Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍‌ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର ଗୁରୁତ୍ୱ ଏବଂ ଉପକାରିତା ସଂପର୍କରେ ପ୍ରଚାର ପ୍ରସାର କରିବା ପାଇଁ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚେମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜ୍‌ (ଫିକି)ର ସହଭାଗିତାରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରାଯିବ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଫିକିର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ମୌସୁମୀ ଘୋଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମିଲେଟ୍‌କୁ ଘରେ ଘରେ ଆଦୃତ କରାଇବା ସହିତ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ଷସାରା ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ନିୟମିତ ସମୀକ୍ଷା କରାଯିବ।

ବୁଝାମଣାପତ୍ର ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକିର ସହଭାଗିତାରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହେବ। ଫିକି ଓ ଓଡ଼ିଶା ସରକାର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିୟମିତ ଭାବେ କାର୍ଯ୍ୟକ୍ରମଗୁଡ଼ିକ ସମୀକ୍ଷା ଏବଂ ତଦାରଖ ସହିତ ଏଥି ନିମନ୍ତେ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବ। ମିଲେଟର ପ୍ରଚାରପ୍ରସାର ଦିଗରେ ଜନସଂପର୍କ ସଂସ୍ଥା, ଡିଜାଇନର ପାର୍ଟନର, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ, ନଲେଜ ପାର୍ଟନର, ଗବେଷଣା ଆଦିରେ ଫିକି ସହଭାଗିତା ଯୋଗାଇଦେବ।

ମିଲେଟ୍‌ର ପ୍ରଚାର ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି, ସାମାଜିକ ଗଣମାଧ୍ୟମରେ ପ୍ରଚାର ଆଦି କାର୍ଯ୍ୟ ସହିତ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଆଦି ସହରରେ ମିଲେଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌ ଆଦିର ଆୟୋଜନ କରାଯିବ। ବିଭିନ୍ନ ଏଫ୍‌ଏମ୍‌ସିଜି କମ୍ପାନୀମାନଙ୍କୁ ମିଲେଟ୍‌ ଜାତୀୟ ଖାଦ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ ପୁଂଜିନିବେଶ ଦିଗରେ ଆଲୋଚନା ହେବ।

ସହରାଞ୍ଚଳରେ ମିଲେଟ୍‌ର ବ୍ୟାପକ ପ୍ରଚାର ଓ ଜନସଚେତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ମିଡ଼ିଆରେ ବିଶେଷଜ୍ଞଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ମିଲେଟ୍‌ ଜାତୀୟ ଖାଦ୍ୟର ପ୍ରଚାର ଦିଗରେ ଖାଦ୍ୟ ପ୍ରସ୍ତୁତି ନେଇ ବିଭିନ୍ନ ରୋଷେଇ କାର୍ଯ୍ୟକ୍ରମ ଓ ରୋଷେଇ ପ୍ରତିଯୋଗିତା ଟିଭି ଚ୍ୟାନେଲ ଏବଂ ହୋଟେଲ୍‌ ଆସୋସିଏସନ୍‌ ଦ୍ୱାରା ଆୟୋଜନ କରାଯିବ।

କାର୍ଯ୍ୟକ୍ରମର ଡକୁ୍ୟମେଣ୍ଟେସନ୍‌ କରାଯିବା ସହିତ ଓଡ଼ିଶା ମିଲେଟ୍‌ ମିଶନ ସଂପର୍କରେ ଡକୁ୍ୟମେଣ୍ଟାରୀ ପ୍ରସ୍ତୁତ କରାଯିବ। ଏହି ଅବସରରେ ଫାଉଣ୍ଡେସନ୍‌ ବୁକ୍‌ ଅନ୍‌ ମିଲେଟ୍‌ସ୍‌ର ଅନ୍ତର୍ଜାତୀୟ ପ୍ରକାଶନ ମଧ୍ୟ କରାଯିବ। ଏଥି ସହିତ ଇଣ୍ଟରନ୍ୟାସନାଲ୍‌ କନ୍‌ଭେନ୍‌ସନ୍‌ ଅନ୍‌ ମିଲେଟ୍‌ର ଆୟୋଜନ ନିମନ୍ତେ ମଧ୍ୟ ଫିକି ଆବଶ୍ୟକ ସହଯୋଗ ଯୋଗାଇଦେବ।

ଭୁବନେଶ୍ୱର ଓ ରାଉରକେଲାଠାରେ ପୁରୁଷ ବିଶ୍ୱକପ୍‌ ହକି ପ୍ରତିଯୋଗିତା ସମୟରେ ମିଲେଟ ସଂପର୍କିତ ଭିଡ଼ିଓ ପ୍ରଦର୍ଶନ କରାଯିବା ସହିତ ଖେଳାଳି ଓ ଅତିଥିମାନଙ୍କୁ ମିଲେଟ୍‌ ସମ୍ବନ୍ଧୀୟ ସ୍ମରଣିକା, ବ୍ୟାଗ୍‌ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯିବ। ଖେଳାଳିମାନଙ୍କ ଖାଦ୍ୟ ତାଲିକାରେ ଯେପରି ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ସ୍ଥାନ ପାଇବ, ସେଥି ପ୍ରତି ହୋଟେଲଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବ।

କାର୍ଯ୍ୟକ୍ରମ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଓ ଫିକିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପ୍ରଥମ ଓଡିଆ ଭାବେ ‘ଫିକି’ ର ସଭାପତି ଦାୟିତ୍ବ ନେଲେ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଆଜି ଦେଶର ପ୍ରମୁଖ ଶିଳ୍ପପତି ତଥା ଶିଳ୍ପ ସଂସ୍ଥା ସଂଘ ଫିକି ର ସଭାପତି ଭାବେ ଦାୟିତ୍ବ ନେଲେ ଓଡିଆ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା। ସେ ହେଉଛନ୍ତି ପ୍ରଥମ ଓଡିଆ, ଯେ କି ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ସଂଘର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଫିକି ବା Federation of Indian Chambers of Commerce and Industry ହେଉଛି ଦେଶର ଏକ ପ୍ରମୁଖ ଶିଳ୍ପ ସଂସ୍ଥା ଯେଉଁଥିରେ ଦେଶର ବହୁ ଶିଳ୍ପପତି ସଭ୍ୟ ଅଛନ୍ତି। ନିକଟରେ ଓଡିଶାରେ ଆୟୋଜିତ ହୋଇଥିବା ମେକ ଇନ ଓଡିଶାର ସମସ୍ତ ଦାୟିତ୍ବ ଫିକି ଇଣ୍ଡିଆ ଗ୍ରହଣ କରିଥିଲା। ଶୁଭ୍ରକାନ୍ତ ବର୍ତ୍ତମାନ ଫେରୋ ଆଲାଇସ୍ କଂପାନୀ ଇମ୍ଫା ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। 

ପୂର୍ବରୁ ଶୁଭ୍ରକାନ୍ତ ଫିକିର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଶୁଭ୍ରକାନ୍ତ ବହୁ ବର୍ଷ ଧରି ଫିକି ସହିତ ଜଡିତ ଅଛନ୍ତି। ସେ ଫିକି ଓଡିଶା ଚ୍ୟାପଟରର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଫିକି କାର୍ଯ୍ୟକାଳ ମଧ୍ୟରେ ଶୁଭ୍ରକାନ୍ତ ଦେଶର ଶିଳ୍ପ ଜଗତର ସମୃଦ୍ଧି ପାଇଁ ବେଶ କିଛି କାର୍ଯ୍ୟ କରିଛନ୍ତି।

ଦାୟିତ୍ବ ଗ୍ରହଣ କରିବା ପରେ ସେ କହିଛନ୍ତି ଯେ, ଫିକିର ଏକ ସ୍ଲୋଗାନ ରହିଛି ତାହା ହେଲା voice of India’s business and industry and accordingly. ତାହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ପଡିବ। ସେହିପରି ଓଡିଶାର ଶିଳ୍ପ ସମୃଦ୍ଧ ପାଇଁ ଫିକି ସ୍ବତନ୍ତ୍ର ଧ୍ୟାନ ଦେବ। ମୋର ପୂର୍ବାଞ୍ଚଳ ଏବଂ ଏମଏସଏମଇ ମୁଖ୍ୟ ଫୋକସ ରହିବ ବୋଲି ଶୁଭ୍ରକାନ୍ତ କହିଛନ୍ତି। ଆସନ୍ତା ବର୍ଷ ଠାରୁ ଓଡିଶା ପ୍ରତି ମୋର ସ୍ବତନ୍ତ୍ର ଧ୍ୟାନ ରହିବ ବୋଲି ସେ କହିଛନ୍ତି।

ଶୁଭ୍ରକାନ୍ତ ବୋଷ୍ଟନ ବିଶ୍ବବିଦ୍ୟାଳୟର କ୍ୟୁଷ୍ଟର୍ମ ସ୍କୁଲ ଅଫ ବିଜେନେସରୁ ଗ୍ରାଜୁଏସନ କରିଛନ୍ତି। ଏଥିରେ ଶୁଭ୍ରକାନ୍ତ ଉଭୟ ମ୍ୟାନେଜମେଣ୍ଟ ଏବଂ ଆର୍ଥିକ ପରିଚାଳନା ଉପରେ ଶିକ୍ଷାଲାଭ କରିଛନ୍ତି। ଏହାପରେ ସେ ନିଜ ସଂସ୍ଥା ଇମ୍ଫାର ବିଭିନ୍ନ ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଫିକିର ୯୩ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆସନ୍ତା ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶିଳ୍ପ ଉଦ୍ୟୋଗ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିବା ସହ ସେ ଫିକିର ବାର୍ଷିକ ଏକସ୍ପୋ ୨୦୨୦କୁ ମଧ୍ୟ ଭର୍ଚୁଆଲ ଉଦ୍ଘାଟନ କରିବାର କାର‌୍ୟ୍ୟକ୍ରମ ରହିଛି ।

ଫିକିର ବାର୍ଷିକ ଅଧିବେଶନ ଭର୍ଚୁଆଲ ମୋଡରେ ଆସନ୍ତା ୧୧, ୧୨ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବ । ଚଳିତ ବର୍ଷର ବାର୍ଷିକ ଅଧିବେଶନରେ \’ଆକାଂକ୍ଷୀ ଭାରତ\’କୁ ମୁଖ୍ୟ ବିଷୟ ଭାବେ ନିଆଯାଇଛି । ଏଥିରେ ମନ୍ତ୍ରୀ, ଶିଳ୍ପପତି, ଅମଲା, କୂଟନୀତିଜ୍ଞ ଓ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗଦେବେ। କୋଭିଡ-୧୯ ବୈଶ୍ଵିକ ମହାମାରୀ ଦେଶର ଅର୍ଥନୀତି ଉପରେ ଯେଉଁ ପ୍ରଭାବ ପକାଇଛି, ତାକୁ ସୁଧାରିବା ନେଇ ସଂସ୍କାରମୂଳକ ପଦକ୍ଷେପ ଉପରେ ଏହାର ଅଂଶଗ୍ରହଣକାରୀମାନେ ସୁଚିନ୍ତିତ ମତାମତ ରଖିବେ।

ଫିକି ଆନୁଆଲ ୨୦୨୦ ଆସନ୍ତା ୧୧ ତାରିଖଠାରୁ ଆରମ୍ଭ ହୋଇ ବର୍ଷକ ନିମନ୍ତେ ଚାଲିବ। ଏହି ଭର୍ଚୁଆଲ ଏକ୍ସପୋ ବିଶ୍ଵବ୍ୟାପୀ ପ୍ରଦର୍ଶନକାରୀମାନଙ୍କ ନିମନ୍ତେ ସେମାନଙ୍କ ସାମଗ୍ରୀର କିଣାବିକା ନେଇ ଏକ ସୁଯୋଗ ପ୍ରଦାନ କରିବ।