Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦ୍ୟାନ କୃଷିର ଅମଳ ପରିଚାଳନା ଏବଂ ବିପଣନ ସହାୟତା ପାଇଁ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ

କାକଟପୁର/ଭୁବନେଶ୍ୱର: ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ଯୋଜନାରେ ‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିପଣନ ସହାୟତା’ ମାଧ୍ୟମରେ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

କାକଟପୁର ବ୍ଲକ୍‌ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଫସଲ ଉତ୍ପାଦନ, ଅମଳ, ବିକି୍ରବଟା ନିମନ୍ତେ ବଜାରକୁ ନେବା ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପରିବହନଜନିତ କ୍ଷତି ଆଦି ସହିବାକୁ ପଡ଼ିଥାଏ। ମଜବୁତ୍‌ ପ୍ଲାଷ୍ଟିକ୍‌ କ୍ରେଟସ୍‌ରେ ପନିପରିବା ସାଇତି ରଖିବା ସହ ପରିବହନ କରିବା ସମୟରେ ପରିବାଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ଦ୍ୱାରା ଚାଷୀମାନେ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକି୍ର କରିବାର ସୁଯୋଗ ପାଇଥାଆନ୍ତି।

ଉଦ୍ୟାନ କୃଷି କ୍ଷେତ୍ରରେ ଏହି ଆଧୁନିକ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ଏବଂ ଅମଳ ପରବର୍ତ୍ତୀ ପରିଚାଳନା କ୍ଷତି ହ୍ରାସ ପାଇବ। ଉଦ୍ୟାନ କୃଷି ଉତ୍ପାଦର ପ୍ରକି୍ରୟାକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଓ ବିପଣନ ଦ୍ୱାରା ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ପାଇଁ ପର୍ଯ୍ୟାପ୍ତ ପରିସର ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ପନିପରିବା ଚାଷ ଦ୍ୱାରା ଚାଷୀମାନଙ୍କର ନିରନ୍ତର ଆୟ ଓ ଆୟବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏଥି ପାଇଁ ଚାଷୀମାନଙ୍କୁ ଠିକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଉନ୍ନତ ମାନର ମଂଜି ଓ ଚାରା ଓ ଆନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣକୁ ବିଭାଗ ସର୍ବଦା ପ୍ରାଥମିକତା ପ୍ରଦାନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରବା ପାଇଁ ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ବିପଣନ କ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପ୍ଲାଷ୍ଟିକ୍‌ କ୍ରେଟସ୍‌, ଶୀତଳିକରଣ ଗୃହ, ସବଜୀ କୁଲର, ପରିବହନ ଖର୍ଚ୍ଚ, ସଂରକ୍ଷଣ ଭଡ଼ା ଇତ୍ୟାଦି ବାବଦରେ ରାଜ୍ୟ ସରକାର ୭୦ରୁ ୯୦ ପ୍ରତିଶତ ରିହାତିର ବ୍ୟବସ୍ଥା କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ସଂଗଠନ ଏବଂ ସାଧାରଣ ଚାଷୀମାନଙ୍କ ପାଇଁ ଚଳିତ ବର୍ଷ ୧୦ ଲକ୍ଷ ପ୍ଲାଷ୍ଟିକ୍‌ କ୍ରେଟସ୍‌ ଶତକଡ଼ା ୯୦ ଭାଗ ରିହାତି ଦରରେ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍‌ରେ ହାରାହାରି ୩୨୦୦ ଟି ପ୍ଲାଷ୍ଟିକ୍‌ କ୍ରେଟସ୍‌ ହିସାବରେ ସମୁଦାୟ ୩୨୯୫୦ଟି କ୍ରେଟସ୍‌ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ ନାୟକ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ନାୟକ, ଉଦ୍ୟାନ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଚିନ୍ଦ୍ରନାଥ ଭୋଳ, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁଳା ତ୍ରୀପାଠୀ, କାକଟପୁର ବିଡିଓ ଶ୍ରୀ ତୁଷାର ଜ୍ୟୋତି ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

‘ମୋ ଖତ’ ‘ଜିଆ ଖତ’ କୁ ଗୁରୁତ୍ବ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କୃଷି କ୍ଷେତ୍ରରେ ଜୈବିକ କୃଷି ଉପାଦାନର ବ୍ୟବହାରକୁ ବୃଦ୍ଧି କରି ରାସାୟନିକ ସାର ବ୍ୟବହାରକୁ ସନ୍ତୁଳିତ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନାରେ ‘ମୋ ଖତ’, ‘ଜିଆ ଖତ’, ଫାର୍ମ କମ୍ପୋଷ୍ଟ ଆଦିର ପ୍ରୟୋଗକୁ ସୁନିଶ୍ଚିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ଦିନ ମଧ୍ୟରେ ଜୈବିକ କୃଷି ଉପାଦାନର ବ୍ୟବହାର ସମ୍ବନ୍ଧୀୟ ଏକ ମାର୍ଗଦର୍ଶିକା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ବିଭାଗର ବିଭିନ୍ନ ଯୋଜନାରେ ଚାରାରୋପଣ କାର୍ଯ୍ୟକ୍ରମରେ ଜୈବିକ କୃଷି ଉପାଦାନର ବ୍ୟବହାର ସଂପର୍କରେ ସମୀକ୍ଷା କରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଜୈବିକ ଖତ’, ‘ଜିଆ ଖତ’, ‘ମୋ ଖତ’ ଇତ୍ୟାଦିର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବରେ ନମୁନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦକ୍ଷତା ବିକାଶ କରି ଅଧିକ ସଂଖ୍ୟାରେ ଜୈବିକ ଖତ ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ଖତକୁ ବିଭାଗର ବିଭିନ୍ନ ଯୋଜନାରେ କିଣିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଜିଆ ଖତ ପ୍ରସ୍ତୁତ କରିବା ପାଇଁ ତାଲିମ ମାଧ୍ୟମରେ ଆବଶ୍ୟକ କୌଶଳ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ସ୍ଥାପିତ ଜିଆଖତ ପ୍ରକଳ୍ପ ଉଦ୍ୟୋଗୀମାନଙ୍କଠାରୁ ମଧ୍ୟ ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ପରୀକ୍ଷା କରି ବିଭାଗ ପକ୍ଷରୁ କିଣାଯିବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ବେସରକାରୀ ‘ଖତ’ ଯୋଗାଣକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ନିରୀକ୍ଷଣ ଓ ସେମାନଙ୍କ ପ୍ଲାଣ୍ଟର କ୍ଷମତା ପରିଦର୍ଶନ କରିବା ପାଇଁ ବିଭାଗର ଏକ ବୈଷୟିକ ଦଳ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏଥି ସହିତ ‘ସୁରଭି’ ଆଉଟ୍‌ଲେଟ୍‌ ମାଧ୍ୟମରେ ‘ଖତ’ ସହ ଛୋଟ ଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମିଶନ ଶକ୍ତି ବିଭାଗର ରାଜ୍ୟ ମିଶନ୍‌ ଡାଇରେକଫର ତଥା ସିଇଓ ଡ. ଏନ୍‌. ତିରୁମାଲା ନାୟକଙ୍କ ସମେତ ନଗର ଓ ଗୃହ ନିର୍ମାଣ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସ୍ୱଚ୍ଛ ଭାରତ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଯୋଗଦେଇଥିବାବେଳେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ପି.ଡି., ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ୫-‘ଟି’ ଓ ‘ମୋ ସରକାର’ ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ହୋଇଥିବାବେଳେ ଏହାକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଓ କୃଷକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

‘ମୋ ସରକାର’ ଦାୟିତ୍ୱରେ ଥିବା ଅଧିକାରୀ ଓ ନିର୍ଦ୍ଦେଶାଳୟକୁ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୃଷି ଭବନଠାରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଫୋନ୍‌ କଲ୍‌ ମାଧ୍ୟମରେ ହିତାଧିକାରୀମାନଙ୍କଠାରୁ ମିଳୁଥିବା ଅଭିଯୋଗ ଉପରେ ୭ ଦିନ ମଧ୍ୟରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

‘ମୋ ସରକାର’ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥି ସହିତ ଅଧିକ ସଂଖ୍ୟକ ଫୋନ୍‌ କଲ୍‌ କରି ହିତାଧିକାରୀଙ୍କ ଯୋଜନା ରୂପାୟନ ସଂପର୍କରେ ଜାଣିବା ଉପରେ ଡ. ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।

ସୂଚନାଯୋଗ୍ୟ ଯେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧୪ଟି କାର୍ଯ୍ୟକ୍ରମ ଓ ସେବାକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥି ମଧ୍ୟରୁ ‘କାଳିଆ’, ‘ଆମ କୃଷି’, କୃଷି ଯାନ୍ତ୍ରିକୀକରଣ, ଓଡ଼ିଶା ମିଲେଟ୍‌ ମିଶନ୍‌, ଫାର୍ମ ପଣ୍ଡ, ସାର ଲାଇସେନ୍ସ ପ୍ରଦାନ ରହିଛି।

ସେହିପରି ପିଏମ୍‌କେଏସ୍‌ୱାଇ, ଚାଷୀମାନଙ୍କଠାରୁ ମିଲେଟ୍‌ ସଂଗ୍ରହ, ରାଜ୍ୟ ବିହନ ଲାଇସେନ୍ସ ପ୍ରଦାନ, କୀଟନାଶକ ଔଷଧ ବିକି୍ର ଲାଇସେନ୍ସ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ବିହନ ଲାଇସେନ୍ସ ପ୍ରଦାନ ଓ ନର୍ସରୀ ଆଦି ୧୪ଟି କାର୍ଯ୍ୟକ୍ରମ ଓ ସେବାକୁ ‘ମୋ ସରକାର’ ଅଧିନ କରାଯାଇଛି।

ଫୋନ୍‌ କଲ୍‌ ମାଧ୍ୟମରେ ଏ ସଂପର୍କରେ ହିତାଧିକାରୀମାନଙ୍କଠାରୁ ନିୟମିତ ଫିଡ୍‌ବ୍ୟାକ୍‌ ସଂଗ୍ରହ କରାଯାଇ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପାରଦର୍ଶୀ କରିବା ଉପରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଢିଲା ଫସଲ ବୀମା ପଞ୍ଜୀକରଣ ସମୟ ସୀମା, ରାଜ୍ୟ ସରକାର ନେଲେ ନିଷ୍ପତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ସମବାୟ ସମିତିର ରେଜିଷ୍ଟ୍ରାର ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ଏବଂ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଆଭାସୀ ସମୀକ୍ଷା ବୈଠକରେ ସମବାୟ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ।

ଜିଲ୍ଲାପାଳମାନଙ୍କ ନେତୃତ୍ୱରେ ଅଳ୍ପ ଦିନ ମଧ୍ୟରେ ୧୩ ଲକ୍ଷରୁ ଅଧିକ ଚାଷୀଙ୍କୁ ପଞ୍ଜୀକୃତ କରିବାରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ନାମଲେଖାର କଟ୍ ଅଫ୍ ତାରିଖ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବୈଠକରେ ସେ ସୂଚନା ଦେଇଥିଲେ। ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ବ୍ୟାଙ୍କିଙ୍ଗ୍ ନେଟୱାର୍କ ଦ୍ୱାରା ନଗଣ୍ୟ ସଂଖ୍ୟକ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମବାୟ ବ୍ୟାଙ୍କଗୁଡ଼ିକୁ ଅଗଷ୍ଟ ୫ ତାରିଖ ସୁଦ୍ଧା ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ ଲକ୍ଷ୍ୟ ଦିଆଯାଇଛି ଏବଂ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ମଧ୍ୟ ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକରଣ କରିବାକୁ କୁହାଯାଇଛି। ବର୍ଦ୍ଧିତ କଟ୍ ଅଫ୍ ତାରିଖ ମଧ୍ୟରେ ୪ ଲକ୍ଷ ଅଣଋଣଧାରୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ କମନ୍ ସର୍ଭିସ୍ ସେଣ୍ଟର (ଜନସେବା କେନ୍ଦ୍ର)ଗୁଡ଼ିକୁ ଲକ୍ଷ୍ୟ ଦିଆଯାଇଛି।

ବୈଠକ ପରେ ଡଃ ପାଢ଼ୀ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ଭାଗ ପ୍ରିମିୟମ୍ ବହନ କରିବାକୁ ନେଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ ଲକ୍ଷ୍ୟ କଟ୍ ଅଫ୍ ତାରିଖ ମଧ୍ୟରେ ସହଜରେ ହାସଲ ହୋଇପାରିବ,ଯାହାଦ୍ୱାରା ରାଜ୍ୟର କୃଷକମାନଙ୍କ ହିତକର ନିଷ୍ପତ୍ତି ଦୃଷ୍ଟିରୁଅତି କମରେ ଏତେ ସଂଖ୍ୟକ କୃଷକ ଉପକୃତ ହୋଇପାରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍‌ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର ଗୁରୁତ୍ୱ ଏବଂ ଉପକାରିତା ସଂପର୍କରେ ପ୍ରଚାର ପ୍ରସାର କରିବା ପାଇଁ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚେମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜ୍‌ (ଫିକି)ର ସହଭାଗିତାରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରାଯିବ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଫିକିର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ମୌସୁମୀ ଘୋଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମିଲେଟ୍‌କୁ ଘରେ ଘରେ ଆଦୃତ କରାଇବା ସହିତ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ଷସାରା ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ନିୟମିତ ସମୀକ୍ଷା କରାଯିବ।

ବୁଝାମଣାପତ୍ର ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକିର ସହଭାଗିତାରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହେବ। ଫିକି ଓ ଓଡ଼ିଶା ସରକାର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିୟମିତ ଭାବେ କାର୍ଯ୍ୟକ୍ରମଗୁଡ଼ିକ ସମୀକ୍ଷା ଏବଂ ତଦାରଖ ସହିତ ଏଥି ନିମନ୍ତେ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବ। ମିଲେଟର ପ୍ରଚାରପ୍ରସାର ଦିଗରେ ଜନସଂପର୍କ ସଂସ୍ଥା, ଡିଜାଇନର ପାର୍ଟନର, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ, ନଲେଜ ପାର୍ଟନର, ଗବେଷଣା ଆଦିରେ ଫିକି ସହଭାଗିତା ଯୋଗାଇଦେବ।

ମିଲେଟ୍‌ର ପ୍ରଚାର ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି, ସାମାଜିକ ଗଣମାଧ୍ୟମରେ ପ୍ରଚାର ଆଦି କାର୍ଯ୍ୟ ସହିତ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଆଦି ସହରରେ ମିଲେଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌ ଆଦିର ଆୟୋଜନ କରାଯିବ। ବିଭିନ୍ନ ଏଫ୍‌ଏମ୍‌ସିଜି କମ୍ପାନୀମାନଙ୍କୁ ମିଲେଟ୍‌ ଜାତୀୟ ଖାଦ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ ପୁଂଜିନିବେଶ ଦିଗରେ ଆଲୋଚନା ହେବ।

ସହରାଞ୍ଚଳରେ ମିଲେଟ୍‌ର ବ୍ୟାପକ ପ୍ରଚାର ଓ ଜନସଚେତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ମିଡ଼ିଆରେ ବିଶେଷଜ୍ଞଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ମିଲେଟ୍‌ ଜାତୀୟ ଖାଦ୍ୟର ପ୍ରଚାର ଦିଗରେ ଖାଦ୍ୟ ପ୍ରସ୍ତୁତି ନେଇ ବିଭିନ୍ନ ରୋଷେଇ କାର୍ଯ୍ୟକ୍ରମ ଓ ରୋଷେଇ ପ୍ରତିଯୋଗିତା ଟିଭି ଚ୍ୟାନେଲ ଏବଂ ହୋଟେଲ୍‌ ଆସୋସିଏସନ୍‌ ଦ୍ୱାରା ଆୟୋଜନ କରାଯିବ।

କାର୍ଯ୍ୟକ୍ରମର ଡକୁ୍ୟମେଣ୍ଟେସନ୍‌ କରାଯିବା ସହିତ ଓଡ଼ିଶା ମିଲେଟ୍‌ ମିଶନ ସଂପର୍କରେ ଡକୁ୍ୟମେଣ୍ଟାରୀ ପ୍ରସ୍ତୁତ କରାଯିବ। ଏହି ଅବସରରେ ଫାଉଣ୍ଡେସନ୍‌ ବୁକ୍‌ ଅନ୍‌ ମିଲେଟ୍‌ସ୍‌ର ଅନ୍ତର୍ଜାତୀୟ ପ୍ରକାଶନ ମଧ୍ୟ କରାଯିବ। ଏଥି ସହିତ ଇଣ୍ଟରନ୍ୟାସନାଲ୍‌ କନ୍‌ଭେନ୍‌ସନ୍‌ ଅନ୍‌ ମିଲେଟ୍‌ର ଆୟୋଜନ ନିମନ୍ତେ ମଧ୍ୟ ଫିକି ଆବଶ୍ୟକ ସହଯୋଗ ଯୋଗାଇଦେବ।

ଭୁବନେଶ୍ୱର ଓ ରାଉରକେଲାଠାରେ ପୁରୁଷ ବିଶ୍ୱକପ୍‌ ହକି ପ୍ରତିଯୋଗିତା ସମୟରେ ମିଲେଟ ସଂପର୍କିତ ଭିଡ଼ିଓ ପ୍ରଦର୍ଶନ କରାଯିବା ସହିତ ଖେଳାଳି ଓ ଅତିଥିମାନଙ୍କୁ ମିଲେଟ୍‌ ସମ୍ବନ୍ଧୀୟ ସ୍ମରଣିକା, ବ୍ୟାଗ୍‌ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯିବ। ଖେଳାଳିମାନଙ୍କ ଖାଦ୍ୟ ତାଲିକାରେ ଯେପରି ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ସ୍ଥାନ ପାଇବ, ସେଥି ପ୍ରତି ହୋଟେଲଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବ।

କାର୍ଯ୍ୟକ୍ରମ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଓ ଫିକିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାର ବିତରଣର ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ଖରିଫରେ ଆବଶ୍ୟକ ସାରର ସୁଷମ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନେ ଯେପରି ଠିକ୍‌ ସମୟରେ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ପାଇବେ ସେଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାରର ଯୋଗାଣ ଓ ବଣ୍ଟନକୁ ବ୍ୟବସ୍ଥିତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ସଂଜୀବ ଚୋପ୍ରା ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସାର ବିକି୍ରର ଯାଞ୍ଚ ବ୍ୟବସ୍ଥାକୁ ବ୍ୟାପକ ଓ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ସାରର ମହଜୁଦ ଓ କଳାବଜାରୀକୁ ରୋକିବା ଉଦ୍ଦେଶ୍ୟରେ ସତର୍କ ଦୃଷ୍ଟି ରଖିବା ନିମନ୍ତେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଯାଞ୍ଚକାରୀ ଦଳକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଚାଷୀମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ସାର ଉପଲବ୍ଧ କରାଇବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କୋଅପରେଟିଭ୍‌ ସଂସ୍ଥାର ଡିଲର ଏବଂ ଘରୋଇ ଡିଲରମାନଙ୍କୁ ସାର ଯୋଗାଇ ଦିଆଯାଇଛି। ସାର ସଂଗ୍ରହକାରୀ ସଂସ୍ଥା ମାର୍କଫେଡ୍‌ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ଆବଶ୍ୟକ ପରିମାଣର ୟୁରିଆ ସାର ଯଥେଷ୍ଟ ପୂର୍ବରୁ ଡିଲରମାନଙ୍କୁ ଯୋଗାଇଦେବାର ବନ୍ଦୋବସ୍ତ କରାଯାଇଛି। ଏଥି ସହିତ ରାଜ୍ୟର ଆବଶ୍ୟକତା ଅନୁସାରେ ଡିଏପି ଓ ପଟାସ ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ଚାଷୀଙ୍କୁ ସାର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ବିଭାଗୀୟ ଯାଞ୍ଚକାରୀ ଦଳ ଗଠନ କରାଯାଇଛି। ପ୍ରତି ବ୍ଲକ୍‌ରେ ଅଧିସୂଚିତ କ୍ଷେତ୍ରୀୟ ଅଧିକାରୀଙ୍କୁ ସାର ନିରୀକ୍ଷକ ଭାବେ ନିୟୋଜିତ କରାଯାଇଛି। ଜିଲ୍ଲା ଓ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ଓ କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳମାନେ ପଦକ୍ଷେପ ନେବା ସହିତ ଯାଞ୍ଚକାରୀ ଦଳଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ପତ୍ରରେ କୁହାଯାଇଛି। ଏଥି ସହିତ ବିଭିିନ୍ନ ର୍ୟାକ୍‌ ପଏଣ୍ଟରୁ ନିର୍ଦ୍ଧାରିତ ଜିଲ୍ଲାମାନଙ୍କୁ ସାରର ବିତରଣ ଓ ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ଅର୍ଥକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କର, କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବିଭିନ୍ନ ଯୋଜନାରେ ଆବଣ୍ଟିତ ଅର୍ଥର ପ୍ରଥମ ତ୍ରୈମାସିକ ଖର୍ଚ୍ଚ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ କୃଷି ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବିଭିନ୍ନ ଯୋଜନା ନିମନ୍ତେ ବଜେଟ୍‌ର ଆବଣ୍ଟିତ ଅର୍ଥର ଠିକ୍‌ ସମୟରେ ଉଦ୍ଦିଷ୍ଟ ଯୋଜନାରେ ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ସହିତ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା।

ବୈଠକରେ ସମନ୍ୱିତ କୃଷି, ଭୂତଳ ଜଳର ବ୍ୟବହାର, କୃଷି ଯାନ୍ତ୍ରିକୀକରଣ, ଚାଷରେ ବିବିଧିକରଣ ଆଣି ଅଣଧାନ ଫସଲ, ଡାଲି, ତୈଳବୀଜ, କପା, ଝୋଟ ଆଦି ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଯୋଜନାର ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କୃଷିରେ ମହିଳାମାନଙ୍କ ଭାଗୀଦାରିତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥି ସହିତ ବୈଠକରେ ଫଳ, ପନିପରିବା, ମସଲା ଚାଷ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧିି, ରିୱାର୍ଡ, ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ମିଲେଟ୍‌ ମିଶନ, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିକ୍ରିବଟା, ଚାଷୀଙ୍କୁ ରିହାତି ପ୍ରଦାନ ଆଦିରେ ପ୍ରଥମ ତ୍ରୈମାସିକରେ ହୋଇଥିବା ଖର୍ଚ୍ଚ ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସେହିପରି ପଣସ ମିଶନ, ଛତୁ ମିଶନ, ଫୁଲ ମିଶନ ଓ ମସଲା ମିଶନର ସଠିକ୍‌ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲିଥିବା ପଦବୀକୁ ପୁରଣ କରାଯିବ, ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଭାଗର ଲୋକାଭିମୁଖୀ କାର୍ଯ୍ୟକ୍ରମର ସୁଫଳ ଆନୁଷଙ୍ଗିକ କୃଷି ସହ ଜଡ଼ିତ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଖାଲିଥିବା ମୂଳ ପଦବୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ।

ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ଏବଂ ଓଡ଼ିଶା ସବ୍‌ଅର୍ଡ଼ିନେଟ୍‌ ଷ୍ଟାଫ ସିଲେକ୍ସନ୍‌ ଦ୍ୱାରା ଲିଖିତ ଓ ମୌଖିକ ପରୀକ୍ଷା କରାଯାଇ ପଦବୀ ପୂରଣ କରାଯାଉଥିବା ପରିପ୍ରେକ୍ଷୀରେ ଏ ଦିଗରେ ଆୟୋଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଖାଲିଥିବା ବିଭିନ୍ନ ପଦବୀ ପୂରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ବୈଠକର ସୂଚନା ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ୧୭୭ଟି ସହକାରୀ ମତ୍ସ୍ୟ ଅଧିକାରୀ ପଦବୀ ନିମନ୍ତେ ଚୟନ ପ୍ରକି୍ରୟା ଆରମ୍ଭ ହୋଇଛି । ସେହିପରି ୬୭ଟି ଜୁନିଅର ଫିସରିଜ୍‌ ଟେକ୍‌ନିକାଲ୍‌ ଆସିଷ୍ଟାଣ୍ଟ ପଦବୀ ନିମନ୍ତେ ଷ୍ଟାଫ ସିଲେକ୍‌ସନ୍‌ କମିଶନ ଦ୍ୱାରା ଲିଖିତ ପରୀକ୍ଷା କରାଯାଇଛି।

ମତ୍ସ୍ୟ ନିର୍ଦ୍ଦେଶାଳୟ ଅଧୀନରେ ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଖାଲି ହେଉଥିବା ସହକାରୀ ମତ୍ସ୍ୟ ଅଧିକାରୀ ଓ ଜୁନିଅର ଫିସରିଜ୍‌ ଟେକ୍‌ନିକାଲ୍‌ ଆସିଷ୍ଟାଣ୍ଟ ପଦବୀ ତାଲିକା ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରି ପଦବୀ ପୂରଣ ନିମନ୍ତେ କ୍ଷମତାସଂପନ୍ନ କମିଟି ସମ୍ମୁଖରେ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସବ୍‌ଅର୍ଡ଼ିନେଟ୍‌ ଷ୍ଟାଫ ସିଲେକ୍‌ସନ୍‌ କମିଶନ ଦ୍ୱାରା ମତ୍ସ୍ୟ ନିର୍ଦ୍ଦେଶାଳୟର ୧୯ଟି ଜୁନିଅର କ୍ଲର୍କ ପଦବୀ ପୂରଣ ନିମନ୍ତେ ସାର୍ଟିଫିକେଟ୍‌ ଯାଞ୍ଚ କାର୍ଯ୍ୟ କରାଯିବା ପରେ ତାଲିକା ଚୂଡ଼ାନ୍ତ କରାଯିବ।

ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ଅଧୀନରେ ୩୫୧ଟି ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ/ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ମୌଖିକ ପରୀକ୍ଷା କରାଯାଇ ପ୍ରାର୍ଥୀ ତାଲିକା ସୁପାରିଶ କରାଯିବ। ଏତଦ୍‌ବ୍ୟତୀତ ୪୫୪ଟି ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ/ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପୂରଣ ନିମନ୍ତେ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୫୬୫ଟି ପ୍ରାଣୀସଂପଦ ନିରୀକ୍ଷକ (ଏଲ୍‌ଆଇ) ପଦବୀରେ ନିଯୁକ୍ତି ନିମନ୍ତେ ଲିଖିତ ଓ ଶାରୀରିକ ପରୀକ୍ଷା ଶେଷ ହୋଇଛି ଓ ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ୭୧୯ଟି ଏଲ୍‌ଆଇ ପଦବୀ ପୂରଣ ନିମନ୍ତେ ସବଅର୍ଡ଼ିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌କୁ ଅନୁରୋଧ କରାଯାଇଛି। ବୈଠକରେ ୭୧୯ଟି ଏଲ୍‌ଆଇ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶନ ନିମନ୍ତେ ଆୟୋଗର ସଚିବଙ୍କୁ ଅନୁରୋଧ କରାଯାଇଥିଲା।
ବିଭିନ୍ନ ଅଦାଲତରେ ମକଦ୍ଦମା ଯୋଗୁଁ ପଦବୀ ପୂରଣ ଦିଗରେ ବାଧା ସୃଷ୍ଟି ହେଉଥିବାରୁ ବିଭାଗ ପକ୍ଷରୁ ଆଇନ ପରାମର୍ଶଦାତା ନିଯୁକ୍ତି କରିବା ସହିତ ମାମଲାଗୁଡ଼ିକର ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଡ଼୍‌ଭୋକେଟ୍‌ ଜେନେରାଲଙ୍କୁ ଅନୁରୋଧ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଶ୍ୱମୋହନ ରାୟ, ଶ୍ରୀ ସୁମନ ବେହେରା ଓ ଶ୍ରୀ ଗଙ୍ଗାଧର ନାୟକ, ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଓଡ଼ିଶା ଲୋକସେବା ଆୟୋଗ ଓ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ ଆୟୋଗର ସଚିବମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଓ ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମାଧ୍ୟମରେ ଓଡ଼ିଶା ସରକାର ଏବଂ ବିଲ୍‌ ଓ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟରେ ରାଜ୍ୟରେ ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କର ଜୀବନଜୀବିକାର ସମୃଦ୍ଧି ପାଇଁ ନିରନ୍ତର କୃଷି ପ୍ରୋତ୍ସାହନ ଓ କୃଷି ପ୍ରଗତି ନିମନ୍ତେ ଅଧିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ଓ ସୃଜନଶୀଳ କାର୍ଯ୍ୟକ୍ରମ ଦ୍ୱାରା କ୍ଷୁଦ୍ର ଚାଷୀଙ୍କ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିପାରିବ । କୃଷିକୁ ଚିରପୋଷଣୀୟ କରିବା, ବଜାର ଦକ୍ଷତା ବୃଦ୍ଧି, ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ମରୁଡ଼ି ଆଶଙ୍କା କମାଇବା, କୀଟ ଆକ୍ରମଣ ଓ ଅନ୍ୟ ଜଳବାୟୁଜନିତ ବିପଦକୁ ହ୍ରାସ କରିବା, ମୃତ୍ତିକା ଓ ଜଳସମ୍ବଳ ପରିଚାଳନାକୁ ଦକ୍ଷ କରିବା ଆଦିରେ ନିଷ୍ପତ୍ତି ଗ୍ରହଣ କରିବାରେ ଆବଶ୍ୟକ ହେଉଥିବା ତଥ୍ୟ ବ୍ୟବହାରକୁ ଗେଟ୍‌ସ ଫାଉଣ୍ଡେସନ୍‌ ତ୍ୱରାନ୍ୱିତ କରିବ । ତା’ଛଡ଼ା ନୀତି ରୂପାୟନରେ ଏହା ସହାୟକ ହେବ। ଜଳବାୟୁ ଉପଯୋଗୀ, ସମନ୍ୱିତ କୃଷି ଅର୍ଥନୀତି ସୃଷ୍ଟି ହେବା ଦ୍ୱାରା ଓଡ଼ିଶାର ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କ୍ଷେତ୍ରରେ ରୂପାନ୍ତରଣ ଆସିପାରିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶୀ ନେତୃତ୍ୱରେ ଓଡ଼ିଶାର କୃଷି କ୍ଷେତ୍ର ସମ୍ଭାବ୍ୟ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଅଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କ୍ଷୁଦ୍ର ଉତ୍ପାଦନକାରୀଙ୍କ ପାଇଁ ଏକ ବିସ୍ତୃତ ସାମାଜିକ-ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଅଛି । କୃଷକଙ୍କ ଆୟ ବୃଦ୍ଧି ଓ ପ୍ରାଣୀସଂପଦ ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏହି ବୁଝାମଣାପତ୍ର ମାଧ୍ୟମରେ ଗେଟ୍‌ସ ଫାଉଣ୍ଡେସନ୍‌ ଓ ଏହାର ଭାଗୀଦାରମାନେ ଡାଟା ସିଷ୍ଟମ୍‌, ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ ।

ଏହି ଅବସରରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଆମ ସରକାର ଚାଷ ଜମି, ପ୍ରାଣୀସଂପଦ, ଜଙ୍ଗଲ ଓ ମତ୍ସ୍ୟ ଉତ୍ପାଦନ ପରିଚାଳନା ନିମନ୍ତେ ଏକ ସମନ୍ୱିତ ପଦ୍ଧତି ଗ୍ରହଣ କରି ଆସିଥିବାବେଳେ ଖାଦ୍ୟ ନିରାପତ୍ତା ଓ ଜଳବାୟୁ ପରିବର୍ତ୍ତନ ସହିତ ଅନ୍ୟ କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି । ଭୂମିହୀନ ଶ୍ରମିକ, କ୍ଷୁଦ୍ର ଚାଷୀ ଓ ମହିଳାଙ୍କ ସମେତ ସମସ୍ତ ଚାଷୀଙ୍କର ଜୀବନଧାରାରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଆମ ସରକାର ବଦ୍ଧପରିକର । ଗେଟ୍‌ସ ଫାଉଣ୍ଡେସନ୍‌ର ସହଯୋଗରେ ଆମେ ବିଶ୍ୱର ଶ୍ରେଷ୍ଠ ପଦ୍ଧତି, ସର୍ବଶ୍ରେଷ୍ଠ ପ୍ରଯୁକ୍ତି ଓ ଅଭିନବ କୌଶଳ ଲାଭ କରିପାରିବୁ । ଏହା ଦ୍ୱାରା ଗ୍ରାମୀଣ ଲୋକଙ୍କ ପାଇଁ ସୂଚନା, ଦ୍ରବ୍ୟ, ସେବା ଓ ଭାଗୀଦାରିକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ ।

ବିଲ୍‌ ଓ ମେଲିଣ୍ଡା ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶ୍ରୀ ଅଲକେଶ ୱାଧୱାନୀ କହିଲେ, ଓଡ଼ିଶା କ୍ଷୁଦ୍ର ଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କୁ ଆମେ ସହଯୋଗ ଯୋଗାଇ ଦେବୁ । ଫାଉଣ୍ଡେସନ୍‌ ଓଡ଼ିଶା ସରକାରଙ୍କ ସହିତ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରରେ ଅଧିକ ମୂଲ୍ୟଯୁକ୍ତ ଫସଲର ବିବିଧିକରଣ, କୃଷକ ଉତ୍ପାଦନକାରୀ ସଂଘଗୁଡ଼ିକର ସୁଦୃଢ଼ୀକରଣ ବଜାର ସୁବିଧା ସୃଷ୍ଟି, ଡିଜିଟାଲ୍‌ ସଂପ୍ରସାରଣ, ଭବିଷ୍ୟତ ପ୍ରଯୁକ୍ତି ଓ ସମନ୍ୱିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଡାଟାବେସ୍‌ ସୃଷ୍ଟି ଉପରେ ଏହା କାର୍ଯ୍ୟ କରିଆସୁଛି ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ କୁମାର ଅଗ୍ରୱାଲ ଏହି ଉପକ୍ରମ କୃଷି ଓ କୃଷକମାନଙ୍କ ଉନ୍ନତି ଦିଗରେ କାମ କରିବା ସହ ଚଳନ୍ତି ପ୍ରକ୍ରିୟାକୁ ଅଧିକ ଗତି ପ୍ରଦାନ କରିବ ବୋଲି କହିଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଏହି ଅବସରରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ବିଭାଗ ତରଫରୁ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଓ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ବିଲ୍‌ ଓ ମିଲିଣ୍ଡା ଫାଉଣ୍ଡେସନ୍‌ ତରଫରୁ ଡ. ଅଲକେଶ ୱାଧୱାନୀ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ନିପାଣିଆ ଗ୍ରାମର ଶ୍ରୀମତୀ ନିରୁପମା ମହାନ୍ତ, ରାୟଗଡ଼ା ଜିଲ୍ଲା କୋଲନାରା, ଜଗତଜନନୀ ଏସ୍‌ଏଚ୍‌ଜିର ଶ୍ରୀମତୀ କୁମାରୀ କାଡ୍ରାକା, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବଡ଼କୁମାରୀ ଗ୍ରାମର ମାଉଲିମା ଖାଦ୍ୟ ଉତ୍ପାଦକ ସଂଘର ସଦସ୍ୟ ମକାଚାଷୀ ଶ୍ରୀ ତୁଳାରାମ ବିନ୍ଧାଣୀ ଓ ବୀରସିଂହ ଭତ୍ରା ସେମାନଙ୍କ କୃଷି କାର୍ଯ୍ୟରେ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ପରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ମେଲିଣ୍ଡା ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶ୍ରୀ ଅଲକେଶ ୱାଧୱାନୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଫାଉଣ୍ଡେସନ୍‌ର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ନିଧିନାଥ ଶ୍ରୀନିବାସଙ୍କୁ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

‘‘ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାର ବ୍ୟବହାର ଏକ ଅଭିନବ ପଦକ୍ଷେପ’’: ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି। ସଦର ବ୍ଲକ୍ ଅନ୍ତର୍ଗତ ରଙ୍ଗାଢ଼ିପାଠାରେ ଏଥିପାଇଁ ଏକ ଚିକି ପ୍ରସ୍ତୁତି ୟୁନିଟର ଶୁଭାରମ୍ଭ କରାଯାଇଛି। ଶନିବାର ଦିନ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହାର ଉଦଘାଟନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ମିକ୍ସ ସହିତ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କରାଯାଉଛି। ୨୦୨୦ ଅଗଷ୍ଟ ୧୫ ତାରିଖରେ ଏହି ପୋଷଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିପାଇଁ ଜିଲ୍ଲାରୁ ଉତ୍ପାଦିତ ମାଣ୍ଡିଆରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ଲଡ଼ୁ ଲାଗି ମିକ୍ସ ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ବାହାରୁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ପିରୁଲିନା ମିଶ୍ରିତ ଚିକି ଓ ଚିନି ଅଣାଯାଉଛି।

ଏବେ ସୁନ୍ଦରଗଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚିକି ପ୍ରସ୍ତୁତ କରାଯିବ। ପ୍ରଥମ ପର‌୍ୟ୍ୟାୟରେ ସୁନ୍ଦରଗଡ଼ର ରଙ୍ଗାଢ଼ିପାଠାରେ ଚିକି ୟୁନିଟ୍ ଆରମ୍ଭ କରାଯାଇଛି। ଏଠାରେ ପ୍ରସ୍ତୁତ ହେବାକୁ ଥିବା ଚିକି ସୁନ୍ଦରଗଡ଼ ଉପଖଣ୍ଡର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯିବ।

ମନ୍ତ୍ରୀ ଡକ୍ଟର ସାହୁ ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ କରିବା ପରେ ସେଠାରେ ବିଭିନ୍ନ କାର‌୍ୟ୍ୟ ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାରେ ଚାଲିଥିବା ଏହି ସ୍ୱତନ୍ତ୍ର ପୋଷଣ କାର‌୍ୟ୍ୟକ୍ରମର ଅଗ୍ରଗତି ସହ ଶିଶୁଙ୍କ ପୁଷ୍ଟି ସାଧନରେ ସ୍ପିରୁଲିନା କିଭଳି ଉପକାରୀ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।

‘‘ବିଶେଷ ପୋଷଣ ଗୁଣ ପାଇଁ ସାରା ବିଶ୍ୱରେ ଆଜି ସ୍ପିରୁଲିନାର ବ୍ୟବହାର ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଏହାକୁ ପ୍ରୟୋଗ କରି ଏକ ଅଭିନବ ପଦକ୍ଷେପ ନିଆଯାଇଛି। ତା’ ସାଙ୍ଗକୁ ଏହି କାର‌୍ୟ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯିବା ଫଳରେ ମହିଳା ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ପରିକଳ୍ପନା ତାହା ବାସ୍ତବ ରୂପ ନେଇପାରିଛି’’, ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ସ୍ପିରୁଲିନା ଚିକି ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ ଲକ୍ଷ୍ମୀ ଆଞ୍ଚଳିକ ମଞ୍ଚକୁ ଦାୟିତ୍ୱ ଦେଇଛି। ଏହା ଅଧୀନରେ ପ୍ରାୟ ୫୦ ଜଣ ମହିଳା ଚିକି ପ୍ରସ୍ତୁତ କରିବା ସହ ସେମାନଙ୍କ ଜୀବିକା କରିପାରିବେ। ବେଙ୍ଗାଳୁରୁସ୍ଥିତ ସ୍ପିରୁଲିନା ଫାଉଣ୍ଡେସନର ସଭାପତି ମହେଶ ଆର୍ ଭି ସୁନ୍ଦରଗଡ଼ ଆସି ଏହି ମହିଳା ଏସଏଚଜି ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ପିରୁଲିନା ଚିକି ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଉଛନ୍ତି। ଆଗାମୀ ଦିନରେ ପାନପୋଷ ଉପଖଣ୍ଡରେ ଆଉ ଏକ ଚିକି ପ୍ରସ୍ତୁତି ୟୁନିଟ୍ ଖୋଲାଯିବ।

ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାକୁ ବ୍ୟବହାର କରିବାରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ। ଗତ ବର୍ଷ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ଆରମ୍ଭ ହୋଇଥିବା ଏହି ପାଇଲଟ୍ କାର‌୍ୟ୍ୟକ୍ରମ ପରେ ୪ଟି ବ୍ଲକ ସହ ରାଜଗାଙ୍ଗପୁର ପୌରପାଳିକା ଅଞ୍ଚଳରେ ଲାଗୁ କରାଯାଇଥିଲା। ଏବେ ଏହି ସ୍ପିରୁଲିନା ବଣ୍ଟନ କାର‌୍ୟ୍ୟକ୍ରମକୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂପ୍ରସାରଣ କରାଯାଉଛି। ଏହା ଦ୍ୱାରା ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେବେ।

ଏହି ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ ଏବହ ଡିଏମଏଫ ପୋଷଣ ବିଶେଷଜ୍ଞ କୁସୁମ ସିଏମ୍ ଏବଂ ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ପୋଷଣର ପାୱାର ହାଉସ୍ ଭାବେ ପରିଚିତ ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଖାଇବା ଫଳରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରୁଛି। ଫଳରେ ସାଧାରଣ ପିଲାଙ୍କ ପୁଷ୍ଟି ସାଧନ ସହ ଅପପୁଷ୍ଟି ପୀଡ଼ିତ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଲାଗି ଏହା ବିଶେଷ ଫଳପ୍ରଦ ହୋଇପାରୁଛି। ଆଗାମୀ ଦିନରେ ଜିଲ୍ଲାରେ ସ୍ପିରୁଲିନା ଉତ୍ପାଦନ ଲାଗି ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।

ସୁନ୍ଦରଗଡ଼ ଗସ୍ତରେ ଆସିଥିବା ମନ୍ତ୍ରୀ ଡକ୍ଟର ସାହୁ ଆଜି ସର୍ଗିପାଲି ଯାଇ କେତେକ କ୍ଷେତ ପୋଖରୀ ପରିଦର୍ଶନ କରି ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଅଧୀନରେ ଚାଲିଥିବା ଢେଲସରାର ଆଗ୍ରୋ ସର୍ଭିସ୍ ସେଣ୍ଟର ପରିଦର୍ଶନ କରିବା ସହିତ ସେଠାରେ ଏକ ଧାନ ଅମଳ ଯନ୍ତ୍ର ଉଦଘାଟନ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପରେଡରେ ମନ୍ତ୍ରୀ ଡକ୍ଟର ସାହୁ ଅଭିବାଦନ ଗ୍ରହଣ କରିବେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଯୋଜନାର ସଫଳ ରୂପାୟନ ତଦାରଖ ପାଇଁ ଗଠନ ହେଲା ଯୁଗ୍ନ ସ୍କ୍ବାର୍ଡ, କରିବେ ତଦାରଖ

ଭୁବନେଶ୍ୱର, ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏଥିରେ କୃଷି, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ମାନ ଓ ଦର ସୁନିଶ୍ଚିତ କରିବା ସହିତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷିଭବନଠାରେ ନବଗଠିତ ଯୁଗ୍ମ ସ୍କ୍ୱାଡ୍‌ର ଅଧିକାରୀ ଓ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଯୋଜନାର ସଫଳ ରୂପାୟନ ନିମନ୍ତେ ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରାଯାଇଛି । ତେଣୁ ଯୋଜନାର ଅର୍ଥ ଠିକ୍‌ ସମୟରେ ବ୍ୟୟ କରି ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ।

ଏଣିକି ପ୍ରତି ମାସରେ ଯୋଜନାରେ ଆବଣ୍ଟିତ ଅର୍ଥର ବ୍ୟୟ ସଂପର୍କରେ ସମୀକ୍ଷା କରାଯିବ । ଯୁଗ୍ମ ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାରଅଗ୍ରଗତି ସଂପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ମନ୍ତ୍ରୀଙ୍କ ସମେତ ଶାସନ ସଚିବ ଓ ନିର୍ଦ୍ଦେଶକମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିବେ ।

ଜିଲ୍ଲା ଗସ୍ତ ସମୟରେ ସ୍କ୍ୱାଡ୍‌ ଚଳିତ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ସମୀକ୍ଷା କରି ବିହନ, ସାର ଆଦି ଯୋଗାଣକୁ ନିଶ୍ଚିତ କରିବେ । ମନରେଗା ଯୋଜନାରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ତଦାରଖ କରିବେ । ଏଥି ସହିତ ସ୍କ୍ୱାଡ୍‌ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବେ । ସଫଳ ଉଦ୍ୟୋଗଗୁଡ଼ିକୁ ଲୋକଲୋଚନକୁ ଅଣାଯିବ । ଯେଉଁ ପ୍ରକଳ୍ପ ନିର୍ମାଣରେ ସମସ୍ୟା ରହୁଛି ତାହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରର ବରିଷ୍ଠ କୃଷି ଅଧିକାରୀମାନଙ୍କର ଜିଲ୍ଲା ତଥା ବ୍ଲକ୍‌ ସ୍ତରର କୃଷି ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ପ୍ରତ୍ୟକ୍ଷ ଅନୁଭବ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ସୂଚନାଯୋଗ୍ୟ ଯେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ତତ୍ପରତା ଆଣିବା ଓ ତଦାରଖ ନିମନ୍ତେ ଅତିରିକ୍ତ ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୬ଟି ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ୩୦ ଜିଲ୍ଲା ନିମନ୍ତେ ନିୟୋଜିତ ଜିଲ୍ଲା ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଖରିଫରେ ଚାଷୀଙ୍କୁ ନୂଆ କିସମ ଧାନ ବୁଣିବା ପାଇଁ ନିଆଯିବ ପଦକ୍ଷେପ, ହଟିବ ପୁରୁଣା

ଭୁବନେଶ୍ୱର, ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ବିହନ ଯୋଗାଣ ସଂପର୍କରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଧାନ ବିହନ ଚାଷୀମାନଙ୍କ ନିକଟରେ ଯେପରି ନିରନ୍ତର ଯୋଗାଣ ହୋଇପାରିବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିକୁଳ ପାଣିପାଗ ଯୋଗୁ ବିହନ ଯୋଗାଣରେ ଯେପରି ବାଧା ନ ଉପୁଜେ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଆଗାମୀ ଏକ ମାସ ଖରିଫ ଚାଷ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଚାଷୀମାନଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚାଷୀମାନେ ଯେପରି ଉନ୍ନତ ମାନର ବିହନ ନିର୍ଦ୍ଧାରିତ ମୂଲ୍ୟରେ ପାଇପାରିବେ ସେଥି ନିମନ୍ତେ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିହନ ଯୋଗାଣ ଦିଗରେ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ କହିଥିଲେ ।

ବିହନ ଯୋଗାଣ କ୍ଷେତ୍ରରେ କୌଣସି ଅଭିଯୋଗ ଆସିଲେ ତୁରନ୍ତ ତାହାର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ନୂତନ କିସମର ଧାନ ବିହନ ପ୍ରୟୋଗ ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।

୧୦ ବର୍ଷରୁ ଅଧିକ ପୁରୁଣା ପୂଜା ଏବଂ ସ୍ୱର୍ଣ୍ଣ ପ୍ରଜାତିର ଧାନରେ ରୋଗପୋକ ଆକ୍ରମଣର ଅଧିକ ସମ୍ଭାବନା ଥିବାରୁ ଏହାର ବ୍ୟବହାରକୁ କମ୍‌ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉନ୍ନତ ମାନର ଓ ଅଧିକ ଉତ୍ପାଦନକ୍ଷମ ନୂତନ କିସମର ବିହନ ବ୍ୟବହାର ନିମନ୍ତେ ଚାଷୀମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଚଳିତ ଖରିଫରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ବିହନ ଯୋଗାଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏ ଦିଗରେ ସମବାୟ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇଛି । ଏଥି ସହିତ ଚାଷୀମାନଙ୍କୁ ବାସନାଯୁକ୍ତ ଚାଉଳ ଉତ୍ପାଦନ ନିମନ୍ତେ ଧାନ ବିହନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ବୋଲି କହିଥିଲେ । ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ୫ ଲକ୍ଷ କ୍ୱିଣ୍ଟାଲ ଧାନ ବିହନ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଥିଲେ ।

ବୈଠକରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାର ଉଦ୍ୟାନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବେ

ଭୁବନେଶ୍ୱର,  ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟର ଉଦ୍ୟନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଚଳିତ ବୃକ୍ଷରୋପଣ ଋତୁରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଚାରା ପ୍ରସ୍ତୁତି ଓ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ରାଜ୍ୟରେ ଫଳ ଓ ପନିପରିବା ଚାଷ କରିବା ପାଇଁ ବ୍ୟାପକ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଯୋଗାଇ ଦିଆଯାଉଥିବା ସବୁ ସାମଗ୍ରୀ ଯେପରି ସଠିକ୍‌ ସମୟରେ ଓ ସଠିକ୍‌ ମାନର ହୋଇଥିବ ତା’ର କଡ଼ାକଡ଼ି ତଦାରଖ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣର ସ୍ଥିତାବସ୍ଥା ସଂପର୍କରେ ନିୟମିତ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଆତ୍ମନିଯୁକ୍ତି ମିଳିବା ସହିତ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ।

ବ୍ଲକ୍‌ ଏବଂ ଜିଲ୍ଲାସ୍ତରରୁ ତଥ୍ୟ ସଂଗ୍ରହ କରି ରାଜ୍ୟର ଉଦ୍ୟାନ କୃଷି କ୍ଷେତ୍ର ସଂପର୍କରେ ଏକ ବିସ୍ତୃତ ଓ ନିର୍ଭୁଲ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଉଦ୍ୟାନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଉଦ୍ୟାନ କୃଷି ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ଯୋଗଦେଇଥିଲେ । ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସହ ଡେରାସ୍‌ ଫାର୍ମ ପରିଦର୍ଶନ କରିଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜଳଭଣ୍ଡାରଗୁଡ଼ିକରୁ କେଜ କଲଚର ଦ୍ବାରା ବର୍ଷକୁ ୧ ଲକ୍ଷ ୨୫ ହଜାର ଟନ ମାଛ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର, କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛି । କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରୁ ବର୍ଷକୁ ୧ ଲକ୍ଷ ୨୫ ହଜାର ଟନରୁ ଅଧିକ ମାଛ ଉତ୍ପାଦନ କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଡ. ସାହୁ ଉଦ୍ୟୋଗୀମାନଙ୍କୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ହୀରାକୁଦ ଜଳଭଣ୍ଡାରର ୪୪ଟି ସବ୍‌ଜୋନ୍‌ରେ ଏହି ମାଛଚାଷ କରାଯିବ । ଜଳଭଣ୍ଡାରରେ ପଂଜୁରୀ ନିର୍ମାଣ କରି ମାଛଚାଷ କରିବା ଯେହେତୁ ଏକ ନୂତନ ପଦ୍ଧତି, ତେଣୁ ଏ ବିଷୟରେ ସରକାରଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି ।

ରାଜ୍ୟ ସରକାର ବୃହତ ଓ ମଧ୍ୟମ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୂତନ ନୀତି ପ୍ରଣୟନ କରିଛନ୍ତି ଏବଂ ଏଥି ନିମନ୍ତେ ଉଦ୍ୟୋଗୀମାନଙ୍କୁ ରିହାତି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ନୂତନ ଉଦ୍ୟୋଗୀ ସୃଷ୍ଟି ହେବା ସହିତ ଅନେକ ନିଯୁକ୍ତିର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଲେ ଯେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ କରିବା ପାଇଁ ୩୯ ଜଣ ଉଦ୍ୟୋଗୀ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ଭବିଷ୍ୟତରେ ପ୍ରାୟ ୧୫ ହଜାର କେଜ ନିର୍ମାଣ କରାଯାଇ ମାଛଚାଷ କରିବାର ସୁବିଧା ରହିଛି ।

ଜଳଭଣ୍ଡାରରେ ଜେଟି, ଅବତରଣ କେନ୍ଦ୍ର ଆଦି ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବା ନିମନ୍ତେ ଇଡ୍‌କୋ ସହିତ ସ୍ୱତନ୍ତ୍ର ବୈଠକ କରାଯିବ ବୋଲି ସଚିବ ରଘୁପ୍ରସାଦ କହିଥିଲେ । ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କେଜ କଲଚର ନିର୍ମାଣର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେଜ କଲଚର ଉଦ୍ୟୋଗୀମାନେ ଯୋଗଦେଇଥିଲେ ।