ରାଜ୍ୟ ସରକାର ଉଦ୍ୟାନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବେ

Published: Jun 8, 2021, 12:10 am IST

ଭୁବନେଶ୍ୱର,  ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟର ଉଦ୍ୟନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଚଳିତ ବୃକ୍ଷରୋପଣ ଋତୁରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଚାରା ପ୍ରସ୍ତୁତି ଓ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ରାଜ୍ୟରେ ଫଳ ଓ ପନିପରିବା ଚାଷ କରିବା ପାଇଁ ବ୍ୟାପକ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଯୋଗାଇ ଦିଆଯାଉଥିବା ସବୁ ସାମଗ୍ରୀ ଯେପରି ସଠିକ୍‌ ସମୟରେ ଓ ସଠିକ୍‌ ମାନର ହୋଇଥିବ ତା’ର କଡ଼ାକଡ଼ି ତଦାରଖ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣର ସ୍ଥିତାବସ୍ଥା ସଂପର୍କରେ ନିୟମିତ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଆତ୍ମନିଯୁକ୍ତି ମିଳିବା ସହିତ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ।

ବ୍ଲକ୍‌ ଏବଂ ଜିଲ୍ଲାସ୍ତରରୁ ତଥ୍ୟ ସଂଗ୍ରହ କରି ରାଜ୍ୟର ଉଦ୍ୟାନ କୃଷି କ୍ଷେତ୍ର ସଂପର୍କରେ ଏକ ବିସ୍ତୃତ ଓ ନିର୍ଭୁଲ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଉଦ୍ୟାନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଉଦ୍ୟାନ କୃଷି ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ଯୋଗଦେଇଥିଲେ । ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସହ ଡେରାସ୍‌ ଫାର୍ମ ପରିଦର୍ଶନ କରିଥିଲେ ।

Related posts