଯାପନ କରନ୍ତି।

PuduchheryCM

ଅନ୍ୟପକ୍ଷରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ବାସଭବନରେ ନା କିଛି ସୁରକ୍ଷା ଅଛି ନା ଘରେ ଦାମୀ ଆସବାବ ପଡିଛି। ତାଙ୍କ ଘରେ କାଠପଟା ଖଟ ରହିଛି, ଯେଉଁଥିରେ ସେ ନିଜେ ଶୁଅନ୍ତି। ଅତନୁଙ୍କୁ ଏକ ଷ୍ଟିଲ ଥାଳି ଉପରେ ଚା’ କପ ରଖି ଜଣେ ବ୍ୟକ୍ତି ଚା’ ଆଣି ଦେଇଥିଲା। ମୁଖ୍ୟମନ୍ତ୍ରୀ ଅଫିସ ଗଲେ କୌଣସି ପ୍ରୋଟକଲରେ ଯାଆନ୍ତି ନାହିଁ, ମଟର ସାଇକେଲରେ ସେ ଅଫିସ ଯିବା ଆସିବା କରନ୍ତି।

ଅତନୁଙ୍କୁ ଦେଖିବା ପରେ ସେ ବହୁତ ଖୁସି ହେଲେ। ମୁଖ୍ୟତଃ ପୁରୀ ଶ୍ରୀ ଜଗନ୍ନାଥ ଧାମରୁ ଆସିଥିବାରୁ ଖୁସି ହେବେ। ସେ କହିଲେ ଯେ, ଜଗନ୍ନାଥ ଧାମରୁ ଆସିଥିବା ବ୍ୟକ୍ତିମାନେ ତାଙ୍କୁ ସାକ୍ଷାତ କରିବା ପାଇଁ କୌଣସି କଟକଣା ନାହିଁ। ତାଙ୍କର ଏପରି ସରଳ ଜୀବନଜାପନ ନେଇ ସେ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛନ୍ତି।

ଏନ ରଙ୍ଗାସ୍ବାମୀ ଚାରି ଥର ପୁଡୁଚେରୀରର ମୁଖ୍ୟମନ୍ତ୍ରୀ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଉପଭୋକ୍ତା ଦିବସ ପାଳିତ

ଭୁବନେଶ୍ୱର : ଖାଉଟି ଆନ୍ଦୋଳନ ଯେତେ ବ୍ୟାପକ ହେବ ଓ ଖାଉଟି ସୁରକ୍ଷା ଆଇନ ଯେତେ ଅଧିକ କାର୍ଯ୍ୟକାରୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ ସେତେ ମଙ୍ଗଳକର । ଉପଭୋକ୍ତା ସଶକ୍ତିକରଣ ଏବଂ ଉପଭୋକ୍ତା ଅଧିକାରର ସାର୍ବଜନୀନତା ହିଁ ଆମ ସମୟର ସବୁଠୁ ବଡ ଆବଶ୍ୟକତା ।

ଏହାକୁ କାର୍ଯ୍ୟକାରୀ କରିବା ଓ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମତବ୍ୟକ୍ତ କରିଛନ୍ତି ।

ଆଜି ଜୟଦେବ ଭବନଠାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ-୨୦୨୨ର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ, ଖାଉଟିମାନଙ୍କ ଅଧିକାରର ସୁରକ୍ଷା ପ୍ରତି ସରକାର ସର୍ବଦା ସଚେତନ ଏବଂ ପ୍ରୟାସରତ ।

ଏହି ଉତ୍ସବରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରା ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାଗ୍ରତ ଖାଉଟି ସମ୍ବନ୍ଧୀୟ ଏକ ନାଟକ ପରିବେଷିତ ହୋଇଥିଲା ।

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ହେବ ରାସନ ଏଟିଏମ, କାର୍ଡ ଭର୍ତ୍ତି କଲେ ବାହାରିବ ଚାଉଳ ଗହମ

ଭୁବନେଶ୍ବର: ଏଟିଏମ ଅର୍ଥ ଆମେ ଜାଣୁ ଯେ, ଏକ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବ। ହେଲେ ଏବେ ଓଡିଶାରେ ଏକ ନୂଆ ଏଟିଏମ ଲାଗୁ ହେବାକୁ ଯାଉଛି। ତାହା ହେଲା ଏଣିକି କାର୍ଡ ଭର୍ତ୍ତି କଲେ ସେହି ଏଟିଏମରୁ ବାହାରିବ ପିଡିଏସ ଚାଉଳ ଆଉ ଗହମ।  ବିଧାନସଭାରେ ଏହି ପରି ଏକ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ସେ କହିଛନ୍ତି ଯେ,ରାସନ କାର୍ଡ ହିତାଧିକାରୀ ଏଣିକି ଚବିଶ ଘଣ୍ଟିଆ ରାସନ ପାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଏହା ହେଉଛି ଅଲଟାଇମ ଗ୍ରେନ ବ୍ୟବସ୍ଥା। ବର୍ତ୍ତମାନ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ବଣ୍ଟନ କର୍ମଚାରୀଙ୍କ ସମୟ ଉପରେ ନିର୍ଭର କରୁଥିଲା। ହେଲେ ଏଥିରେ ହିତାଧିକାରୀ ଯେତେବେଳେ ଚାହିଁବେ ତାଙ୍କ ସମୟ ଅନୁସାରେ ରାସନ ପାଇପାରିବେ। ଏଥିପାଇଁ ହିତାଧିକାରୀଙ୍କୁ ସ୍ବତନ୍ତ୍ର କାର୍ଡ ଯୋଗାଇ ଦିଆଯିବ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ଖର୍ଚ୍ଚ ଦାବୀ ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ଯେ, ଏହା ପ୍ରଥମେ ଭୁବନେଶ୍ବରରେ ପରୀକ୍ଷା କରାଯିବ। ହିତାଧିକାରୀଙ୍କୁ ରାସନ ପ୍ରଦାନରେ ଏହି ଏଟିଏମ ବ୍ୟବସ୍ଥା ଠିକଠାକ ହେଉଛି କି ନାହିଁ ପ୍ରଥମେ ପରୀକ୍ଷା କରାଯିବ। ଏଥିରେ କୌଣସି ଭୁଲ ପରିଲକ୍ଷିତ ହେଲେ ତାହାକୁ ସୁଧାର ଯିବ। ଏହା ସଂପୂର୍ଣ୍ଣ ସଫଳ ହେବା ପରେ ପର୍ଯ୍ୟାୟ କ୍ରମେ ସାରା ଓଡିଶାରେ ରାସନ ଏଟିଏମ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ମନ୍ତ୍ରୀ କହିଥିଲେ ଯେ ଏଣିକି ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ଋଣ ଯୋଗାଇ ଦିଆଯିବ। ପୂର୍ବରୁ ଏହି ବ୍ୟବସ୍ଥା ଥିଲେ ମଧ୍ୟ ଏହାର ପରିମାଣ ଥିଲା ପଚାଶ ହଜାର ଟଙ୍କା। ଏଥର ବଜେଟରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଗୃହକୁ ସୂଚନା ଦେଇଛନ୍ତି ଅତନୁ।

ଖର୍ଚ୍ଚଦାବୀ ଉପରେ ନିଜର ମତ ରଖି ମନ୍ତ୍ରୀ କହିଥିଲେ ଯେ, ଏହି ବିଭାଗ କରୋନା ସମୟରେ ହିତାଧୀକାରୀଙ୍କୁ କୈଣସି ପ୍ରକାରରେ ଅଣଦେଖା କରାଯାଇ ନାହିଁ। ସେମାନଙ୍କ ଜୀବିକା ନିର୍ବାହ ପାଇଁ ହଜାର ଟଙ୍କା ଲେଖାଏଁ ଦୁଇଥର ପ୍ରଦାନ କରାଯାଇଛି। ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଏବଂ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ଦାବୀ ପାରିତ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଉ ସମ୍ଭାଳି ହେଲା ନାହିଁ, କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି। ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ।

ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। ଏଲ୍‍ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା। ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‍ପିଜି ରନ୍ଧନଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ।

କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯାହାକି ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି। ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି। ଆଉ ସବୁଠାରୁ ଉଦ୍‍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି।

କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।

ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ କିମ୍ବା ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।