Categories
ବିଶେଷ ଖବର ରାଜ୍ୟ ଖବର

କର୍ପୋରେଟ ଢାଞ୍ଚାରେ ବ୍ୟବସାୟ କରିବ ଓଡିଶା କୃଷି, ବଡ ଉଦ୍ୟୋଗପତିଙ୍କ ସହ ଗୋଲଟେବୁଲ ବୈଠକ

ଭୁବନେଶ୍ୱର: କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍‌ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ।

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍‌ ବୈଠକକୁ ଉଦ୍‌ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତପ୍ରକାଶ କରିଛନ୍ତି। ନିଯୁକ୍ତି ସଂକଟର ସମାଧାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହିଁ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି।

କୃଷି ଓ ଉଦ୍ୟାନ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବା ଲକ୍ଷ୍ୟରେ କୃଷକ ଉତ୍ପାଦକ ସଂଗଠନ ଓ ଅଗ୍ରଣୀ କୃଷି ଉଦ୍ୟୋଗ କର୍ପୋରେଟ୍‌ ସଂସ୍ଥା ମଧ୍ୟରେ ନିରନ୍ତର ଆନୁଷ୍ଠାନିକ ବିପଣନ ସଂଯୋଗ ସ୍ଥାପନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକ ଏକ ବଳିଷ୍ଠ ପଦକ୍ଷେପ।

ଓଡ଼ିଶା କୃଷି ସମାବେଶ ୨୦୨୧ର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆୟୋଜିତ ଏହି ବୈଠକରେ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଘରୋଇ ସଂସ୍ଥାମାନଙ୍କୁ ଲକ୍ଷ୍ୟ ହାସଲର ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି। ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ (FPO) ନୀତି ୨୦୧୮ ପ୍ରଣୟନ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରୂପେ ଉଭା ହୋଇଛି ଯେଉଁଥିରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହିତ ତଥା ଶକ୍ତିଶାଳୀ କରିବାର ବ୍ୟବସ୍ଥା ଅଛି।

ବର୍ତ୍ତମାନ ରାଜ୍ୟରେ ପିକେଭିୱାଇ, ଆର୍‌କେଭିୱାଇ, ଏମ୍‌ଆଇଡିଏଚ୍‌, ଓଡ଼ିଶା ମିଲେଟ୍‌ ମିଶନ, କୃଷି ଉତ୍ପାଦନ ପୁଞ୍ଜ, କେନ୍ଦ୍ରୀୟ ଯୋଜନା (୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପ୍ରୋତ୍ସାହନ) ଇତ୍ୟାଦି ଜରିଆରେ ୬୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦିଆଯାଉଛି। ନିରନ୍ତର ଉତ୍ସ ମଡେଲ୍‌ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଘରୋଇ ସଂସ୍ଥାମାନଙ୍କ ସହ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ନିୟୋଜିତ କରୁଛନ୍ତି।

ଭିତ୍ତିୂଭୂମି ପାଇଁ ନିବେଶ, ମୂଲ୍ୟଯୋଗ, ଗୁଣବତ୍ତା ବୃଦ୍ଧି ଏବଂ ଉଚିତ ବଜାର ସଂଯୋଗୀକରଣ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହୋଇପାରିବ। କୃଷକମାନଙ୍କ ଆୟବୃଦ୍ଧି ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ, ଉତ୍ପାଦନ ପୁଞ୍ଜର ଦୃଢ଼ୀକରଣ ଏବଂ ମୂଲ୍ୟଯୋଗ ପାଇଁ ଯୋଜନାର ସମ୍ମିଶ୍ରଣ ମାଧ୍ୟମରେ କୃଷି ବିପଣନ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି।

ଘରୋଇ ସଂସ୍ଥା ବଜାର ଚାହିଦା ସୂଚାଇବା ମାତ୍ରେ ରାଜ୍ୟ ସରକାର ବଜାର ଚାହିଦା ମୁତାବକ ବଜାରଭିତ୍ତିକ ପୁଞ୍ଜ ପ୍ରତିଷ୍ଠା କରି ଉତ୍ପାଦନ ପ୍ରଣାଳୀକୁ ସୁପ୍ରବାହୀ କରିବା, ଯୋଗାଣରେ ନିରନ୍ତରତା ଓ ଗୁଣବତ୍ତା ନିଶ୍ଚିତ କରିବା ପାଇଁ କୃଷକ ଉତ୍ପାଦକ ସଂଗଠନର ଦକ୍ଷତା ବୃଦ୍ଧି କରିବାକୁ ସମ୍ମିଳିତ ପଦକ୍ଷେପ ନେବାକୁ ଯାଉଛନ୍ତି।

ଓଡ଼ିଶା ମକା, ମିଲେଟ୍‌, ସୁଗନ୍ଧିତ ଚାଉଳ, କପା, ହଳଦୀ, ଲଙ୍କା, ଅଦା, ଲେମ୍ବୁ, ତରଭୂଜ, ଲେମନଗ୍ରାସ୍‌, କିଆ, ଆମ୍ବ, କାଜୁବାଦାମ, କଫି, କନ୍ଦମୂଳ, ବାଇଗଣ, ଟମାଟୋ, ଭେଣ୍ଡି ଓ ପିଆଜ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବେ ଉଭା ହୋଇଛି । ସବୁଜ ବିପ୍ଳବ ପରେ ଉତ୍ପାଦନଭିତ୍ତିକ କୃଷି ଆପଣେଇ ଖାଦ୍ୟଶସ୍ୟ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛି।

ଏହି ବୈଠକରେ ଅନ୍ୟତମ ଅତିଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା କହିଥିଲେ ଯେ କୃଷକମାନଙ୍କୁ ଦର କଷିବା ଶକ୍ତି ଯୋଗାଇବା ନିମନ୍ତେ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ।

ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ବଳକା ଉତ୍ପାଦ ଉପରେ ସୂଚନା ଦେଇଥିଲେ ଏବଂ ପୂରା ଅଧିବେଶନରେ ସଂଯୋଜନା କରିଥିଲେ। ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଂଜନା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃର୍ତ୍ତିକା ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ତଥା ଓର୍‌ମାସ୍‌ର ଅଧିକାରୀ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ଅଧିକାରୀ, ଆପିକଲ୍‌ର ପରିଚାଳନା ନିର୍ଦେଶକଙ୍କୁ ବୈଠକରେ ସାମିଲ କରାଯାଇଥିଲା।

୨୪ଟି ଘରୋଇ ସଂସ୍ଥାର ଆନୁଷ୍ଠାନିକ କ୍ରେତା ଯଥା ଆଇଟିସି, ବିଗ୍‌ ବାସ୍କେଟ୍‌, ମଦର ଡାଇରୀ, ଡି-ହାଟ୍‌, ଇଣ୍ଡିଆନ୍‌ ଓସିନ୍‌ ଗ୍ରୁପ୍‌ ଏଥିରେ ଯୋଗଦେଇଥିଲେ। ଆନୁଷ୍ଠାନିକ କ୍ରେତା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ୧୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। କ୍ରୟ ଓ ବିପଣନରେ ନିୟୋଜିତ ୯ଟି କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ୱାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି। ବିଗତ କରୋନା ମହାମାରୀ କାଳରେ ଚାକିରି ବୃତ୍ତି ପାଇଁ ରାଜ୍ୟ ବାହାରକୁ ଯାଇଥିବା ଓଡ଼ିଆ ଯୁବପିଢ଼ି ରାଜ୍ୟକୁ ଫେରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମନୋନିବେଶ ତଥା ପୁଂଜିନିବେଶ କରିଛନ୍ତି। ଆଜି ଭୁବନେଶ୍ୱର କୃଷି ଭବନଠାରେ ଲିଙ୍ଗ ନିରୁପିତ ଶୁକ୍ରାଣୁ ( Sex Sorted Semen) ଦ୍ୱାରା କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।

ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍‌ନୋଲୋଜି ଦ୍ୱାରା ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରି ଜନ୍ମ ହୋଇ ରାଜ୍ୟରେ ଦୁU ଉତ୍ପାଦନରେ ବୃଦ୍ଧି ଘଟିବା ସହିତ ଚାଷୀର ଆୟବୃଦ୍ଧି ଘଟିବ। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଦୁUଚାଷୀଙ୍କ ପାଇଁ ୭୫ ପ୍ରତିଶତ ରିହାତି ସରକାର ଯୋଗାଇଦେବେ। ଗୋଟିଏ ଡୋଜ ଲିଙ୍ଗ ନିରୁପିତ ଶୁକ୍ରାଣୁର ମୂଲ୍ୟ ୭୧୫ ଟଙ୍କା ହୋଇଥିବାସ୍ଥଳେ ସରକାର ଏହାକୁ ଗୋପାଳକମାନଙ୍କୁ ମାତ୍ର ୧୮୦ ଟଙ୍କାରେ ଯୋଗାଇଦେବେ। ରାଜ୍ୟର ଖଣିଜ ଅଞ୍ଚଳ ଜିଲ୍ଲାମାନଙ୍କରେ ଏଥି ପାଇଁ ଶତପ୍ରତିଶତ ରିହାତିର ସୁବିଧା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ।

ଗତ ଦୁଇ ଦଶକରେ ରାଜ୍ୟରେ ଗୋପାଳକର ବିକାଶ ଚାଷୀମାନଙ୍କ ଆୟବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ରାଜ୍ୟ ସରକାର ସର୍ବଦା ଚାଷୀ ଓ ଗୋପାଳକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ରାଜ୍ୟ ସରକାର ଏହି ଆନୁଷଙ୍ଗିକ କ୍ଷେତ୍ରକୁ ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି ।

ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟି୍ରକ୍‌ ଟନ୍‌ ଥିବାବେଳେ ୨୦୨୧ ମସିହାରେ ୨୩.୭୩ ଲକ୍ଷ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି । କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୃତି୍ରମ ପ୍ରଜନନ କରାଯାଉଛି ।

ଗୋରୁଗାଈଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବର୍ଷକୁ ଦୁଇଥର ଟିକାକରଣ କରାଯାଉଛି । ଉଚ୍ଚ ଅମଳସଂପନ୍ନ ଋତୁକାଳୀନ ଓ ସବୁଦିନିଆ ଘାସ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ନୂତନ ଡାଇରୀ ଫାର୍ମ ଓ ମିଲ୍କ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଯୋଗାଇ ଦିଆଯାଉଛି । ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌) ମାଧ୍ୟମରେ ରାଜ୍ୟର ପ୍ରାୟ ୩୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁUର ବିକ୍ରୟ କରିପାରୁଛନ୍ତି ।

ଉଚ୍ଚ ଜେନେଟିକ୍‌ କ୍ଷମତାସଂପନ୍ନ ଷଣ୍ଢଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଗୁରୁତ୍ୱ ପ୍ରଦାନ କରୁଛି । ଲିଙ୍ଗ ନିରୁପିତ ହୋଇନଥିବା ସାଧାରଣ ଶୁକ୍ରାଣୁ ବ୍ୟବହାର କରି କୃତି୍ରମ ପ୍ରଜନନ କରାଯାଉଥିବା ଗାଈଙ୍କଠାରୁ ୫୦ ପ୍ରତିଶତ ଅଣ୍ଡିରା ଓ ୫୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାର ସମ୍ଭାବନା ଥାଏ ।

ଧୀରେ ଧୀରେ ଅଣ୍ଡିରା ବାଛୁରିଙ୍କ ଚାହିଦା କମୁଥିବାରୁ ଗୋପାଳକମାନେ ସେମାନଙ୍କୁ ବୁଲା ଗୋରୁ ଭାବେ ଛାଡ଼ି ଦେଇଥାନ୍ତି ଓ ରାଜ୍ୟରେ ବୁଲା ଗୋରୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ । ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍‌ନୋଲୋଜି ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍‌ କ୍ଷମତା ସଂପନ୍ନ ମାଈ ବାଛୁରି ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ ଏବଂ ଏହା ଦ୍ୱାରା ଅଣ୍ଡିରା ବାଛୁରିଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରି ପାଳନର ଭାର ହ୍ରାସ କରିଥାଏ ।

ଏହି ଅବସରରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା କହିଥିଲେ ଯେ ରାଜ୍ୟରେ ଗିର୍‌, ସାହିୱାଲ୍‌, କ୍ରସ୍‌ ବ୍ରେଡ୍‌ ଜର୍ସି, କ୍ରସ୍‌ ବ୍ରେଡ୍‌ ହୋଲ୍‌ଷ୍ଟିନ୍‌ ଫି୍ରଜିଆନ୍‌ ଇତ୍ୟାଦି ଉନ୍ନତ ପ୍ରଜାତିର ସେକ୍ସ ସର୍ଟେଡ୍‌ ସିମେନ୍‌ ଚାଷୀଙ୍କ ପାଇଁ ଉପଲବ୍ଧ ହେବ । ଓଡ଼ିଶା ଗୋ-ମହିଷାଦି ପ୍ରଜନନ ନୀତି ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଉଛି ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କହିଥିଲେ ଯେ ଲିଙ୍ଗ ନିରୁପିତ ଶୁକ୍ରାଣୁ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ୨୦୨୨-୨୩ ବର୍ଷରେ ପ୍ରାଥମିକ ଅବସ୍ଥାରେ ୫.୫ ଲକ୍ଷ ଡୋଜ୍‌ ( Sex Sorted Semen) ବ୍ୟବହାର କରି ୧.୨୦ ଲକ୍ଷ ଗାଈଙ୍କ କୃତି୍ରମ ପ୍ରଜନନ କରାଯିବ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ପ୍ରାଣୀଧନ ଅନୁସନ୍ଧାନ ବିକାଶ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଗୋ-ପ୍ରଜାତି କୃତ୍ରିମ ପ୍ରଜନନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓମ୍‌ଫେଡ୍‌ର ଏମ୍‌.ଡି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ମହାବିଦ୍ୟାଳୟର ବିଶେଷଜ୍ଞ, ବିଭାଗୀୟ ଅଧିକାରୀ ଓ ଗୋପାଳକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଗୋପାଳକ ଓ ବିଭାଗୀୟ ଅଧିକାରୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ୍ ୟୁନାଇଟେଡ୍ ନେସନସ୍ (ସୋଆମୁନ୍-୨୦୨୧) ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡ. ସାହୁ କହିଲେ, ବିଶ୍ୱରେ କ’ଣ ସବୁ ଘଟିଯାଉଛି, ତାହାକୁ ଅନୁଧ୍ୟାନ କର। ବିଶ୍ୱର ସ୍ଥିତିକୁ ଦେଖି ପରିବେଶ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଅ। ପରିବେଶ ସୁରକ୍ଷିତ ରହିଲେ ହିଁ ଆଗାମୀ ଭବିଷ୍ୟତ ଓ ମାନବ ସଭ୍ୟତା ବଞ୍ଚିବ।

ସୋଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଡ. ସାହୁ ପ୍ରଶଂସା କରିଥିଲେ। ସେ ପୁଣି କହିଲେ, ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପରିବେଶ ସଂରକ୍ଷଣ ଲାଗି ଦିଆଯାଉଥିବା ସହାୟତା ଉପରେ ଛାତ୍ରଛାତ୍ରୀ ସଚେତନ ହୁଅନ୍ତୁ। ଏହି ଅବସରରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ସାହୁ ବିଶ୍ୱରେ ନିରନ୍ତର ବିକାଶ ଉପରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ। ଏକ ଉନ୍ନତ ବିଶ୍ୱ ତିଆରି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ସୋଆମୁନର ଆବାହାକ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀ ବିଷୟରେ ସୋଆମୁନ୍ ର ସାଧାରଣ ସମ୍ପାଦକ ଆୟୁଷ୍ମାନ ରାଏ କହିଥିବାବେଳେ ଡାଇରେକ୍ଟର ଜେନେରାଲ୍ ସୁଭନ ଦେବନାଥ ଅତିଥିଙ୍କୁ ସ୍ବାଗତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେଲା ଜୀବ ମଙ୍ଗଳ ଯୋଜନା, ଏଥିରେ ପ୍ରାଣୀମାନଙ୍କ ପାଇଁ ରହିଛି ବିଭିନ୍ନ ସୁବିଧା

ଭୁବନେଶ୍ୱର: ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍‌ଦାର ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନସ୍ଥିତ ପ୍ରେକ୍ଷାଳୟରେ ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳାର ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି ।

ମଣିଷର ସୁବିଧାବାଦୀ ଜୀବନଶୈଳୀ ପାଇଁ ବୁଲା ଓ ବେସାହାରା ପ୍ରାଣୀଙ୍କ ଜୀବନରେ ବିପର୍ଯ୍ୟୟ ସୃଷ୍ଟି ହେବା ଉଚିତ୍‌ ନୁହେଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚିତ୍‌ ଦିଗ୍‌ଦର୍ଶନରେ ବୁଲା ଓ ବେସାହାରା ପ୍ରାଣୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ନୂତନ ଜୀବ ମଙ୍ଗଳ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାଗୁଡ଼ିକ ସ୍ଥାନୀୟ ସଂସ୍ଥା, ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି( SPCA), ଜୀବ ମଙ୍ଗଳ କାର୍ଯ୍ୟକ୍ରମ ସହ ଜଡ଼ିତ ସ୍ବେଚ୍ଛାସେବୀ ବେସରକାରୀ ସଂଗଠନ ଏବଂ ରାଜ୍ୟ ଜୀବ ମଙ୍ଗଳ ପରିଷଦର ସମନ୍ୱୟରେ କାର୍ଯ୍ୟକାରୀ ହେବ ।

ରାଜ୍ୟରେ ନୂତନ ଗୋରୁ ଆଶ୍ରୟ ଗୃହ, ଗୋଶାଳା ପ୍ରତିଷ୍ଠା ପାଇଁ ଜୀବ ମଙ୍ଗଳ ସହ ଜଡ଼ିତ ସେ୍ୱଚ୍ଛାସେବୀ ଅଣ-ସରକାରୀ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇ ପାରିବେ । ମ୍ୟୁନିସିପାଲ କର୍ପୋରେସନ, ମ୍ୟୁନିସିପାଲିଟି ଏବଂ ଏନ୍‌.ଏ.ସି.ରେ ବୁଲା ଗୋରୁ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ସଂଗଠନଗୁଡ଼ିକୁ ପୁଞ୍ଜି ଭିତ୍ତିଭୂମି ସହାୟତା ଦିଗରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଗୋରୁ ଆଶ୍ରୟସ୍ଥଳର କ୍ଷମତାକୁ ଆଧାର କରି ସରକାର ୧୬ ରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ପୁଞ୍ଜି ଅନୁଦାନ ପ୍ରଦାନ କରିବେ । ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ । କ
ବୁଲା ଓ ବେସାହାରା ପ୍ରାଣୀଙ୍କୁ ଚିକିତ୍ସା ସେବା ଓ ଆଶ୍ରୟସ୍ଥଳ ପ୍ରଦାନ ନିମନ୍ତେ ଭିତ୍ତିଭୂମି ନିର୍ମାଣ ଦିଗରେ ରାଜ୍ୟ ସରକାର ଜୀବ ମଙ୍ଗଳ ସହ ଜଡ଼ିତ ସେ୍ୱଚ୍ଛାସେବୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦେବେ ।

ଏହି ଯୋଜନାଗୁଡ଼ିକ ରାଜ୍ୟ ଜୀବ ମଙ୍ଗଳ ବୋର୍ଡ ଦ୍ୱାରା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହେବ । ପ୍ରାଣୀ ଚିକିତ୍ସାଳୟ , କ୍ଲିନିକ୍‌, ପ୍ରାଣୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ଅପରେସନ ଥିଏଟର, ଯନ୍ତ୍ରପାତି, ପଶୁ ପରିବହନ ପାଇଁ ଯାନ, ଅସୁସ୍ଥ ତଥା ପରିତ୍ୟକ୍ତ ପଶୁମାନଙ୍କ ପାଇଁ ଆଶ୍ରୟ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯୋଗ୍ୟ ସେ୍ୱଚ୍ଛାସେବୀ ସଂଗଠନଗୁଡ଼ିକ ଏହି ଯୋଜନା ଅନ୍ତର୍ଗତ ଏକାଧିକ ଉପାଦାନ ପାଇଁ ସମୁଦାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇ ପାରିବେ ।

ପଶୁ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ (Animal Birth Control)) ଏବଂ ପ୍ରାଣୀ ଚିକିତ୍ସା ହେଲ୍‌ପ ଲାଇନ୍‌ (Animal Help Line) ସୁଦୃଢ଼ କରାଯିବ ଏବଂ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଅନଗୁଳ, ଜଗତସିଂହପୁର, ବାରିପଦା, ବ୍ରହ୍ମପୁର, ବାଲେଶ୍ୱର, ଭବାନୀପାଟଣା, ରାଉରକେଲା ଏବଂ ଯାଜପୁର ସମେତ ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । କର୍ମଶାଳାରେ ବକ୍ତବ୍ୟ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମ୍‌ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ରାଜ୍ୟରେ ବୁଲା ଓ ବେସାହାରା ପ୍ରାଣୀଙ୍କ କଲ୍ୟାଣ ପାଇଁ ବାଟ ଫିଟାଇବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୋନା ମହାମାରୀ ସମୟରେ ଖାଦ୍ୟାଭାବରୁ ବିକଳ ହେଉଥିବା ରାଜ୍ୟର ବୁଲା ଓ ବେସାହାରା ପ୍ରାଣୀଙ୍କ ଖାଦ୍ୟ ନିମନ୍ତେ ପ୍ରାୟ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ବିନିଯୋଗରେ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିଥିବାରୁ ମନ୍ତ୍ରୀ ଡ. ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ।

କର୍ମଶାଳାରେ ବକ୍ତବ୍ୟ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଯୋଜନାରେ ଅଂଶୀଦାର ସଂଗଠନମାନଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ସ୍ୱାଗତ ଭାଷଣ ଦେଇଥିଲେ । ଏହି କର୍ମଶାଳାରେ ସେ୍ୱଚ୍ଛାସେବୀ ସଂଗଠନ, ପୌରପାଳିକା ପ୍ରତିନିଧି, ବିଭାଗୀୟ ଅଧିକାରୀମାନେ ଏବଂ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସକମାନେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କୃଷି ଭବନଠାରେ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦ୍‌ଘାଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ତଥା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍‌. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ମହାସଂଘର ସମସ୍ତ ସଭ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳମୟ ବ୍ୟବସାୟିକ ଭବିଷ୍ୟତ କାମନା କରିବା ସହ ଏଭଳି ଏକ ପ୍ରୟାସ ପାଇଁ ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ
ଜଣାଇଥିଲେ ।

ଏହି ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ପ୍ରୟାସରେ ପ୍ରାରମ୍ଭ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ କୃଷି ଭବନରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ସମୂହ ତଥା ଆଗନ୍ତୁକମାନଙ୍କୁ ପୁଷ୍ଟିଶସ୍ୟରେ ପ୍ରସ୍ତୁତ ନାନାଦି ଖାଦ୍ୟ ଦ୍ରବ୍ୟ ବିକ୍ରି କରିବା ସହ ପୁଷ୍ଟିଶସ୍ୟର ଉପକାରିତା ବିଷୟରେ ଅବଗତ କରାଇବା । ଏହି ବିକ୍ରୟ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟସଭ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ।

ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଧେଶକ (ଓଡିଶା ମିଲେଟ୍ସ ମିଶନ), ଶ୍ରୀ ହୀରଞ୍ଜନ ମହନ୍ତ, ଓଡିଶା ମିଲେଟ୍ସ ମିଶନର ଯୋଜନା ଅଧିକାରୀ ଶ୍ରୀମତୀ କଳ୍ପନା ପ୍ରଧାନ, ରାଜ୍ୟ ସଂଯୋଜକ ସୁଶ୍ରୀ ଅସୀମା ଚୌଧୁରୀ, ଜିଲ୍ଲା ସଂଯୋଜକ ମିଶନ ଶକ୍ତି ଏବଂ ଅନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ ।

ପୁନଶ୍ଚ କୃଷି ଭବନଠାରେ ମନ୍ତ୍ରୀ ଡ. ସାହୁ ଏକ କାଫେଟାରିଆର ଶୁଭ ଉଦ୍‌ଘାଟନ କରିଛନ୍ତି। ବାର୍ଷିକ ଟେଣ୍ଡର ମାଧ୍ୟମରେ ଜୟକମଳ କ୍ୟାଟେରିଂ ସର୍ଭିସ୍‌ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କାଫେଟାରିଆ କୃଷି ଭବନ କର୍ମଚାରୀ ତଥା ଏଠାରେ ଅନୁଷ୍ଠିତ ଅନେକ ସଭାସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବ। ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିବେଶରେ ସୁଲଭ ଦରରେ ଏହି କାଫେଟାରିଆ ଖାଦ୍ୟ ଯୋଗାଇଦେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ। ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ ‘ଫିସର ଫ୍ରେଣ୍ଡ ମୋବାଇଲ୍‌ ଆପ୍ଲିକେସନ୍‌’ (ଏଫ୍‌ଏଫ୍‌ଏମ୍‌ଏ)କୁ ଲୋକାର୍ପଣ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫-‘ଟି’ ମନ୍ତ୍ର ଅଧୀନରେ ଟେକ୍‌ନୋଲୋଜିର ବ୍ୟବହାରକୁ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରାଯାଇଛି।

ଆଧୁନିକ ଟେକ୍‌ନୋଲୋଜି ବ୍ୟବହାର କରି ସାଧାରଣ ଜନତାଙ୍କୁ ରାଜ୍ୟ ସରକାର ଅନେକ ସେବା ଯୋଗାଇ ଆସୁଛନ୍ତି। ଆଜି ଶୁଭାରମ୍ଭ ହେଉଥିବା ମୋବାଇଲ୍‌ ଆପ୍‌ ରାଜ୍ୟ ସରକାରଙ୍କର ଜନମୁଖୀ ଯୋଜନାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦି୍ରକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ମନ୍ତ୍ରୀ ଡ. ସାହୁ ସୂଚନା ଦେଇଥିଲେ ଯେ ଏହି ମୋବାଇଲ୍‌ ଆପ୍ଲିକେସନ୍‌ ନିମନ୍ତେ ଇଣ୍ଟରନେଟ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ୍‌-ଲାଇନ୍‌ରେ ଏହା କାର୍ଯ୍ୟ କରିବ। ଏହା ଦ୍ୱାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳଠାରୁ ଦୂରେଇ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପ୍‌ରୁ ସତର୍କ ସୂଚନା ମିଳିପାରିବ। ଫଳରେ ଅଜାଣତରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଦଣ୍ଡବିଧାନଜନିତ ଅପି୍ରତିକର ପରିସ୍ଥିତିରୁ ମତ୍ସ୍ୟଜୀବୀ ବଞ୍ଚିପାରିବେ । ପ୍ରକୃତିପ୍ରେମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଦୃଢ଼ ନେତୃତ୍ୱ ଯୋଗୁଁ ମତ୍ସ୍ୟସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନୂତନ ଶିଖରରେ ପହଞ୍ଚିପାରିବା ସହ ମାଛ ଉତ୍ପାଦନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଜି ଚତୁର୍ଥ ସ୍ଥାନରେ ପହଞ୍ଚିପାରିଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ।

ଏମ୍‌ଏସ୍‌ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍‌ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଏହି ‘ଫିସର ଫ୍ରେଣ୍ଡ ମୋବାଇଲ୍‌ ଆପ୍ଲିକେସନ୍‌’ ଓଡ଼ିଶା ଉପକୂଳରେ ବିରଳ ସାମୁଦି୍ରକ କଇଁଛ ଅଲିଭ ରିଡ୍‌ଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ଏହି ମୋବାଇଲ୍‌ ଆପ୍‌ ପାଣିପାଗ ସଂପର୍କିତ ଆଗୁଆ ସୂଚନା, ସମ୍ଭାବ୍ୟ ମାଛ ମିଳିବା ସ୍ଥାନ, ସାମୁଦି୍ରକ ସ୍ଥିତିର ପୂର୍ବାନୁମାନ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଓ ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଡ. ସାହୁ ଏହାକୁ ନାଭିଗେଟର ସହ ତୁଳନା କରିଛନ୍ତି। ଏହି ଆପ୍‌ ଦ୍ୱାରା ସଂପୃକ୍ତ ୧.୫୦ ଲକ୍ଷ ସକି୍ରୟ ସାମୁଦି୍ରକ ମତ୍ସ୍ୟଜୀବୀ ଉପକୃତ ହେବେ। ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ ସଂପୃକ୍ତ ବନବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରକାଶ ଥାଉ କି, ପ୍ରତିବର୍ଷ ଏହି ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦି୍ରକ କଇଁଛ ହଜାର ହଜାର ମାଇଲ୍‌ ଦୂରରୁ ଧାମରା, ଦେବୀନଦୀ, ଋଷିକୂଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦି୍ରକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି। ଏହି ଲୋକାର୍ପଣ ଉତ୍ସବକୁ ସମ୍ବୋଧିତ କରି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ସାମୁଦି୍ରକ ମାଛ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧.୭୨ ଲକ୍ଷ ମେଟି୍ରକ୍‌ ଟନ୍‌ରେ ପହଞ୍ଚିବା ସହ ଅନ୍ତରାଷ୍ଟ୍ରୀୟ ବଜାରକୁ ଗତ ୨୦ ବର୍ଷରେ ରାଜ୍ୟର ସାମୁଦି୍ରକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପାଲ୍‌ ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ଏହି ବିରଳ ପ୍ରଜାତିର କଇଁଛ ଆମ ରାଜ୍ୟକୁ ଅଣ୍ଡାଦାନ ନିମନ୍ତେ ଆସୁଥିବାବେଳେ ଏମାନଙ୍କ ପ୍ରତି ହୋଇଥିବା ଆମର ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦର୍ଶାଇଥିଲେ।

ଏହି ଲୋକାର୍ପଣ ଉତ୍ସବରେ ସ୍ୱାଗତ ଭାଷଣ ଦେଇ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୧୪ ଲକ୍ଷ ଲୋକ ଜଡ଼ିତ ଥିବା କଥା କହିଥିଲେ। ଆଗାମୀ ଦିନରେ ଏହି ମୋବାଇଲ୍‌ ଆପ୍ଲିକେସନ୍‌ରେ ଆହୁରି ବୈଶିଷ୍ଟ୍ୟ ଯୋଗହେବ ବୋଲି ସେ କହିଥିଲେ। ରାଜ୍ୟର ବିଭିନ୍ନ ୧୧ଟି ସ୍ଥାନରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ। ଏହି ମୋବାଇଲ୍‌ ଆପ୍ଲିକେସନ୍‌ ବ୍ୟବହାର ପ୍ରଣାଳୀ ଉପରେ ଏକ କଥାଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆପିକଲର ନୂଆ ୱେବ୍‌ସାଇଟ୍‌ ଲୋକାର୍ପିତ କଲେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର, ରାଜ୍ୟରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ସୁଯୋଗ ରହିଛି । ଏହା ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ସହିତ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି କୃଷି ଭବନଠାରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିମିଟେଡ୍‌ (ଆପିକଲ)ର ନୂତନ ୱବ୍‌ସାଇଟ୍‌କୁ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବାବେଳେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ବଜାରରେ ବିକି୍ର କରିପାରିଲେ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ଅଧିକ ମୂଲ୍ୟ ପାଇପାରିବେ ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଯୋଗଦେଇ ଆପିକଲକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ.ପ୍ରଭାତ କୁମାର ରାଉଳ ଆପିକଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମେନ୍ତ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର, ଚଳିତ ଖରିଫରେ ରାଜ୍ୟରେ କମ୍‌ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଫସଲ କ୍ଷତିକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗର ମନ୍ତ୍ରୀସ୍ତରୀୟ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଯେଉଁସବୁ ସ୍ଥାନରେ କମ୍‌ ବୃଷ୍ଟିପାତ ହୋଇଛି, ସେଠାରେ ଉଠାଜଳସେଚନ ପ୍ରକଳ୍ପ ସାହାଯ୍ୟରେ ଜଳସେଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବୃହତ୍‌ ଓ ମଧ୍ୟମ ଜଳସେଚନ ପାଇଁ କେନାଲ ଜଳ ନିଷ୍କାସନ ଉପରେ ବୈଠକରେ ଗୁରୁତ୍ୱ ଦଆଯାଇଛି। କୃଷି, ସମବାୟ ଓ ଜଳସଂପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ ଚାଷଜମି ଅନୁଧ୍ୟାନ କରି କଣ୍ଟିଜେଣ୍ଟ ପ୍ଲାନ୍‌ ପ୍ରସ୍ତୁତ ସହ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ଷେତ୍ର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ ଫସଲର ସଦ୍ୟତମ ସ୍ଥିତି ସଂପର୍କରେ ନିୟମିତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ କୁହାଯାଇଛି । ବୈଠକରେ ମନ୍ତ୍ରୀ ଡ.ସାହୁ କହିଲେ ଯେ ପ୍ରଭାବିତ କ୍ଷେତ୍ରଗୁଡ଼ିକରେ ସେପେଫମ୍ବର ମାସରେ ପ୍ରାକ୍‌ରବିରେ ଅଣଧାନ ଓ ବିକଳ୍ପ ଚାଷ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବା ଆବଶ୍ୟକ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିୟମିତ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ବୈଠକ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ, ଯେପରି ଫସଲ କ୍ଷତି ହେଲେ କ୍ଷତି ଭରଣା କରାଯାଇପାରିବ । ଏଥି ସହିତ ବୀମା କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ତୁରନ୍ତ କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସମବାୟ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଅଧିକ ଫସଲ ଋଣ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏତଦ୍‌ବ୍ୟତୀତ କୃଷି ଶ୍ରମଜୀବୀମାନଙ୍କୁ ଏମ୍‌ଜିଏନ୍‌ଆର୍‌ଜିଏରେ କର୍ମସଂସ୍ଥାନ ଯୋଗାଇଦେଇ ରୋଜଗାରକ୍ଷମ କରାଯିବାକୁ ପଦକ୍ଷେପ ନିଆଯିବ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବୈଠକରେ କୃଷି ଓ ସଂପୃକ୍ତ ବିଭାଗର ସମସ୍ତ କର୍ମଚାରୀ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହିତ ଚାଷୀମାନଙ୍କୁ ଆବଶ୍ୟକ କୃଷି ଉପଦେଶ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଅଣ୍ଟିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନିମନ୍ତେ ଆଡ୍‌ଭାଇଜାରି ଜାରି କରାଯାଇଛି ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଜଳସଂପଦ ବିଭାଗର ଯନ୍ତ୍ରୀମୁଖ୍ୟ ତଥା ସ୍ୱତନ୍ତ୍ର ଶାସନ ସଚିବ ଅସୀମ କୁମାର ମହାପାତ୍ର, ମହାନଦୀ-କାଠଯୋଡ଼ି ସିଷ୍ଟମର ମୁଖ୍ୟଯନ୍ତ୍ରୀ ଭକ୍ତଚରଣ ମହାନ୍ତି, ମେଗା ଲିଫଫ ଇରିଗେସନ୍‌ର ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଂଜନ ରାଉତ, ଓୟୁଏଟିର ଡିନ୍‌ ସଂପ୍ରସାରଣ ପ୍ରଫେସର ପି.ଜେ. ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ।

ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାର ଉଦ୍ୟାନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବେ

ଭୁବନେଶ୍ୱର,  ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟର ଉଦ୍ୟନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଚଳିତ ବୃକ୍ଷରୋପଣ ଋତୁରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଚାରା ପ୍ରସ୍ତୁତି ଓ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ରାଜ୍ୟରେ ଫଳ ଓ ପନିପରିବା ଚାଷ କରିବା ପାଇଁ ବ୍ୟାପକ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଯୋଗାଇ ଦିଆଯାଉଥିବା ସବୁ ସାମଗ୍ରୀ ଯେପରି ସଠିକ୍‌ ସମୟରେ ଓ ସଠିକ୍‌ ମାନର ହୋଇଥିବ ତା’ର କଡ଼ାକଡ଼ି ତଦାରଖ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣର ସ୍ଥିତାବସ୍ଥା ସଂପର୍କରେ ନିୟମିତ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଆତ୍ମନିଯୁକ୍ତି ମିଳିବା ସହିତ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ।

ବ୍ଲକ୍‌ ଏବଂ ଜିଲ୍ଲାସ୍ତରରୁ ତଥ୍ୟ ସଂଗ୍ରହ କରି ରାଜ୍ୟର ଉଦ୍ୟାନ କୃଷି କ୍ଷେତ୍ର ସଂପର୍କରେ ଏକ ବିସ୍ତୃତ ଓ ନିର୍ଭୁଲ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଉଦ୍ୟାନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଉଦ୍ୟାନ କୃଷି ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ଯୋଗଦେଇଥିଲେ । ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସହ ଡେରାସ୍‌ ଫାର୍ମ ପରିଦର୍ଶନ କରିଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜଳଭଣ୍ଡାରଗୁଡ଼ିକରୁ କେଜ କଲଚର ଦ୍ବାରା ବର୍ଷକୁ ୧ ଲକ୍ଷ ୨୫ ହଜାର ଟନ ମାଛ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର, କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛି । କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରୁ ବର୍ଷକୁ ୧ ଲକ୍ଷ ୨୫ ହଜାର ଟନରୁ ଅଧିକ ମାଛ ଉତ୍ପାଦନ କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଡ. ସାହୁ ଉଦ୍ୟୋଗୀମାନଙ୍କୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ହୀରାକୁଦ ଜଳଭଣ୍ଡାରର ୪୪ଟି ସବ୍‌ଜୋନ୍‌ରେ ଏହି ମାଛଚାଷ କରାଯିବ । ଜଳଭଣ୍ଡାରରେ ପଂଜୁରୀ ନିର୍ମାଣ କରି ମାଛଚାଷ କରିବା ଯେହେତୁ ଏକ ନୂତନ ପଦ୍ଧତି, ତେଣୁ ଏ ବିଷୟରେ ସରକାରଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି ।

ରାଜ୍ୟ ସରକାର ବୃହତ ଓ ମଧ୍ୟମ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୂତନ ନୀତି ପ୍ରଣୟନ କରିଛନ୍ତି ଏବଂ ଏଥି ନିମନ୍ତେ ଉଦ୍ୟୋଗୀମାନଙ୍କୁ ରିହାତି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ନୂତନ ଉଦ୍ୟୋଗୀ ସୃଷ୍ଟି ହେବା ସହିତ ଅନେକ ନିଯୁକ୍ତିର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଲେ ଯେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ କରିବା ପାଇଁ ୩୯ ଜଣ ଉଦ୍ୟୋଗୀ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ଭବିଷ୍ୟତରେ ପ୍ରାୟ ୧୫ ହଜାର କେଜ ନିର୍ମାଣ କରାଯାଇ ମାଛଚାଷ କରିବାର ସୁବିଧା ରହିଛି ।

ଜଳଭଣ୍ଡାରରେ ଜେଟି, ଅବତରଣ କେନ୍ଦ୍ର ଆଦି ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବା ନିମନ୍ତେ ଇଡ୍‌କୋ ସହିତ ସ୍ୱତନ୍ତ୍ର ବୈଠକ କରାଯିବ ବୋଲି ସଚିବ ରଘୁପ୍ରସାଦ କହିଥିଲେ । ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କେଜ କଲଚର ନିର୍ମାଣର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେଜ କଲଚର ଉଦ୍ୟୋଗୀମାନେ ଯୋଗଦେଇଥିଲେ ।