Categories
ଆଜିର ଖବର ରାଜ୍ୟ ଖବର

ବଢିଲା ଫସଲ ବୀମା ପଞ୍ଜୀକରଣ ସମୟ ସୀମା, ରାଜ୍ୟ ସରକାର ନେଲେ ନିଷ୍ପତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ସମବାୟ ସମିତିର ରେଜିଷ୍ଟ୍ରାର ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ଏବଂ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଆଭାସୀ ସମୀକ୍ଷା ବୈଠକରେ ସମବାୟ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ।

ଜିଲ୍ଲାପାଳମାନଙ୍କ ନେତୃତ୍ୱରେ ଅଳ୍ପ ଦିନ ମଧ୍ୟରେ ୧୩ ଲକ୍ଷରୁ ଅଧିକ ଚାଷୀଙ୍କୁ ପଞ୍ଜୀକୃତ କରିବାରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ନାମଲେଖାର କଟ୍ ଅଫ୍ ତାରିଖ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବୈଠକରେ ସେ ସୂଚନା ଦେଇଥିଲେ। ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ବ୍ୟାଙ୍କିଙ୍ଗ୍ ନେଟୱାର୍କ ଦ୍ୱାରା ନଗଣ୍ୟ ସଂଖ୍ୟକ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମବାୟ ବ୍ୟାଙ୍କଗୁଡ଼ିକୁ ଅଗଷ୍ଟ ୫ ତାରିଖ ସୁଦ୍ଧା ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ ଲକ୍ଷ୍ୟ ଦିଆଯାଇଛି ଏବଂ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ମଧ୍ୟ ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକରଣ କରିବାକୁ କୁହାଯାଇଛି। ବର୍ଦ୍ଧିତ କଟ୍ ଅଫ୍ ତାରିଖ ମଧ୍ୟରେ ୪ ଲକ୍ଷ ଅଣଋଣଧାରୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ କମନ୍ ସର୍ଭିସ୍ ସେଣ୍ଟର (ଜନସେବା କେନ୍ଦ୍ର)ଗୁଡ଼ିକୁ ଲକ୍ଷ୍ୟ ଦିଆଯାଇଛି।

ବୈଠକ ପରେ ଡଃ ପାଢ଼ୀ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ଭାଗ ପ୍ରିମିୟମ୍ ବହନ କରିବାକୁ ନେଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ ଲକ୍ଷ୍ୟ କଟ୍ ଅଫ୍ ତାରିଖ ମଧ୍ୟରେ ସହଜରେ ହାସଲ ହୋଇପାରିବ,ଯାହାଦ୍ୱାରା ରାଜ୍ୟର କୃଷକମାନଙ୍କ ହିତକର ନିଷ୍ପତ୍ତି ଦୃଷ୍ଟିରୁଅତି କମରେ ଏତେ ସଂଖ୍ୟକ କୃଷକ ଉପକୃତ ହୋଇପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫସଲ ବୀମା ନେଇ ଆସନ୍ତାକାଲି ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ୱର : ଫସଲ ବୀମା ନେଇ ଆସନ୍ତାକାଲିଠାରୁ ବିଧାନସଭା ସମ୍ମୁଖରେ ବିଜେପି ଅନିର୍ଦ୍ଦିଷ୍ଟ କାଳପାଇଁ ସତ୍ୟାଗ୍ରହ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟର ଚାଷୀଙ୍କୁ ପ୍ରୋତ୍ସହନ ଦିଅନ୍ତି ନାହିଁ। ଏହା ବିରୋଧରେ ବିଜେପି ସତ୍ୟାଗ୍ରହ କରିବ।

ଏହି ଅବସରରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକି୍ସପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଫସଲ ବୀମା ପାଇଁ ଏଚ୍‍ଡିଏଫ୍‍ସି ବ୍ୟାଙ୍କ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ଓଡିଶା ଚାଷୀଙ୍କ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଏବଂ ନକଲି କାରବାରକୁ ଦେଖୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ମନୋନୀତ କରିଛନ୍ତି ?

ବୋଧହୁଏ ସେ ଜାଣି ନାହାଁନ୍ତି ଯେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ନିଜ ଦଳ-ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ବାଛିଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଓଡ଼ିଶାର ଲୋକମାନେ ସତ କ’ଣ ଜାଣିବାକୁ ଚାହାନ୍ତି । ପିଏମ୍‍ଏଫ୍‍ବିୱାଇ ପାଇଁ ବୀମା ଏଜେନ୍ସିଗୁଡିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଟେଣ୍ଡର ଜରିଆରେ ମନୋନୀତ ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଛନ୍ତି । ଏଚଡିଏଫ୍‍ସି କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଏହାକୁ ଅସ୍ୱୀକାର କରିପାରିବେ କି? ରାଜ୍ୟଗୁଡିକ କେବଳ ତାଲିକାଭୁକ୍ତ ବୀମା କମ୍ପାନୀଗୁଡିକ ମଧ୍ୟରେ ଟେଣ୍ଡର କରିଥାନ୍ତି । ଏହି ପ୍ରକ୍ରିୟା ସର୍ବତ୍ର ହୋଇଥାଏ ଏବଂ ଓଡିଶାରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି ।

ପିଏମ୍‍ବିଏସୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବଜେଟ୍ ପାରିତ ହୋଇଛି ଏବଂ ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେତେବେଳେ କେନ୍ଦ୍ର ସରକାର ହେଉଛନ୍ତି ‘ଆପିଲେଟ ଅଥରିଟୀ’ । ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି ।

ଯଦି କେନ୍ଦ୍ର ମନ୍ତ୍ରୀଙ୍କର କୃଷକମାନଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡିଶାର କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ କଥା ହେବା ଉଚିତ । ବାସ୍ତବରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି ।

ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଜିଲ୍ଲାପାଳ ଅଫିସ, ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର : ଆଜି ବିଜେଡ଼ି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ବୀମା କମ୍ପାନୀମାନେ ଏଥିପାଇଁ ସମୟ ଗଡ଼ାଇ ଚାଲିଛନ୍ତି। ଏହା ବିରୋଧରେ ଆଜି ବିଜେଡି ଏହି ଆନ୍ଦୋଳନ କରିବ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ପାଇ ନାହାଁନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି ଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଏହାର ପ୍ରତିବାଦରେ ବିଜେଡି ଏହି ଆନ୍ଦୋଳନ ଡାକରା ଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଚାଷୀଙ୍କୁ ଶୋଷଣ କରୁଛନ୍ତି ବୀମା କମ୍ପାନୀ, କେନ୍ଦ୍ର ବିରୋଧରେ ବିଜେଡିର ଆନ୍ଦୋଳନ ଡାକରା

ବରଗଡ଼ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନୀମାନେ ଏଥିପାଇଁ ସମୟ ଗଡ଼ାଇ ଚାଲିଛନ୍ତି । ଏହା ଫଳରେ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦ୍ଦଷା ମଧ୍ୟରେ କାଳ କାଟୁଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଆସନ୍ତାକାଲି ବିଜେଡ଼ି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ମହିଳା ବିଜେଡ଼ିର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର କହିଲେ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା । ତେଣୁ ବୀମା କମ୍ପାନୀଗୁଡ଼ିକ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷତି ସହିଥିବା ଗରିବ ଚାଷୀଙ୍କୁ ଯଥା ସମୟରେ ବୀମା ରାଶି ପ୍ରଦାନ ନିଶ୍ଚିତ କରିବା ଏବଂ ତାଙ୍କ ପ୍ରତି ନ୍ୟାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମାତ୍ର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନରେ ବୀମା କମ୍ପାନୀଗୁଡ଼ିକ ଅହେତୁକ ବିଳମ୍ବ କରୁଥିବା ବେଳେ କେନ୍ଦ୍ର ସରକାର ନୀରବ ହୋଇ ବସିଛନ୍ତି ।

ଫଳରେ ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କଷ୍ଟ ଓ ଯନ୍ତ୍ରଣା ସହି ଆସୁଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଏହି ଦୁର୍ଦ୍ଦଶା ଦୂର କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଥିଲେ ଏବଂ ତୁରନ୍ତ ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଓ ଅନୁରୋଧ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ପ୍ରଦାନ କରୁନାହାନ୍ତି ।

ସେମାନେ ଆହୁରି କହିଲେ ଯେ ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଚାଷୀଙ୍କ ଅଧିକାର ଓ ଉନ୍ନତି ଲାଗି ସଂଗ୍ରାମ କରିଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ସରକାର ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ‘କାଳିଆ’ ଯୋଜନା ପ୍ରଣୟନ କରିବା ସହିତ କୃଷି ବିଭାଗକୁ କୃଷି ଓ କୃଷକ କଲ୍ୟାଣ ବିଭାଗରେ ପରିଣତ କରାଯାଇଛି। ଚାଷୀଙ୍କ ସହାୟତାରେ ଓଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ମଧ୍ୟ ହାସଲ କରିଛି।

ମାତ୍ର ଦୁଃଖ ଓ ପରିତାପର ବିଷୟ ହେଲା, କେନ୍ଦ୍ର ସରକାରଙ୍କ ନୀତି ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି। କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତର ପ୍ରସଙ୍ଗରେ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ହାଲୁକାରେ ନେଇ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଆମ ରାଜ୍ୟର ଚାଷୀଙ୍କୁ ବୀମା ରାଶି ପ୍ରଦାନ ଲାଗି ନ୍ୟାର୍ଯ୍ୟ ପଦକ୍ଷେପ ନେଉନାହାନ୍ତି।

ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କେମିତି ଏହି ଯୋଜନାରୁ ସୁଫଳ ପାଇବେ ସେଥିପାଇଁ ବିଜେଡ଼ି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଶେଷ କରି ଜାତୀୟ ଫସଲ ବୀମା ପୋର୍ଟାଲ ସହିତ ରାଜ୍ୟ ଲ୍ୟାଣ୍ଡ୍ ରେକର୍ଡ଼ ପୋର୍ଟାଲକୁ ଲିଙ୍କ୍ କରାଯାଇଛି । ସିସିଇ-ଏଗ୍ରି ଆପ୍ ଜରିଆରେ କ୍ରପ୍ କଟିଙ୍ଗ୍ ଏକ୍ସପେରିମେଣ୍ଟ (ସିସିଇ) ଡାଟା ସଂଗ୍ରହ କରାଯାଇଛି । କୃଷି ଫସଲ ବୀମା ମନିଟରିଂ ମଡ୍ୟୁଲକୁ ଉନ୍ନତ କରାଯାଇଛି।

କେବଳ ସେତିକି ନୁହେଁ, ଓଡ଼ିଶାର ଚାଷୀମାନେ କେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ସର୍ବାଧିକ ଲାଭ ପାଇବେ, ସେଥିପାଇଁ ଓଡ଼ିଶା ସରକାର ଫସଲ ବୀମା ପ୍ରିମିୟମ ସବ୍‌ସିଡ୍‌ର ନିଜ ଭାଗ ନିୟମିତ ଭାବେ ପ୍ରଦାନ କରିଆସୁଛନ୍ତି । ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ହେଲା, ଏତେ ସବୁ ପଦକ୍ଷେପ ନେବା ସତ୍ତ୍ୱେ ବୀମା କମ୍ପାନୀଗୁଡ଼ିକ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଏଯାଏଁ ସେମାନେଙ୍କ ପ୍ରାପ୍ୟ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରୁନାହାନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅଗଷ୍ଟ ୧୦ ତାରିଖରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି କୃଷି ପ୍ରସଙ୍ଗରେ ଲୋକସଭାରେ ଏହାର ୨୯ତମ ରିପୋର୍ଟ ଉପସ୍ଥାପିତ କରିଥିଲେ। ଏହି ରିପୋର୍ଟର ଏକ ଅଂଶ “ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଏକ ମୂଲ୍ୟାୟନ”ରେ ବୀମା କମ୍ପାନୀଗୁଡ଼ିକ କେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନର ପ୍ରିମିୟମରୁ ପ୍ରଚୁର ଲାଭ କରୁଛନ୍ତି, ଅଥଚ ତୁଳନାତ୍ମକ ଭାବେ ଚାଷୀଙ୍କୁ ଯଥେଷ୍ଟ କମ୍ ଫସଲ ବୀମା ରାଶି ପ୍ରଦାନ କରୁଛନ୍ତି।

ଫସଲ ବୀମା ପ୍ରଦାନ କରିବାରେ ବୀମା କମ୍ପାନୀଗୁଡ଼ିକର ଏଭଳି ଅହେତୁକ ବିଳମ୍ବ ଯୋଗୁଁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଗଭୀର କ୍ଷୋଭ ପ୍ରକାଶ ପାଇଛି। ଗତ ୨ ବର୍ଷ ହେଲା କୋଭିଡ୍ ମହାମାରୀରେ ସନ୍ତୁଳି ହେବା ପରେ ଏବେ ଫସଲବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିବାରୁ ଓଡ଼ିଶାର ଚାଷୀକୂଳ ଅକଥନୀୟ ଦୁର୍ଦ୍ଦଶା ଭିତରେ ରହିଛନ୍ତି।

ତେଣୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ସମସ୍ତ ବକେୟା ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ ବାଧ୍ୟ କରିବା ଲାଗି କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।

ଏହି ଦାବି ନେଇ ଆସନ୍ତା ଅକ୍ଟୋବର ୩୧ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳ ଓ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ।

ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ବୀମା କମ୍ପାନୀଗୁଡ଼ିକର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ଚାଷୀମାନଙ୍କୁ ତୁରନ୍ତ ଫସଲ ବୀମା ରାଶି ପ୍ରଦାନ କରିବାକୁ ଦାବି କରାଯିବ ବୋଲି ଶ୍ରୀମତୀ ଛୁରିଆ ଓ ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।