ଓଡିଶାରେ ହେବ ରାସନ ଏଟିଏମ, କାର୍ଡ ଭର୍ତ୍ତି କଲେ ବାହାରିବ ଚାଉଳ ଗହମ

Published: Jul 20, 2022, 9:33 am IST

ଭୁବନେଶ୍ବର: ଏଟିଏମ ଅର୍ଥ ଆମେ ଜାଣୁ ଯେ, ଏକ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବ। ହେଲେ ଏବେ ଓଡିଶାରେ ଏକ ନୂଆ ଏଟିଏମ ଲାଗୁ ହେବାକୁ ଯାଉଛି। ତାହା ହେଲା ଏଣିକି କାର୍ଡ ଭର୍ତ୍ତି କଲେ ସେହି ଏଟିଏମରୁ ବାହାରିବ ପିଡିଏସ ଚାଉଳ ଆଉ ଗହମ।  ବିଧାନସଭାରେ ଏହି ପରି ଏକ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ସେ କହିଛନ୍ତି ଯେ,ରାସନ କାର୍ଡ ହିତାଧିକାରୀ ଏଣିକି ଚବିଶ ଘଣ୍ଟିଆ ରାସନ ପାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଏହା ହେଉଛି ଅଲଟାଇମ ଗ୍ରେନ ବ୍ୟବସ୍ଥା। ବର୍ତ୍ତମାନ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ବଣ୍ଟନ କର୍ମଚାରୀଙ୍କ ସମୟ ଉପରେ ନିର୍ଭର କରୁଥିଲା। ହେଲେ ଏଥିରେ ହିତାଧିକାରୀ ଯେତେବେଳେ ଚାହିଁବେ ତାଙ୍କ ସମୟ ଅନୁସାରେ ରାସନ ପାଇପାରିବେ। ଏଥିପାଇଁ ହିତାଧିକାରୀଙ୍କୁ ସ୍ବତନ୍ତ୍ର କାର୍ଡ ଯୋଗାଇ ଦିଆଯିବ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ଖର୍ଚ୍ଚ ଦାବୀ ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ଯେ, ଏହା ପ୍ରଥମେ ଭୁବନେଶ୍ବରରେ ପରୀକ୍ଷା କରାଯିବ। ହିତାଧିକାରୀଙ୍କୁ ରାସନ ପ୍ରଦାନରେ ଏହି ଏଟିଏମ ବ୍ୟବସ୍ଥା ଠିକଠାକ ହେଉଛି କି ନାହିଁ ପ୍ରଥମେ ପରୀକ୍ଷା କରାଯିବ। ଏଥିରେ କୌଣସି ଭୁଲ ପରିଲକ୍ଷିତ ହେଲେ ତାହାକୁ ସୁଧାର ଯିବ। ଏହା ସଂପୂର୍ଣ୍ଣ ସଫଳ ହେବା ପରେ ପର୍ଯ୍ୟାୟ କ୍ରମେ ସାରା ଓଡିଶାରେ ରାସନ ଏଟିଏମ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ମନ୍ତ୍ରୀ କହିଥିଲେ ଯେ ଏଣିକି ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ଋଣ ଯୋଗାଇ ଦିଆଯିବ। ପୂର୍ବରୁ ଏହି ବ୍ୟବସ୍ଥା ଥିଲେ ମଧ୍ୟ ଏହାର ପରିମାଣ ଥିଲା ପଚାଶ ହଜାର ଟଙ୍କା। ଏଥର ବଜେଟରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଗୃହକୁ ସୂଚନା ଦେଇଛନ୍ତି ଅତନୁ।

ଖର୍ଚ୍ଚଦାବୀ ଉପରେ ନିଜର ମତ ରଖି ମନ୍ତ୍ରୀ କହିଥିଲେ ଯେ, ଏହି ବିଭାଗ କରୋନା ସମୟରେ ହିତାଧୀକାରୀଙ୍କୁ କୈଣସି ପ୍ରକାରରେ ଅଣଦେଖା କରାଯାଇ ନାହିଁ। ସେମାନଙ୍କ ଜୀବିକା ନିର୍ବାହ ପାଇଁ ହଜାର ଟଙ୍କା ଲେଖାଏଁ ଦୁଇଥର ପ୍ରଦାନ କରାଯାଇଛି। ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଏବଂ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ଦାବୀ ପାରିତ ହୋଇଛି।

Related posts