Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ଦ୍ରଭୂମି ମାନ୍ୟତା ପାଇଲା ଓଡ଼ିଶାର ତାମ୍ପରା ହ୍ରଦ, ହୀରାକୁଦ ଜଳଭଣ୍ଡାର ଏବଂ ଅଂଶୁପା ହ୍ରଦ

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି, ଫଳରେ ଦେଶରେ ମୋଟ୍‌ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି। ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି। ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ।

ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି, ଓଡ଼ିଶାର ୩ଟି ଏବଂ ଜମ୍ମୁ ଓ କଶ୍ମୀରର ଦୁଇଟି କ୍ଷେତ୍ର ସାମିଲ ରହିଛି। ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି। ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ।

୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି। ଭାରତ ୧ ଫେବୃଆରୀ ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା। ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍‌ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା। ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି।

ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି। ଚଳିତ ବର୍ଷ ୧୯ଟି ଆର୍ଦ୍ରଭୂମିକୁ ରାମସାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ୧୪ଟି କ୍ଷେତ୍ରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ତାମିଲନାଡ଼ୁରେ ସର୍ବାଧିକ ୧୪ଟି ରାମସାର କ୍ଷେତ୍ର ଥିବା ବେଳେ ୧୦ଟି ରାମସାର କ୍ଷେତ୍ର ସହ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜଳଭଣ୍ଡାରଗୁଡ଼ିକରୁ କେଜ କଲଚର ଦ୍ବାରା ବର୍ଷକୁ ୧ ଲକ୍ଷ ୨୫ ହଜାର ଟନ ମାଛ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର, କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛି । କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରୁ ବର୍ଷକୁ ୧ ଲକ୍ଷ ୨୫ ହଜାର ଟନରୁ ଅଧିକ ମାଛ ଉତ୍ପାଦନ କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଡ. ସାହୁ ଉଦ୍ୟୋଗୀମାନଙ୍କୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ହୀରାକୁଦ ଜଳଭଣ୍ଡାରର ୪୪ଟି ସବ୍‌ଜୋନ୍‌ରେ ଏହି ମାଛଚାଷ କରାଯିବ । ଜଳଭଣ୍ଡାରରେ ପଂଜୁରୀ ନିର୍ମାଣ କରି ମାଛଚାଷ କରିବା ଯେହେତୁ ଏକ ନୂତନ ପଦ୍ଧତି, ତେଣୁ ଏ ବିଷୟରେ ସରକାରଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି ।

ରାଜ୍ୟ ସରକାର ବୃହତ ଓ ମଧ୍ୟମ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୂତନ ନୀତି ପ୍ରଣୟନ କରିଛନ୍ତି ଏବଂ ଏଥି ନିମନ୍ତେ ଉଦ୍ୟୋଗୀମାନଙ୍କୁ ରିହାତି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ନୂତନ ଉଦ୍ୟୋଗୀ ସୃଷ୍ଟି ହେବା ସହିତ ଅନେକ ନିଯୁକ୍ତିର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଲେ ଯେ ହୀରାକୁଦ ଜଳଭଣ୍ଡାରରେ କେଜ କଲଚର ପଦ୍ଧତିରେ ମାଛଚାଷ କରିବା ପାଇଁ ୩୯ ଜଣ ଉଦ୍ୟୋଗୀ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ଭବିଷ୍ୟତରେ ପ୍ରାୟ ୧୫ ହଜାର କେଜ ନିର୍ମାଣ କରାଯାଇ ମାଛଚାଷ କରିବାର ସୁବିଧା ରହିଛି ।

ଜଳଭଣ୍ଡାରରେ ଜେଟି, ଅବତରଣ କେନ୍ଦ୍ର ଆଦି ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବା ନିମନ୍ତେ ଇଡ୍‌କୋ ସହିତ ସ୍ୱତନ୍ତ୍ର ବୈଠକ କରାଯିବ ବୋଲି ସଚିବ ରଘୁପ୍ରସାଦ କହିଥିଲେ । ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କେଜ କଲଚର ନିର୍ମାଣର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେଜ କଲଚର ଉଦ୍ୟୋଗୀମାନେ ଯୋଗଦେଇଥିଲେ ।