Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ଅର୍ଥକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କର, କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବିଭିନ୍ନ ଯୋଜନାରେ ଆବଣ୍ଟିତ ଅର୍ଥର ପ୍ରଥମ ତ୍ରୈମାସିକ ଖର୍ଚ୍ଚ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ କୃଷି ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବିଭିନ୍ନ ଯୋଜନା ନିମନ୍ତେ ବଜେଟ୍‌ର ଆବଣ୍ଟିତ ଅର୍ଥର ଠିକ୍‌ ସମୟରେ ଉଦ୍ଦିଷ୍ଟ ଯୋଜନାରେ ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ସହିତ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା।

ବୈଠକରେ ସମନ୍ୱିତ କୃଷି, ଭୂତଳ ଜଳର ବ୍ୟବହାର, କୃଷି ଯାନ୍ତ୍ରିକୀକରଣ, ଚାଷରେ ବିବିଧିକରଣ ଆଣି ଅଣଧାନ ଫସଲ, ଡାଲି, ତୈଳବୀଜ, କପା, ଝୋଟ ଆଦି ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଯୋଜନାର ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କୃଷିରେ ମହିଳାମାନଙ୍କ ଭାଗୀଦାରିତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥି ସହିତ ବୈଠକରେ ଫଳ, ପନିପରିବା, ମସଲା ଚାଷ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧିି, ରିୱାର୍ଡ, ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ମିଲେଟ୍‌ ମିଶନ, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିକ୍ରିବଟା, ଚାଷୀଙ୍କୁ ରିହାତି ପ୍ରଦାନ ଆଦିରେ ପ୍ରଥମ ତ୍ରୈମାସିକରେ ହୋଇଥିବା ଖର୍ଚ୍ଚ ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସେହିପରି ପଣସ ମିଶନ, ଛତୁ ମିଶନ, ଫୁଲ ମିଶନ ଓ ମସଲା ମିଶନର ସଠିକ୍‌ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଖରିଫରେ ଚାଷୀଙ୍କୁ ନୂଆ କିସମ ଧାନ ବୁଣିବା ପାଇଁ ନିଆଯିବ ପଦକ୍ଷେପ, ହଟିବ ପୁରୁଣା

ଭୁବନେଶ୍ୱର, ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ବିହନ ଯୋଗାଣ ସଂପର୍କରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଧାନ ବିହନ ଚାଷୀମାନଙ୍କ ନିକଟରେ ଯେପରି ନିରନ୍ତର ଯୋଗାଣ ହୋଇପାରିବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିକୁଳ ପାଣିପାଗ ଯୋଗୁ ବିହନ ଯୋଗାଣରେ ଯେପରି ବାଧା ନ ଉପୁଜେ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଆଗାମୀ ଏକ ମାସ ଖରିଫ ଚାଷ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଚାଷୀମାନଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚାଷୀମାନେ ଯେପରି ଉନ୍ନତ ମାନର ବିହନ ନିର୍ଦ୍ଧାରିତ ମୂଲ୍ୟରେ ପାଇପାରିବେ ସେଥି ନିମନ୍ତେ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିହନ ଯୋଗାଣ ଦିଗରେ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ କହିଥିଲେ ।

ବିହନ ଯୋଗାଣ କ୍ଷେତ୍ରରେ କୌଣସି ଅଭିଯୋଗ ଆସିଲେ ତୁରନ୍ତ ତାହାର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ନୂତନ କିସମର ଧାନ ବିହନ ପ୍ରୟୋଗ ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।

୧୦ ବର୍ଷରୁ ଅଧିକ ପୁରୁଣା ପୂଜା ଏବଂ ସ୍ୱର୍ଣ୍ଣ ପ୍ରଜାତିର ଧାନରେ ରୋଗପୋକ ଆକ୍ରମଣର ଅଧିକ ସମ୍ଭାବନା ଥିବାରୁ ଏହାର ବ୍ୟବହାରକୁ କମ୍‌ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉନ୍ନତ ମାନର ଓ ଅଧିକ ଉତ୍ପାଦନକ୍ଷମ ନୂତନ କିସମର ବିହନ ବ୍ୟବହାର ନିମନ୍ତେ ଚାଷୀମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଚଳିତ ଖରିଫରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ବିହନ ଯୋଗାଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏ ଦିଗରେ ସମବାୟ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇଛି । ଏଥି ସହିତ ଚାଷୀମାନଙ୍କୁ ବାସନାଯୁକ୍ତ ଚାଉଳ ଉତ୍ପାଦନ ନିମନ୍ତେ ଧାନ ବିହନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ବୋଲି କହିଥିଲେ । ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ୫ ଲକ୍ଷ କ୍ୱିଣ୍ଟାଲ ଧାନ ବିହନ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଥିଲେ ।

ବୈଠକରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜଳଭଣ୍ଡାରଗୁଡ଼ିକରୁ କେଜ କଲଚର ଦ୍ବାରା ବର୍ଷକୁ ୧ ଲକ୍ଷ ୨୫ ହଜାର ଟନ ମାଛ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର, କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛି । କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରୁ ବର୍ଷକୁ ୧ ଲକ୍ଷ ୨୫ ହଜାର ଟନରୁ ଅଧିକ ମାଛ ଉତ୍ପାଦନ କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଡ. ସାହୁ ଉଦ୍ୟୋଗୀମାନଙ୍କୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ହୀରାକୁଦ ଜଳଭଣ୍ଡାରର ୪୪ଟି ସବ୍‌ଜୋନ୍‌ରେ ଏହି ମାଛଚାଷ କରାଯିବ । ଜଳଭଣ୍ଡାରରେ ପଂଜୁରୀ ନିର୍ମାଣ କରି ମାଛଚାଷ କରିବା ଯେହେତୁ ଏକ ନୂତନ ପଦ୍ଧତି, ତେଣୁ ଏ ବିଷୟରେ ସରକାରଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି ।

ରାଜ୍ୟ ସରକାର ବୃହତ ଓ ମଧ୍ୟମ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୂତନ ନୀତି ପ୍ରଣୟନ କରିଛନ୍ତି ଏବଂ ଏଥି ନିମନ୍ତେ ଉଦ୍ୟୋଗୀମାନଙ୍କୁ ରିହାତି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ନୂତନ ଉଦ୍ୟୋଗୀ ସୃଷ୍ଟି ହେବା ସହିତ ଅନେକ ନିଯୁକ୍ତିର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଲେ ଯେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ କରିବା ପାଇଁ ୩୯ ଜଣ ଉଦ୍ୟୋଗୀ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ଭବିଷ୍ୟତରେ ପ୍ରାୟ ୧୫ ହଜାର କେଜ ନିର୍ମାଣ କରାଯାଇ ମାଛଚାଷ କରିବାର ସୁବିଧା ରହିଛି ।

ଜଳଭଣ୍ଡାରରେ ଜେଟି, ଅବତରଣ କେନ୍ଦ୍ର ଆଦି ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବା ନିମନ୍ତେ ଇଡ୍‌କୋ ସହିତ ସ୍ୱତନ୍ତ୍ର ବୈଠକ କରାଯିବ ବୋଲି ସଚିବ ରଘୁପ୍ରସାଦ କହିଥିଲେ । ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କେଜ କଲଚର ନିର୍ମାଣର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେଜ କଲଚର ଉଦ୍ୟୋଗୀମାନେ ଯୋଗଦେଇଥିଲେ ।