Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଉପଭୋକ୍ତା ଦିବସ ପାଳିତ

ଭୁବନେଶ୍ୱର : ଖାଉଟି ଆନ୍ଦୋଳନ ଯେତେ ବ୍ୟାପକ ହେବ ଓ ଖାଉଟି ସୁରକ୍ଷା ଆଇନ ଯେତେ ଅଧିକ କାର୍ଯ୍ୟକାରୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ ସେତେ ମଙ୍ଗଳକର । ଉପଭୋକ୍ତା ସଶକ୍ତିକରଣ ଏବଂ ଉପଭୋକ୍ତା ଅଧିକାରର ସାର୍ବଜନୀନତା ହିଁ ଆମ ସମୟର ସବୁଠୁ ବଡ ଆବଶ୍ୟକତା ।

ଏହାକୁ କାର୍ଯ୍ୟକାରୀ କରିବା ଓ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମତବ୍ୟକ୍ତ କରିଛନ୍ତି ।

ଆଜି ଜୟଦେବ ଭବନଠାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ-୨୦୨୨ର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ, ଖାଉଟିମାନଙ୍କ ଅଧିକାରର ସୁରକ୍ଷା ପ୍ରତି ସରକାର ସର୍ବଦା ସଚେତନ ଏବଂ ପ୍ରୟାସରତ ।

ଏହି ଉତ୍ସବରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରା ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାଗ୍ରତ ଖାଉଟି ସମ୍ବନ୍ଧୀୟ ଏକ ନାଟକ ପରିବେଷିତ ହୋଇଥିଲା ।

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ହେବ ରାସନ ଏଟିଏମ, କାର୍ଡ ଭର୍ତ୍ତି କଲେ ବାହାରିବ ଚାଉଳ ଗହମ

ଭୁବନେଶ୍ବର: ଏଟିଏମ ଅର୍ଥ ଆମେ ଜାଣୁ ଯେ, ଏକ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବ। ହେଲେ ଏବେ ଓଡିଶାରେ ଏକ ନୂଆ ଏଟିଏମ ଲାଗୁ ହେବାକୁ ଯାଉଛି। ତାହା ହେଲା ଏଣିକି କାର୍ଡ ଭର୍ତ୍ତି କଲେ ସେହି ଏଟିଏମରୁ ବାହାରିବ ପିଡିଏସ ଚାଉଳ ଆଉ ଗହମ।  ବିଧାନସଭାରେ ଏହି ପରି ଏକ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ସେ କହିଛନ୍ତି ଯେ,ରାସନ କାର୍ଡ ହିତାଧିକାରୀ ଏଣିକି ଚବିଶ ଘଣ୍ଟିଆ ରାସନ ପାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଏହା ହେଉଛି ଅଲଟାଇମ ଗ୍ରେନ ବ୍ୟବସ୍ଥା। ବର୍ତ୍ତମାନ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ବଣ୍ଟନ କର୍ମଚାରୀଙ୍କ ସମୟ ଉପରେ ନିର୍ଭର କରୁଥିଲା। ହେଲେ ଏଥିରେ ହିତାଧିକାରୀ ଯେତେବେଳେ ଚାହିଁବେ ତାଙ୍କ ସମୟ ଅନୁସାରେ ରାସନ ପାଇପାରିବେ। ଏଥିପାଇଁ ହିତାଧିକାରୀଙ୍କୁ ସ୍ବତନ୍ତ୍ର କାର୍ଡ ଯୋଗାଇ ଦିଆଯିବ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ଖର୍ଚ୍ଚ ଦାବୀ ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ଯେ, ଏହା ପ୍ରଥମେ ଭୁବନେଶ୍ବରରେ ପରୀକ୍ଷା କରାଯିବ। ହିତାଧିକାରୀଙ୍କୁ ରାସନ ପ୍ରଦାନରେ ଏହି ଏଟିଏମ ବ୍ୟବସ୍ଥା ଠିକଠାକ ହେଉଛି କି ନାହିଁ ପ୍ରଥମେ ପରୀକ୍ଷା କରାଯିବ। ଏଥିରେ କୌଣସି ଭୁଲ ପରିଲକ୍ଷିତ ହେଲେ ତାହାକୁ ସୁଧାର ଯିବ। ଏହା ସଂପୂର୍ଣ୍ଣ ସଫଳ ହେବା ପରେ ପର୍ଯ୍ୟାୟ କ୍ରମେ ସାରା ଓଡିଶାରେ ରାସନ ଏଟିଏମ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ମନ୍ତ୍ରୀ କହିଥିଲେ ଯେ ଏଣିକି ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ଋଣ ଯୋଗାଇ ଦିଆଯିବ। ପୂର୍ବରୁ ଏହି ବ୍ୟବସ୍ଥା ଥିଲେ ମଧ୍ୟ ଏହାର ପରିମାଣ ଥିଲା ପଚାଶ ହଜାର ଟଙ୍କା। ଏଥର ବଜେଟରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଗୃହକୁ ସୂଚନା ଦେଇଛନ୍ତି ଅତନୁ।

ଖର୍ଚ୍ଚଦାବୀ ଉପରେ ନିଜର ମତ ରଖି ମନ୍ତ୍ରୀ କହିଥିଲେ ଯେ, ଏହି ବିଭାଗ କରୋନା ସମୟରେ ହିତାଧୀକାରୀଙ୍କୁ କୈଣସି ପ୍ରକାରରେ ଅଣଦେଖା କରାଯାଇ ନାହିଁ। ସେମାନଙ୍କ ଜୀବିକା ନିର୍ବାହ ପାଇଁ ହଜାର ଟଙ୍କା ଲେଖାଏଁ ଦୁଇଥର ପ୍ରଦାନ କରାଯାଇଛି। ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଏବଂ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ଦାବୀ ପାରିତ ହୋଇଛି।