ଦେଶରେ ବଢ଼ୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ଚିନ୍ତାର କାରଣ ସାଜିଛି ପିଆଜ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୯୩ ପ୍ରତିଶତକୁ ପହଞ୍ଚିଥିବା ବେଳେ ଏବେ ପିଆଜ ଦର ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି। ଏହା ଫଳରେ ପରିବାର ବଜେଟ୍ ଉପରେ ଅଧିକ ଚାପ ପଡ଼ିପାରେ।
ଚାଷୀଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବଫର ଷ୍ଟକ୍ ପାଇଁ ପିଆଜ କ୍ରୟ ମୂଲ୍ୟକୁ ପ୍ରତି କିଲୋ ୧୫.୮୦ ଟଙ୍କାରୁ ବଢ଼ାଇ ୧୬.୫୦ ଟଙ୍କା କରିଛନ୍ତି। ନୂଆ ଦର ଆଜି (ଶନିବାର)ଠାରୁ ଲାଗୁ ହେବ। କ୍ରୟ ମୂଲ୍ୟ ବଢ଼ିଥିବାରୁ ଖୁଚୁରା ବଜାରରେ ମଧ୍ୟ ପିଆଜ ଦର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ତେବେ ଏହି ବୃଦ୍ଧିକୁ ନେଇ ମହାରାଷ୍ଟ୍ରର ପିଆଜ ଚାଷୀମାନେ ସନ୍ତୁଷ୍ଟ ନୁହନ୍ତି। ବିହନ, ସାର, ଶ୍ରମିକ ଓ ଅନ୍ୟାନ୍ୟ ଚାଷ ଖର୍ଚ୍ଚ ବଢ଼ିଥିବାରୁ ସେମାନେ ପ୍ରତି କିଲୋ ପିଆଜ ପାଇଁ ୩୦ ଟଙ୍କା କ୍ରୟ ମୂଲ୍ୟ ଦାବି କରୁଛନ୍ତି। ଅନ୍ୟପଟେ, ଏଭଳି ବୃଦ୍ଧି ହେଲେ ଖାଉଟିଙ୍କ ଉପରେ ଆହୁରି ଆର୍ଥିକ ବୋଝ ପଡ଼ିବ।
ଏହି ସମୟରେ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି। ମେ ମାସର ତଥ୍ୟ ଅନୁସାରେ ଟମାଟୋ ଦର ୪୮.୪୩ ପ୍ରତିଶତ ଏବଂ ଅଦା ଦର ୩୨.୪୯ ପ୍ରତିଶତ ବଢ଼ିଛି। ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ଓ ଯୋଗାଣ ବ୍ୟବସ୍ଥାରେ ପ୍ରଭାବ ଯୋଗୁଁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀର ଦର ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।


