Categories
ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ବର: ଖୁବ ଶିଘ୍ର ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା। ଏ ନେଇ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଦିଲ୍ଲୀ ଯିବା ପୂର୍ବରୁ ସେ କହିଛନ୍ତି ଯେ, ଦିଲ୍ଲୀରେ ଶନିବାର ଦିନ ସ୍କ୍ରିନିଂ କମିଟ ବୈଠକ ବସିବ ଏବଂ ରବିବାର ଦିନ ସିଇସି ବୈଠକ ବସିବ। ଏଥିରେ ଓଡିଶାର ତାଲିକା ପ୍ରସ୍ତୁତ ହୋଇ ଘୋଷଣା ହେବ।

ଶରତ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଆସନ୍ତା 15 ତାରିଖ ସୁଦ୍ଧା ଓଡିଶାର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ବିଜେଡି ବିଜେପି ରାଜ୍ୟର ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଓଡିଶା ପାଇଁ ନୂଆ ପ୍ରଚାର କମିଟ ସଦସ୍ୟଙ୍କ ନାମ, ଅଛନ୍ତି ୫୯ ଜଣ ନେତା

ଭୁବନେଶ୍ବର: ଆଜି ଏଆଇସିସି ତରଫରୁ ଓଡିଶା ପାଇଁ ନୂଆ ପ୍ରଚାର କମିଟ ଘୋଷଣା କରିଛି। ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଏହି କମିଟ ଘୋଷଣା କରାଯାଇଛି।

ଏଥିରେ ମୋଟ ୫୯ ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ପ୍ରଚାର କମିଟ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ବର୍ତ୍ତମାନ ପୁରା କମିଟ ଗଠନ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି। ଯେଉଁମାନେ ଏହି କମିଟରେ ଅଛନ୍ତି ସେମାନେ ହେଲେ ..

ଏହି କମିଟରେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଏବଂ ସୁଧାଂଶୁ ଶେଖର ଦେଓଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଟରେ ବରିଷ୍ଠ ନେତାମାନଙ୍କୁ ଦଳ ପ୍ରାଧ୍ୟାନ୍ୟ ଦେଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଓଡିଶା କଂଗ୍ରେସ ନାମକୁ ମାତ୍ର ଲଢ଼େଇ କରିବ !!!

ଭୁବନେଶ୍ବର: ରଜ୍ୟରେ କଂଗ୍ରେସର ନେତାମାନଙ୍କ ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ଚଳିତ ନିର୍ବାଚନରେ ଦଳ ଜିତିବା ପାଇଁ ନୁହେଁ କେବଳ ନିଜ ନାମ ରକ୍ଷା କରିବା ପାଇଁ ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହେଉଛି। କାରଣ କଂଗ୍ରେସ ନେତାମାନେ ଏବେ ରାଜ୍ୟର ଶାସନ କ୍ଷମତାେର ଥିବା ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବାରେ ସଫଳ ହେଉଛନ୍ତି।

ରାଜ୍ୟ କଂଗ୍ରେସର ନେତାମାନେ ଜାଣଗଲେଣି ଯେ ସେମାନେ କଂଗ୍ରେସରେ ରହିଲେ ନିର୍ବାଚନ ଜିତିପାରିବେ ନାହିଁ। ତେଣୁ ସେମାନେ ନିଜ ଭବସିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଉପରୋକ୍ତ ଦୁଇଟି ଦଳରେ ଯୋଗ ଦେଉଛନ୍ତି।

୨୦୦୦ରୁ ରାଜ୍ୟରେ ଚାଲିଥିବା ବିଜେପି-ବିଜେଡି ମେଣ୍ଟ ୨୦୦୯ରେ ଭାଙ୍ଗିଯାଇଥିଲା। ଏହାପରଠାରୁ ନିର୍ବାଚନ ଲଢ଼ିବା ପାଇଁ ବିଜେଡିର କଂଗ୍ରେସ ନେତାମାନଙ୍କ ଉପରେ ନିର୍ଭରଶୀଳତା ଆରମ୍ଭ ହୋଇଥିଲା, ଯାହାକି ଏବେ ଶୀର୍ଷ ସ୍ତରରେ ପହଞ୍ଚିଛି। ୨୦୦୯ରେ ବିଜେଡି ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ଓ ୨୦୦୪ ନିର୍ବାଚନରେ ପୁରୀ ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କଠାରୁ ହାରଥିବା କଂଗ୍ରେସ ନେତା ପିନାକୀ ମିଶ୍ରଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିଥିଲା।

ରୋହିତ ରେଢ଼ାଖୋଲରୁ ବିଧାୟକ ହୋଇଥିବାବେଳେ ପିନାକୀ ପୁରୀରୁ ସାଂସଦ ନିର୍ବାଚିତ ହୋଇଥିଲେ। ପାଲଲହଡ଼ାର କଂଗ୍ରେସ ବିଧାୟକ ନୃସିଂହ ସାହୁ ବିଜେଡିକୁ ଆସି ନିର୍ବାଚନ ଲଢ଼ିଥିଲେ। ସେହିପରି କେନ୍ଦୁଝର ଲୋକସଭାରୁ ପୂର୍ବରୁ ହାରିଥିବା କଂଗ୍ରେସ ପ୍ରାର୍ଥୀ ଯଶବନ୍ତ ନାରାୟଣ ଲାଗୁରୀ ବିଜେଡିରେ ଯୋଗଦେଇ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏପରିକି ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ୨୦୧୪ରେ ଲୋକସଭା ନିର୍ବାଚନ ଲଢ଼ିଥିଲେ।

ଏହାପରେ ୨୦୧୪ ନିର୍ବାଚନରେ ବିରୋଧୀଦଳ ନେତା ତଥା କଂଗ୍ରେସ ବିଧାୟକ ଭୂପିନ୍ଦର ସିଂହ, ବ୍ରଜରାଜନଗରରୁ ନିର୍ବାଚିତ କଂଗ୍ରେସ ବିଧାୟକ ଅନୁପାଏ ବିଜେଡିରେ ଯୋଗ ଦେଇଥିଲେ। ୨୦୧୭ରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡିକୁ ଅଣାଯାଇ ଉପନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବ ଦାସ, ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, କଂଗ୍ରେସ ନେତା ବିକ୍ରମ ପଣ୍ଡା, ଢେଙ୍କାନାଳର କଂଗ୍ରେସ ନେତା ସୁଧୀର ସାମଲ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ସୁନ୍ଦରଗଡ଼ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିଲେ।

ବର୍ତ୍ତମାନ ବିଜଦର କ୍ରାଇସିସ୍‍ ମ୍ୟାନେଜର ହୋଇଥିବା ମାନସ ମଙ୍ଗରାଜଙ୍କ ଉତ୍ପତ୍ତି ମଧ୍ୟ କଂଗ୍ରେସରୁ ହୋଇଛି। ସେ କଂଗ୍ରେସ ଟିକଟରେ ଚିଲିକାରୁ ଲଢ଼ି ପରାଜିତ ହୋଇଥିଲେ। ଏହିପରି ଆହୁରି ଅନେକ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଥିଲେ।

ପୂର୍ବର ୩ଟି ନିର୍ବାଚନ ଅପେକ୍ଷା ଚଳିତ ୨୦୧୪ ନିର୍ବାଚନ କଂଗ୍ରେସ ନେତାମାନଙ୍କୁ ବିଜେଡି ପ୍ରାର୍ଥୀ କରିବାରେ ସମସ୍ତ ରେକର୍ଡ ପଛରେ ପକାଇ ଦେଇଛି। ଚଳିତ ନିର୍ବାଚନରେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂହ ଭୋଇ, ଧନୁର୍ଜୟ ସିଦ୍ଧୁ, କେ, ସୂରୟା ରାଓ, ରୋହିତ ତିର୍କୀ, ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ପକ୍ଷରୁ ଚଳିତ ନିର୍ବାଚନରେ ପ୍ରାର୍ଥ କରାଯାଇଛି।

ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ, ଗଣେଶ୍ୱର ବେହେରା, ବାପି ସର୍ଖେଲ, ପ୍ରଦୀପ ସାହୁ ପ୍ରମୁଖ ବିଜେଡିରେ ଯୋଗ ଦେଇ ପ୍ରାର୍ଥୀ ହେବାକୁ ଅପେକ୍ଷା କରିଥିବାବେଳେ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ତାରାପ୍ରସାଦ ବାହିନୀପତି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

କେବଳ ବିଜେଡି ନୁହେଁ ବିଜେପି ମଧ୍ୟ କେତେକ ଆସନରେ କଂଗ୍ରେସ ନେତାମାନଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି। ସେମାନଙ୍କ ମଧ୍ୟରେ ଅତାବିରାରୁ ନିହାର ମହାନନ୍ଦ, ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିସାରିଛି। ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେବା ଆଶାରେ ଅଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ଭିନ୍ନ ନିୟମ, ଆଶାୟୀ ପ୍ରାର୍ଥୀମାନେ ଦେବେ ୫୦ ହଜାର ଟଙ୍କାର ଚେକ୍

ଭୁବନେଶ୍ବର: ଟିକେଟ ଆଶାୟୀଙ୍କ ପାଇଁ ପ୍ରଦେଶ କଂଗ୍ରେସ ଏକ ଅଦଭୁତ ନିୟମ ଜାରୀ କରିଛି। ତାହା ହେଲା ଯେଉଁମାନେ ଆଶାୟୀ ପ୍ରାର୍ଥୀ ସେମାନେ ପ୍ରଥମେ ୫୦ ହଜାର ଟଙ୍କାର ଚେକ କଂଗ୍ରେସ ନାମରେ ଦାଖଲ କରିବେ। ଏହାପରେ ସେମାନଙ୍କ ନାମ ବିଚାରକୁ ନିଆଯିବ। ଯଦି କୌଣସି କାରଣରୁ ଟିକେଟ ନ ମିଳିଲା ତେବେ ସେହି ଚେକ ତାଙ୍କୁ ଫେରାଇ ଦିଆଯିବ।

ଏପରି ନିୟମ କରିବା ପଛରେ କାରଣ ହେଉଛି ଯେ, ଅନେକ ଟିକେଟ ନ ପାଇ ଅନ୍ୟଦଳକୁ ଚାଲିଯାଉଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିୟମ କରାଯାଇଛି। ଏହା କେବଳ ଓଡିଶା ପାଇଁ ନୁହେଁ, ସାରା ଦେଶରେ ଏପରି ନିୟମ କଂଗ୍ରେସ ଜାରୀ କରିଛି। ଏହାଦ୍ବାରା ନେତାମାନେ ଦଳ ଡିଆଁ କରିପାରିବେ ନାହିଁ ବୋଲି ଦଳ ଆଶା କରିଛି।

ଗତକାଲି ପୁରୀର ଏକ ହୋଟେଲରେ ମାରଥନ ବୈଠକ କରାଯାଇଥିଲା। ଏଥିରେ ଦଳର ପ୍ରଗମନ ମାଧ୍ୟମରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ବାଓଡାଟା ତଦାରଖ କରିବା ପରେ ବହୁ ଆଶାୟୀଙ୍କୁ ପୁରୀ ଡକାଯାଇଥିଲା। ସେଠାରେ ସେମାନଙ୍କୁ ଦଳର ଆଭିମୁଖ୍ୟ ତଥା ଜିତିବାର ମନ୍ତ୍ର ଫୁଙ୍କା ଯାଇଥିଲା। ଏଥିରେ ଏଆଇସିସିରୁ ଆସିଥିବା ପ୍ରତିନିଧି ମଣ୍ଡଳି ମଧ୍ୟ ସାମିଲ ହୋଇଥିଲେ।

ଏହି ବୈଠକରେ ଗତକାଲି ଓଡିଶାର ସମସ୍ତ ଆସନର ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇସାରିଛି। ସେ ସବୁ ତାଲିକା କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟ ଆଗରେ ଉପସ୍ଥାପିତ କରାଯିବ। ସେମାନେ ଶେଷ ସ୍ପର୍ଶ ଦେବା ପରେ ତାହା ଘୋଷଣା କରାଯିବ। ଖବର ଅନୁସାରେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ପ୍ରଦେଶ କଂଗ୍ରେସ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଅଣାଯାଇଥିଲା।

ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ ଛକ, ରାଜମହଲ ଛକ ଓ ମାଷ୍ଟରକ୍ୟାଂଟିନ ଛକଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଲାପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ ବୋଷ, ଆମ୍ବେଦକର, ଇନ୍ଦିରା ଗାନ୍ଧୀ, ମଧୁ ବାବୁ, ପଣ୍ଡିତ ଗୋପବନ୍ଧୁ ଦାସ ଓ କୃଷ୍ଣଚନ୍ଦ୍ର ଗଜପତି ସମେତ ରାଷ୍ଟ୍ରନାୟକଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମବେତ ହଜାର ହଜାର କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ଦାସ କହିଥିଲେ ଯେ ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ।

ଆସନ୍ତା ୨୦ ଦିନ ମଧ୍ୟରେ ସାରା ରାଜ୍ୟରେ କଂଗ୍ରେସର ପ୍ରଚାର ଅତି ଦୃତ ଗତିରେ ଆଗେଇଯିବ। ଓଡ଼ିଶାର ଜନସାଧାରଣ ଉଭୟ ବିଜେଡ଼ି ଓ ବିଜେପିର ମିଳିତ ସରକାରଙ୍କୁ ୨୫ ବର୍ଷ ଧରି ଏ ରାଜ୍ୟରେ ଶାସନ କରିବାର ସୁଯୋଗ ଦେଲେ। କିନ୍ତୁ ଏ ରାଜ୍ୟ କୌଣସି କ୍ଷେତ୍ରରେ ଆଜି ସ୍ୱାବଲମ୍ବି ହୋଇପାରିଲା ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉତ୍କଟ। ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ବେକାରୀ ସମସ୍ୟା ଆଜି ଶୀର୍ଷ ସ୍ତରରେ ପଂହଚିଛି। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାପାଇଁ ବାହାରକୁ ଯାଉଛନ୍ତି। ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟର କୃଷକମାନଙ୍କର ଆୟକୁ ବୃଦ୍ଧି କରାଯାଇ ପାରିଲାନାହିଁ।

ରାଜ୍ୟର ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଶିକ୍ଷା ପାନୀୟ ଜଳ, ରୋଜଗାର ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ। କିନ୍ତୁ ଏ ସରକାର କେବଳ ଗଣମାଧ୍ୟମରେ ବିକାଶ ହୋଇଛି ବୋଲି କହି ବାହା ବାହା ନେବାକୁ ପଛାଉନାହାନ୍ତି। ଓଡ଼ିଶାର ଜନସାଧାରଣ ଆଜି ସଜାଗ ହୋଇଛନ୍ତି ଏମାନଙ୍କ ସମ୍ପର୍କ କେବଳ ଓଡ଼ିଶାର ସମ୍ପତିକୁ ଲୁଟ କରିବାପାଇଁ କିନ୍ତୁ ଓଡ଼ିଶାର ବିକାଶ ଏମାନଙ୍କ ଚିନ୍ତାରେ ନାହିଁ। ଆଉ କେତେବର୍ଷ ଶାସନ କଲାପରେ ଓଡ଼ିଶାର ମୌଳିକ ସମସ୍ୟାକୁ ସମାଧାନ କରାଯାଇପାରିଥାନ୍ତା। ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇବାର ଯୁଗ ଶେଷ ହେଲା। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଓଡ଼ିଶାରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବ। ଯେଉଁମାନଙ୍କର କଂଗ୍ରେସ ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ଅଛି ସେମାନେ କଂଗ୍ରେସ ଦଳକୁ ଫେରିଆସନ୍ତୁ।

ଆଜିର କାର୍ଯ୍ୟକ୍ରମରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ରମେଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ନକୁଳ ନାୟକ, ବିଶ୍ୱଜିତ ଦାଶ, ରଣଜିତ ପାତ୍ର, ୟାସିର ନୱାଜ, ଅମିୟ ପାଣ୍ଡବ, ବଳଭଦ୍ର ମାଝୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ହଳଧର ସେଠୀ, ରଜନୀ ମହାନ୍ତି, ନିପନ ଦାସ, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ସୁଦର୍ଶନ ଦାସ, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, ଶୁଭଦ୍ରା ମିଶ୍ର, ସ୍ନେହା ଜେନା, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ନିହାର ବେହେରା, ଶାନ୍ତାୟନ ମିଶ୍ର, ଶିଶିର ରଥ, ବଟକୃଷ୍ଣ ରାଉତରାୟ, ବିଂରଚି ବାରିକ, ଅମରେଶ ପରିଡ଼ା, ବିକାଶ ପଶୁପାଳକ, ବଳରାମ ନନ୍ଦ, ସୁଦିପ ସାମଲ, ମହମ୍ମଦ ପରଭେଜନ, ସୁନିଲ ସାହୁ ଗାନ୍ଧୀ, କାର୍ତିକେଶ୍ୱର କାଣ୍ଡି, ଉଦ୍ଦିତ ପ୍ରଧାନ, ସ୍ପନ୍ଦନ ସ୍ୱାଇଁ, ସାଗର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାମ ଦେଲାନି ବାପାଙ୍କ ତାଗିଦ୍: ବିଜେଡ଼ି ରେ ମିଶିଲେ ସୁର ରାଉତରାୟଙ୍କ ସାନ ପୁଅ

ଭୁବନେଶ୍ଵର: ବାପାଙ୍କ ଅନିଚ୍ଛା ଏବଂ ତାଗିଦ୍ ସତ୍ତ୍ୱେ ସାନ ପୁଅ ବିଜେଡ଼ି ରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ଆଜି ବିରାଟ ପଟୁଆରରେ ଆସି ଶଙ୍ଖ ଭବନରେ ବିଜେଡ଼ି ରେ ସାମିଲ ହୋଇଛନ୍ତି। ସେଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ସ୍ବାଗତ କରିଛନ୍ତି। ତେବେ ମନ୍ମଥ ବିଜେଡି ଟିକେଟରେ ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି।

ମନ୍ମଥ କହିଛନ୍ତି ଯେ, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ରେ ସାମିଲ ହୋଇଛି। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଭରସା କରିଥିବାରୁ ମୁଁ ଗର୍ବିତ। ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ। ମୁଁ ଶୃଙ୍ଖଳିତ କର୍ମୀ ଭାବେ ବିଜେଡ଼ି ଦଳରେ କାମ କରିବି।

ଉଲ୍ଲେଖ ଯୋଗ୍ୟ ଯେ, ରାଜନୀତିକୁ ଆସିବା ପୂର୍ବରୁ ମନ୍ମଥ ଜଣେ ପାଇଲଟ ଭାବେ କାର୍ଯ୍ଯ କରୁଥିଲେ। ଚାକିରୀରୁ ସ୍ଵେଚ୍ଛାକୃତ ଭାବେ ଅବସର ନେବା ପରେ ରାଜନୀତିରେ ସାମିଲ ହେବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ହେଲେ ସେ ବିଜେଡ଼ିରେ ସାମିଲ ହେବା ପରେ ଏହି କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି।

ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି। କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି ସୁର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

କେନ୍ଦ୍ରାପଡ଼ା: ଆଜି ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତିତ୍ୱରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି। ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନେଇ ଇସ୍ତାହାର ପ୍ରସ୍ତୁତ କରିଛି ଏବଂ ଗତ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱର କଂଗ୍ରେସ ବଭନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ ତତ୍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟାନାୟକ ଓ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ଦ୍ୱାରା ପ୍ରକାଶ କରାଯାଇଛି। ୯ ଗ୍ୟାରେଂଟି ଓ ୯୦ ସଂକଳ୍ପ ବିଶିଷ୍ଟ ଇସ୍ତାହାର ସବୁ ଶ୍ରେଣୀ ଓ ସବୁ ବର୍ଗର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟା

୯ ଗ୍ୟାରେଂଟି ଉପରେ ଆଲୋକପାତ କରି ଶ୍ରୀ ବେହେରା କହିଥିଲେ ଯେ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକ ପାଇଁ ମାସିକ ପେନ୍‌ସନ୍ ୨୦୦୦ ଟଙ୍କା, ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସିକ ୩୦୦୦ ଟଙ୍କା, ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ଭତ୍ତା ୨୦୦୦ ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା,  କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତିକ-ସାମାଜିକ ଓ  ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ୍ ହଳଦୀ ଦିଆଯିବା, ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ପଛୁଆ ବର୍ଗ ପାଇଁ ଜାତି ଜନଗଣନା ସହ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତି ନିଆଯାଇଛି।

ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଇସ୍ତାହାରରେ କୁହାଯାଇଥିବା ସମସ୍ତ ଗ୍ୟାରେଣ୍ଟି କୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ସେ ନିବେଦନ କରି କହିଥିଲେ ଯେ ରାଜ୍ୟବାସୀ କଂଗ୍ରେସର ଇସ୍ତାହାରକୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତନ ଆଣିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ନବନିଯୁକ୍ତ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ରତିକାନ୍ତ କାନୁନ୍‌ଗୋ, ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ଜିଲ୍ଲା ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ ଉପସ୍ଥିତ ଥିଲେ। ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ନବ ନିଯୁକ୍ତ ପିସିସି ଉପସଭାପତି ଚିନ୍ମୟ ପ୍ରସାଦ ବେଉରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ଏକ ମିଶ୍ରଣ ପର୍ବ କରାଯାଇ ବିଜେଡି ଦଳ ତ୍ୟାଗ କରି ଆସିଥିବା ମହାକାଳପଡା ବ୍ଲକ ଅନ୍ତର୍ଗତ ପରକୁଳା ପଂଚାୟତର ପୂର୍ବତନ ସମିତି ସଭ୍ୟ ଦିପ୍ତୀମୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ହିରଣ୍ୟ ମିଶ୍ର ଓ ବିଜୟନଗର ପଂଚାୟତର ଚନ୍ଦ୍ରକାନ୍ତ ସାମନ୍ତରାୟ, ପ୍ରତାପ ଦାସ, ସୁନୀଲ ଦାସ, ବଂଟି ଦାସ, କୁନୁ ଦାସ, ତୋଫା ଜେନା, କାଂଚନ ଦାସ, ସାନୁ ଦାସ, ବନପାଣି ଦାସ, ବୁଲୁ ଦାସ, ପିଂଟୁନା ଦାସ ଓ ଆଶିଷ ଦାସଙ୍କୁ କଂଗ୍ରେସ ଦଳରେ ସାମିଲ କରାଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଓ ରତିକାନ୍ତ ସାମଲ, ଗଣେଶ ମେକାପ, ପ୍ରଶାନ୍ତ ରାଉତ, ଉମାଶଙ୍କର ଜେନା, ମୀର ମୁରସିଦ୍‌, ବସନ୍ତ କୁମାର ସେଠୀ ଓ ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି।

ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ଚର୍ଚ୍ଚା ହେବାର କାରଣ ହେଉଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ ହିଁ ଜଣାଇଛନ୍ତି ଉଭୟ ନିର୍ବାଚନ ଲଢିବେ। ଜଟଣୀରେ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ଜନସଭା ପରେ ଶରତ ପଟ୍ଟନାୟକ ଏହା କହିଛନ୍ତି। ସେଠାରେ ସେ ସୁରେଶ ରାଉତରାୟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସଂଗଠନ ଅଛି ବୋଲି ଅନୁଭବ କଲେ। ଜଟଣୀରେ ତାଙ୍କ ପୁଅ ଅପେକ୍ଷା ବାପା ସୁର ରାଉତରାୟଙ୍କୁ ଲୋକେ ବହୁତ ଭଲ ପାଉଛନ୍ତି ବୋଲି ଶରତ ଜାଣିବାକୁ ପାଇଲେ।

ଏହାପରେ ସେ ଭୁବନେଶ୍ବର ଆସି ଅନ୍ୟମାନଙ୍କୁ କହିଲେ ଯେ, ଜଟଣୀରୁ ସୁରେଶ ରାଉତରାୟ ଛିଡା ହେବେ। କାରଣ ସେଠାକାର ଲୋକେ ସେ ଛିଡା ହୁଅନ୍ତୁ ବୋଲି ଚାହୁଛନ୍ତି। ଆମେ ସୁର ଭାଇଙ୍କୁ ଅନୁରୋଧ କରିବୁ ସେ ଏଥର ନିର୍ବାଚନରେ ଜଟଣୀ ବିଧାନସଭାରୁ ଲଢେଇ କରନ୍ତୁ। ସେହିପରି ସେ ଏହା ମଧ୍ୟ କହିଥିଲେ ଯେ, ବରିଷ୍ଠ ନେତା ନରିସଂହ ମିଶ୍ରଙ୍କୁ ମଧ୍ୟ ଲୋକେ ଚାହୁଛନ୍ତି। ତାଙ୍କୁ ମଧ୍ୟ ଏଥର ଛିଡା କରିବା ପାଇଁ ଅନୁରୋଧ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ କଂଗ୍ରେସ ବେଶ ପୁରୁଖା ନେତା ହେଉଛନ୍ତି ନରସିଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଉଭୟଙ୍କର ତ୍ରୁଣମୂଳ ସ୍ତରରେ ରହିଛି ସୁଦୃଢ ସଂଗଠନ। ହେଲେ ବୟସ ହୋଇଯାଇଥିବାରୁ ଉଭୟ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏପରିକି ଉଭୟ ସେମାନଙ୍କର ପୁଅଙ୍କୁ କଂଗ୍ରେସ ଟିକେଟ ଦେଉ ବୋଲି ଅନୁରୋଧ କରିଛନ୍ତି। ଏଥିରେ କଂଗ୍ରେସ ଦଳ ମଧ୍ୟ ରାଜି ହୋଇଥିବାର ଜଣାପଡିଛି। ହେଲେ ପରିସ୍ଥିତି ଦେଖି ବର୍ତ୍ତମାନ ଦଳ ପୂର୍ବ ନିଷ୍ପତିରେ ପରିବର୍ତ୍ତନ କରିଥିବାର ଲକ୍ଷ୍ୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚ଼ିନ୍ତା ନାହିଁ: କଂଗ୍ରେସ

ଭୁବନେଶ୍ଵର: ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଭିନ୍ନକ୍ଷମ ବିଦ୍ୟାର୍ଥୀ ମଧ୍ୟ ତାର ଶିକ୍ଷା ସାଧାରଣ ବିଦ୍ୟାର୍ଥୀ ପରି ପାଇବାର ଆବଶ୍ୟକତା ଅଛି ଏବଂ ତାର ମୌଳିକ ଅଧିକାର। ଓଡ଼ିଶାରେ ପ୍ରାୟ ୬୮୦୦୦ ସାଧାରଣ ବିଦ୍ୟାଳୟ ଅଛି ଏବଂ ୧ ଲକ୍ଷ ୪୬ ହଜାର ୩୬୪ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀ ସାଧାରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କର ଅଭାବ ରହିଛି ବୋଲି ପ୍ରଦେଶ କଂଗ୍ରେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ବିଶ୍ବାଳ କହିଛନ୍ତି।

ଏହି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ରାୟ କୁ ଖୁଲମଖୋଲା ଅବମାନନା କରୁଛନ୍ତି ରାଜ୍ୟ ସରକାର। ଶ୍ରୀ ବିଶ୍ବାଳ କହିଛନ୍ତି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ଏବଂ ଅନ୍ତର୍ନିବେଶୀ ଶିକ୍ଷା ନୀତି ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି।ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକାର ଆଇନ ଅର୍ନ୍ତଗତ ନିୟମ ଲାଗୁତ କରୁଛନ୍ତି କିନ୍ତୁ ଏହାକୁ ସଠିକ ରୂପେ ପରିଚ଼ାଳନା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଯାହା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ବୈମାତୃକ ମନୋଭାବ ପୋଷଣ କରିବାର ଜ୍ଵଳନ୍ତ ଉଦାହରଣ ବୋଲି ଶ୍ରୀ ବିଶ୍ବାଳ ସରକାରଙ୍କୁ କଡ଼ା ସମାଲୋଚ଼ନା କରିଛନ୍ତି।

ଭାରତୀୟ ପୁନର୍ବାସ ପରିଷଦର ବୈଧାନିକ ରେ ଉଲ୍ଲେଖ ଅଛି ଯେ, ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କୁ କେବଳ ସ୍ବତନ୍ତ୍ର ଶିକ୍ଷା ରେ ପ୍ରଶିକ୍ଷଣ ନେଇ ଭାରତୀୟ ପୁନର୍ବାସ ପରିଷଦ ରେ ନାମ ପଞ୍ଜିକରଣ କରିଥିବା ଶିକ୍ଷକ ହିଁ ଶିକ୍ଷା ଦାନ କରିପାରିବେ କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ବି ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି, ତାହାଲେ ବିଦ୍ୟାଳୟ ରେ ନାମ ଲେଖାଇଥିବା ୧ ଲକ୍ଷ ୪୬ ହଜାର ୩୬୪ ଦିବ୍ୟାଙ୍ଗ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଛନ୍ତି କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ବାଳ। ଏ ଦିଗରେ ମାନ୍ୟବର ସୁପ୍ରିମକୋର୍ଟ ଦୁଇ ବର୍ଷ ମଧ୍ୟରେ ୮ ଥର ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ତାଙ୍କର ଅପାରଗତାକୁ ଲୁଚାଇବାକୁ ଯାଇ ମିଥ୍ୟା ସତ୍ୟପାଠ ଦାଖଲ କରି ମାନ୍ୟବର ସୁପ୍ରିମକୋର୍ଟକୁ ଭ୍ରମିତ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି କଂଗ୍ରେସ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ୟାନେଲିଷ୍ଟ ଶୁଭେନ୍ଦୁ ଶେଖର ମଲ୍ଲିକ ଓ ଓଡ଼ିଶା ସ୍ବତନ୍ତ୍ର ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋୖଧୁରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଶକ୍ତି ବୃଦ୍ଧି ପାଇଁ ବାଣପୁରରେ କଂଗ୍ରେସର ସାଙ୍ଗଠନିକ ବୈଠକ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ମୀନାକ୍ଷୀ ପ୍ରଧାନଙ୍କ ନେତୃତ୍ବରେ ଏକ ସାଙ୍ଗଠନିକ ବୈଠକ ଆଜି ବାଣପୁର ଘଣ୍ଟଶୀଳା ନିକଟସ୍ଥ ଅଲେଖ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚିଲିକାରେ ଦଳକୁ କିପରି ଆଗକୁ ସୁଦୃଢ ଓ ମଜବୁତ କରାଯିବ ସେ ନେଇ କଂଗ୍ରେସ ନେତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀମାନେ ଶପଥ ନେଇଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରସିକ୍ ଚାନ୍ଦ ପଟ୍ଟନାୟକ, ଚିଲିକା ନିର୍ବାଚନ ମଣ୍ଡଳୀ ସଂଯୋଜକ ବିପିନ ବିହାରୀ ବାରିକୀ, ବାଣପୁର ବ୍ଳକ ସଭାପତି ଶମ୍ଭୁନାଥ ବେହେରା, ଚିଲିକା ବ୍ଳକ ସଭାପତି ହରିବନ୍ଧୁ ସାହୁ, ବିପ୍ର ରଞ୍ଜନ ଜେନା, ସୁଶାନ୍ତ ବିଶୋଇ, ଚିତ୍ତରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ପ୍ରଧାନ ଏବଂ ମହିଳା ନେତ୍ରୀ ମାଧୁରୀ ନାୟକ, ପୂଜା ପ୍ରଧାନ ଏବଂ ଏକାଧିକ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣି କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ପୁଣିଥରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଜି ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟାଳୟରେ ବିଧିବଧ ଭାବେ କଂଗ୍ରେସ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ।

ଶ୍ରକାନ୍ତ ଜେନା କଂଗ୍ରେସର ଜଣେ ପୁରୁଖା ନେତା ଥିଲେ। ସେ କଂଗ୍ରେସ ଶାସନ ସମୟରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ହେଲେ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିଥିଲା। ବର୍ତ୍ତମାନ ପୁଣି ଥରେ ସେ ଆଜି କଂଗ୍ରେସକୁ ଫେରିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମାହାଙ୍ଗା ବିଧାନସଭା: ପ୍ରତିଦ୍ୱନ୍ଦ୍ୱୀତାରେ ତିନି ଦଳର ଯୁବ ପ୍ରାର୍ଥୀ!

ଭୁବନେଶ୍ୱର: କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାନସଭାକୁ ବାଗ୍ମୀ ରାଜନତାମାନେ ନିର୍ବାଚିତ କରୁଥିବାର ଏକ ଅନନ୍ୟ ରେକର୍ଡ ଥିଲା। ସେଠାରୁ କଂଗ୍ରେସର ସେକ୍‍ ମତଲୁବ ଅଲ୍ଲୀ ଓ ଜନତା ଦଳ, ପରେ ବିଜେଡି ପକ୍ଷରୁ ଶରତ କର ବିଧାନସଭାକୁ ନିର୍ବାଚିତ ହୋଇ ନିଜ ବାଗ୍ମୀତାର ପରିଚୟ ଦେଇ ବକ୍ତା ଭାବରେ ସୁନାମ ଅର୍ଜନ କରିଥିଲେ। କିନ୍ତୁ ୨୦୦୪ ପରଠାରୁ ସେହି ଧାରା ଆଉ ଦେଖିବାକୁ ମିଳୁନାହିଁ। କାରଣ ଉଭୟ ନେତାଙ୍କର ପରଲୋକ ହୋଇଯାଇଛି। ତେଣୁ ଆଗାମୀ ନିର୍ବାଚନରେ ଏହି ଦୁଇନେତାଙ୍କ ପୁଅମାନେ ନିର୍ବାଚନ ସମରରେ ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏପରିକି ଗତଥରର ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ମଧ୍ୟ ଜଣେ ନୂତନ ଯୁକକଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି।

୨୦୦୯ର ନିର୍ବାଚନ ମଣ୍ଡଳୀ ପୁନଃଗଠନ ପରଠାରୁ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ମାହାଙ୍ଗାରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୯ ନିର୍ବାଚନରେ ଜିତିବା ପରଠାରୁ ବିଧାୟକ ଶ୍ରୀ ଜେନା ଅନେକ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ବିଜେଡି ଆଉ ପ୍ରାର୍ଥୀ କରିବ ନାହିଁ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଶରତ କରଙ୍କ ପୁଅ ଶୋଭନ କର ସର୍ବଭାରତୀୟ ଚାକିରିରୁ ଅବସର ନେଇସାରିଛନ୍ତି। ଶୋଭନ କରଙ୍କର ଏବେ ୫ଟି ଅଧ୍ୟକ୍ଷଙ୍କ ସହିତ ଭଲ ସମ୍ପର୍କ ଥିବାରୁ ସେ ନିଶ୍ଚିତ ପ୍ରାର୍ଥୀ ହେଉଛନ୍ତି ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି। ଏତଦ୍‍ଭିନ୍ନ ସେ ଶରତ କରଙ୍କ ପୁଅ ହୋଇଥିବାରୁ ତାଙ୍କ ପ୍ରତି ମତଦାତାମାନଙ୍କର ସହାନୁଭୂତି ରହିଥିବା ଲକ୍ଷ୍ୟ କରାଯାଉଛି। ଏହା ହେଲେ ଦଳ ବର୍ତ୍ତମାନର ବିଧାୟକ ପ୍ରତାପ ଜେନାଙ୍କୁ ଅନ୍ୟ କୌଣସି ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରାଇବ କିମ୍ବା ଦଳୀୟ ସଂଗଠନ କାମରେ ନିୟୋଜିତ କରାଇପାରେ।

ବିଜେଡି ଭଳି ବିଜେପିର ପ୍ରାର୍ଥୀ ଚୟନକୁ ନେଇ ରୋଚକ ଘଟଣା ସାମ୍ନାକୁ ଆସୁଛି। ଏକଦା ରାଜ୍ୟ ବିଜେପିରେ ଏକଚାଟିଆ ଆଧିପତ୍ୟ ଚଳାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚଳନ୍ତି ପ୍ରତିମା ଶାରଦା ପ୍ରଧାନ ଗତଥର ବିଜେପି ପ୍ରାର୍ଥୀଭାବେ ମାହାଙ୍ଗାରୁ ପ୍ରତିଦ୍ୱନ୍ଦ୍ୱୀତା କରି ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଆଗାମୀ ନିର୍ବାଚନରେ ଶାରଦାଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯିବାର ଆଶା କ୍ଷୀଣ ରହିଛି। ମାହାଙ୍ଗା ବ୍ଳକର ଆରଏସଏସର କର୍ମୀ ତଥା ଯୁବ ସଂଗଠକ ସୁମନ୍ତ କୁମାର ଘଡ଼େଇଙ୍କୁ ପ୍ରାର୍ଥୀ କରିବା ପାଇଁ ସଂଘ ପକ୍ଷରୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେଉଛି। ଏହା ଜାଣିପାରି ଶାରଦା ପ୍ରଧାନ ଏବେ ଅନ୍ୟଦଳକୁ ଯିବାକୁ କିମ୍ବା ପୁଣି ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପୂର୍ବରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଚୌଧୁରୀ ପ୍ରଭାତ କୁମାର ମିଶ୍ର ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି।

ମାହାଙ୍ଗା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ୪ଥର ନିର୍ବାଚିତ ହୋଇଥିବା ସେକ୍‍ ମତଲୁବ ଅଲ୍ଲୀଙ୍କ ପୁତ୍ର ମାସୁଦ ଅଲ୍ଲୀ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ମାହାଙ୍ଗା ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତା ପ୍ରାୟ ୪୬ ହଜାର ଥିବାରୁ ତାହାକୁ ଲକ୍ଷ୍ୟ ରଖି ମାସୁଦ ଅଲ୍ଲୀ ଜିତିବା ପାଇଁ ଆଶାବାଦୀ ଅଛନ୍ତି। ତାଙ୍କ ଛଡ଼ା ଗତଥରର ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ନିବାସ ଘେରାଉ କଲା ଯୁବ କଂଗ୍ରେସ, ରାଜମହଲ ଛକରେ ପୋଲିସ ସହ ଧସ୍ତାଧସ୍ତି 

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ବିକ୍ଷୋଭ କରାଯାଇଥିଲା। ଏକ ର‌୍ୟାଲିରେ ଯାଇ ସେମାନେ ଏହି ଘେରାଉ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିବାସ  ଯୋଗ ଦେଇଥିଲେ। ସେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ, ଓଡ଼ିଶା ବଂଚାଅ’ ସମାବେଶରେ ଉଦ୍‌ବୋଧନ ଦେଇ କହିଥିଲେ ଯେ କେନ୍ଦ୍ରରେ ଓ ଓଡ଼ିଶାରେ ରାଙ୍ଗାବିଲ୍ଲାର ସରକାର ଚାଲିଛି। ଶ୍ରୀନିବାସ ଓଡ଼ିଶାରେ ‘ନବୀନ-ମୋଦୀ’ଙ୍କର ସରକାର ଚାଲିଛି ବୋଲି କହିଥିଲେ।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଥିଲେ ଯେ ନବୀନ ସରକାର ଓଡ଼ିଶାର ଯୁବକମାନଙ୍କର ଶତ୍ରୁ । କାରଣ ଦୀର୍ଘ ୨୪ ବର୍ଷ ଶାସନରେ ସେ ଯୁବକମାନଙ୍କର ସ୍ୱାର୍ଥ ପ୍ରତି ନିଘା ଦେଇନାହାନ୍ତି। ୨୦୧୯-ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନ ଘୋଷଣା କଲେ ଏବେ ବିଜୁ ଯୁବ ବାହିନୀ ବନ୍ଦ ହୋଇଛି । ସେହିପରି ଯୁବ ଭୋଟରଙ୍କୁ ହାତେଇବା ପାଇଁ ଯେଉଁ ‘ସ୍ୱୟଂ’ ଯୋଜନା ହୋଇଛି ୨୦୨୪ ନିର୍ବାଚନ ପରେ ସେ ଯୋଜନା ଆଉ ନଥିବ ବୋଲି ଅଭିଯୋଗ କରାଯାଇଥିଲା।

ଏଥିରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଓ ଅନ୍ୟମାନେ ନବୀନ ନିବାସ ଘେରାଉ କରିବା ପାଇଁ ନବୀନ ନିବାସ ଅଭିମୁଖେ ଯାଉଥିବାବେଳେ ରାଜମହଲ ଛକ ଠାରେ ପୁଲିସ ସହ ଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ବହୁ ଯୁବ କଂଗ୍ରେସ କର୍ମୀ ଓ କର୍ମକର୍ତା ଗିରଫ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନିପତି, ସୁରେଶ କୁମାର ରାଉତରାୟ, ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାସ, ୟାସିର ନୱାଜ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ଆଲୋକ ଲେଙ୍କା ଥିଲେ।

ସେହିପରି ସିଦ୍ଧାର୍ଥ ସ୍ୱରୂପ ଦାସ, ଅଜୟ ସାହୁ, ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲ୍‌ଫାମ୍‌, ଅଭିଜିତ୍ ଜେନା, ସ୍ୱାଗତ କର, ଅମ୍ରେଶ ପରିଡ଼ା, ପ୍ରିୟବ୍ରତ ସାହୁ, ବିରଂଚି ବାରିକ, କୃଷ୍ଣଚନ୍ଦ୍ର ମହାନ୍ତି, କେଦାର ଦଳେଇ, ତପନ କାଣ୍ଡି, ଉଦିତ୍ ପ୍ରଧାନ, ସମ୍ରାଟ ଜେନା, ରଞ୍ଜନ କୁମାର ଦାସ, ଆଲୋକ କୁମାର ଦାସ, ହେମନ୍ତ ମହାପାତ୍ର, ସୁରଜ ରାଉତ, ଶୁଭମ ଦାସ, ଶିଳ୍ପୀଶ୍ରୀ ହରିଚନ୍ଦନ, ସୋନୁ ଶ୍ରୀବାସ୍ତବ, ବନୀତା ଦାସ, ଭାଗ୍ୟଶ୍ରୀ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ଅନନ୍ତ ସାମନ୍ତରାୟ, ରଞ୍ଜିତ ସେନାପତି, ସ୍ପନ୍ଦନ ସ୍ୱାଇଁ, ସୁଶ୍ରୀ ବେହେରା, ଆର୍ଯ୍ୟାନ ସାସମଲ ଓ ସନ୍ଦିପ ସାମନ୍ତରାୟ ଙ୍କ ସହ ଓଡ଼ିଶାର ସମସ୍ତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ କର୍ମକର୍ତାମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କେନ୍ଦ୍ରାପଡାରେ ଗର୍ଜ୍ଜିଲା କଂଗ୍ରେସ, ମାଟି ପାଇଁ ଜେଲ ଚାଲ ଅଭିଯାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା। କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାରର ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।

ରାଜ୍ୟ ସରକାର ଇତି ମଧ୍ୟରେ ୧୫ଗୋଟି ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ ମଧ୍ୟ କେନ୍ଦ୍ରାପଡାକୁ ଅଣଦେଖା କରି ଚାଲିଛନ୍ତି। ଜିଲ୍ଲା ସଦର ମହକୁମାର ଚିକିତ୍ସାଳୟ ଗତ ୨୦୨୩ ଜାନୁୟାରୀରେ ମିନିସିପାଲଟି ବାହାରକୁ ସ୍ଥାନାନ୍ତରିତ ହେତୁ ପୌରବାସୀ ତଥା ପଡୋସୀ କେନ୍ଦ୍ରାପଡା ଓ ଡେରାବିଶର ପ୍ରାୟ ୧ଲକ୍ଷ ଲୋକ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଥି ନିମନ୍ତେ ଦୀର୍ଘ ୫୪ ଦିନ ବ୍ୟାପି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଗଣ ଧାରଣା ଦିଆଯାଇଥିଲା।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପୌରହିତ୍ୟ କରି କହିଥିଲେ ଯେ, ସେ ଏବଂ କଂଗ୍ରେସ ଦଳ କେନ୍ଦ୍ରାପଡାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଦାବି ପୂରଣ ପର‌୍ୟ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। କେନ୍ଦ୍ରାପଡା ବାସୀଙ୍କୁ ପ୍ରତିଶ୍ରୁତି ଦେଇ ଶ୍ରୀ ବେହେରା କହିଥିଲେ ଯେ “ମୋତେ ବିଧାନସଭା ପଠାନ୍ତୁ, ବିଧାନ ସଭାରୁ କେନ୍ଦ୍ରାପଡାର ସ୍ୱର ଶୁଣନ୍ତୁ।

‘ମାଟି ପାଇଁ ଜେଲ ଚାଲ’ ଆନ୍ଦୋଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା କଂଗ୍ରେସ ସଭାପତି ଲୋକାନାଥ ମହାରଥୀ, ବରିଷ୍ଟ କଂଗ୍ରେସ ନେତା ରତିିକାନ୍ତ କାନୁନଗୋ, ଯୁବ ନେତା ତଥା ଯୁବ ଇଂ ସିଦ୍ଧାର୍ଥ ସ୍ୱରୁପ ଦାସ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଆପ୍ ଓ କଂଗ୍ରେସ ମିଳିତଭାବେ ଦିଲ୍ଲୀରେ ବିଜେପିର ଚିନ୍ତା କେତେ ବଢ଼ାଇବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। ଦିଲ୍ଲୀରେ ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇଛି। ଦିଲ୍ଲୀରେ ୪-୩ ଫର୍ମୁଲାକୁ ନେଇ ଚର୍ଚ୍ଚା ହୋଇଥିଲା। ୭ଟି ଲୋକସଭା ଆସନ ମଧ୍ୟରୁ ଆମ୍ ଆଦମୀ ପାର୍ଟି ୪ଟି ଓ କଂଗ୍ରେସ ୩ଟି ଆସନରେ ନିର୍ବାଚନ ଲଢ଼ିବ। ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୭ଟି ଲୋକସଭା ଆସନମଧ୍ୟରୁ ୪ଟି ଆସନ- ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରୁ ଲଢ଼ିବ ଏବଂ କଂଗ୍ରେସ ଚାନ୍ଦନୀ ଚୌକ, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀ ଆସନରୁ ଲଢ଼ିବ। ବର୍ତ୍ତମାନ ସମସ୍ତ ଆସନରେ ବିଜେପି ଦଖଲ କରିଛି। ଦୁଇ ଦଳ ଏକାଠି ହେବା ପରେ ବିଜେପିର ଚ୍ୟାଲେଞ୍ଜ କେତେ ବଢ଼ିବ? ଏହା ମଧ୍ୟ ଜାଣିବା ଜରୁରୀ ଯେ ଯଦି ଉଭୟ ଦଳ ଏକାଠି ଲଢ଼ିବେ, ତେବେ କେଉଁ ଆସନରେ ଦିଲ୍ଲୀ ବିଜେପିର ସମସ୍ୟା ବଢ଼ିବ।

ଏକାଠି ହୁଅନ୍ତୁ କିନ୍ତୁ କ’ଣ ହେବ କଥା

ଗତ ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ବିଜେପି ଦଖଲ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ୫୭ ପ୍ରତିଶତ ଭୋଟ୍ ପାଇଥିଲା, ଯାହାଫଳରେ ସମସ୍ତ ସାତଟି ଆସନ ତାଙ୍କ ଖାତାକୁ ଯାଇଥିଲା। ସେହିପରି ଚଳିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତୁଳନାରେ କଂଗ୍ରେସକୁ ଅଧିକ ଭୋଟ ମିଳିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୨୩ ପ୍ରତିଶତ ଓ ଆପ୍‍କୁ ୧୮ ପ୍ରତିଶତ ଭୋଟ ମିଳିଥିଲା। ଏଭଳି ସ୍ଥିତିରେ ଯଦି ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ଭୋଟ ପ୍ରତିଶତକୁ ମିଶାଇ ଦିଆଯାଏ ତେବେ ଏହି ସଂଖ୍ୟା ପାଖାପାଖି ୪୧ ପ୍ରତିଶତରେ ପହଞ୍ଚିଥାଏ। ତେବେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଆଶା କରୁଛନ୍ତି ଯେ ସେମାନେ ଏକାଠି ହୋଇ ଆଗାମୀ ନିର୍ବାଚନରେ ଦିଲ୍ଲୀରେ ଭୋଟରଙ୍କୁ ଏକାଠି କରିପାରିବେ ଏବଂ ଏହାର ପ୍ରଭାବ ଆସନ ଉପରେ ମଧ୍ୟ ପଡ଼ିବ।

୨୦୧୯ ନିର୍ବାଚନ ଫଳାଫଳ

ଆସନ- ପ୍ରାର୍ଥୀ- ଦଳ- ଭୋଟ୍ ପ୍ରତିଶତ

ଚାନ୍ଦନୀ ଚୌକ- ହର୍ଷବର୍ଦ୍ଧନ- ବିଜେପି- ୫୨.୯୪%
ପୂର୍ବ ଦିଲ୍ଲୀ- ଗୌତମ ଗମ୍ଭୀର- ବିଜେପି- ୫୫.୩୫%
ନୂଆଦିଲ୍ଲୀ- ମୀନାକ୍ଷୀ ଲେଖୀ- ବିଜେପି- ୫୪.୭୭%
ଉତ୍ତର ପୂର୍ବ ଦିଲ୍ଲୀ- ମନୋଜ ତିୱାରୀ- ବିଜେପି- ୫୩.୯%
ଦକ୍ଷିଣ ଦିଲ୍ଲୀ- ରମେଶ ବିଧୁରୀ- ବିଜେପି- ୫୬.୫୮%
ପଶ୍ଚିମ ଦିଲ୍ଲୀ- ପରବେଶ ବର୍ମା- ବିଜେପି- ୬୦.୦୫%
ଉତ୍ତର ପଶ୍ଚିମ ଦିଲ୍ଲୀ- ହଂସରାଜ ହଂସ- ବିଜେପି- ୬୦.୪୯%

ଏହି ସଂଖ୍ୟା ମେଣ୍ଟକୁ ଆଶ୍ୱସ୍ତି ଦେବ

୨୦୧୯ ନିର୍ବାଚନ ଫଳାଫଳକୁ ଦେଖିଲେ କୁହାଯାଇପାରେ ଯେ ବିଜେପିକୁ ଏକାଠି ପରାସ୍ତ କରିବା କଷ୍ଟକର, କିନ୍ତୁ ୨୦୧୪ ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେପି ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ। ୨୦୧୪ ନିର୍ବାଚନରେ ଯଦି ଆମେ କେବଳ ପଶ୍ଚିମ ଦିଲ୍ଲୀ ଆସନକୁ ହଟାଇ ଦେବୁ, ତେବେ ଅବଶିଷ୍ଟ ୬ଟି ଆସନରେ ଆପ୍ ଓ କଂଗ୍ରେସର ଭୋଟ ପ୍ରତିଶତକୁ ମିଶାଇ ବିଜେପିକୁ ପଛରେ ପକାଇଦେବ। ୨୦୧୪ ନିର୍ବାଚନରେ ବିଜେପିକୁ ୪୬.୬ ପ୍ରତିଶତ ଭୋଟ ମିଳିଥିଲା। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ୩୩.୧ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହି ୧୫.୨ ପ୍ରତିଶତ ଭୋଟ ପାଇଥିଲା। ଯଦି ଏହି ଦୁଇ ଦଳର ଭୋଟ୍ ପ୍ରତିଶତକୁ ମିଶାଇ ଦିଆଯାଏ ତେବେ ଏହା ୪୮ ପ୍ରତିଶତରୁ ଅଧିକ ହୋଇଯିବ, ଯାହା ବିଜେପିର ୪୬ ପ୍ରତିଶତ ଭୋଟଠାରୁ ଅଧିକ। ତେବେ ଏହି ୧୦ ବର୍ଷ ମଧ୍ୟରେ ଦିଲ୍ଲୀ ରାଜନୀତିରେ ଅନେକ ପରିବର୍ତ୍ତନ ଆସିଛି। ଗୋଟିଏ ପଟେ ଯେଉଁଠି ଆମ୍ ଆଦମୀ ପାର୍ଟି ବହୁତ ଶକ୍ତିଶାଳୀ ହୋଇଛି, ଅନ୍ୟପଟେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ପୌର ନିର୍ବାଚନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଗତ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିଠାରୁ ଅଧିକ ଭୋଟ ପାଇଥିବା କଂଗ୍ରେସ ପାଇଁ ଆଶ୍ୱସ୍ତିର ବିଷୟ ହୋଇଥିଲା।

Categories
ଆଜିର ଖବର

ଆଜି ଭୁବନେଶ୍ବରରେ କଂଗ୍ରେସ କରିବ ନାରୀ ନ୍ୟାୟ ସମ୍ମିଳନୀ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ଭୁବନେଶ୍ବରରେ କରିବ ବିଶାଳ ମହିଳା ସମ୍ମିଳନୀ। ଯାହାର ନାମ ରଖାଯାଇଛି ନାରୀ ନ୍ୟାୟ ସମ୍ମିଳନୀ। ଏଥିସହିତ ରାଜ୍ୟ ସରକାରଙ୍କ ବିଫଳତା ନେଇ ମହିଳାମାନେ ନବୀନ ନିବାସ ଘେରାଉ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ପ୍ରତି ଲଗାତାର ଭାବେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନପାଇଁ ଆହ୍ୱାନ ଦେଇଛନ୍ତି। ଆଜି ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ଏଥିରେ ସାମିଲ ହେବେ ବୋଲି ଜଣାପଡିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଆଗୁଆ ପ୍ରାର୍ଥୀ ଘୋଷଣା କରିବ ଓଡିଶା କଂଗ୍ରେସ, ନିର୍ବାଚନ କମିଟ ବୈଠକରେ ନିଷ୍ପତି

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ପ୍ରମୁଖ ଦୁଇ ଦଳ ବିଜେଡି ଓ ବିଜେପି ଶିବିରରେ ଟିକେଟ ଚୟନ ପକ୍ରିୟା ଆରମ୍ଭ ହୋଇ ନାହିଁ। ହେଲେ ତୃତୀୟ ଦଳ କଂଗ୍ରେସ ବର୍ତ୍ତମାନ ଟିକେଟ ବଣ୍ଟା ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଗତକାଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟ ବସି ଏହା ଉପରେ ଏକ ବିସ୍ତୁତ ଆଲୋଚନା କରିଛି। ଯାହା ଜଣାପଡୁଛି କଂଗ୍ରେସ ବର୍ତ୍ତମାନ ଜିତିବା ପରି ଥିବା 70ଟି ଆସନରେ ଆଗୁଆ ଟିକେଟ ଘୋଷଣା କରିବ।

ଦଳ ଆଗରୁ ପ୍ରଗମନ ମାଧ୍ୟମରେ ଅନ ଲାଇନ ଟିକେଟ ଆବେଦନ ପାଇଁ ଆହ୍ବାନ କରିଥିଲା। ଯେଉଁଥିରେ ବିଧାନସଭା ପାଇଁ ତିନି ହଜାର ଏବଂ ଲୋକସଭା ପାଇଁ ସାତ ଶହ ପ୍ରାର୍ଥୀ ଆବେଦନ କରିଛନ୍ତି। ତେବେ ଏହା ସହିତ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା କେତେକଙ୍କ ନାମ ସୁପାରିଶ କରିଛନ୍ତି। ହେଲେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ବୈଠକେ ନିଷ୍ପତି ହୋଇଛି।

ତେବେ କମିଟ ବୈଠକ ଅନୁସାରେ ଯେଉଁମାନେ ଟିକେଟ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ନାମ ଏଆଇସିସିକୁ ସୁପାରିଶ କରାଯିବ। ତେବେ ଯେଉଁମାନେ ଲଗାତର ହାରିବାରେ ଲାଗିଛନ୍ତି ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ନିଷ୍ପତି ହୋଇଛି। ସେହିପରି ଯେଉଁମାନେ କମ ଭୋଟରେ ହାରିଛନ୍ତି ସେମାନଙ୍କ ନାମ ବିଚାରକୁ ନିଆଯିବ।

ତେବେ କେତେକ କ୍ଷେତ୍ରରେ କମ ଭୋଟର ହାରି ମଧ୍ୟ ସେମାନଙ୍କର ଆଉ ସଂଗଠନ ନାହିଁ। ସେପରି କ୍ଷେତ୍ରରେ ତାଙ୍କ ନାମ ସୁପାରିଶ କରାଯିବ ନାହିଁ ବୋଲି କଂଗ୍ରେସର ଜଣେ ନେତା କହିଛନ୍ତି। ତାଙ୍କର କହିବା ଅନୁସାରେ ଏଥର ଦଳ ମହିଳା ଓ ଯୁବ ଗୋଷ୍ଠୀଙ୍କୁ ଗୁରୁତ୍ବ ଦେବ ବୋଲି ନିଷ୍ପତି କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ ବୋଲି ସେ କହିଛନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ କଂଗ୍ରେସ ପ୍ରାରମ୍ଭିକ ପର୍ଯ୍ୟାୟରେ ସତୁରୀ ଟି ବିଧାନ ସଭା ଏବଂ ଦଶଟି ଲୋକସଭା ଟିକେଟ ଘୋଷଣା କରିବାକୁ ନିଷ୍ପତି କରିଛି। ସେଥିପାଇଁ ସେହି ଅନୁସାରେ ପିଇସି ବା ପ୍ରଦେଶ ନିର୍ବାଚନ କମିଟ କାମ ଆରମ୍ଭ କରିଛି।

ଏହି କମିଟର ଗୋଟିଏ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ଏହାପରେ ଆଉ ଏକ ପର୍ଯ୍ୟାୟ ବୈଠକରେ ଚୁଡାନ୍ତ ନିଷ୍ପତି କରାଯାଇ ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଯିବ। ଯାହା ଜଣା ପଡିଛି ମାର୍ଚ୍ଚ ପ୍ରଥମ ସପ୍ତାହରେ ଦଳ ପ୍ରାର୍ଥୀ ଘୋଷଣା କରିଦେଇପାରେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲାର ବିଜେଡ଼ି ଓ ବିଜେପି ନେତା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲାରେ କଂଗ୍ରେସର ଶକ୍ତିବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଜେଡ଼ି ଓ ବିଜେପିର ଅନେକ ନେତା ସେମାନଙ୍କ ସମର୍ଥକଙ୍କ ସହିତ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଲେ।

ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ, ଏ.ୟୁ.ସି.ସି ବ୍ୟାଙ୍କର ଡାଇରେକ୍ଟର, କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନିର୍ମାଣ ଶ୍ରମିକ ସଂଘର ସଭାପତି ମନୋଜ ସାହୁ, ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ତଥା ପୂର୍ବତନ ଯୁବ ବିଜେଡ଼ି ସଭାପତି, ଓଡ଼ିଶା ନିର୍ମାଣ ମଜଦୁର ସଭା ଓ କେନ୍ଦୁପତ୍ର ତୋଳାଳୀ ସଂଘର ସମ୍ପାଦକ ତଥା କୃଷକ ନେତା ସୂର୍ଯ୍ୟମଣି ସାହୁ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଗୋବିନ୍ଦ ନାୟକ ସେମାନଙ୍କର ଶତାଧିକ ସମର୍ଥକ ମାନଙ୍କ ସହିତ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଥିଲେ।

ଏହି ଯୋଗଦାନ ଅନୁଗୁଳ ଜିଲ୍ଲାରେ କଂଗ୍ରେସ ଶକ୍ତି ବୃଦ୍ଧି କରିବା ସହିତ ଆଗାମୀ ନିର୍ବାଚନରେ ଦଳକୁ ସଫଳତା ଆଣିଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏମାନେ ବିଧିବଦ୍ଧ ଭାବେ କଂଗ୍ରେସର ଯୋଗଦେଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଦେଶ ଓ ରାଜ୍ୟରେ ଏକଛତ୍ରବାଦ ସରକାର ଚାଲିଛି। ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ତଥା ଓଡ଼ିଶା ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସେମାନେ ନିଃସର୍ତ୍ତ କଂଗ୍ରେସରେ ଯୋଗଦାନ କଲେ।

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଗ୍ରାମ ମିଶ୍ର ଯୋଗ ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଭାଙ୍ଗୁଛି କଂଗ୍ରେସ, ବିଜେଡ଼ିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲା ସଭାପତି ବିପ୍ଲବ ଜେନା

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନାଙ୍କୁ ଉପଢୌକନ ଦେଇ ଶ୍ରୀ ଦାସ ଓ ଶ୍ରୀ ସିଂଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିପ୍ଲବ ଜେନାଙ୍କ ଯୋଗଦାନ ଫଳରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବା ସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ଆହ୍ୱାନ ଦେଇଥିଲେ।

ବିଜେଡ଼ିରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଯେଉଁମାନେ ଆଜି ମୋ ସହ ଦଳରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ବୋଲି କହିଛନ୍ତି।

ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସି ନାହିଁ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଏବଂ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାପୁନ କୁମାର ଦେହୁରୀ, ପୂର୍ବତନ କଂଗ୍ରେସ ଜିଲ୍ଲା କମିଟି ଉପସଭାପତି ବାପୁଜୀ ପ୍ରଧାନ, ଅନୁଗୁଳ ବିଧାନସଭା ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅନ୍ନଦା ସାହୁ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାସଭାପତି ସୋସିଆଲ ମିଡିଆ ଆଲୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଟିକେଟ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ, ଜଲଦି କରନ୍ତୁ

ଭୁବନେଶ୍ବର: କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ। ଅନଲାଇନରେ ଏହି ଆବେଦନ କରାଯାଉଛି। ଏଥିରେ ଓଡିଶାର 147 ଟି ବିଧାନସଭା ଏବଂ 21 ଟି ଲୋକସଭା ଆସନ ପାଇଁ ଏହି ଆବେଦ କରାଯାଉଛି।

ଚଳିତ ନିର୍ବାଚନ ପାଇଁ ଦଳ ଏକ ନୂଆ ପଦ୍ଧତି ପ୍ରୟୋଗ କରିଛି। ପ୍ରଗମନ ନାମିତ ଏକ ୱେବସାଇଟରେ ଏହି ଆବେଦନ କରିବାକୁ କୁହାଯାଇଛି। ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି ।

ଯେଉଁମାନେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ସେମାନେ www pragaman.in ଲିଙ୍କ ରେ ଲଗ୍‌ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ।

Categories
ବଜେଟ ୨୦୨୪ ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବଜେଟରେ ଚାଷୀ, ମହିଳା ଏବଂ ଯୁବକ ନିରାଶ ବୋଲି କହିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଛନ୍ତି। ଏହି ବଜେଟ୍ ଚିରାଚରିତ ଢଙ୍ଗରେ ଆଶା ସୃଷ୍ଟିକାରୀ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି।

କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନର୍ବାର ଏକ ପ୍ରତିଶ୍ରୁତି ଓ ପ୍ରତାରଣାର ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ କୃଷକ, ଯୁବକ ଓ ମହିଳା ସଂପୂର୍ଣ୍ଣଭାବେ ଉପେକ୍ଷିତ।

ସେ କହିଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଯଥା ଅତିକମ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା, ରାଜ୍ୟର ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା, ବର୍ଷକୁ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଓ ଚାଷୀର ରୋଜଗାର ବୃଦ୍ଧି କରିବା ଭଳି ଦେଇଥିବା ଅନେକ ପ୍ରତିଶ୍ରୁତି ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

ଚଳିତ ବଜେଟ୍‌ରେ ସରକାରଙ୍କ ସ୍ୱୀକାରୋକ୍ତି ଅନୁସାରେ ଖାଲି ପଡ଼ିଥିବା ସରକାରୀ ପଦବୀ ସଂଖ୍ୟା ୯୮ ହଜାର ୩୩୪ ହୋଇଥିବା ବେଳେ କେବଳ ସ୍ୱାସ୍ଥ୍ୟବିଭାଗରେ ୨୬ହଜାର ୮୧୫ ପଦବୀ ଖାଲି ଅଛି। ସେହିପରି ଗଣଶିକ୍ଷା ବିଭାଗର ୨୧ହଜାର ୮୪୪ ଏବଂ ୧୬ଟି ବିଶ୍ୱବିଦ୍ୟାଳୟର ମଂଜୁରିପ୍ରାପ୍ତ ୧୮୦୧ ପଦବୀ ମଧ୍ୟରୁ ୧୦୯୦ ପଦବୀ ଖାଲି ପଡ଼ିଛି। କୃଷି ବିଭାଗରେ ମଧ୍ୟ ୨୮୨୧ ପଦବୀ ଖାଲି ପଡ଼ିଛି।

ଏଥିରୁ ସହଜରେ ବୁଝାପଡ଼ୁଛି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ତତ୍ପରତା କେତେ ରହିଛି ? ରାଜ୍ୟର ଚାଷୀ ମାଗଣା ବିଦ୍ୟୁତ୍ ସେବା ପାଇବା ପାଇଁ ଦୀର୍ଘ ୨୪ ବର୍ଷ ଧରି ଚାତକ ପରି ଅପେକ୍ଷା ରଖିଥିଲେ ହେଁ ସେ ସଂପର୍କରେ ସରକାର ସଂପୂର୍ଣ୍ଣ ନୀରବ।

ସେହିପରି ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତାଧାରୀମାନଙ୍କୁ ମାସକୁ ୫ଶହ ଟଙ୍କା ଅର୍ଥାତ୍ ଦିନକୁ ୧୬ ଟଙ୍କା ୬୬ପଇସା ଦେଇ ସରକାର ବଡ଼ କାମ କରୁଛନ୍ତି ବୋଲି ଭାବୁଛନ୍ତି। ପଡ଼ୋଶୀ ରାଜ୍ୟମାନଙ୍କରେ ମିଳୁଥିବା ଭତାର ପରିମାଣ ୧୫ଶହରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୫,୪୫୦ କୋଟି ଟଙ୍କା ବଜେଟ୍‌ରେ ପ୍ରାବଧାନ ରହିଛି, ଯାହା ସଂପୂର୍ଣ୍ଣଭାବେ ସିଧାସଳଖ କର୍ପୋରେଟ୍ ହସ୍ପିଟାଲ କର୍ତୃପକ୍ଷଙ୍କ ପକେଟ୍‌କୁ ଯାଉଛି ।

ଏହି କ୍ରମରେ ବିଭିନ୍ନ ଆର୍ଥିକ ବର୍ଷରେ ବ୍ୟୟବରାଦ କରାଯାଇଥିବା ଅର୍ଥରେ ରାଜ୍ୟର ୩୦ଗୋଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ସହିତ ସରକାର ଦୀର୍ଘମିଆଦି ସୂତ୍ରରେ ମଲ୍ଟି ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ କରିପାରିଥାନ୍ତେ ଓ ସେଥିରେ ଗରିବ ଜନସାଧାରଣ ବିଶେଷ ଉପକୃତ ହୋଇପାରିଥାନ୍ତେ। ପରନ୍ତୁ ସରକାରଙ୍କ ଦୂରଦୃଷ୍ଟି ରହିତ ସ୍ୱାସ୍ଥ୍ୟ ଯୋଜନା ପାଇଁ ବେସରକାରୀ ହସ୍ପିଟାଲର ମାଲିକମାନେ ମାଲେମାଲ ହେଉଛନ୍ତି।

ଅପରପକ୍ଷରେ ସରକାର ରାଜ୍ୟରେ ୧୦ ପ୍ରତିଶତ ଅର୍ଥାତ୍ ୧କୋଟିରୁ ଊର୍ଦ୍ଧ୍ୱ ଲୋକ ଗରିବୀ ସୀମାରେଖା ବାହାରକୁ ଆସିଥିବା ତଥ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଯେତେବେଳେ ୮୩ ପ୍ରତିଶତ ଲୋକଙ୍କୁ ସରକାର ମାଗଣା ଚାଉଳ ଦେଉଥିବା କଥା କହୁଛନ୍ତି, ସେତେବେଳେ ଏତେ ସଂଖ୍ୟକ ଗରିବ ସୀମାରେଖା ଉପରକୁ ଆସିଲେ କେମିତି ବୋଲି ଶ୍ରୀ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ସରକାରୀ ତଥ୍ୟ ଅନୁସାରେ ଓଡ଼ିଶା ଯେତେବେଳେ ରାଜସ୍ୱ ବଳକା ରାଜ୍ୟ ଭାବେ ଉଭା ହୋଇଛି, ସେତେବେଳେ ରାଜ୍ୟର ଋଣଭାର ୧ଲକ୍ଷ ୨୦ହଜାର କୋଟି ଟଙ୍କା କାହିଁକି ବୋଲି କହିିଥିଲେ। ରାଜ୍ୟର ୬୦ ପ୍ରତିଶତ ମହିଳା ଓ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ମହିଳା ପୁଷ୍ଟି ଯୋଜନାରେ ୫୫୪ କୋଟି ଟଙ୍କା ବ୍ୟୟବରାଦ ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସେହିପରି ମିଶନ ଶକ୍ତି ଘର ନିର୍ମାଣ ପାଇଁ ୧୧୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହାକି ଦଳୀୟ ଠିକାଦାରଙ୍କୁ ପୋଷିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ।

କଂଗ୍ରେସ ଗଣମାଧ୍ୟମ ବିଭାଗର ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଥିଲେ ଯେ ଏହି କାମଚଳା ବଜେଟ୍‌ରେ ବେକାର ଯୁବବର୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟର ୩୦ ଲକ୍ଷ ଯୁବା ପେଟପୋଷିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଓ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି ଓ କେତେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ସରକାର ଏହି ବର୍ଗଙ୍କ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ରହିବା ସେମାନଙ୍କ ପ୍ରତି ଘୋର ଅନ୍ୟାୟ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ।