କୃଷି ଯୋଜନାର ସଫଳ ରୂପାୟନ ତଦାରଖ ପାଇଁ ଗଠନ ହେଲା ଯୁଗ୍ନ ସ୍କ୍ବାର୍ଡ, କରିବେ ତଦାରଖ

Published: Jul 10, 2021, 12:01 am IST

ଭୁବନେଶ୍ୱର, ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏଥିରେ କୃଷି, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ମାନ ଓ ଦର ସୁନିଶ୍ଚିତ କରିବା ସହିତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷିଭବନଠାରେ ନବଗଠିତ ଯୁଗ୍ମ ସ୍କ୍ୱାଡ୍‌ର ଅଧିକାରୀ ଓ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଯୋଜନାର ସଫଳ ରୂପାୟନ ନିମନ୍ତେ ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରାଯାଇଛି । ତେଣୁ ଯୋଜନାର ଅର୍ଥ ଠିକ୍‌ ସମୟରେ ବ୍ୟୟ କରି ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ।

ଏଣିକି ପ୍ରତି ମାସରେ ଯୋଜନାରେ ଆବଣ୍ଟିତ ଅର୍ଥର ବ୍ୟୟ ସଂପର୍କରେ ସମୀକ୍ଷା କରାଯିବ । ଯୁଗ୍ମ ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାରଅଗ୍ରଗତି ସଂପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ମନ୍ତ୍ରୀଙ୍କ ସମେତ ଶାସନ ସଚିବ ଓ ନିର୍ଦ୍ଦେଶକମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିବେ ।

ଜିଲ୍ଲା ଗସ୍ତ ସମୟରେ ସ୍କ୍ୱାଡ୍‌ ଚଳିତ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ସମୀକ୍ଷା କରି ବିହନ, ସାର ଆଦି ଯୋଗାଣକୁ ନିଶ୍ଚିତ କରିବେ । ମନରେଗା ଯୋଜନାରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ତଦାରଖ କରିବେ । ଏଥି ସହିତ ସ୍କ୍ୱାଡ୍‌ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବେ । ସଫଳ ଉଦ୍ୟୋଗଗୁଡ଼ିକୁ ଲୋକଲୋଚନକୁ ଅଣାଯିବ । ଯେଉଁ ପ୍ରକଳ୍ପ ନିର୍ମାଣରେ ସମସ୍ୟା ରହୁଛି ତାହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରର ବରିଷ୍ଠ କୃଷି ଅଧିକାରୀମାନଙ୍କର ଜିଲ୍ଲା ତଥା ବ୍ଲକ୍‌ ସ୍ତରର କୃଷି ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ପ୍ରତ୍ୟକ୍ଷ ଅନୁଭବ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ସୂଚନାଯୋଗ୍ୟ ଯେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ତତ୍ପରତା ଆଣିବା ଓ ତଦାରଖ ନିମନ୍ତେ ଅତିରିକ୍ତ ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୬ଟି ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ୩୦ ଜିଲ୍ଲା ନିମନ୍ତେ ନିୟୋଜିତ ଜିଲ୍ଲା ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related posts