Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଖରିଫରେ ଚାଷୀଙ୍କୁ ନୂଆ କିସମ ଧାନ ବୁଣିବା ପାଇଁ ନିଆଯିବ ପଦକ୍ଷେପ, ହଟିବ ପୁରୁଣା

ଭୁବନେଶ୍ୱର, ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ବିହନ ଯୋଗାଣ ସଂପର୍କରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଧାନ ବିହନ ଚାଷୀମାନଙ୍କ ନିକଟରେ ଯେପରି ନିରନ୍ତର ଯୋଗାଣ ହୋଇପାରିବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିକୁଳ ପାଣିପାଗ ଯୋଗୁ ବିହନ ଯୋଗାଣରେ ଯେପରି ବାଧା ନ ଉପୁଜେ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଆଗାମୀ ଏକ ମାସ ଖରିଫ ଚାଷ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଚାଷୀମାନଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚାଷୀମାନେ ଯେପରି ଉନ୍ନତ ମାନର ବିହନ ନିର୍ଦ୍ଧାରିତ ମୂଲ୍ୟରେ ପାଇପାରିବେ ସେଥି ନିମନ୍ତେ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିହନ ଯୋଗାଣ ଦିଗରେ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ କହିଥିଲେ ।

ବିହନ ଯୋଗାଣ କ୍ଷେତ୍ରରେ କୌଣସି ଅଭିଯୋଗ ଆସିଲେ ତୁରନ୍ତ ତାହାର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ନୂତନ କିସମର ଧାନ ବିହନ ପ୍ରୟୋଗ ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।

୧୦ ବର୍ଷରୁ ଅଧିକ ପୁରୁଣା ପୂଜା ଏବଂ ସ୍ୱର୍ଣ୍ଣ ପ୍ରଜାତିର ଧାନରେ ରୋଗପୋକ ଆକ୍ରମଣର ଅଧିକ ସମ୍ଭାବନା ଥିବାରୁ ଏହାର ବ୍ୟବହାରକୁ କମ୍‌ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉନ୍ନତ ମାନର ଓ ଅଧିକ ଉତ୍ପାଦନକ୍ଷମ ନୂତନ କିସମର ବିହନ ବ୍ୟବହାର ନିମନ୍ତେ ଚାଷୀମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଚଳିତ ଖରିଫରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ବିହନ ଯୋଗାଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏ ଦିଗରେ ସମବାୟ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇଛି । ଏଥି ସହିତ ଚାଷୀମାନଙ୍କୁ ବାସନାଯୁକ୍ତ ଚାଉଳ ଉତ୍ପାଦନ ନିମନ୍ତେ ଧାନ ବିହନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ବୋଲି କହିଥିଲେ । ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ୫ ଲକ୍ଷ କ୍ୱିଣ୍ଟାଲ ଧାନ ବିହନ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଥିଲେ ।

ବୈଠକରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କରୋନା ସତ୍ତ୍ୱେ ଚଳିତ ବର୍ଷ ଖରିଫ ଚାଷ ଗତ ବର୍ଷଠାରୁ ଅଧିକ ଜମିରେ ହୋଇଛି

ନୂଆଦିଲ୍ଲୀ, କରୋନା ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଦେଶରେ ଖରିଫ ଚାଷ ଆଦୌ ପ୍ରଭାବିତ ହୋଇନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସକ୍ରିୟତା ଫଳରେ ବିଭିନ୍ନ ପ୍ରକାର କାର‌୍ୟ୍ୟକ୍ରମ ଓ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି ।

କୃଷି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସବିଶେଷ ତଥ୍ୟ ଅନୁସାରେ, ଚଳିତବର୍ଷ ଖରିଫ ଋତୁରେ ୧୧୧୬.୮୮ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ କରାଯାଇଛି । ଗତବର୍ଷ ଏହି ସମୟରେ ସ୍ୱାଭାବିକ ପରିସ୍ଥିତିରେ ୧୦୬୬.୦୬ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିଲା । ଆସନ୍ତା ଅକ୍ଟୋବର ୧ ତାରିଖଠାରୁ ଖରିଫ ଚାଷର ବୁଣାବୁଣି କାର୍ଯ୍ୟ ଆନୁଷ୍ଠାନିକଭାବେ ଶେଷ ହେବ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ସତ୍ବେ ଖରିଫ ଧାନ ସଂଗ୍ରହ ନିମନ୍ତେ ମୋଟ ୧୪ ଲକ୍ଷ ୯୭ ହଜାର ଚାଷୀ କଲେ ନାମ ପଂଜୀକରଣ

ଭୁବନେଶ୍ୱର, ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ୨୦୨୦-୨୧ ଖରିଫ୍‌ରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ମୋଟ ୧୪ ଲକ୍ଷ ୯୭ ହଜାର ୭୭୯ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି ।

ଗତବର୍ଷ ୨୦୧୯-୨୦ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଥିଲେ । ଗତବର୍ଷ ତୁଳନାରେ ୨ ଲକ୍ଷ ୬୧ ହଜାର ୮୭୧ ଜଣ ଅଧିକ ଚାଷୀ ଖରିଫ୍‌ ଧାନ ବିକିବା ନିମନ୍ତେ ବିଭିନ୍ନ ପ୍ୟାକସ୍‌/ଲ୍ୟା ̧ସ୍‌ରେ ଅନ୍‌ଲାଇନ୍‌ ଯୋଗେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି ।

କୋଭିଡ୍‌-୧୯ ସ୍ଥିତିରେ ସରକାରଙ୍କ ସମସ୍ତ ମାର୍ଗଦର୍ଶିକା ଓ ସାମାଜିକଦୂରତ୍ୱ ପାଳନ କରି ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ସଫଳତାର ସହ ସଂ ପନ୍ନ ହୋଇ ପାରିଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୨୮୫୪ଟି ପ୍ୟାକ୍ସ/ଲ୍ୟା ̧ସ୍‌ରେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ରାଜ୍ୟର ୨୮୧୮ଟି ପ୍ୟାକ୍ସରେ ଚାଷୀ ନାମ ପଂଜୀକରଣ କରାଯାଇଥିଲା । ଗତବର୍ଷ ତୁଳନାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ନାମ ପଂଜୀକରଣ ହାର ବୃଦ୍ଧି ପାଇଛି।