ଭୁବନେଶ୍ଵର: ଭୁବନେଶ୍ଵର ସାଂସଦଙ୍କ ଦ୍ଵାରା ନିର୍ମିତ ‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପକୁ ନେଇ କଂଗ୍ରେସ ପକ୍ଷରୁ ସାଂଘାତିକ ଅଭିଯୋଗ କରାଯାଇଛି। ଖୋର୍ଦ୍ଧାରେ ନିର୍ମିତ ‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା କଂଗ୍ରେସ ନେତ୍ରୀ ସୋନାଲି ସାହୁ ଅଭିଯୋଗ କରିଛନ୍ତି।
କଂଗ୍ରେସ ନେତ୍ରୀ ସୋନାଲିଙ୍କ ଅଭିଯୋଗ ମୁତାବକ ଖୋର୍ଦ୍ଧାରେ ପାଦ ଚଲା ଲୋକଙ୍କ ପାଇଁ ନିର୍ମିତ ୪ ଟି ପୋଲରେ ପ୍ରାୟ ୬ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଆକଳନ ଅନୁଯାୟୀ, ୩୦ ଲକ୍ଷରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ କାହା ସ୍ଵାର୍ଥରେ ଗୋଟିଏ ପୋଲ ପାଇଁ ପ୍ରାୟ ୧ କୋଟି ୫୦ ଖର୍ଚ୍ଚ ଟଙ୍କା ଖର୍ଚ୍ଚ କରିଛନ୍ତି।
କେବେଳ ସେତିକି ନୁହେଁ, ଅପରାଜିତା ଷଡଙ୍ଗୀଙ୍କ ଉପରେ ସୋନାଲି ଗୁରୁତର ଅଭିଯୋଗ ଆଣିଛନ୍ତି। ସାଂସଦ ଅପରାଜିତା କାହିଁକି ଏବଂ କେଉଁ ସ୍ଵାର୍ଥରେ ‘ଦୂର୍ଗା ଆସୋସିଏଟ’ ନାମକ ସଂସ୍ଥାକୁ ଏହି ପ୍ରକଳ୍ପ ନିର୍ମାଣର ଦାୟିତ୍ଵ ଦେଇଥିଲେ ବୋଲି କଂଗ୍ରେସ ନେତ୍ରୀ ପଚାରିଛନ୍ତି। ଯେଉଁଠି ପାଖାପାଖି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା, ସେଠାରେ ୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କିପରି ହୋଇଛି? ଏହି ଦୂର୍ଗା ଆସୋସିଏଟ ସଂସ୍ଥାର ମାଲିକ ଅପରଜିତା ଷଡଙ୍ଗୀଙ୍କ ପାଖ ଲୋକ ବୋଲି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି। ଏତଦବ୍ୟତୀତ ଅନାବଶ୍ୟକ ସ୍ଥାନରେ ଫୁଟ ଓଭର ବ୍ରିଜ ନିର୍ମାଣ କାହିଁକି କରାଯାଇଛି, ତାହା ଉପରେ କଂଗ୍ରେସ ନେତ୍ରୀ ପ୍ରଶ୍ନ କରିଛନ୍ତି।


