Categories
ଆଞ୍ଚଳିକ

ରଣପୁର ବାର ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ

ରଣପୁର; ରଣପୁର ବାର ଆସୋସିଏସନ ତରଫରୁ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଏହାର ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବରିଷ୍ଠ ଆଇନଜିବୀ ଗିରିଜାକାନ୍ତ ମହାପାତ୍ର, ଉପ-ସଭାପତି ଭାବେ ସୁକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ଭାବେ ସତ୍ୟରଞ୍ଜନ ମତା, ସହ-ସମ୍ପାଦକ ଭାବେ ଉମେଶ ରଞ୍ଜନ ସାହୁ, ଲାଇବ୍ରେରିଆନ ଭାବେ ସ୍ୱଦେଶ ରଞ୍ଜନ ସେନାପତି, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଦାସ ନିର୍ବାଚିତ ହୋଇଥିବା ଜଣାଯାଇଛି।

ଉକ୍ତ ନିର୍ବାଚନକୁ ରଣପୁର କୋର୍ଟର ସରକାରୀ ଓକିଲ ଗିରିଜା ଶଙ୍କର ସାମନ୍ତରାୟ ସୁଚାରୁରୂପେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର ନୂଆ ସଭାପତିଙ୍କୁ ଆସନ୍ତାକାଲି ଦିଆଯିବ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓଡ଼ିଶାରେ ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି।

ଏହି ଅବସରରେ ଆସନ୍ତକାଲି ଅପରାହ୍ନ ୩.୩୦ସମୟରେ ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିବେ।

ସେହିପରି ଭଦ୍ରକରେ ମଧ୍ୟ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ଆସନ୍ତାକାଲି ସକାଳେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଆସିବେ।

Categories
ବିଶେଷ ଖବର ରାଜ୍ୟ ଖବର

ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିଷ୍କାର ପ୍ରତିବାଦରେ ସର୍ବଦଳୀୟ ବୈଠକରେ ନିନ୍ଦା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିଷ୍କାର କରାଯିବାରେ ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯିବା ସହିତ ଏହି ଅଗଣତାନ୍ତ୍ରିକ ଘଟଣାର ପ୍ରତିବାଦ ଓ ପ୍ରତିରୋଧ କରାଯିବା ପାଇଁ ନିଷ୍ପତି ହୋଇଛି। ବିଜେପି- ଆରଏସ୍‌ଏସର ଏହି ରାଜନୈତିକ ଷଡ଼ଯନ୍ତ୍ର, ବିରୋଧିଙ୍କୁ ମୂଳୋତ୍ପାଟନ କରିବାର କୁତ୍ସିତ ପ୍ରୟାସ କଲେ ସମସ୍ତ ବିରୋଧି ଦଳ ରାସ୍ତାକୁ ଓହ୍ଲାଇବେ ଓ ପ୍ରତିରୋଧ ଆନ୍ଦୋଳନକୁ ତୀବ୍ର କରିବାର ନିଷ୍ପତି ହୋଇଛି। ସାଂପ୍ରଦାୟୀକତା ବାଦ ବିରୋଧରେ ସବୁ ବାମ, ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଓ ଦେଶପ୍ରେମୀ ବ୍ୟକ୍ତି ଐକତାବଦ୍ଧ ସଂଗ୍ରାମ ଗଢ଼ିତୋଳିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି। ସୋମବାର ଦିନ ରାଜଭବନ ଚଲୋ କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିର କରାଯାଇଛି।

ଉକ୍ତ ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଫରୱାଡ ବ୍ଲକ, ଏନସିପି, ଆମଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରଭୃତି ଦଳର ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ, ଜନାର୍ଦ୍ଦନ ପତି, ନାରାୟଣ ରେଡି, ଯୁଧିଷ୍ଠୀର ମହାପାତ୍ର, ରବି ବେହେରା, ରଙ୍ଗାଚରଣ ପ୍ରଧାନ, ଜତିଷ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦମାନେ ଯୋଗଦେଇ ଘୋର ନିନ୍ଦା କରିବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖରାପ ଖବର, ବାଦ ପଡ଼ିପାରନ୍ତି ଗ୍ଲେନ୍ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ବହୁତ ନିକଟତର ହୋଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି। ଏହି ସଂସ୍କରଣରେ, ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଦେଖିବାକୁ ମିଳୁଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ମ୍ୟାକ୍ସୱେଲ ନିଜେ ତାଙ୍କ ଫିଟନେସର ଏକ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ମାସେ ସମୟ ଲାଗିବ।

ନଭେମ୍ବର ୨୦୨୨ ରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଗୋଡ ଫ୍ରାକ୍ଚର ହୋଇଥିଲା। ଜନ୍ମଦିନ ଭୋଜିରେ ସେ ଆହତ ହୋଇଥିଲେ। ଏହା ପରେ ସେ ପ୍ରାୟ ୬ ମାସ ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଥିଲେ। ସେ ଆଇପିଏଲ୍ ୨୦୨୩ ପାଇଁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। କିନ୍ତୁ ଏହାପୂର୍ବରୁ ସେ ତାଙ୍କ ଆଘାତ ଉପରେ ଏକ ବଡ ଅପଡେଟ ଦେଇଛନ୍ତି, ଯାହା ବେଙ୍ଗାଲୁରୁ ପାଇଁ ଚିନ୍ତାର କାରଣ ହୋଇପାରେ।

ଆରସିବିର ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ମାଧ୍ୟମରେ ମ୍ୟାକ୍ସୱେଲ କହିଛନ୍ତି ଯେ, ଗୋଡ ଭଲ ଅଛି। ଶତପ୍ରତିଶତ ପୁନରୁଦ୍ଧାର ପାଇଁ ମୋତେ କିଛି ମାସ ଲାଗିବ। ଆଶା କରୁଛି ଏହା (ପାଦ) ଟୁର୍ଣ୍ଣାମେଣ୍ଟ ପାଇଁ ଭଲ ହେଇଯାଉ। ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ମୁଁ ମୋ ଘର ପ୍ରଶଂସକଙ୍କ ସାମ୍ନାରେ ଖେଳିବାକୁ ବହୁତ ଉତ୍ସାହିତ।

ସୂଚନାଯୋଗ୍ୟ ଯେ, ନିକଟରେ ଭାରତ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ସେ ଦେଖାଦେଇଥିଲେ। ଏହି ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ସେ ୮ ରନ୍ ସ୍କୋର କରି ୨ ଓଭର ବୋଲିଂ କରିଥିଲେ, ଯେଉଁଥିରେ ସେ ୭ ରନ୍ ଦେଇଥିଲେ।

ବେଙ୍ଗାଲୁରୁ ପାଇଁ ଖେଳୁଥିବା ମ୍ୟାକ୍ସୱେଲ ଆଇପିଏଲ୍ ୨୦୨୨ର ୧୩ ଟି ମ୍ୟାଚରେ ହାରାହାରି ୨୭.୩୬ ଏବଂ ୧୬୯.୧୦ ର ଷ୍ଟ୍ରାଇକ୍ ହାରରେ ୩୦୧ ରନ୍ ସ୍କୋର କରିଥିଲେ। ଏଥିରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହିତ ସେ ବୋଲିଂରେ ମୋଟ ୬ ଟି ୱିକେଟ୍ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଭୋଳା ଗ୍ରାମରେ ସ୍ୱତନ୍ତ୍ର ଶିବିର

ଭୁବନେଶ୍ୱର: ସମାଜରେ ସ୍ୱଚ୍ଛତା ଓ ପରିମଳ ପରିବେଶର ଉପକାରିତା, ପ୍ଳାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ ବିଷୟକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଭୋଳା ଗ୍ରାମରେ ଏକ ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ସୋଆର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା କେ. ଶର୍ମା, ଭୁବନେଶ୍ୱର ବ୍ଳକର ଉପସଭାପତି ଅଜିତ୍ ଶ୍ରୀଚନ୍ଦନ, ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ଡଃ ସରୋଜ କୁମାର ମହାନ୍ତି, ଡଃ ସତ୍ୟନାରାୟଣ ଶତପଥୀ , ରାକେଶ ରୋଶନ ଶତପଥୀ, ଶ୍ୱେତା ରଥ, କୁମାର ସମ୍ଭବ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇଏଏସ୍ ର ୩ୟ ବର୍ଷର ଛାତ୍ରଛାତ୍ରୀ ତଥା ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ଭୋଳା ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମବାସୀ ଙ୍କ ସହ ଆଲୋଚନା ପରେ ତାଙ୍କ ଆବଶ୍ୟକତା ଅନୁଯାୟୀ ପାଳ ଛତୁ ଚାଷ, ମହୁଚାଷ, ଜିଆ ଖତ ପ୍ରସ୍ତୁତି, ମଞ୍ଜି ବିଶୋଧନ, ବ୍ୟବସାୟ ଉପଯୋଗୀ ଫୁଲ ଚାଷ ବିଷୟରେ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଛି।

ଏଥିବ୍ୟତୀତ ଛାତ୍ର ଶୁଭମ୍ ପ୍ରକାଶ ସାହୁ ବିଭିନ୍ନ ପ୍ରକାରର ସାପର ଚିହ୍ନଟ ଏବଂ ସାପ କାମୁଡିଲେ କ’ଣ କରିବା ଆବଶ୍ୟକ ସେ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଏହି ଶିବିର ୭ଦିନ ଧରି ଚାଲୁ ରହିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସରେ ମାସିକ ପ୍ରାୟ ୬୦ ନୁଆ ଯକ୍ଷ୍ମା ରୋଗୀ ଚିହ୍ନଟ

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିହ୍ନଟ ହୋଇଥିବା ୫୨୧ ଜଣ ଯକ୍ଷ୍ମା ରୋଗୀଙ୍କ ତୁଳନାରେ ୧୫୩ ଅଧିକ। ସେହିପରି ଏମ୍‌ସରେ ମାସିକ ପ୍ରାୟ ୬୦ ନୁଆ ଟିବି ରୋଗୀ ଚିହ୍ନଟ ହେଉଥିବା ପ୍ରକାଶ। ଗତକାଲି ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ ବିଶେଷଜ୍ଞମଣ୍ଡଳୀ।

ଏହି କାର୍ଯ୍ୟକ୍ରମରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଯୋଗଦେବା ସହିତ ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଯକ୍ଷ୍ମାର ମାରାତ୍ମକତାକୁ ହ୍ରାସ କରିପାରିବ ବୋଲି ମତଦେଇଥିଲେ। ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଛି। ସେହିପରି ନି-କ୍ଷୟ ପୋଷଣ ଯୋଜନାରେ ପ୍ରତି ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ମାସିକ ୫ଶହ ଟଙ୍କା ପ୍ରଦାନ କରାଯାଉଛି। ଯକ୍ଷ୍ମା ନିରାକରଣ ସଂଗ୍ରାମରେ ଏମ୍‌ଡିଆର ଟିବି ଏକ ଆହ୍ବାନ ଭାବେ ଉଭାହୋଇଛି। ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଦ୍ବାରା ପ୍ରକାଶିତ ରିପୋର୍ଟରେ ଟିବି ଏବଂ ଡ୍ରଗ୍ ପ୍ରତିରୋଧକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଉଲ୍ଲେଖ ରହିଥିବା ପ୍ରକାଶ କରିଥିଲେ ଡ. ବିଶ୍ବାସ। ଫୁସଫୁସ୍‌ ଯକ୍ଷ୍ମାକୁ ବାଦ୍‌ ଦେଇ ହେଉଥିବା ଟିବି ଏହି ରୋଗ ପରିଚାଳନା ଏବଂ ନିୟନ୍ତ୍ରଣରେ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ ପାଲଟିଥିବା ଡ. ବିଶ୍ବାସ କହିଥିଲେ।

ଏହି ଅବସରରେ ପଲ୍‌ମୋନାରୀ ମେଡିସିନ୍‌ ବିଭାଗ ମୁଖ୍ୟ ତଥା ଡିନ୍‌ ଡ. ପି ଆର ମହାପାତ୍ର ଯୋଗଦେଇ ସମଗ୍ର ବିଶ୍ବରେ ଯକ୍ଷ୍ମା ସର୍ବୋଚ୍ଚ ସଂକ୍ରାମକ ରୋଗ ଭାବେ ଅପଖ୍ୟାତି ଅର୍ଜନ କରିଥିବା ସୂଚନା ଦେଇଥିଲେ। ଏହି ମାରାତ୍ମକ ରୋଗ କାରଣରୁ ବର୍ଷକୁ ପ୍ରାୟ ୧.୬ ନିୟୁତ ଲୋକ ମୃତ୍ୟୁବରଣ କରିବା ସହିତ ଆହୁରି ଅନେକଙ୍କୁ ସଂକ୍ରମିତ କରିଥାଏ। ଯାହାକି ପରିବାର ଏବଂ ଗୋଷ୍ଠୀ ଉପରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ପ୍ରଭାବ ପକାଇଥାଏ। କୋଭିଡ୍‌ ମହାମାରୀ ସହିତ ଯୁଦ୍ଧ ବିବାଦ, ଖାଦ୍ୟ ନିରାପତ୍ତା, ଜଳବାୟୁ ପରିବର୍ତ୍ତନ, ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ଭଳି ସଙ୍କଟ ଯକ୍ଷ୍ମା ବିରୋଧରେ ଚାଲିଥିବା ଲଢ଼େଇକୁ ପଶ୍ଚାତଗାମୀ କରିଥିବା ଡ. ମହାପାତ୍ର ସୂଚନା ଦେଇଥିଲେ।

ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ବୈଜୟନ୍ତୀମାଳା ମିଶ୍ର ଏମ୍‌ସରେ ଟିବି ଚିହ୍ନଟ ପାଇଁ ମାଗଣାରେ ସିବିନାଟ୍‌ ଏବଂ ଟ୍ରୁନାଟ୍‌ ପରୀକ୍ଷା କରାଯାଉଥିବା ବିଷୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ବି ବି ମିଶ୍ର, ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା, ଛାତ୍ର ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏମ୍‌ସ ଡଟ୍‌ସ କେନ୍ଦ୍ର ମେଡିକାଲ୍ ଅଫିସର୍‌ ଡ. ସାରଦା ପ୍ରସନ୍ନ ମିଶ୍ର, ଅର୍ପଣ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏଥିସହିତ ଏମ୍‌ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ମଧ୍ୟ ଯକ୍ଷ୍ମା ଦୂରୀକରଣ ପାଇଁ ରାଜଧାନୀର ନୟାପଲ୍ଲୀ ବେହେରା ବସ୍ତି (ୱାର୍ଡ ନଂ-୨୫) ରେ ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଡ. ବିନୋଦ କୁମାର ବେହେରା ଏବଂ ଡ. ପ୍ରଜ୍ଞା ପାରମିତା ଗିରି ଏହି କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗର ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଏବଂ ଆଶା କର୍ମୀ ରଶ୍ମିତା ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମା ମଙ୍ଗଳା ଏବଂ ଓମ୍ ଶାନ୍ତି ମହିଳା ଆରୋଗ୍ୟ ସମିତିର ସଦସ୍ୟାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ। ଟିବି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଟିବି ଚାମ୍ପିଅନ୍ ପ୍ରମୋଦ ନାୟକ ନିଜର ଜୀବନ କାହାଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯକ୍ଷ୍ମାରେ ପିଡ଼ୀତ ହେବା ପରେ ସେ କିପରି        ବିଭିନ୍ନ ସାମାଜିକ ତାଡ଼ନାର ଶିକାର ହୋଇଥିଲେ ସେସମ୍ପର୍କରେ ବର୍ଣ୍ଣନା କରିଥିଲେ ପ୍ରମୋଦ। ତେବେ ଉପଯୁକ୍ତ ଚିକିତ୍ସା ପରେ ଯକ୍ଷ୍ମାରୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହିତ ଏକ ସାଧାରଣ ଜୀବନ ଅତିବାହିତ କରୁଥିବା ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା ସ୍ବାସ୍ଥ୍ୟ

ଓସ୍କାର ଜିତିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଗୁନୀତ ମୋଙ୍ଗା

ନୂଆଦିଲ୍ଲୀ: ଏଥର ଭାରତୀୟ ସିନେମା ଚଳଚ୍ଚିତ୍ର ଓସ୍କାର ପୁରସ୍କାର ୨୦୨୩ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଗୋଟିଏ ପଟେ ସାଉଥ ସିନେମାର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆରଆରଆର’ (RRR) ର ସୁପରହିଟ୍ ଗୀତ ‘ନାଟୁ ନାଟୁ’ ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ଆଖ୍ୟା ପାଇଛି। ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତା ଗୁନୀତ ମୋଙ୍ଗାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଦି ଏଲିଫ୍ଯାଣ୍ଟ ୱିସପର୍ସ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଲ୍ମ ପାଇଁ ଓସ୍କାର ଜିତିଛି। ଏହି ସମୟରେ, ଗୁନୀତ ମୋଙ୍ଗା ବିଷୟରେ ‘ନାଟୁ ନାଟୁ’ ଗୀତର ସଂଗୀତ ରଚନା କରିଥିବା ଏମ ଏମ କିରୱାନି ଏକ ବଡ଼ ଖୁଲାସା କରିଛନ୍ତି ଏବଂ କହିଛନ୍ତି ଯେ, ବିଜୟ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନିକଟରେ ଓସ୍କାର ଜିତିବା ପରେ ଫିଲ୍ମର ସଂଗୀତ ରଚନା ‘ଆର ଆର ଆର’ ଏମ କିରୱାନି ଗଲତ୍ତା ପ୍ଲସକୁ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ, ଏମ କିରଭାନିଙ୍କୁ ଓସ୍କାର ୨୦୨୩ ରେ ଗୁନୀତ ମୋଙ୍ଗାଙ୍କ ବିଜୟ ଭାଷଣର କଟ ଅଫ ପ୍ରସଙ୍ଗ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। ଯେଉଁଥିରେ କିରୱାନି କହିଛନ୍ତି ଯେ, ‘ଓସ୍କାର ଜିତିବା ପରେ ଗୁନୀତ ମୋଙ୍ଗାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଜୟ ପରେ ତାଙ୍କୁ କହିବାକୁ ସମୟ ଦିଆଯାଇନଥିଲା। ଯେଉଁଥିପାଇଁ ତାଙ୍କ ନିଶ୍ୱାସ ଫୁଲିବା ଆରମ୍ଭ କଲା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା। ଏହିପରି ଭାବରେ, ‘ଦି ଏଲିଫ୍ଯାଣ୍ଟ ୱିସପର୍ସ’ ପାଇଁ ଓସ୍କାର ଜିତିଥିବା ନିର୍ମାତା ଗୁନୀତ ମୋଙ୍ଗାଙ୍କ ବିଷୟରେ ଏମ୍ କିରୱାନି ଏକ ବଡ଼ ଖୁଲାସା କରିଛନ୍ତି।

ଏହି ସମୟରେ ଓସ୍କାର ୨୦୨୩ ରେ ଗୁନୀତ ମୋଙ୍ଗାଙ୍କ ସ୍ପିଡ୍ କଟ୍ ପ୍ରସଙ୍ଗ ଅତ୍ୟନ୍ତ ଗରମ ହୋଇଯାଇଛି। ସୋସିଆଲ ମିଡିଆରେ ଏକାଡେମୀକୁ ଅନେକ ସମାଲୋଚନା କରାଯାଇଛି। ଅନ୍ୟପକ୍ଷରେ, ବମ୍ବେ ଟାଇମ୍ସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଗୁନୀତ ମୋଙ୍ଗା କହିଥିଲେ ଯେ- ‘ଓସ୍କାର ଜିତିବା ପରେ ମୋତେ ମୋର ମନ କଥା କହିବାର ସମ୍ପୂର୍ଣ୍ଣ ସୁଯୋଗ ଦିଆଯାଇନଥିଲା, ମାଇକଗୁଡିକ ବନ୍ଦ ହୋଇଯାଇଥିଲା। ଯାହା ମୋତେ ଚକିତ କରିଦେଇଥିଲା। ମୁଁ କେବଳ କହିବାକୁ ଚାହିଁଥିଲି ଯେ, ଏହି ଚଳଚ୍ଚିତ୍ରଟି ହେଉଛି ପ୍ରଥମ ଭାରତୀୟ ଉତ୍ପାଦନ ଚଳଚ୍ଚିତ୍ର ଯାହା ଓସ୍କାର ଜିତିଛି। ଏହି ବିଜୟ ସମଗ୍ର ଭାରତ ପାଇଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ ପୁରୀ ଓ କଟକ ଗସ୍ତ, ଜୁନ ୧୫ ସୁଦ୍ଧା ସଂପୂର୍ଣ୍ଣ ହେବ ନେତାଜୀ ବସ ଟର୍ମିନାଲ ନିର୍ମାଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

ରାଜ୍ୟ ସରକାରଙ୍କ ଐତିହ୍ୟ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଆନ୍ତର୍ଜାତିକ ସ୍ତରରେ ଏକ ଗୃରୁତ୍ଵପୂର୍ଣ୍ଣ ଐତିହ୍ୟ ସ୍ଥଳ ଭାବରେ ଏହା ପୁରୀର ଗୁରୁତ୍ଵ ବୃଦ୍ଧି କରିବ। ପ୍ରତି ସପ୍ତାହରେ ପୁରୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ଅପରାହ୍ନରେ  ଶ୍ରୀ ପାଣ୍ଡିଆନ କଟକ ଯାଇ ପ୍ରଥମେ ଖାନ୍ ନଗର ଠାରେ ନିର୍ମାଣାଧୀନ ନେତାଜୀ ବସ ଟର୍ମିନାଲ ର ନିର୍ମାଣ କାର୍ଯ୍ୟ ବୁଲି ଦେଖି ଥିଲେ ଏବଂ ଅଧିକାରୀ ମାନଙ୍କ ସହିତ କାର୍ଯ୍ୟର ସମୀକ୍ଷା କରି ଥିଲେ। ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ବସ ଟର୍ମିନାଲ ନିର୍ମାଣ ଶେଷ ହେବ ବୋଲି ସମୀକ୍ଷାରୁ ଜଣା ଯାଇଛି।

ସୂଚନା ଯୋଗ୍ୟ ଯେ ୧୫ ଏକର ପରିମିତ ଅଂଚଳରେ ନିର୍ମାଣାଧୀନ ଏହି ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ ରେ ଶୁଭ ଦେଇଥିଲେ। ଏଥିପାଇଁ ସତୁରୀ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ଏଥିରେ ୧୮୦ ଟି ବସ ରହିବା ପାଇଁ ତିନି ମହଲା ବିଲ୍ଡିଂ ସହିତ ଆହୁରି ଅନେକ ସୁବିଧାର ନିର୍ମାଣ କରା ଯାଉଛି। ଏହାଦ୍ବାରା କଟକ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଆନ୍ତ ରାଜ୍ୟ ବସ ଚଳରେ ସୁବିଧା ଆସିବ।

ଏହା ପରେ ଶ୍ରୀ ପାଣ୍ଡିଆନ ମା କଟକ ଚଣ୍ଡୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ, ରାସ୍ତା ନିର୍ମାଣ ଆଦି କାମ ବୁଲି ଦେଖିଥିଲେ।
ସମୀକ୍ଷାରୁ ଜଣା ଯାଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ରୂପାନ୍ତର କାର୍ଯ୍ୟ ଶେଷ ହେବ। ଚଣ୍ଡି ମନ୍ଦିର ରୂପାନ୍ତର ପାଇଁ ଚାଳିଶ କୋଟି ଟଙ୍କା ଖର୍ଚ କରାଯାଉଛି। ନୂଆବର୍ଷ ରେ ଚଣ୍ଡି ମନ୍ଦିର ର ରୂପାନ୍ତର କାମ ଭକ୍ତଙ୍କ ସେବା ରେ ଲୋକାର୍ପିତ ହେବ।

ଶ୍ରୀ ପାଣ୍ଡିଆନ ଏହାପରେ ରାଣୀ ହାଟ କ୍ଲକ୍ ଟାୱାର, ତାଳଦଣ୍ଡା କେନାଲ, ଛତରା ବଜାର ଭେଣ୍ଡିଂ ଜୋନ୍ ଆଦି ବୁଲି ଏସବୁ ସ୍ଥାନରେ ଉନ୍ନତି କରଣ କାର୍ଯ୍ୟ ବୁଲି ଦେଖିବା ସହିତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, ସିଏମସି କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ କଟକ ଡିସିପି ଶ୍ରୀ ପିନାକ ମିଶ୍ର ଓ, ସିଡିଏ ଅଧ୍ୟକ୍ଷ ଶ୍ରୀ ଅନିଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଏମ ମୋଦୀଙ୍କ କାର୍ଯ୍ୟରେ କେତେ ପ୍ରତିଶତ ଲୋକ ଖୁସି?, ସର୍ବେକ୍ଷଣର ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ

ନୂଆଦିଲ୍ଲୀ: ମ୍ୟାଟ୍ରାଇଜ୍ ସହିତ ଏବିପି ନ୍ୟୁଜ୍ ଏକ ସର୍ଭେ କରିଛି। ଏହି ସର୍ଭେରେ ଦଶ ହଜାର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ଏହି ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା ଯେ, ପିଏମ ମୋଦୀଙ୍କ କାମ କେମିତି ଅଛି? ଏହି ପ୍ରଶ୍ନର ଉତ୍ତରରେ ଲୋକମାନେ ଦେଇଥିବା ଉତ୍ତରରୁ ଜଣାପଡିଛି ଯେ ପିଏମ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ।

ଏହି ସର୍ଭେରେ ୫୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ବହୁତ ଭଲ ହୋଇଥିବାବେଳେ ୩୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ସନ୍ତୋଷଜନକ। ଏଥି ସହିତ ୧୬ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପିଏମ ମୋଦୀଙ୍କ କାମ ଅତ୍ୟନ୍ତ ଖରାପ ଅଟେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ “ଓଡ଼ିଶୀ ଆସର” ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଂଗମଞ୍ଚ”ରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉଭୟ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଂଗୀତର ଭାବଧାରାକୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରତି ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଗୁରୁ ଏବଂ ଶିକ୍ଷାନବୀଶ ତଥା ଛାତ୍ରଛାତ୍ରୀମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥାଆନ୍ତି। ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉଦ୍ଦେଶ୍ୟରେ ଏହା ସରକାରୀ ସ୍ତରରେ ଅନନ୍ୟ ପଦକ୍ଷେପ।

ଅନୁଷ୍ଠିତ ଏହି “ଓଡ଼ିଶୀ ଆସର” କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁନିତାରାଣୀ ବିଶ୍ୱାଳ (ଏକକ ଗାୟନ), ଅର୍ପିତା ସାହୁ ଏବଂ ସ୍ମୃତିରେଖା ପ୍ରତିହାରୀ (ଦ୍ୱେତ ଗାୟନ), ରାସବିହାରୀ ନାଥ, ଅତିଥି କଳାକାର (ଏକକ ଗାୟନ) ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ। ପରେ ପରେ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ ସୌମ୍ୟରଞ୍ଜନ ନାୟକ, ଅତିଥି କଳାକାର ଏବଂ କାର୍ଯ୍ୟକ୍ରମ ଶେଷରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ, ଅତିଥି କଳାକାର ମିନତୀ ପ୍ରଧାନ। ବାଦ୍ୟଯନ୍ତ୍ରରେ ସେମାନଙ୍କୁ ସହଯୋଗ କରିଥିଲେ – ଗୁରୁ କେଶବ ଚନ୍ଦ୍ର ରାଉତ, ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର୍‌), ରମେଶ ଚନ୍ଦ୍ର ଦାଶ (ବେହେଲା), କାଳନ୍ଦୀ ଚରଣ ପରିଡ଼ା (ମର୍ଦ୍ଦଳ)।

ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। ଉକ୍ତ କାର୍ଯ୍ୟକ୍ରମ ଦର୍ଶକ ମହଲରେ ବେଶ୍ ଆଦୃତ ହେବା ସହିତ ଏହିପରି କାର୍ଯ୍ୟକ୍ରମ ଅଧିକ ଆୟୋଜନ ହେବା ନିମନ୍ତେ ଦର୍ଶକ ମହଲରେ ଆଲୋଚନା ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ବାଣପୁର ଓକିଲ ସଙ୍ଘର ସରିଲା କର୍ମକର୍ତ୍ତା ନିର୍ବାଚନ, ଜାଣନ୍ତୁ କିଏ ହେଲେ ସଭାପତି, ସମ୍ପାଦକ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ସାରା ଓଡ଼ିଶାରେ ରାଜ୍ୟ ଓକିଲ ସଂଘର ନିର୍ବାଚନ ଏକା ସମୟରେ ହେଉଥିବା ବେଳେ ଅନୁରୂପ ଭାବେ ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସକାଳ ୮ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ସମାପ୍ତ ହୋଇଥିଲା।

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା।

ଚଳିତ ନିର୍ବାଚନରେ ସଙ୍ଘର ସମୁଦାୟ ୧୨୨ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବରେ ବରିଷ୍ଠ ଆଇନଜୀବି ବୃନ୍ଦାବନ ପ୍ରଧାନ ୭୯ ଖଣ୍ଡ ଭୋଟ, ଉପ ସଭାପତି ଭାବରେ ପଦ୍ମଜା ପଟ୍ଟନାୟକ ୭୩ ଖଣ୍ଡ ଭୋଟ, ସାଧାରଣ ସମ୍ପାଦକ ଭାବରେ ସୁଧୀର କୁମାର ପ୍ରଧାନ ୮୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେହିଭଳି ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଭ୍ୟ ଭାବରେ ଦେବବ୍ରତ ବଡ଼ଜେନା, ପ୍ରଦୀପ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ମହାନ୍ତି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।

ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର କୁମାର ପ୍ରଧାନ ନିର୍ବାଚିତ ହେଲା ପରେ ସମସ୍ତ ଆଇନଜୀବୀ ମାନଙ୍କୁ ନେଇ କାର୍ଯ୍ୟ କରିବା ସହ ବାଣପୁର ଆଡିଶନାଲ ଜିଲ୍ଲା କୋର୍ଟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଜଗଦୀଶ ପଟ୍ଟନାୟକ ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ରଞ୍ଜନ ବେଦମତ୍ତା ଓ ନିରୋଜ କୁମାର ମହାନ୍ତି ନିର୍ବାଚନ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର

ଭୁବନେଶ୍ୱର: ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର। ଏହି ସେଂଟରରେ କେବଳ ଯକ୍ଷ୍ମା ରୋଗ ନିମନ୍ତେ ଉପଲବ୍ଧ ଔଷଧ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ କାମ କରୁନଥିବା କ୍ଷେତ୍ରରେ ଅନ୍ୟ ଔଷଧ ପ୍ରୟୋଗ କରାଯିବା ସହ ବିଭିନ୍ନ ବିଭାଗ ଦ୍ୱାରା ଚିକିତ୍ସା ପ୍ରଦାନ କରାଯାଇ ପୀଡ଼ିତଙ୍କୁ ସୁସ୍ଥ କରାଇବାର ପ୍ରଚେଷ୍ଟା କରାଯିବ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଅନୁଷ୍ଠାନର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର।

୨୦୨୫ ସୁଦ୍ଧା ସାରା ଦେଶରେ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍‌ରେ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର ଖୋଲାଯାଇ ସାରା ରାଜ୍ୟରୁ ଚିକିତ୍ସା ନିମନ୍ତେ ଆସୁଥିବା ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା କରାଯିବାର ଲକ୍ଷ୍ୟ ରହିଛି ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ହସ୍ପିଟାଲ୍‌ର ପଲମୁନାରୀ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ଥାନେ ସ୍ଥିତ ଜୁପିଟର ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା ମୁମ୍ବାଇର ଜିଟିବି ହସ୍ପିଟାଲ୍‌ର ଡିଆର ଟିବି ସେଂଟରର ନୋଡାଲ୍ ଚେୟାରମ୍ୟାନ୍ ଡାକ୍ତର ଆଲ୍‌ପା ଦଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗର କାରଣ, ଚିକିତ୍ସା ଓ ନିରାକରଣ ନେଇ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ପଲ୍‌ମୁନାରୀ ମେଡିସିନ୍ ବିଭାଗର ଗୁରୁତ୍ୱ ବଢ଼ିଛି ବୋଲି ପ୍ରକାଶ କରି ଡାକ୍ତର ଦଲାଲ ଯକ୍ଷ୍ମା ରୋଗକୁ ସମାପ୍ତ କରିବା ନିମନ୍ତେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ନିମନ୍ତେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଯକ୍ଷ୍ମା ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ, ହସ୍ପିଟାଲ୍‌ର ଭିତିଭୂମି କିଭଳି ହେବ, ବାହ୍ୟ ଓ ଆନ୍ତଃରୋଗୀଙ୍କ ଚିକିତ୍ସା ନିମନ୍ତେ କିଭଳି ସୁବିଧା ଉପଲବ୍ଧ ହେବା ଆବଶ୍ୟକ ସେ ବିଷୟରେ ତଥ୍ୟ ରଖି ଡାକ୍ତର ଦଲାଲ ପ୍ରଶିକ୍ଷଣ ପାଇଥିବା ନର୍ସ ଓ ପାରାମେଡିକ୍ସଙ୍କୁ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କୋଭିଡ ସମୟରେ ହସ୍ପିଟାଲ୍‌ର କ୍ରିଟିକାଲ କେୟାର, ପଲ୍‌ମୁନାରୀ ମେଡିସିନ୍ ଓ ଇମ୍ୟୁନୋଲୋଜି ବିଭାଗର ଡାକ୍ତର, ନର୍ସ ଓ ପାରାମେଡିକ୍ସ ମାନଙ୍କ ଉଚ୍ଚକୋଟୀର ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ସାରା ବିଶ୍ୱରେ ଯକ୍ଷ୍ମା ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଏ ବୋଲି କହିଥିଲେ। ଯକ୍ଷ୍ମା ଏକ ଜୀବାଣୁଜନିତ ରୋଗ ଏବଂ ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିପାରେ ବୋଲି ପ୍ରଫେସର ଜେନା କହିଥିଲେ। ୨୦୧୭ ପର ଠାରୁ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍ ଟ୍ୟୁବରକ୍ୟୁଲୋସିସ୍ ଇରାଡିକେସନ୍ ପ୍ରୋଗ୍ରାମ୍ ଆରମ୍ଭ କରିଥିବା ବେଳେ ୨୦୨୫ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ତେବେ ସାରା ବିଶ୍ୱର ୨୭ ପ୍ରତିଶତ ଯକ୍ଷ୍ମା ରୋଗୀ କେବଳ ଭାରତରେ ଥିବା ବେଳେ ଔଷଧ କାମ କରୁନଥିବା ରୋଗୀଙ୍କ କ୍ଷେତ୍ରରେ ଭାରତ ଚୀନ ତଳକୁ ରହିଛି। ତେଣୁ ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି ପ୍ରଫେସର ଜେନା କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବଢୁଥିବା କରୋନା ମାମଲା ମଧ୍ୟରେ କେନ୍ଦ୍ରର ମାର୍ଗଦର୍ଶିକା ଜାରି, ପାଳନ କରନ୍ତୁ ଏହି ସତର୍କତା

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ଏବଂ ଫ୍ଲୁ ରୋଗକୁ ନେଇ କେନ୍ଦ୍ର ସରକାର ଅତ୍ୟନ୍ତ ଗମ୍ଭୀର। ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ ଲୋକମାନଙ୍କୁ ଭିଡ଼ ଏବଂ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ଏହା ସହିତ କେନ୍ଦ୍ର ସରକାର ମଧ୍ୟ କରୋନା ଲଢେଇ ପାଇଁ ବ୍ୟବସ୍ଥା ସଂପର୍କରେ ଏପ୍ରିଲ ୧୦ ତାରିଖ ଏବଂ ୧୧ ତାରିଖରେ ଜାତୀୟ ସ୍ତରରେ ଏକ ମକ୍ ଡ୍ରିଲ୍ ଆୟୋଜନ କରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସହ ଏକ ବୈଠକ ଡାକିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଏବଂ ଫ୍ଲୁ ରୋଗ ସମ୍ବନ୍ଧରେ ଦିଆଯାଇଥିବା ପରାମର୍ଶରେ ସାଧାରଣ ଲୋକଙ୍କୁ ଅନେକ ପରାମର୍ଶ ଦେଇଛି। ଜନଗହଳିପୂର୍ଣ୍ଣ ଏବଂ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ ସରକାର କହିଛନ୍ତି। ଛିଙ୍କିବା କିମ୍ବା କାଶ କରିବା ସମୟରେ ନାକ ଏବଂ ପାଟି ଘୋଡାଇବା ଏବଂ ହାତର ସ୍ୱଚ୍ଛତା ରକ୍ଷା କରିବା ପାଇଁ ରୁମାଲ କିମ୍ବା ଟିସୁ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର କହିଛି। ଲୋକଙ୍କୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।

ଏହି ପରାମର୍ଶରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଠାରୁ ଦୂରେଇ ରହିବା ସହିତ ଲୋକଙ୍କୁ ପରୀକ୍ଷାକୁ ପ୍ରୋତ୍ସାହିତ କରିବାକୁ ଏବଂ ଲକ୍ଷଣଗୁଡିକ ଶୀଘ୍ର ରିପୋର୍ଟ କରିବାକୁ କୁହାଯାଇଛି। ଏଥି ସହିତ ଯଦି ଶ୍ୱାସ ରୋଗରେ ପୀଡିତ ତେବେ ବ୍ୟକ୍ତିଗତ ସମ୍ପର୍କକୁ ସୀମିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଯଦି ବିଜେପି ପାଇଁ କାମ କରିବାକୁ ଚାହାଁନ୍ତି, ତେବେ ଦଳୀୟ ଚିହ୍ନ ଲଗାନ୍ତୁ: ସାମ୍ବାଦିକଙ୍କୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଆଜି ପ୍ରଥମ ଥର ପାଇଁ ହାଜର ହୋଇଥିଲେ। ସେତେବେଳେ ସେ ଜଣେ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ। ବିଜେପି ଉଠାଇଥିବା ଓବିସି ପ୍ରସଙ୍ଗ ପ୍ରସଙ୍ଗରେ ରାହୁଲଙ୍କୁ ସାମ୍ବାଦିକ ଏକ ପ୍ରଶ୍ନ ପଚାରିଥିଲେ। ବାସ୍ତବରେ ରାହୁଲ ଗାନ୍ଧୀଙ୍କୁ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଛି।

ଯେତେବେଳେ ସାମ୍ବାଦିକ ଏହି ପ୍ରଶ୍ନ ପଚାରିଥିଲେ, ରାହୁଲ ଗାନ୍ଧୀ ତାଙ୍କୁ ବିଜେପି ପାଇଁ କାମ କରୁଥିବା ଅଭିଯୋଗ କରିଛନ୍ତି। ଯଦି ଆପଣ ବିଜେପି ପାଇଁ କାମ କରିବାକୁ ଚାହାଁନ୍ତି ତେବେ ଛାତିରେ ବିଜେପିର ଚିହ୍ନ ଲଗାନ୍ତୁ, ତେବେ ମୁଁ ସେହି ଅନୁଯାୟୀ ଉତ୍ତର ଦେବି।

Categories
ଆଜିର ଖବର ରାଜ୍ୟ ଖବର

୧୬ ନଂ ଜାତୀୟ ରାଜପଥ ରଣ୍ଢା ଛକରେ ଦୁର୍ଘଟଣା, ଦୁଇ ଆହତ

ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରଣ୍ଢା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାବେଟି ଅଞ୍ଚଳର ଟି ମୁରଲୀ ଓ କେ ପ୍ରେମା ବୋଲି ଜଣାପଡିଛି।

ଓଡି୨୨ ଇ୬୧୭୧ ବିଶିଷ୍ଟ ଏକ କାର୍ ରେ ଆହତ ଦୁଇ ଜଣ ନିଜ ଗ୍ରାମ କାବେଟି ରୁ ବ୍ରହ୍ମପୁର ଆସୁଥିବା ବେଳେ ରଣ୍ଢା ଛକରେ ଏକ ମୋଟରସାଇକେଲ ହଠାତ୍ ଆଗକୁ ପଳିଆସିବାରୁ କାର୍ ଚାଳକ ଭାରସାମ୍ୟ ହରାଇ ରାସ୍ତା ମଧ୍ୟରେ ଥିବା ଏକ ଡିଭାଇଡର୍ କୁ ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନା କୁ ପଠାଇ ଥିଲେ ଓ ଘଟଣା ର ତଦନ୍ତ ଚଳାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଘରେ ଥିବା ବୈଦ୍ୟୁତିକ ଉପକରଣ ବାରମ୍ବାର ଖରାପ ହୋଇଯାଏ କି? ଏହା ଗ୍ରହ ଦୋଷର ସଙ୍କେତ

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ଉପରେ ଆଧାରିତ। ବାସ୍ତୁ ଅନୁଯାୟୀ, ଘରେ ଥିବା କିଛି ଜିନିଷ ଗ୍ରହମାନଙ୍କର ଜୀବନର ପ୍ରଭାବ ବିଷୟରେ ମଧ୍ୟ କହିଥାଏ। ଏହି ଜିନିଷଗୁଡିକ ସୂଚିତ କରେ ଯେ, ଆପଣଙ୍କ ଜୀବନରେ କିଛି ବଡ ଅସୁବିଧା ଆସିବାକୁ ଯାଉଛି।

ଯଦି ଆପଣଙ୍କ ଘରେ ଥିବା ବୈଦ୍ୟୁତିକ ଉପକରଣଗୁଡ଼ିକ ବାରମ୍ବାର ଖରାପ ହୋଇଯାଉଛି, ତେବେ ଏହା ଏକ ଗ୍ରହର ଦୁର୍ବଳତାର ସଙ୍କେତ ଅଟେ। ଏହାର ପ୍ରଭାବ ହେତୁ ଜଣେ ବ୍ୟକ୍ତିଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ବୈଦ୍ୟୁତିକ ଉପକରଣଗୁଡ଼ିକ ଖରାପ ହେବା କେଉଁ ଗ୍ରହ ସହିତ ଜଡିତ ଏବଂ ଏହାକୁ କିପରି ଦୂର କରାଯାଇପାରିବ ଆସନ୍ତୁ ଜାଣିବା।

ଏହି ଗ୍ରହ ସହିତ ବୈଦ୍ୟୁତିକ ଉପକରଣର ସମ୍ପର୍କ:

ଏଣେତେଣେ ରଖାଯାଇଥିବା ବୈଦ୍ୟୁତିକ ଜିନିଷଗୁଡ଼ିକ ବାସ୍ତୁ ଦୋଷ ଆଣିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ଘରେ ଥିବା ଇଲେକ୍ଟ୍ରୋନିକ୍ ଜିନିଷଗୁଡ଼ିକ ବାରମ୍ବାର ଖରାପ ହୋଇଯାଉଛି, ତେବେ ଏହାର ଅର୍ଥ ହେଉଛି ରାହୁଙ୍କ ଖରାପ ଅବସ୍ଥା ଆପଣଙ୍କ ଉପରେ ଚାଲିଛି।

ରାହୁଙ୍କ ନକାରାତ୍ମକ ପ୍ରଭାବ ହେତୁ ବୈଦ୍ୟୁତିକ ଉପକରଣଗୁଡ଼ିକ ବାରମ୍ବାର ନଷ୍ଟ ହୋଇଯାଏ। ରାହୁଙ୍କ ଖରାପ ପ୍ରଭାବ ଯୋଗୁଁ ଘରର ସଦସ୍ୟମାନଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡେ। ବିଶ୍ୱାସ କରାଯାଏ ଯେ, ଘରେ ଖରାପ ବୈଦ୍ୟୁତିକ ଉପକରଣ ହେତୁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଆର୍ଥିକ ଅଭାବ ଦେଖାଦେଇଥାଏ।

ଏହି ପଦକ୍ଷେପଗୁଡିକ ସହିତ ଦୋଷ ହଟାନ୍ତୁ:

ଯଦି ଆପଣଙ୍କ ଘରେ ବୈଦ୍ୟୁତିକ ଉପକରଣଗୁଡ଼ିକ ପ୍ରାୟତଃ ଭାଙ୍ଗିଯାଏ, ତେବେ ଶନିବାର ଦିନ ଏକ ମନ୍ଦିରକୁ ଏକ ବୈଦ୍ୟୁତିକ ବଲ୍ବ କିମ୍ବା କୌଣସି ଉପଯୋଗୀ ବୈଦ୍ୟୁତିକ ସାମଗ୍ରୀ ଦାନ କରନ୍ତୁ। ପ୍ରତିଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଏବଂ ମନ୍ଦିରରେ ଧୂପ ଜଳାଇବା ଦ୍ୱାରା ରାହୁଙ୍କ ନକାରାତ୍ମକ ପ୍ରଭାବ କମିଯାଏ।

ରାହୁଙ୍କ ଖରାପ ପ୍ରଭାବକୁ ଏଡାଇବା ପାଇଁ ବୈଦ୍ୟୁତିକ ଜିନିଷକୁ ସଠିକ୍ ଭାବରେ ରଖନ୍ତୁ। ଯଦି ଆପଣଙ୍କ ଘରେ ଏପରି ଇଲେକ୍ଟ୍ରୋନିକ୍ ଜିନିଷ ଅଛି, ଯାହାକୁ ଆପଣ ବ୍ୟବହାର କରୁନାହାଁନ୍ତି, ତେବେ ସେଗୁଡିକୁ ଘରୁ ବାହାର କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ୍-୧୯ ସମୟରେ ନଡିଆ ତେଲ ସହିତ ଗାର୍ଗଲ୍ କରିବା ଦ୍ୱାରା ଦୂର ହେବ ଗଳା ଯନ୍ତ୍ରଣା

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁଁ ଦେଶରେ ପୁଣି ଥରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପରିବର୍ତ୍ତିତ ଋତୁରେ କାଶ ଏବଂ ଥଣ୍ଡା ସମସ୍ୟା ସାଧାରଣ ହେବାରେ ଲାଗିଛି। ଏହି ସମୟରେ, ଆମମାନଙ୍କ ମଧ୍ୟରୁ ଅଧିକାଂଶ ଗଳାରେ ଯନ୍ତ୍ରଣା ଅନୁଭବ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଗଳାରେ ଯନ୍ତ୍ରଣା ହୁଏ ସେତେବେଳେ ଗଳାର ଯତ୍ନ ଆବଶ୍ୟକ ହୁଏ ନାହିଁ, କିନ୍ତୁ ଶୀତ ଏବଂ ବର୍ଷାଦିନେ ଦୈନିକ ଗାର୍ଗଲ୍ କରିବା ଉଚିତ୍। ଅଧିକାଂଶ ଲୋକ ଉଷୁମ ଲୁଣ ପାଣିରେ ଗାର୍ଗଲ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ନଡ଼ିଆ ତେଲକୁ ଗାର୍ଗଲିଂ ପାଇଁ ବ୍ୟବହାର କରାଯାଇପାରିବ ଏବଂ ଏହାର ଅନେକ ଲାଭ ଅଛି।

ନଡିଆ ତେଲ ସହିତ ଗାର୍ଗଲିଂ କରିବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ କରିଥାଏ। ଅନ୍ୟ ପଟେ, ନଡ଼ିଆ ତେଲରେ ଅନେକ ଜରୁରୀ ଭିଟାମିନ୍ ଏବଂ ଫ୍ୟାଟ୍ ଭରପୂର ଅଟେ। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ ନଡିଆ ତେଲ ସହିତ ଗାର୍ଗଲିଂର ଉପକାରିତା ବିଷୟରେ କହିବୁ।

ନଡିଆ ତେଲ ସହିତ ଗାର୍ଗଲିଂ କରିବାର ପଦ୍ଧତି:

୩ ଚାମଚ ନଡିଆ ତେଲ ନେଇ ପାଟିରେ ରଖନ୍ତୁ। ଏହା ପରେ, ଗାର୍ଗଲିଂ ଆରମ୍ଭ କରନ୍ତୁ। ଏହା ମଧ୍ୟ ମନେରଖନ୍ତୁ ଯେ ଆପଣ ତେଲକୁ ଗିଳିବେ ନାହିଁ। ବର୍ତ୍ତମାନ ଯଦି ଆପଣ ଏହା ସହିତ କିଛି ମିନିଟ୍ ଗାର୍ଗଲ୍ କରିବା ପରେ ତେଲକୁ ପାଟିରୁ ବାହାର କରିଦିଅନ୍ତୁ।

ଗାର୍ଗଲିଂର ଲାଭ:

୧- ନଡିଆ ତେଲ ସହିତ ଗାର୍ଗଲିଂ କରିବା ଆପଣଙ୍କ ଗଳାକୁ ଆରାମ ଦେବ ନାହିଁ ବରଂ ପାଟି କିମ୍ବା ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ଦୂର କରିବ।

୨- ନଡ଼ିଆ ତେଲ ସହିତ ଗାର୍ଲିଂ କରିବା ଦାନ୍ତ ପାଇଁ ଅତ୍ୟନ୍ତ ଲାଭଦାୟକ, ଏହା କରିବା ଦ୍ୱାରା କ୍ୟାଭିଟି ଦୂର ହୋଇଯାଏ ଏବଂ ଆପଣଙ୍କ ଦାନ୍ତ ସୁସ୍ଥ ଏବଂ ଧଳା ରହିବ।

୩- ନଡ଼ିଆ ତେଲ ସହିତ ଗାର୍ଲିଂ କରିବା ଦ୍ୱାରା ଆପଣଙ୍କ ଗଳାର କୁଣ୍ଡେଇ ହେବାରୁ ଆରାମ ମିଳିଥାଏ।

୪- ନଡିଆ ତେଲ ପ୍ରଦାହକୁ ହ୍ରାସ କରିଥାଏ ଏବଂ ଏହା ସହିତ ଗାର୍ଗଲିଂ କରିବା ଦ୍ୱାରା ପାଟିରେ ଫୁଲା କମିଯାଏ ଏବଂ ମାଢିର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ହୋଇଥାଏ।

Categories
ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦ୍ରୁତ ବ୍ୟାଟିଂ କରିପାରିବେ ଏହି ଖେଳାଳି, ପଢନ୍ତୁ ଦଳର ମଜବୁତ ଖେଳାଳି ଏକାଦଶ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୩ ରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ନୂତନ ଅବତାରରେ ଦେଖିବାକୁ ମିଳିବ। ଦଳ ଗତ ସିଜନରେ ପଏଣ୍ଟ ଟେବୁଲର ତଳେ ଥିଲା ଏବଂ ଏହାର ପ୍ରଦର୍ଶନ ବହୁତ ଖରାପ ଥିଲା। କିନ୍ତୁ ଏଥର ମୁମ୍ବାଇ ଚମତ୍କାର ପ୍ରଦର୍ଶନ କରିପାରେ। ତେବେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଦଳ ପଡିଆକୁ ଓହ୍ଳାଇବ। ଆଘାତ ଯୋଗୁଁ ବୁମରା ବାଦ ହୋଇଛନ୍ତି। ଯଦି ଆମେ ଦଳର ପ୍ରଥମ ମ୍ୟାଚ୍ ର ଖେଳାଳି ଏକାଦଶ ବିଷୟରେ ଆଲୋଚନା କରିବା, ତେବେ ଏହା ଯଥେଷ୍ଟ ସନ୍ତୁଳିତ ହେବ। ଏଥିରେ ଅଭିଜ୍ଞ ଖେଳାଳିଙ୍କ ସହିତ ଯୁବ ଖେଳାଳିମାନେ ମଧ୍ୟ ଏକ ସୁଯୋଗ ପାଇବେ।

ଆଇପିଏଲ୍-୨୦୨୨ ରେ ମୁମ୍ବାଇର ବହୁତ ଖରାପ ପ୍ରଦର୍ଶନ ଥିଲା। ମୋଟ ୧୪ ଟି ମ୍ୟାଚ୍ ଖେଳିବାବେଳେ ଦଳ ମାତ୍ର ୪ ଟି ଜିତିଥିଲା। ଦଳକୁ ୧୦ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ରେକର୍ଡ ରଖିଛି। କିନ୍ତୁ ଗତ ସଂସ୍କରଣଟି ଖରାପ ଥିଲା। ତେବେ ଏଥର ମୁମ୍ବାଇ ଏକ ପରିବର୍ତ୍ତନ ସହିତ ପଡ଼ିଆରେ ପ୍ରବେଶ କରିବ। ଦଳର ଅଭିଜ୍ଞ ବୋଲର ଜସପ୍ରୀତ ବୁମ୍ରା ଖେଳିବେ ନାହିଁ। ଏହା ମଧ୍ୟ ସେମାନଙ୍କର କ୍ଷତି କରିପାରେ। ଯଦି ଆମେ ଏହି ସଂସ୍କରଣରେ ମୁମ୍ବାଇ ପାଇଁ ଦ୍ରୁତ ବ୍ୟାଟିଂ କରୁଥିବା ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ତେବେ ଏହି ତାଲିକାରେ ସୂର୍ଯ୍ୟକୁମାର ଯାଦବଙ୍କ ନାମ ଶୀର୍ଷରେ ରହିବ। ଏଗୁଡିକ ସହିତ କ୍ୟାମେରନ୍ ଗ୍ରୀନ୍ ଏବଂ ତିଲକ ବର୍ମା ମଧ୍ୟ ଭଲ ପ୍ରଦର୍ଶନ କରିପାରନ୍ତି।

ସମସ୍ତ ମୁମ୍ବାଇ ଖେଳାଳି ସମସ୍ତ ସଂସ୍କରଣରେ ଉପଲବ୍ଧ ହେବେ। କିନ୍ତୁ ଦକ୍ଷିଣ ଆଫ୍ରିକାର ଟ୍ରିଷ୍ଟନ ଷ୍ଟବ୍ସ ଏବଂ ଡିୱାଲ୍ଡ ବ୍ରୋଭିସ୍ ପ୍ରାରମ୍ଭରୁ କିଛି ମ୍ୟାଚ୍ ଛାଡି ପାରନ୍ତି। ବାସ୍ତବରେ ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ତେଣୁ, ଉଭୟ ପ୍ରାରମ୍ଭିକ କିଛି ମ୍ୟାଚ୍ ହରାଇ ପାରନ୍ତି। ଏଥର ମୁମ୍ବାଇର ପ୍ରଥମ ମ୍ୟାଚ୍ ବାଙ୍ଗାଲୋରରୁ ଆରମ୍ଭ ହେବ। ଏହି ମ୍ୟାଚ୍ ଏପ୍ରିଲ୍ ୨ ତାରିଖରେ ଅନୁଷ୍ଠିତ ହେବ। ମୁମ୍ବାଇର ଏକାଦଶ ଖେଳାଳି ବିଷୟରେ କହିବାକୁ ଗଲେ ଏହା ବହୁତ ସନ୍ତୁଳିତ ହେବ। ଏଥିରେ ଇଶାନ କିଶାନ, କ୍ୟାମେରନ୍ ଗ୍ରୀନ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ପ୍ରାୟ ସ୍ଥିର ହୋଇଛି। ଖେଳୁଥିବା ଏକାଦଶରେ ରମଣଦୀପ ସିଂ, ତିଲକ ବର୍ମା ଏବଂ ଟିମ୍ ଡେଭିଡ ମଧ୍ୟ ଅଂଶଗ୍ରହଣ କରିପାରିବେ।

ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ୱିକେଟ୍ ରକ୍ଷକ), କାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ଟିମ୍ ଡେଭିଡ, ରମଣଦୀପ ସିଂ, ହ୍ରିତିକ ଶୋକିନ, କୁମାର କାର୍ତ୍ତିକେୟ, ଜୋଫ୍ରା ଆର୍ଚର, ଜେସନ ବେହେରେଣ୍ଡର୍ଫ।

Categories
ଆଜିର ଖବର ଜାତୀୟ ଖବର

“ମୋର ନାମ ସାବରକର ନୁହେଁ .. ଗାନ୍ଧୀ କେବେ କ୍ଷମା ମାଗନ୍ତି ନାହିଁ”: ବିଜେପିକୁ ଆକ୍ରମଣ କଲେ ରାହୁଲ

ନୂଆଦିଲ୍ଲୀ: ସଂସଦର ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ତୀବ୍ର ଅଭିଯୋଗ ଆଣିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଭାବନ୍ତି ଯେ ସେ ମୋତେ ଭୟଭୀତ କରି, ଜେଲରେ ରଖି, ମାଡ଼ ମାରି, ଅଯୋଗ୍ୟ କରି ଚୁପ କରିଦେବେ, ତାହେଲେ ଏହା ତାଙ୍କର ଭ୍ରମ। ପ୍ରଧାନମନ୍ତ୍ରୀ ଆତଙ୍କିତ ହୋଇପଡିଛନ୍ତି। ସେ ବିରୋଧୀଙ୍କୁ ସବୁଠୁ ବଡ ଅସ୍ତ୍ର ଦେଇଛନ୍ତି। ମୁଁ ଏସବୁ ବିଷୟରେ ଚିନ୍ତା କରେ ନାହିଁ। କ୍ଷମା ମାଗିବା ପାଇଁ ବିଜେପିର ଦାବି ଉପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ମୋର ନାମ ସାବରକର ନୁହେଁ। ମୁଁ ଗାନ୍ଧୀ, ଗାନ୍ଧୀ କେବେ କ୍ଷମା ମାଗନ୍ତି ନାହିଁ।”

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି ବୋଲି ମୁଁ ଆପଣଙ୍କୁ ଅନେକ ଥର କହିଛି। ମୋର ଭାଷଣ ସଂସଦରୁ ହଟାଇ ଦିଆଯାଇଛି। ମୁଁ ନିୟମ ବୁଝାଇଲି ଏବଂ ବାଚସ୍ପତିଙ୍କୁ ବିସ୍ତୃତ ଭାବରେ ଏକ ଚିଠି ଲେଖିଲି। କିନ୍ତୁ ମୋତେ କହିବାକୁ ଅନୁମତି ଦିଆଗଲା ନାହିଁ। ବିଜେପି ଲୋକମାନେ ମୋତେ ଭାରତ ବିରୋଧୀ ବୋଲି କହିଥିଲେ। ମୋର ଜଣେ ସଦସ୍ୟ ଭାବରେ ବ୍ୟାଖ୍ୟା କରିବାର ଅଧିକାର ଅଛି, କିନ୍ତୁ ବକ୍ତା ମୋତେ କହିବାକୁ ଅନୁମତି ଦେଲେ ନାହିଁ। ସମସ୍ତ ବିରୋଧୀ ଦଳଙ୍କୁ ଧନ୍ୟବାଦ ଯେ, ସେମାନେ ମୋତେ ସମର୍ଥନ କରିଥିଲେ। ଭବିଷ୍ୟତରେ ଏକାଠି କାମ କରିବେ। ତଥାପି ଯେତେବେଳେ ଜଣେ ସାମ୍ବାଦିକ ପଚାରିଲେ ଆପଣ ଆପଣଙ୍କର ବିବୃତ୍ତିରେ ଅନୁତାପ କରୁଛନ୍ତି କି? ରାହୁଲ ଗାନ୍ଧୀ କହିଛନ୍ତି ଯେ, ବର୍ତ୍ତମାନ ଏହା ଏକ ଆଇନଗତ ମାମଲା। ଏହା ଉପରେ କହିବା ଠିକ୍ ନୁହେଁ। ମୁଁ ଭାରତ ପାଇଁ ଲଢିବି। ମୁଁ ଗଣତନ୍ତ୍ର ପାଇଁ ଲଢିବି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଦେଶ ବିରୋଧରେ କୌଣସି କଥା କହି ନାହିଁ। ମୋର ଭରତ ଯୋଡୋ ଯାତ୍ରାର କୌଣସି ଭାଷଣକୁ ଦେଖନ୍ତୁ, ମୁଁ ସର୍ବଦା କହିଛି ଯେ, ସମସ୍ତ ସମାଜ ଏକ। ଘୃଣା, ହିଂସା ଘଟିବା ଉଚିତ୍ ନୁହେଁ। ଧ୍ୟାନକୁ ବିଭ୍ରାନ୍ତ କରିବାକୁ ବିଜେପି କାର୍ଯ୍ୟ କରେ, ବେଳେବେଳେ ଏହା ଓବିସି ବିଷୟରେ କହିବ, କେବେ ବି ବିଦେଶ ବିଷୟରେ କହିବ। ମୁଁ ଏହି ଲୋକମାନଙ୍କୁ ଭୟ କରେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୫୦୦ ରୁ ଅଧିକ କରୋନା ମାମଲା ଚିହ୍ନଟ, ୧୪୬ ଦିନ ମଧ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ ର ୧,୫୯୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଯାହା ଗତ ୧୪୬ ଦିନ ମଧ୍ୟରେ ସର୍ବାଧିକ। ଏହା ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୮,୬୦୧ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ଆଠଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ତିନି ଜଣ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୨୪ କୁ ବୃଦ୍ଧି ପାଇଛି।

ଏହା ସହିତ ଭାରତରେ କୋଭିଡ-୧୯ ର ମୋଟ ମାମଲା ୪ କୋଟି ୪୭ ଲକ୍ଷ ୨ ହଜାର ୨୫୭ କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ସଂକ୍ରମଣରୁସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୬୨ ହଜାର ୮୩୨ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଘଣ୍ଟାଏ ପାଇଁ ବିଦ୍ୟୁତ ସୁଇଚ ବନ୍ଦ କରନ୍ତୁ, ବାଲୁକା କଳାରେ ସଚେତନ କଲେ ସୁଦର୍ଶନ

ପୁରୀ: ଆଜି ସାରା ବିଶ୍ବ ପାଳନ କରିବ ଆର୍ଥ ଆୱାର। ଅର୍ଥାତ ଘଣ୍ଟାଏ ପାଇଁ ଆଜି ଘରର ସମସ୍ତ ବିଦ୍ୟୁତ ସୁଇଚ ଅପ କରିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ ନେଇଛନ୍ତି ପଦକ୍ଷେପ। ସେ ନିର୍ମାଣ କରିଛନ୍ତି ଏକ ବାଲୁକା କଳା, ଯାହା ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବେଶ ସାହାଯ୍ୟ କରିପାରୁଛି।

ବର୍ତ୍ତମାନ ପୃଥିବୀ ଧିରେ ଧିରେ ଉତପ୍ତ ହେବାରେ ଲାଗିଛି। ଏଥିପାଇଁ ଆମ ଘରର ବିଦ୍ୟୁତ ମଧ୍ୟ କେତେକ କାରଣ ପାଇଁ ଦାୟୀ। ସେଥିପାଇଁ ଆଜି ରାତି ୮ ଟା ୩୦ ରୁ ୯ ଟା ୩୦ ପଯ୍ୟନ୍ତ ବିଦ୍ୟୁତ ସୁଇଚ ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ଗୋଟିଏ ସମୟରେ ପୃଥିବୀର ବିଦ୍ୟୁତ ବନ୍ଦ ହେଲେ ତାହାର ପ୍ରଭାବ ପଡିବାକୁ ଥିବାରୁ ସବୁଆଡେ ଗୋଟିଏ ସମୟ ଧାର୍ଯ୍ୟ କରାଯାଇଛି।