Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଚିନ୍ତା ବଢାଇଲାଣି ବିଷାକ୍ତ ତୃଣନାଶକ ପାରାକ୍ୱାଟ, ସଂପୂର୍ଣ୍ଣ ନିଷିଦ୍ଧ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି

ଭୁବନେଶ୍ୱର: କୀଟନାଶକର ନିରାପଦ ବ୍ୟବହାର ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକ୍ବାଟ୍‌ ଏବଂ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟର ବିକ୍ରିକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି ।

ଆଜି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଏହି ପରିପ୍ରେକ୍ଷୀରେ ପତ୍ର ଲେଖି ଜଣାଇଛନ୍ତି ଯେ ସଂପ୍ରତି ପାରାକ୍ୱାଟ ତୃଣନାଶକର ବ୍ୟବହାର ରାଜ୍ୟରେ ଏକ ସାର୍ବଜନିକ ଚିନ୍ତାର ବିଷୟ ହୋଇପଡ଼ିଛି। ମନୁଷ୍ୟ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିରୋଧକ ଔଷଧ ଉପଲବ୍ଧ ନୁହେଁ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ/ ମହଜୁଦ/ ବିତରଣ/ ଉତ୍ପାଦନ ଓ ବ୍ୟବହାରକୁ ୨୦୨୩ ମସିହା ଅକ୍ଟୋବର ୫ ତାରିଖରୁ ୯୦ ଦିନ ନିମନ୍ତେ ନିଷିଦ୍ଧ ଘୋଷଣା କରିଛନ୍ତି।

ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ରିପୋର୍ଟ ଅନୁସାରେ ପାରାକ୍ୱାଟ ଏବଂ ଏଥିରୁ ଉତ୍ପନ୍ନ ପଦାର୍ଥ ଅତ୍ୟନ୍ତ ବିଷାକ୍ତ ଓ କ୍ଷତିକାରକ ରାସାୟନିକ ଦ୍ରବ୍ୟ ଅଟେ। ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅତ୍ୟନ୍ତ କୁପ୍ରଭାବ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାରାକ୍ୱାଟ ବ୍ୟବହାର ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ, ମଣିଷର ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଏହାର ପ୍ରଭାବ ସଂପର୍କରେ କୌଣସି ବୈଜ୍ଞାନିକ ଗବେଷଣା କରାଯାଇନାହିଁ।

ସେହିପରି ରାଜ୍ୟର ଅଗ୍ରଣୀ ଭେଷଜ ଅନୁଷ୍ଠାନ ଭୀମ୍‌ସାର, ବୁର୍ଲାଙ୍କ ରିପୋର୍ଟ ଅନୁଯାୟୀ ପାରାକ୍ୱାଟ ଯୋଗୁ ମଣିଷର ନିଃଶ୍ୱାସପ୍ରଶ୍ୱାସ, ବୃକକ୍‌ ଏବଂ ଯକୃତଜନିତ ସମସ୍ୟା ଉପୁଜି ଉଚ୍ଚ ମୃତୁ୍ୟହାର ଘଟୁଛି। ରିପୋର୍ଟ ଅନୁଯାୟୀ ୨୦୧୭ ସେପେଫମ୍ବର ମାସରୁ ୨୦୧୯ ଅଗଷ୍ଟ ମଧ୍ୟରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୧୪୯ ଜଣ ରୋଗୀଙ୍କ ମଧ୍ୟରୁ ୧୪୦ ଜଣଙ୍କର ମୃତ୍ୟ ଘଟିଛି। ରିପୋର୍ଟରେ ଭୀମ୍‌ସାର କର୍ତ୍ତୃପକ୍ଷ ପାରାକେ୍ୱଟକୁ ସ୍ଥାୟୀ ଭାବରେ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ସେହିପରି ରାଜ୍ୟର ୧୫ଟିରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଷାକ୍ତ ତୃଣନାଶକ ପାରାକା୍ୱଟ ସେବନ କରି ଅକାଳ ମୃତୁ୍ୟ ଘଟୁଛି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି। ଜାନୁଆରୀ ୨୦୨୩ରୁ ଡିସେମ୍ବର ମାସ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୧୩ଜଣ ଚାଷୀ ପାରାକେ୍ୱଟର ବିଷକି୍ରୟା ଯୋଗୁ ମୃତୁ୍ୟବରଣ କରିଛନ୍ତି ବୋଲି ପ୍ରକାଶ। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପାରାକ୍ୱାଟ ସେବନ ଯୋଗୁ ମୃତୁ୍ୟ ଘଟିବା ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟରେ ତୃଣନାଶକ ପାରାକ୍ୱାଟ ସଂପୂର୍ଣ୍ଣ ନିଷେଧାଜ୍ଞା ଜାରି କରିବା ପାଇଁ ଅନେକ ଅଭିଯୋଗ ଓ ପ୍ରସ୍ତାବ ହସ୍ତଗତ ହୋଇଛି । ପୁନଶ୍ଚ ତୃଣନାଶକ ପାରାକ୍ୱାଟର ଦୀର୍ଘ ସମୟ (୫ ବର୍ଷରୁ ଊଦ୍ଧ୍ୱର୍) ଧରି ବ୍ୟବହାର କରିବା ଯୋଗୁ ମଣିଷ, ପ୍ରାଣୀ ଏବଂ ଫସଲ ଉତ୍ପାଦନ ଓ ଉତ୍ପାଦିକତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି।

ଉପରୋକ୍ତ ତଥ୍ୟଗୁଡ଼ିକ ପରିପ୍ରେକ୍ଷୀରେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶାରେ ପାରାକ୍ୱାଟର ବିକି୍ର/ ବିତରଣ/ ଉତ୍ପାଦନ ଏବଂ ବ୍ୟବହାରକୁ ତୁରନ୍ତ କୀଟନାଶକ ଆଇନ ୧୯୬୮ର ଧାରା ୨୭ (୨) ଅନୁଯାୟୀ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ ପତ୍ରରେ ଅନୁରୋଧ କରାଯାଇଛ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା, ଦ୍ବିତୀୟରେ ନୟାଗଡ

ଭୁବନେଶ୍ବର: ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆୟବୃଦ୍ଧି ନିମନ୍ତେ କୃଷି କାର୍ଯ୍ୟ ସହିତ ମାଛଚାଷ ଓ ପ୍ରାଣୀପାଳନର ଆବଶ୍ୟକତା ରହିଛି । ଏହି କ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି।

ଏହା ଦ୍ୱାରା ବର୍ଷସାରା ରୋଜଗାର ମିଳିବା ସହିତ ନିରନ୍ତର ଆୟର ଉତ୍ସ ସୃଷ୍ଟି ହୋଇଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଗତକାଲି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଗତ ଦୁଇଦଶନ୍ଧିରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମାଛ ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ଚତୁର୍ଥ ସ୍ଥାନ ଅଧିକାର କରିଛି।

ତେବେ ବୈଜ୍ଞାନିକ ପଦ୍ଧତି ଓ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରାଜ୍ୟରେ ଉପଲବ୍ଧ ଜଳଉତ୍ସରୁ ବିପୁଳ ପରିମାଣର ମାଛ ଉତ୍ପାଦନ କରିବାର ସୁଯୋଗ ରହିଛି। ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହ ରାଜ୍ୟବାସୀଙ୍କୁ ଅଧିକ ପରିମାଣର ପ୍ରାଣୀଜ ପ୍ରୋଟିନ୍‌ ମିଳିପାରିବ। ଉନ୍ନତ ଜ୍ଞାନକୌଶଳସଂପନ୍ନ ବାୟୋଫ୍ଲକ୍‌ ମାଛଚାଷ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବେଶ୍‌ ଉତ୍ସାହଜନକ ଏବଂ ଏହା ଅଚିରେ ଓଡ଼ିଶାକୁ ମାଛ ଉତ୍ପାଦନରେ ତୃତୀୟ ସ୍ଥାନକୁ ଉନ୍ନୀତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପୋଷଣ କରିଥିଲେ।

ଏଥି ସହିତ ମତ୍ସ୍ୟ ଓ ପ୍ରାଣୀପାଳନ ସହ ଜଡ଼ିତ କୃଷକମାନଙ୍କ ସଫଳ କାହାଣୀକୁ ଲୋକଲୋଚନକୁ ଆଣି ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଲେ ଅଧିକରୁ ଅଧିକ ଲୋକ ଏହି କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ସଂପ୍ରତି ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଛଚାଷ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ସେ କହିଥିଲେ।

ବୈଠକର ବିବରଣୀରୁ ପ୍ରକାଶ ଯେ ମଧୁର ଜଳ ମାଛ ଉତ୍ପାଦନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ସବୁଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ କଟକ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେହିପରି ସାମୁଦି୍ରକ ମତ୍ସ୍ୟ କ୍ଷେତ୍ରରେ ଗଞ୍ଜାମ କ୍ଷେତ୍ର ସର୍ବୋତ୍ତମ ସଫଳତା ପାଇଥିବାବେଳେ କୁଜଙ୍ଗ ସାମୁଦି୍ରକ କ୍ଷେତ୍ର ଏବଂ ବିଟି ବାଲୁଗାଁ କ୍ଷେତ୍ର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଜିଲ୍ଲା ନୋଡ଼ାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ଉଭୟ ପ୍ରାଣୀସଂପଦ ବିକାଶ ଏବଂ ମତ୍ସ୍ୟ ବିଭାଗର ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ କହିଥିଲେ। ଏଥି ସହିତ ପ୍ରତି ମାସର ଚାରି ତାରିଖରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଏବଂ ମାସର ୧୦ ତାରିଖରେ ନିର୍ଦ୍ଦେଶକଙ୍କ ସ୍ତରରେ ସମୀକ୍ଷା ବୈଠକ କରି ଏହାର ରିପୋର୍ଟ ବିଭାଗକୁ ମାସର ୧୫ ତାରିଖ ସୁଦ୍ଧା ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାଛ ଜାଅଁଳ ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିଛି ବୋଲି ଶ୍ରୀ ବଶିଷ୍ଠ ପ୍ରକାଶ କରିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ସମେତ ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବାୟୋଫ୍ଲକ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛଚାଷ ପାଇଁ ଦିଆଯାଉଥିବା ଇନ୍‌ପୁଟ ସହାୟତା, ମତ୍ସ୍ୟଚାଷ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ସେହିପରି ଅପରାହ୍ନରେ ପ୍ରାଣୀସଂପଦ ବିକାଶ ବିଭାଗର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଭିନ୍ନ ବିଭାଗର ସମନ୍ୱୟରେ କାର୍ଯ୍ୟକଲେ କୃଷକଙ୍କ ଆୟକୁ ବହୁଗୁଣିତ କରିହେବ । ଏ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଭିବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ପ୍ରାଣୀସଂପଦର ସୁରକ୍ଷା ଓ ବିକାଶ ନିମନ୍ତେ ପ୍ରାଣୀଚିକିତ୍ସା ସେବାର ଆଧୁନିକୀକରଣ ଓ ଉନ୍ନତ ମାନର ଔଷଧ ସଂଗ୍ରହ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଭାଗର ଯୋଜନାର କାର୍ଯ୍ୟକାରିତାକୁ ସରଳ କରିବା ସହିତ ସ୍ୱଚ୍ଛତା ଆଣିବା ପାଇଁ ପ୍ରଚଳିତ ଗୋ-ସୁଗମ ପୋର୍ଟାଲକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ୫୦୦ ଟିକିଆ ଏବଂ ହଜାରେ ଟିକିଆ ବ୍ରଏଲର କୁକୁଡ଼ା ପାଳନ, ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୨ ହଜାର ଟିକିଆ ବ୍ରଏଲର କୁକୁଡ଼ା ପାଳନ, ୧୦୦୦ ଟିକିଆ ବ୍ରଏଲର କୁକୁଡ଼ା, ୧୦୦୦ ଟିକିଆ ଅଣ୍ଡାଦିଆ କୁକୁଡ଼ା ପାଳନ ସମେତ ୧୦୦୦ ଟିକିଆ ଅର୍ଦ୍ଧବାଣିଜି୍ୟକ ବତକ ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୩୦ଟିକିଆ ଓ ୧୦ ଟିକିଆ ଛେଳି, ଅର୍ଦ୍ଧବାଣିଜି୍ୟକ ଘୁଷୁରୀ ପାଳନ ଆଦି ଯୋଜନା ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା ।

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଥିବାବେଳେ ନୟାଗଡ଼ ଓ ରାୟଗଡ଼ା ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ଟିକାକରଣ, ଭିତ୍ତିଭୂମିର ବିକାଶ, ବିଭିନ୍ନ ପ୍ରାଣୀ କଲ୍ୟାଣ ଯୋଜନାର ଅଗ୍ରଗତି, ବେସରକାରୀ ଗୋଶାଳା ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ, ଆନିମଲ୍‌ ହେଲପ୍‌ଲାଇନ୍‌ ଏବଂ ପ୍ରାଣୀ ପ୍ରଜନନ ନିୟନ୍ତ୍ରଣ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।

ବୈଠକରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସିଡିଭିଓ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କୃଷି ରୂପାନ୍ତରଣରେ କଣ ରହିଛି ସାମ୍ବାଦିକଙ୍କର ଭୂମିକା, ଆୟୋଜିତ ହେଲା ଏକ ସମ୍ମିଳନୀ

ଭୁବନେଶ୍ବର: କୃଷି ସାମ୍ବାଦିକତା କୃଷି ଓ କୃଷକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିବାରେ କ୍ଷମତା ରଖେ। ସାମ୍ବାଦିକମାନେ ଦାୟିତ୍ୱ ସହକାରେ କୃଷକଙ୍କ ସମସ୍ୟା ଉପସ୍ଥାପିତ କରିବା ସହିତ ସରକାରଙ୍କ କୃଷି ଯୋଜନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମକୁ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିଲେ ଚାଷୀ ଭାଇ ଓ ଭଉଣୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ‘ରାଜ୍ୟ କୃଷିର ରୂପାନ୍ତରଣରେ କୃଷି ସାମ୍ବାଦିକତାର ଭୂମିକା’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଆମ କୃଷିଭାଇମାନଙ୍କୁ କୃଷି କ୍ଷେତ୍ରରେ ସମ୍ବାଦପତ୍ରର ଶିରୋନାମା ହେବା ସହ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ୍‌ କରାଇବାର ଭୂମିକା ଗଣମାଧ୍ୟମର ରହିବା ଆବଶ୍ୟକ।

କୃଷିଭିତ୍ତିକ ସଫଳ କାହାଣୀ ସହ ସମସ୍ୟାମାନ ସମ୍ବାଦପତ୍ରରେ ସ୍ଥାନ ପାଇଲେ ତାହା ପ୍ରତ୍ୟେକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ଓ ସମାଧାନ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସାରା ଭାରତବର୍ଷରେ କୃଷି ସାମ୍ବାଦିକତା ପାଇଁ ଏକ ଗଣଜାଗରଣ ସୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରି ଚାଷୀ ଭାଇମାନଙ୍କୁ ଆକର୍ଷଣୀୟ ରିହାତି ପ୍ରଦାନ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା କୃଷିକ୍ଷେତ୍ରରେ ଏକ ନୂତନ ଶିଖରରେ ପହଞ୍ଚିଛି। କୃଷିକ୍ଷେତ୍ରରେ ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ଅଧିକରୁ ଅଧିକ ସମ୍ବାଦପତ୍ରର ଶିରୋନାମା ପାଲଟିବାର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରରେ ବିକଶିତ ହେଉଥିବା ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ କୃଷି ପଦ୍ଧତିକୁ ଚାଷୀ ବୁଝିବା ଭଳି ଭାଷାରେ ପ୍ରକାଶ କଲେ ସମ୍ବାଦପତ୍ରମାନେ ଚାଷୀଭାଇଙ୍କର ନିକଟବର୍ତ୍ତୀ ହୋଇପାରିବେ। ରାଜ୍ୟର ଏକ ବୃହତ୍‌ ଅଂଶ କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ କୃଷି ସାମ୍ବାଦିକତାର ଆବଶ୍ୟକତା ସମସ୍ତେ ଉପଲବ୍ଧି କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ସମ୍ମିଳନୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ କୃଷି କ୍ଷେତ୍ରରେ ଲୋକମାନଙ୍କୁ ଆକୃଷ୍ଟ କରି ରଖିବା ପାଇଁ କୃଷି ସାମ୍ବାଦିକତା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। କୃଷି କ୍ଷେତ୍ର ଅନେକ ବିପ୍ଳବ ଦେଇ ଗତି କରିଆସିଛି। ବିବିଧତାରେ ପୂର୍ଣ୍ଣ କୃଷି କ୍ଷେତ୍ରକୁ ସାମ୍ବାଦପତ୍ରରେ ଯଥୋଚିତ ସ୍ଥାନ ମିଳିବା ଆବଶ୍ୟକ।

କୃଷି ଜାଗରଣର ମୁଖ୍ୟ ସଂପାଦକ ଏମ୍‌.ସି. ଡୋମିନିକ୍‌ ସମ୍ମିଳନୀରେ କହିଲେ ଯେ ସାଂପ୍ରତିକ ସ୍ଥିତିରେ କୃଷି ସଂପର୍କିତ ସ୍ୱତନ୍ତ୍ର ଗଣମାଧ୍ୟମର ଆବଶ୍ୟକତା ରହିଛି। ରାଜ୍ୟର ବିକାଶ ଦିଗରେ କୃଷକମାନଙ୍କ ଭୂମିକା ଦୃଷ୍ଟିରୁ ସେମାନଙ୍କୁ ଗଣମାଧ୍ୟମରେ ପ୍ରକୃତ ହିରୋ ଭାବରେ ପ୍ରଦର୍ଶନ କରାଯିବାର ଆବଶ୍ୟକ। ଗ୍ରାମୀଣ ସାମ୍ବାଦିକତା କ୍ଷେତ୍ରରେ ଏହି ଧାରା ବଜାୟ ରଖିଲେ ରାଜ୍ୟର କୃଷିକ୍ଷେତ୍ରରେ ବିକାଶ ସାଧନ ହୋଇପାରିବ।

ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ କହିଲେ ଯେ ଚାଷ, ଚାଷୀ ଓ ଏହାର ଜୀବିକା ଅଦ୍ୟାବଧି ଗଣମାଧ୍ୟମର ମୁଖ୍ୟଧାରାରେ ସ୍ଥାନ ପାଇନାହିଁ। ମୃତ୍ତିକା ସ୍ୱାସ୍ଥ୍ୟ, ନୂତନ ଜ୍ଞାନକୌଶଳ ପ୍ରତି ଆକୃଷ୍ଟ କରାଇବା, ଗୋଟିଏ ଚାଷୀର ସଫଳ କାହାଣୀ ଆଉ ଗୋଟିଏ ଚାଷୀ ଜାଣିବା, କୃଷି ଶ୍ରମିକ ଓ ଭୂମିହୀନ ଚାଷୀମାନଙ୍କ ପାଇଁ କମୁ୍ୟନିଟି ଫାର୍ମିଂ ଆଦି ବିଷୟୟକୁ ଗଣମାଧ୍ୟମରେ ଅଧିକ ସ୍ଥାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମିଳନୀରେ ସମାଜର ସଂପାଦକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର କହିଲେ ଯେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଚାଷୀ ଏ ସଂପର୍କରେ ସଠିକ୍‌ ସୂଚନା ପାଇବା ଦରକାର। କୃଷି କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟାର ଉପଯୋଗ ହେବା ଦରକାର। ଏହି ପରିପ୍ରେକ୍ଷୀରେ କୃଷି ସାମ୍ବାଦିକତା କିପରି କୃଷି ବୈଜ୍ଞାନିକ ଓ କୃଷକମାନଙ୍କ ମଧ୍ୟରେ ଏକ ସୁଦୃଢ଼ ସେତୁ ରୂପ ନେଇପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ।

ସମ୍ମିଳନୀର ବୈଷୟିକ ଅଧିବେଶନରେ ସଂକଳ୍ପ ଟିଭିର ନିର୍ଦ୍ଦେଶକ ଶ୍ରୀ ଅଶୋକ ଦାସ ଚାଷୀର କଥା କହିବା ଓ ଲେଖିବା ଗଣମାଧ୍ୟମରେ ଏକ ସୁନିଶ୍ଚିତ ପ୍ରୟାସ ହେବା ଦରକାର ବୋଲି କହିଥିଲେ। ଦି ନିଉ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ସିନିୟର ଏଡିଟର ସୁଶ୍ରୀ କସ୍ତୁରୀ ରାୟ କହିଲେ ଯେ କୃଷିକ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରାଇବା ପାଇଁ ଗଣମାଧ୍ୟମଗୁଡ଼ିକୁ ମଜବୁତ କରିବା ଦରକାର।

ବରିଷ୍ଠ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା କହିଲେ ଯେ କୃଷିଭିତ୍ତିକ ସମ୍ବାଦକୁ ଋଦ୍ଧିମନ୍ତ ଓ ପାଠକୀୟ ଆଦୃତି ପାଇବାକୁ ହେଲେ ସାମ୍ବାଦିକମାନଙ୍କୁ ଶିରୋନାମକୁ ସଠିକ୍‌ ଭାବରେ ଚୟନ କରି ଉପସ୍ଥାପନ କରିବାକୁ ହେବ।

ଅନ୍ୟତମ ବରିଷ୍ଠ ସ୍ତମ୍ଭକାର ଶ୍ରୀ ନଟବର ଖୁଣ୍ଟିଆ କହିଲେ ଯେ କୃଷିର ବୈଷୟିକ ଓ ବୈଜ୍ଞାନିକ ତଥ୍ୟକୁ ସରଳ ଭାଷାରେ ପ୍ରକାଶ କଲେ ତାହା ଅଧିକ ଚାଷୀମାନଙ୍କୁ ବୋଧଗମ୍ୟ ଓ ଗ୍ରହଣଶୀଳ ହେବ। ସମ୍ମିଳନୀ ପ୍ରାରମ୍ଭରେ ସଂପ୍ରସାରଣ ନିର୍ଦ୍ଦେଶାଳୟର ଡିନ୍‌ ଡ. ପ୍ରସନ୍ନଜିତ ମିଶ୍ର ଅତିଥି ପରିଚୟ ଦେଇଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଡ. ଏସ୍‌. ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ବିତ୍ତ ନିୟନ୍ତ୍ରକ, ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ବିଭାଗ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି କ୍ଷେତ୍ରରେ ନୂଆ ସଫଳତା, ପ୍ରଥମ ଥର ପାଇଁ ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାର କାଜୁ ବାଙ୍ଗଲାଦେଶକୁ ରପ୍ତାନୀ ହେଲା। ଗତକାଲି ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ବାଙ୍ଗଲାଦେଶକୁ ଓଡ଼ିଶା କାଜୁ ରପ୍ତାନୀ କରିଛି। ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଓପେଡ଼ା ସଂସ୍ଥା, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କାଜୁ ଟ୍ରକ୍‌କୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ଶାଶ୍ୱତ ମିଶ୍ର ଏକ୍ସପୋର୍ଟ ଓ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଯେକୌଣସି ଉତ୍ପାଦର ରପ୍ତାନୀ ଓ ବାଣିଜ୍ୟ ପାଇଁ ଅନୁ୍ୟନପକ୍ଷେ ୩ ଗୋଟି ମାର୍କେଟ ରହିଥିବା ଦରକାର। କାରଣ ଗ୍ରାହକଙ୍କ ଚାହିଦା ଯଦି ବିପରୀତମୁଖୀ ହୁଏ ତେବେ ଯେକୌଣସି ସମୟରେ ମାର୍କେଟ୍‌ ବନ୍ଦ ହୋଇଯିବାର ସମ୍ଭାବନା ଥାଏ। ସେଥି ପାଇଁ ଉଭୟ ରାଜ୍ୟ, ଅନ୍ୟ ରାଜ୍ୟ ଓ ବିଦେଶକୁ ଉତ୍ପାଦ ରପ୍ତାନୀ କରିବା ବାଣିଜ୍ୟ ପାଇଁ ଶୁଭଙ୍କର ଅଟେ।

ଓଡ଼ିଶାର ଏକ ଅନୁକୂଳ ରପ୍ତାନୀ ନୀତି ପ୍ରଣୀତ ହୋଇଛି। ଏହି ରପ୍ତାନୀ ନୀତି ଅନୁଯାୟୀ ବାହାର ଦେଶକୁ ଉତ୍ପାଦ ପଠାଯାଇପାରିବ। କିନ୍ତୁ କାଜୁ ପ୍ରୋସେସିଂ କ୍ଷେତ୍ରରେ ଏହାର ଗୁଣବତ୍ତା ବଢ଼ାଯିବାର ଆବଶ୍ୟକତା ରହିଛି। ରାଜ୍ୟର ମୁଖ୍ୟତଃ କୋରାପୁଟ, ଗଞ୍ଜାମ ଓ ବ୍ରହ୍ମଗିରି ସ୍ଥାନରେ କାଜୁ ପୁଞ୍ଜ ଥିବାରୁ ସେହିସ୍ଥାନରେ ଓଡ଼ିଶା ସରକାରଙ୍‌କ କମନ୍‌ ଫାସିଲିଟି ସେଣ୍ଟରର ଉପଯୋଗିତା କରାଯିବା ଉଚିତ। ପ୍ରୋସେସିଂ ମେସିନ୍‌ ସ୍ଥାପନ, ଏୟାର କାର୍ଗୋ ରପ୍ତାନୀ ଓ ନିଜେ ରପ୍ତାନୀ କରିବା ଭଳି ଆହ୍ୱାନମୂଳକ ପଦକ୍ଷେପକୁ ସାମ୍‌ନା କରି ଆଗକୁ ବଢ଼ିଚାଲିଲେ ଘରୋଇ ରପ୍ତାନୀ ଓ ବିଦେଶ ରପ୍ତାନୀ ଲାଭଜନକ ହୋଇଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜ୍ୟରେ ଧାନ, କପା, ମାଣ୍ଡିଆର ଉତ୍ପାଦନ ଓ ବ୍ୟବସାୟ ସଂପର୍କରେ ଉଲ୍ଲେଖ କରି ପ୍ରୋତ୍ସାହନମୂଳକ ବକ୍ତବ୍ୟ ରଖି କହିଥିଲେ ଯେ ଉତ୍କୃଷ୍ଟ ମାନର କାଜୁ ଚାଷ ହେବା ଆବଶ୍ୟକ।କୋରାପୁଟ, ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ମାଟି ଓ ଜଳବାୟୁ କାଜୁ ଚାଷ ପାଇଁ ବେଶ୍‌ ଉପଯୋଗୀ ଅଟେ। ସେଥିପାଇଁ ଯୋଜନାମୂଳକ ଭାବେ ଚାଷ କରିବା ଉଚିତ। ହେକ୍ଟର ପିଛା ୭୬୦ କିଗ୍ରା କାଜୁ ଉତ୍ପାଦନ ରପ୍ତାନୀ ପ୍ରକ୍ରିୟା ପାଇଁ ଯଥାର୍ଥ ଅଟେ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀମାନଙ୍କୁ ଏକ କୋଟି ସବ୍‌ସିଡି ମଧ୍ୟ ପ୍ରଦାନ ହେବାର ନଜିର ଅଛି। ତେଣୁ କାଜୁ ଚାଷ ପାଇଁ ମଧ୍ୟ ସବ୍‌ସିଡି ପ୍ରଦାନ କରାଯାଉଛି। ଓଡ଼ିଶାର କାଜୁ ସିଙ୍ଗାପୁର, ବ୍ୟାଙ୍କକ୍‌ ଓ ଦୁବାଇକୁ ରପ୍ତାନୀ ହେଉଛି। ବାର୍ଷିକ ୧୨୦୦ କୋଟିର କାଜୁ ବ୍ୟବସାୟ ହେଉଛି ବୋଲି ଡ. ପାଢ଼ୀ ସୂଚନା ଦେଇଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍‌ ବୈଷୟିକ କୌଶଳ ଯୋଗାଇଦେବା ବିଷୟରେ ସୂଚନା ଦେଇଥିଲେ। କାଜୁ ଚାଷ, କାଜୁ ପ୍ରୋସେସିଂ ପାଇଁ ଓୟୁଏଟି ଟେକ୍‌ନୋଲୋଜିକାଲ୍‌ ସହାୟତା ଦେଉଛି ଓ ଆଗାମୀ ଦିନରେ କାଜୁ ଚାଷର ଅନ୍ୟାନ୍ୟ ଦିଗ ପ୍ରତି ସହାୟତା ଦେବ ବୋଲି କହିଥିଲେ।

କଷ୍ଟମ୍‌ କମିଶନର ଶ୍ରୀ ମାଧବ ମିଶ୍ର ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା କାଜୁ ଉନ୍ନୟନ ନିଗମ ଓ ଓଡ଼ିଶା କାଜୁ ପ୍ରସ୍ତୁତି ସଂଘର ସୂଚନା ଅନୁସାରେ ଓଡ଼ିଶାରେ ୨.୨୩ ଲକ୍ଷ ହେକଫର ଜମିରେ କାଜୁ ଚାଷ କରାଯାଉଛି। ସେଥି ମଧ୍ୟରୁ ୬୦ ହଜାର ହେକ୍ଟର ହେଉଛି ସରକାରୀ ଜମି। ବାର୍ଷିକ ପ୍ରାୟ ୧ ଲକ୍ଷ ୪୦ ହଜାର ମେଟି୍ରକ୍‌ ଟନ୍‌ କାଜୁ ଉତ୍ପାଦିତ ହେଉଥିବାବେଳେ ୫୦୦ଟି କାଜୁ ପ୍ରୋସେସିଂ ୟୁନିଟ୍‌ ସଫଳତାର ସହ ଚାଲୁରହିଛି। କାର୍ଯ୍ୟକ୍ରମରେ କାଜୁ ଉତ୍ପାଦକ, କାଜୁ ପ୍ରସ୍ତୁତ କର୍ତ୍ତା ଓ ରପ୍ତାନୀ ସଦସ୍ୟମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦ୍ୟାନ କୃଷିର ଅମଳ ପରିଚାଳନା ଏବଂ ବିପଣନ ସହାୟତା ପାଇଁ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ

କାକଟପୁର/ଭୁବନେଶ୍ୱର: ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ଯୋଜନାରେ ‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିପଣନ ସହାୟତା’ ମାଧ୍ୟମରେ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

କାକଟପୁର ବ୍ଲକ୍‌ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଫସଲ ଉତ୍ପାଦନ, ଅମଳ, ବିକି୍ରବଟା ନିମନ୍ତେ ବଜାରକୁ ନେବା ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପରିବହନଜନିତ କ୍ଷତି ଆଦି ସହିବାକୁ ପଡ଼ିଥାଏ। ମଜବୁତ୍‌ ପ୍ଲାଷ୍ଟିକ୍‌ କ୍ରେଟସ୍‌ରେ ପନିପରିବା ସାଇତି ରଖିବା ସହ ପରିବହନ କରିବା ସମୟରେ ପରିବାଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ଦ୍ୱାରା ଚାଷୀମାନେ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକି୍ର କରିବାର ସୁଯୋଗ ପାଇଥାଆନ୍ତି।

ଉଦ୍ୟାନ କୃଷି କ୍ଷେତ୍ରରେ ଏହି ଆଧୁନିକ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ଏବଂ ଅମଳ ପରବର୍ତ୍ତୀ ପରିଚାଳନା କ୍ଷତି ହ୍ରାସ ପାଇବ। ଉଦ୍ୟାନ କୃଷି ଉତ୍ପାଦର ପ୍ରକି୍ରୟାକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଓ ବିପଣନ ଦ୍ୱାରା ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ପାଇଁ ପର୍ଯ୍ୟାପ୍ତ ପରିସର ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ପନିପରିବା ଚାଷ ଦ୍ୱାରା ଚାଷୀମାନଙ୍କର ନିରନ୍ତର ଆୟ ଓ ଆୟବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏଥି ପାଇଁ ଚାଷୀମାନଙ୍କୁ ଠିକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଉନ୍ନତ ମାନର ମଂଜି ଓ ଚାରା ଓ ଆନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣକୁ ବିଭାଗ ସର୍ବଦା ପ୍ରାଥମିକତା ପ୍ରଦାନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରବା ପାଇଁ ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ବିପଣନ କ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପ୍ଲାଷ୍ଟିକ୍‌ କ୍ରେଟସ୍‌, ଶୀତଳିକରଣ ଗୃହ, ସବଜୀ କୁଲର, ପରିବହନ ଖର୍ଚ୍ଚ, ସଂରକ୍ଷଣ ଭଡ଼ା ଇତ୍ୟାଦି ବାବଦରେ ରାଜ୍ୟ ସରକାର ୭୦ରୁ ୯୦ ପ୍ରତିଶତ ରିହାତିର ବ୍ୟବସ୍ଥା କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ସଂଗଠନ ଏବଂ ସାଧାରଣ ଚାଷୀମାନଙ୍କ ପାଇଁ ଚଳିତ ବର୍ଷ ୧୦ ଲକ୍ଷ ପ୍ଲାଷ୍ଟିକ୍‌ କ୍ରେଟସ୍‌ ଶତକଡ଼ା ୯୦ ଭାଗ ରିହାତି ଦରରେ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍‌ରେ ହାରାହାରି ୩୨୦୦ ଟି ପ୍ଲାଷ୍ଟିକ୍‌ କ୍ରେଟସ୍‌ ହିସାବରେ ସମୁଦାୟ ୩୨୯୫୦ଟି କ୍ରେଟସ୍‌ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ ନାୟକ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ନାୟକ, ଉଦ୍ୟାନ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଚିନ୍ଦ୍ରନାଥ ଭୋଳ, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁଳା ତ୍ରୀପାଠୀ, କାକଟପୁର ବିଡିଓ ଶ୍ରୀ ତୁଷାର ଜ୍ୟୋତି ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସାର ସୁପରିଚାଳନା ପାଇଁ ଭାରତର ନୂଆ ପ୍ରୟାସ

ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷିମନ୍ତ୍ରୀ

ଭାରତର ୧୪୦ କୋଟି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସାରର ନିରନ୍ତର ଯୋଗାଣ ଏବଂ ସୁପରିଚାଳନା ଏକାନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ରସାୟନ ଓ ସାର ମନ୍ତ୍ରଣାଳୟ କୃଷି କ୍ଷେତ୍ରରେ ସାରର ଅସମ ବ୍ୟବହାରଜନିତ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସାର ଓ ଉର୍ବରକ ବ୍ୟବହାରରେ ଭାରସାମ୍ୟ ରକ୍ଷା, ସରକାରୀ ଏବଂ ବିଶେଷଜ୍ଞଙ୍କ ହସ୍ତକ୍ଷେପ, ଟେକ୍‌ନୋଲୋଜି ପ୍ରୟୋଗ, ନୀତିଗତ ହସ୍ତକ୍ଷେପ, ଆର୍ଥିକ ସହାୟତା ପ୍ରଦାନ, ପୁଞ୍ଜିନିବେଶ, ଯୋଗାଣ, ମୂଲ୍ୟ ମିଶ୍ରଣ ଆଦି ଅନ୍ୟତମ। ଏସବୁ ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଲା ଭାରତୀୟ କୃଷିରେ ଢାଞ୍ଚାଗତ ସଂସ୍କାର ଆଣିବା।

ଭାରତୀୟ କୃଷି କ୍ଷେତ୍ରର ଜରୁରୀ ଆବଶ୍ୟକତାକୁ ବିଚାରକୁ ନେଇ ୨୦୨୩ ଜୁନ୍ ୨୮ତାରିଖରେ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବିଭିନ୍ନ ପଦକ୍ଷେପ ଓ ଯୋଜନାକୁ ଅନୁମୋଦନ କରିଛି। ଏଥିରେ ୟୁରିଆ ସବ୍‌ସିଡି ଯୋଜନାକୁ ସ୍ୱୀକୃତି ମିଳିଛି। ଏହା ଛଡା କୃଷି କ୍ଷେତ୍ରରେ ଜୈବିକ ସାରର ବ୍ୟବହାର ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି। କୃଷିକ୍ଷେତ୍ର ପାଇଁ ସିସିଇଏ ଏହି କାର୍ଯ୍ୟକ୍ରମ ବାବଦରେ ୩୭୦, ୧୨୮ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛି। ଏହା ଫଳରେ ଦେଶର ପ୍ରାୟ୧୨କୋଟି ଚାଷୀ ଉପକୃତ ହେବେ। ଏହି ଚାଷୀଙ୍କର ମୋଟ ଚାଷ ଜମି ପରିମାଣ ୧୪୧ ବିଲିୟନ ହେକ୍ଟର। ଏହି ପଦକ୍ଷେପରୁ ଦେଶର କୃଷକ ଓ କୃଷି ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ଠା ଓ ଅଙ୍ଗୀକାର ସ୍ପଷ୍ଟ ଜାଣି ହୁଏ।

ୟୁରିଆ ସବ୍‌ସିଡି ଯୋଜନାର  ସମ୍ପ୍ରସାରଣ:- ସିସିଇଏ  ୟୁରିଆ ସବ୍‌ସିଡି ଯେଜନାକୁ ୨୦୨୫ ମାର୍ଚ୍ଚ ୩୧ତାରିଖ ଯାଏ ବୃଦ୍ଧି କରିଛି। ଏଥି ପାଇଁ ୩୬୮, ୬୭୬ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରାଯାଇଛି। ଏହି ସମ୍ପ୍ରସାରଣରେ ୨୦୨୨-୨୩ ଓ ୨୦୨୪-୨୫ ଆର୍ଥିକ ବର୍ଷ ଅନ୍ତର୍ଭୁକ୍ତ ହୋଇଛି। ଏହାଛଡା ଦେଶର ୟୁରିଆ ଉତ୍ପାଦନକୁ ବଢାଇବାକୁ ମୋଦୀ ସରକାର ଗୁରୁତ୍ୱ ଦେଇଛି। ୨୦୧୪ରେ ଦେଶରେ ୟୁରିଆ ଉତ୍ପାଦନ କ୍ଷମତା ୨୦୭.୫୪ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୨-୨୩ରେ ୨୮୩. ୭୪ଲକ୍ଷ ମେଟ୍ରିକ ଟନ୍‌ରେ ପହଂଚିଥିଲା। ଏହି ଉତ୍ପାଦନ ବୃଦ୍ଧି ଫଳରେ ସରକାରଙ୍କ ୟୁରିଆ ସବ୍‌ସିଡି ଯୋଜନା ଅଧିକ ସଫଳ ହେବ। ସବୁ ଚାଷୀ ସୁଲଭ ମୂଲ୍ୟରେ ଆବଶ୍ୟକ ପରିମାଣର ୟୁରିଆ ସାର ପାଇବେ।

ନାନୋ ୟୁରିଆ ବ୍ୟବସ୍ଥାର ସୁଦୃଢୀକରଣ:-ଭାରତ ଦେଶୀ ଜ୍ଞାନକୌଶଳରେ ବିଶ୍ୱର ପ୍ରଥମ ତରଳ ନାନୋ ୟୁରିଆ ବିକଶିତ କରିଛି। ଏହାର ବ୍ୟାବସାୟିକ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଛି। କମ୍ ମୂଲ୍ୟରେ ଏହି ପରିବେଶ ଚାଷ ଅନୁକୂଳ ୟୁରିଆ ଚାଷୀଙ୍କୁ ଯୋଗାଇଦେବା ବ୍ୟବସ୍ଥା ଏହା ଫଳରେ ସୁନିଶ୍ଚିତ ହୋଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ୭୬.୫ ନିୟୁତ ବୋତଲ(ପ୍ରାୟ ୩୩. ୬ ଲକ୍ଷ ମେଟ୍ରିକ ଟନ ପାରମ୍ପରିକ ୟୁରିଆ ସହ ସମାନ) ତରଳ ୟୁରିଆ ଦେଶରେ ଉତ୍ପାଦିତ ହୋଇଛି। ସେଥି ମଧ୍ୟରୁ ୫୪.୨ ନୟୁତ ବୋତଲୟୁରିଆ ବିକ୍ରି ହୋଇଛି। ୨୦୨୫-୨୬ ସୁଦ୍ଧାର ୮ଟି ନାନୋ ୟୁରିଆ କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ଏବଂ ସେସବୁର ମୋଟ ଉତ୍ପାଦନ କ୍ଷମତା ୪୪୦ନିୟୁତ ବୋତଲ। ଚାଷୀଙ୍କୁ ମଧ୍ୟ ନାନୋ ଡିଏପି ସହିତ ପରିଚିତ କରାଗଲାଣି। ଏହା ପାରମ୍ପରିକ ଡିଏପି ସାରଠାରୁ  ଶସ୍ତା ଏବଂ ଅଧିକ  ପ୍ରଭାବଶାଳୀ।

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ସରକାର ଛ’ଟି ୟୁରିଆ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି। ସେଗୁଡିକ ହେଲା ରାଜସ୍ଥାନର କୋଟାସ୍ଥିତ ଚମ୍ବଲ ଫର୍ଟିଲାଇଜର ଲିଃ, ପଶ୍ଚିମ ବଙ୍ଗର ପାନାଗଡସ୍ଥିତ ମାଟିକ୍ସ ଲିମିଟେଡ, ତେଲଙ୍ଗାନାର ରାମଗୁଣ୍ଡମ, ଉତ୍ତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି ଓ ବିହାରର ବାରାଉଣି। ଏହି ଦେଶୀ ନାନୋ ୟୁରିଆ ପ୍ଲାଣ୍ଟ ଫଳରେ ଭାରତର ସାମ୍ପ୍ରତିକ ୟୁରିଆ ଆମଦାନୀ ଯଥେଷ୍ଟ ହ୍ରାସ ପାଇବ ଓ ଏ କ୍ଷେତ୍ରରେ ଭାରତ ୨୦୨୫-୨୬ ସୁଦ୍ଧା  ଆତ୍ମନିର୍ଭରଶୀଳ ହେବ।

ଗୋବର୍ଦ୍ଧନ ଯୋଜନା ମାଧ୍ୟମରେ ଜୈବିକ ସାରକୁ ପ୍ରୋତ୍ସାହନ:- ବଜାର ବିକାଶ ସହାୟତା (ଏମ୍‌ଡିଓ) ଯୋଜନାର ଅଂଶସ୍ୱରୂପ ଭାରତ ସରକାର ଟନ୍ ପିଛା ୧୫୦୦ ଟଙ୍କା ମୂଲ୍ୟରେ ଜୈବିକ ସାର ଚାଷୀଙ୍କୁ ଯୋଗାଇଦେବେ। ସେ ଗୋବର୍ଦ୍ଧନ ଯୋଜନାରେ ସ୍ଥାପିତ ଜୈବିକ ସାର ଉତ୍ପାଦନ କେନ୍ଦ୍ରରୁ ଏସବୁ ସାର ଉତ୍ପାଦିତ ହେଉଛି। ଏଥିରେ ଗୋବର, ଖତ, ଫସଲର ପରିତ୍ୟକ୍ତ ଅଂଶ, ଆବର୍ଜନା ଆଦିର୍‌ ‌ଜୈବିକ ସାର ପ୍ରସ୍ତୁତ କରାଯାଉଛି। ଏହି ଯୋଜନାରେ ବାୟୋଗ୍ୟାସ ଓ ଅକ୍ଷୟଶକ୍ତି ଉତ୍ପାଦନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଏହି ଯୋଜନା ପାଇଁ ୨୦୨୩-୨୪ରୁ ୨୦୨୫-୨୬ବର୍ଷ ପାଇଁ ମୋଟ ୧,୪୫୧.୮୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ଜୈବିକ ସାରର ବିକାଶ ପାଇଁ ଆବଶ୍ୟକ ଗବେଷଣା ନିମନ୍ତେ ୩୬୦କୋଟି ଟଙ୍କାର ବ୍ୟବସ୍ଥା ରହିଛି। ସମଗ୍ର ଦେଶରେ ଏକ ଲକ୍ଷ ଅଭିନବ ଆଦର୍ଶ କୃଷି ଯନ୍ତ୍ରପାତି ସେବା କେନ୍ଦ୍ର ଖୋଲାଯାଇଛି। ଏହାର ନାମ ରଖାଯାଇଛି ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର।

ପ୍ରଧାନମନ୍ତ୍ରୀ ପ୍ରଣାମ ଯୋଜନା:- ଏହି ଯୋଜନାଟି ମାଟିର ଉର୍ବରତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଏଥିରେ ପ୍ରାକୃତିକ କୃଷି ପଦ୍ଧତିକୁ ଉତ୍ସାହିତ କରିବା ଓ ରାସାୟନିକ ସାରର ସମତୁଲ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏ ବାବଦରେ ୨୦୨୫-୨୬ରେ ଯେଉଁ ପ୍ରୋତ୍ସାହନ ରାଶି ବ୍ୟୟବରାଦ ହେବ ତାହା ୨୦୨୬-୨୭ବର୍ଷରେ ଚାଷୀଙ୍କୁ ବଣ୍ଟାଯିବ।  କୃଷିକୁ ନିରନ୍ତର ଏବଂ ପୋଷଣୀୟ କରିବାକୁ ସରକାର କାଯ୍ୟକାରୀ କରୁଥିବା ଯୋଜନା ମଧ୍ୟରୁ ଏହା ଗୋଟିଏ।

ଅଭିନବ ୟୁରିଆ ଗୋଲ୍ଡ- ସିସିଇଏ ମଧ୍ୟ ‘ୟୁରିଆ ଗୋଲ୍ଡ’ ନାମରେ ନୂଆଯୁଗର ଏକ ମୂଲ୍ୟମିଶ୍ରିତ ୟୁରିଆକୁ ପ୍ରବର୍ତ୍ତନ କରିଛି। ଏଥିରେ ୟୁରିଆ ଉପରେ ସଲଫର କୋଟିଙ୍ଗ ଦିଆଯାଇଛି। ଏହି ସଲଫର ବା ଗନ୍ଧକ ଫସଲକୁ ଅତିରିକ୍ତ ପୋଷକ ତତ୍ୱ ଯୋଗାଇବ। ଏହା ଫଳରେ  ଉତ୍ପାଦନ କରିବ। ୟୁରିଆ ଗୋଲ୍ଡ ସାଧାରଣ ୟୁରିଆର ବ୍ୟବହାରକୁ ହ୍ରାସ କରିବ।

ଏହା ନାଇଟ୍ରୋଜେନର ପ୍ରୟୋଗକୁ ଫସଲରେ ମନ୍ଥର କରିବା ସହିତ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଏହା ଫଳରେ ଫସଲରେ ପୋଷକ ତତ୍ୱର ବ୍ୟବହାର ଅଧିକ ଭଲଭାବେ ହୋଇପାରିବ। ୟୁରିଆର ବ୍ୟବହାର ଅତି ଭଲଭାବେ କରିବା ଫସଲର ଉତ୍ପାଦକତା ବଢିବ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ।

ସିସିଇଏର ସାଂପ୍ରତିକ ନିଷ୍ପତ୍ତି କୃଷି ଓ କୃଷକର ଉନ୍ନତି ପାଇଁ ଭାରତ ସରକାରଙ୍କ ଅଙ୍ଗୀକାର ଓ କାର୍ଯ୍ୟର ଏକ ପ୍ରତିଫଳନ ମାତ୍ର। ୟୁରିଆ ସବ୍‌ସିଡି ଯୋଜନାର ସମ୍ପ୍ରସାରଣ, ପିଏମ୍ ପ୍ରଣାମ ଯୋଜନାର ପ୍ରବର୍ତ୍ତନ, ଗୋବର୍ଦ୍ଧନ ମାଧ୍ୟମରେ ଜୈବିକ ସାର  ଉତ୍ପାଦନ ଓ ବ୍ୟବସ୍ଥାକୁ ପ୍ରୋତ୍ସାହନ ତଥା ଅଭିନବ ୟୁରିଆ ଗୋଲ୍ଡ ସ୍କିମ୍ ଆଦିର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚାଷକୁ ଅଧିକ ପରିବେଶ ଅନୁକୂଳ ଓ ଅଧିକ ଉତ୍ପାଦନଶୀଳ କରିବା।

ଏହା ସହିତ ସରକାର ମଧ୍ୟ ଚାଷରେ ରାସାୟନିକ ସାର ବ୍ୟବହାର କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରିବା ସହିତ ବିକଳ୍ପ ଉର୍ବରକ ଭାବେ ଅର୍ଗାନିକ, ବାୟୋ ଓ ନାନୋ ଫର୍ଟିଲାଇଜର (ସାର) ଯଥାସମ୍ଭବ ଅଧିକ ବ୍ୟବହାର କରିବାକୁ ଚାଷୀଙ୍କୁ ସଚେତନ କରୁଛନ୍ତି। ଏହି ପ୍ରୟାସର  ପ୍ରମୁଖ ଲକ୍ଷ୍ୟ ହେଲା ମାଟି ମା’ର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖି ଏହାର ଉତ୍ପାଦକତା ଶକ୍ତି ବଢାଇବା।

ମୋଦୀ ସରକାରଙ୍କ ନ’ବର୍ଷର ଉତ୍ସର୍ଗୀକୃତ ସେବା ମାଧ୍ୟମରେ କୃଷି କ୍ଷେତ୍ରର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହାକୁ ଯେ କେହି ସ୍ୱୀକାର କରିବେ।ଏସବୁ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ କୃଷି ଓ କୃଷକଙ୍କ ସଶକ୍ତିକରଣ ସମ୍ଭବ ହୋଇଛି। “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ”ର  ନୀତିରେ ମୋଦୀ ସରକାର କାମ କରି ଦେଶକୁ ଆଗକୁ ବଢାଉଛି। ଏଥିରେ  ଚାଷୀଙ୍କ କଲ୍ୟାଣ ଅଗ୍ରାଧିକାର ପାଇଛି।

ସରକାରଙ୍କ ପ୍ରବର୍ତ୍ତିତ ନୂଆ ନୂଆ ଯୋଜନା ଦ୍ୱାରା  ଚାଷୀଙ୍କ ଜୀବିକା ଉପାର୍ଜନର ସୁଯୋଗ ବଢିବ, ସେମାନେ ସମର୍ଥ ତଥା ସଶକ୍ତ ହେବେ। ପୋଷଣୀୟ କୃଷି ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ପାଇବ। ସର୍ବୋପରି ଏହା ଦ୍ୱାରା ସମଗ୍ର କୃଷି କ୍ଷେତ୍ରର ଉନ୍ନତି ଘଟିବ। ଏକ ସମୃଦ୍ଧ ଓ ସମାବେଶୀ ଭାରତ ନିର୍ମାଣ ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି କୃଷି କ୍ଷେତ୍ରର ଏହି ସବୁ ନୂଆ ନୂଆ ଯୋଜନା ତାହାକୁ ପୂରଣ କରିବାରେ ସହାୟକ ହେବ। ଏହି ପ୍ରକ୍ରିୟାରେ ଜାତୀୟ ବିକାଶ କ୍ଷେତ୍ରରେ ଚାଷୀମାନେ ଏକ ଗୁରୁତ୍ୱପୂର୍ଣର୍ ଭୂମିକା ନିର୍ବାହ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

କୃଷିଯନ୍ତ୍ରପାତି ମେଳା: ୪୫୦ କୋଟି ଟଙ୍କାର ସରକାରୀ ରିହାତି ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ବର: ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସଂପଦ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଆଦି ସମସ୍ୟାର ସମାଧାନ ଦିଗରେ କୃଷି ଯାନ୍ତ୍ରିକୀକରଣ ଏକ ପ୍ରମୁଖ ବିକଳ୍ପ। ତେଣୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ କୃଷି ଯନ୍ତ୍ରପାତିର ବ୍ୟବହାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି।

ରାଜ୍ୟ ସରକାର କୃଷକମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ଆକର୍ଷଣୀୟ ରିହାତି ତଥା ସୁବିଧାରେ ଋଣ ଯୋଗାଇ ଦେଉଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଚଳିତ ବର୍ଷର କୃଷି ଯନ୍ତ୍ରପାତି ମେଳା ଆୟୋଜନ ସଂପର୍କରେ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତାମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ବ୍ୟବସ୍ଥାକୁ ଅଧିକ ସରଳୀକରଣ ଓ ବ୍ୟବସ୍ଥିତ କରାଯିବ ଏବଂ ରିହାତି ପ୍ରଦାନରେ ଅନିୟମିତତା ଓ ଅହେତୁକ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୨୦୨୩-୨୪ ବର୍ଷରେ ରାଜ୍ୟରେ ୭୦ ହଜାରଟି କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ବିଭାଗ ପକ୍ଷରୁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅଦ୍ୟାବଧି ୨୪,୬୯୩ ଗୋଟି ଯନ୍ତ୍ରପାତିର ରିହାତି ବାବଦକୁ ହିତାଧିକାରୀଙ୍କୁ ୧୫୧.୨୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ବିଭିନ୍ନ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥାରୁ ସହଜରେ କୃଷି ଋଣ କରି ଯନ୍ତ୍ରପାତି କ୍ରୟ ନିମନ୍ତେ ଚାଷୀମାନଙ୍କ ପାଇଁ ‘ସଫଳ’ (ସିମ୍ପ୍ଲିଫାଏଡ୍‌ ଆପ୍ଲିକେସନ୍‌ ଫର ଏଗ୍ରିକଲଚରାଲ୍‌ ଲୋନ୍‌ସ) ଆପ୍‌ ପ୍ରଚଳନ କରାଯାଇଛି। ଅନୁମୋଦିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ବର୍ଗାନୁକ୍ରମେ ଶତକଡ଼ା ୪୦ରୁ ୬୦ ଭାଗ ରିହାତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ଶତକଡ଼ା ୭୫ ଭାଗ ରିହାତି ପ୍ରଦାନ କରାଯାଉଛି। ପ୍ରାପ୍ୟ ରିହାତି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି।

କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତାକୁ ଲକ୍ଷ୍ୟ ରଖି କୃଷିଜୀବୀ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଉଦ୍ଭାବନ ଓ ବ୍ୟବହାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି କୃଷି ଯନ୍ତ୍ରପାତି ସହଜରେ ବ୍ୟବହାର କରିପାରିବେ ସେଥି ନିମନ୍ତେ ସେମାନଙ୍କ ବ୍ୟବହାର ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ଉପରେ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ କହିଥିଲେ।

କୃଷି ଯାନ୍ତ୍ରିକୀକରଣ ଫଳରେ ଓଡ଼ିଶାରେ କୃଷି କ୍ଷେତ୍ରରେ ୨୦୦୦-୦୧ ମସିହାରେ ବିଦୁ୍ୟତ ଶକ୍ତି ବ୍ୟବହାର ହେକଫର ପିଛା ୦.୬୨ କିଲୋୱାଟ୍‌ରୁ ବୃଦ୍ଧି ପାଇ ୨୦୨୧-୨୨ ବର୍ଷରେ ୨.୨୩ କିଲୋୱାଟ୍‌ରେ ପହଞ୍ଚିଛି। ଏହା ଦ୍ୱାରା କୃଷି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନରେ ଚାଷ କାମ ସମତାଳ ଓ ସମୟାନୁସାରେ ହୋଇପାରୁଛି।

ବିଗତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସଫଳତାର ସହ ଆୟୋଜନ କରାଯାଇଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ କୃଷି ଯନ୍ତ୍ରପାତି ମେଳାକୁ ଉପଖଣ୍ଡ ସ୍ତରରେ ମଧ୍ୟ ଆୟୋଜନ କରାଯିବ ଏବଂ ଏହା ଅକେଫାବରରୁ ଡିସେମ୍ବର ମଧ୍ୟରେ ଆୟୋଜନ କରାଯିବ।

ମେଳା ସମୟରେ ଚାଷୀମାନଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କୃଷି ଯନ୍ତ୍ରପାତି ଓ ଉପକରଣର ଦାମ ଓ ଏଥିରେ ମିଳୁଥିବା ରିହାତି ପରିମାଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କହିଲେ ଯେ ବିଗତ ପାଞ୍ଚବର୍ଷରେ ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ମୋଟ ୧,୭୦,୨୯୬ ଗୋଟି କୃଷି ଯନ୍ତ୍ରପାତି ଓ ଉପକରଣ ନିମନ୍ତେ ୧୦୦୫.୮୩୧ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି। ଏଥି ମଧ୍ୟରେ ଟ୍ରାକଫର, ପାୱାର ଟିଲର, କମ୍ବାଇନ୍‌ ହାର୍ଭେଷ୍ଟର, ଧାନକଟା ଯନ୍ତ୍ର, ରୋଟାଭେଟର, ଧାନରୁଆ ଯନ୍ତ୍ର, ବହୁବିଧ ଶସ୍ୟ ଅମଳ ଯନ୍ତ୍ର, ଶକ୍ତିଚାଳିତ ଘାସବଛା ଯନ୍ତ୍ର ଓ କ୍ଷୁଦ୍ର ଧାନକଳ ଆଦି ଅନ୍ତର୍ଭୁକ୍ତ।

ବୈଠକରେ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଶତାଧିକ ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତା ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ରାଜ୍ୟରେ ଆସିବ ଛେଳି ପ୍ରଜନନ ନୀତି, ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବିକାନିର୍ବାହ ନିମନ୍ତେ ପ୍ରାଣୀପାଳନ ଏକ ପ୍ରମୁଖ ଅଙ୍ଗ ହୋଇଥିବା ପରିପ୍ରେକ୍ଷୀରେ ଏକ ଯୁଗୋପଯୋଗୀ ଛେଳି ପ୍ରଜନନ ନୀତି ପ୍ରସ୍ତୁତ କରି ଚାଷୀମାନଙ୍କୁ ଉନ୍ନତ ମାନର ଛେଳି ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଛେଳି ପ୍ରଜନନ ନୀତି ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କ୍ଷୁଦ୍ର ପ୍ରାଣୀମାନଙ୍କ ନିମନ୍ତେ ଗୋଟିଏ ପ୍ରଜନନ ନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯେଉଁଥିରେ ଛେଳି, ମେଣ୍ଢା ଓ ଘୁଷୁରୀଙ୍କୁ ଅଲଗା ଅଲଗା ସ୍ଥାନିତ କରାଯାଇପାରିବ।

ରାଜ୍ୟର ଭୌଗୋଳିକ ଓ କୃଷି ଜଳବାୟୁକୁ ଦୃଷ୍ଟିରେ ରଖି ଛେଳି ପ୍ରଜନନ ନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବୈଠକର ସୂଚନା ଅନୁଯାୟୀ ନୂତନ ପ୍ରଜନନ ନୀତିରେ ରାଜ୍ୟରେ ଉପଲବ୍ଧ ବ୍ଲାକ୍‌ବେଙ୍ଗଲ୍‌ ଏବଂ ଗଞ୍ଜାମ ଆଦି ଅତି ଉଚ୍ଚ ମାନର ଜେନେଟିକ୍‌ ପ୍ରଜାତିର ଛେଳିକୁ ସଂରକ୍ଷଣ କରାଯିବା ସହିତ ଏହାକୁ ଅଧିକ ଉନ୍ନତ କରାଯିବା ପାଇଁ ପଦକ୍ଷେପ ନିଆଯିବ।

ସେହିପରି ଦେଶୀ ଛେଳିକୁ ଯମୁନାପୁରୀ, ବିଟଲ୍‌, ଶିରୋହୀ, ଗଞ୍ଜାମ ଏବଂ ବ୍ଲାକ୍‌ ବେଙ୍ଗଲ୍‌ ସହିତ କ୍ରସ୍‌ବି୍ରଡିଂ କରାଯାଇ ଉନ୍ନତ ମାନର ଛେଳି ଉତ୍ପାଦନ କରାଯିବ। ରାଜ୍ୟରେ ଥିବା ନାରାୟଣପାଟଣା, ରାଇଘର, ମାରାଗୁଡ଼ା, ଘୁମୁସରୀ ଆଦି ସ୍ଥାନୀୟ ପ୍ରଜାତିର ଛେଳିକୁ ଚିହ୍ନଟ କରାଯାଇ ପ୍ରଜନନ କରାଯିବା ପାଇଁ ପ୍ରଜନନ ନୀତିରେ ଗୁରୁତ୍ୱ ଦିଆଯାଉଛି।

ବୈଠକରେ ସ୍ଥାନୀୟ ପ୍ରଜାତିର ଛେଳି ରାଇଘର, ଘୁମୁସରୀ, ନାରାୟଣପାଟଣା, ମାରାଗୁଡ଼ା ଆଦି ପ୍ରଜାତିର ଛେଳିକୁ ନ୍ୟାସନାଲ ବୁ୍ୟରୋ ଅଫ୍‌ ଆନିମଲ ଜେନେଟିକ୍‌ ରିସୋର୍ସରେ ପଂଜିକୃତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରସ୍ତୁତ କରାଯାଉଥିବା ଛେଳି ପ୍ରଜନନ ନୀତିର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାର, କୃଷି ଉପକରଣର ଠିକ ଯୋଗାଣ ହେଉ ନ ଥିଲେ ଚଢାଉ କର, ଜିଲ୍ଲାପାଳକୁ କୃଷି ବିଭାଗର ପତ୍ର

ଭୁବନେଶ୍ୱର: ଚଳିତ ଖରିଫରେ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ ସହ ଯାଞ୍ଚ କାର୍ଯ୍ୟକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

ଚଳିତ ଖରିଫରେ ସାରା ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ମାନର ସାର, ବିହନ, କୀଟନାଶକ, ବାୟୋଫର୍ଟିଲାଇଜର, ଜୈବିକ ସାର, ବାୟୋକୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାରା ରାଜ୍ୟରେ ଏହିସବୁ ଅତ୍ୟନ୍ତ ଦରକାରୀ କୃଷି ସାମଗ୍ରୀର ଉଚିତ ମୂଲ୍ୟରେ ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ପ୍ରତି ଅନୁକୋଣରେ ଆବଶ୍ୟକ ଯାଞ୍ଚ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ପୃଷ୍ଠଭୂମିରେ ବିଗତ ବର୍ଷ ପରି ପ୍ରତି ଜିଲ୍ଲାରେ ନିୟମିତ ଯାଞ୍ଚ କାର୍ଯ୍ୟ ନିମନ୍ତେ ଏଗ୍ରି-ଇନ୍‌ପୁଟ ଇନ୍ସପେକଫର, ଜଣେ ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ ଅଧିକାରୀଙ୍କୁ ନେଇ ଏକ କିମ୍ବା ଏକାଧିକ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ କରିବାର ଆବଶ୍ୟକତା ରହିଛି। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ୍‌ସ୍ତରରେ ଅଧିକାରୀଙ୍କୁ ବିଭିନ୍ନ ତଦାରଖ କାର୍ଯ୍ୟ ନିମନ୍ତେ ଅନୁରୂପ ସହାୟତା ଯୋଗାଇଦେବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି।

ଏଥି ସହିତ କୃଷି ସାମଗ୍ରୀର ସର୍ବୋଚ୍ଚ ଚାହିଦା ସମୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି ପ୍ରଭାବିତ ନ ହୁଅନ୍ତି ସେଥିପାଇଁ କୃଷି ସାମଗ୍ରୀର ଯୋଗାଣ ଓ ବଣ୍ଟନ ପ୍ରତି ସଜାଗ ଦୃଷ୍ଟି ରଖିବା ଓ କୌଣସି ପ୍ରକାରର ଅସାଧୁ କାରବାରକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କାର୍ଯ୍ୟର ନିୟମିତ ଭାବରେ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଏ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ନିୟମିତ ଅବଗତ କରିବା ପାଇଁ ପତ୍ରରେ ଅନୁରୋଧ କରାଯାଇଛି। ଏହିସବୁ କାର୍ଯ୍ୟ ପ୍ରତି ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଦୃଷ୍ଟି ଦେବା ପାଇଁ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉଦଘାଟିତ ହେଲା ଆକ୍ୱାକଲଚର ଏକ୍ସପୋ-୨୦୨୩

ଭୁବନେଶ୍ୱର: ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ଏକ ପ୍ରଧାନ ଅଙ୍ଗ ହୋଇଥିବାରୁ ମାଛଚାଷର ବିକାଶ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ସମୟୋପଯୋଗୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୪ ଗୁଣ ଅଧିକ ବୃଦ୍ଧି ପାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ବାଲେଶ୍ୱର ଆଇଟିଆଇ ପଡ଼ିଆଠାରେ ଆକ୍ୱାକଲଚର ଏକ୍ସପୋ-୨୦୨୩କୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଗତ ୨୦ ବର୍ଷରେ ସାମୁଦି୍ରକ ଖାଦ୍ୟ ରପ୍ତାନୀ ପ୍ରାୟ ୧୨ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ବର୍ଷରେ ଓଡ଼ିଶାରୁ ୩୭୯ କୋଟି ଟଙ୍କାର ସାମୁଦି୍ରକ ଖାଦ୍ୟ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି ।

ଉତ୍ସବରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ବାଲେଶ୍ୱର ଜିଲ୍ଲାରେ ମତ୍ସ୍ୟଚାଷର ଭିତ୍ତିଭୂମିର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ଏମ୍‌ପେଡ଼ାର ଉପନିର୍ଦ୍ଦେଶକ ଶ୍ରୀ ରାଜକୁମାର ନାୟକ ଚିଙ୍ଗୁଡ଼ି ଓ ମତ୍ସ୍ୟ ରପ୍ତାନୀ ଦିଗରେ ଓଡ଼ିଶାର ଭୂମିକା ଓ ବାଲେଶ୍ୱର ଜିଲ୍ଲାର ବିକାଶ ସଂପର୍କରେ ଆଲୋକପାତ କରିଥିଲେ । ମାଛଚାଷରେ କଟକଣା ଥିବା ଆଣ୍ଟିବାୟୋଟିକ୍‌ର ବ୍ୟବହାର ନକରିବା ପାଇଁ ଚାଷୀମାନଙ୍କୁ ନିବେଦନ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ବିଭିନ୍ନ ମତ୍ସ୍ୟ ରପ୍ତାନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରି ବାଲେଶ୍ୱର ଜିଲ୍ଲା କିପରି ଅଧିକ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଆଗୁଆ ଜିଲ୍ଲା ହୋଇପାରିବ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଦର୍ଶନୀ ଷ୍ଟଲ ଏବଂ ବାୟୋଫ୍ଲକ୍‌ ୟୁନିଟ୍‌କୁ ପରିଦର୍ଶନ କରିବା ସହ ଋଷିଆ ଜଳଭଣ୍ଡାରରେ ନୂଆକରି ଆରମ୍ଭ ହୋଇଥିବା କେଜ୍‌ କଲଚର ମାଧ୍ୟମରେ ମାଛଚାଷକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ଉତ୍ସବରେ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨,୯୭,୯୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲ । ଏଥି ସହିତ ୭ ଜଣ ହିତାଧିକାରୀଙ୍କୁ ଶୀତତାପ ନିୟନ୍ତ୍ରିତ ଯାନ, ଅଟୋ ବରଫ ବାକ୍ସ ଏବଂ ମୋଟର ସାଇକେଲ୍‌ ବରଫ ବାକ୍ସ ପ୍ରଦାନ କରାଯାଇଥିଲା ।

ଉତ୍ସବରେ ଆକ୍ୱାଟିକ୍‌ ଫିଡ୍‌ ଡିଲର ଆସୋସିଏସନ୍‌ର ଉପସଭାପତି ପୌରୋହିତ୍ୟ କରିଥିବାବେଳେ ସଂସ୍ଥାର ସାଂଗଠନିକ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍: ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଚଳିତ ବଜେଟ୍ ଗରିବଙ୍କ ସହାୟତା ଓ ବିକାଶମୁଖୀ। ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛି।

ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି। ୫-ଟି ଓ ମୋ’ ସରକାର କାର୍ଯ୍ୟକ୍ରମକୁ ଆଖିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସର୍ବଙ୍ଗୀନ ବିକାଶରେ ବଜେଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅଟକଳ କରାଯାଇଛି, ଆସନ୍ତୁ ଜାଣିବା…

କୃଷି- ୨୧, ୧୬୬ କୋଟି: କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି, ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି, କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି,  ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନାରେ ୪୦୦ କୋଟି ଏବଂ ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି।

ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଖର୍ଚ୍ଚ ହେବ ୨ ହଜାର ୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨ ହଜାର ୧୫୬ କୋଟି ଓ ‘ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ’ ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି: ମୋ ସ୍କୁଲ ଅଭିଯାନ ଅଧିନରେ ୬୪୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି, ମୋ କଲେଜ ଅଭିଯାନ ପାଇଁ ୧୧ କୋଟି ଓ ‘ସମଗ୍ର ଶିକ୍ଷା’ ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି।

ସେହିଭଳି ସଡକ ଓ ଭିତ୍ତିଭୂମି ପାଇଁ ୧୪, ୪୫୪ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଶକ୍ତି ପାଇଁ ୩୪୮୨ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୬୨ କୋଟି, ଜଙ୍ଗଲ ଓ ପରିବେଶ ପାଇଁ ୨୨୧୭ କୋଟି, ମିଶନ ଶକ୍ତି ପାଇଁ ୨୦୦୦ କୋଟି, ଏମଏସଏମଇ, ଉଦ୍ୟୋଗ ପାଇଁ ୧୨୬୯ କୋଟି, କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି, ପର୍ଯ୍ୟଟନ ପାଇଁ ୫୯୦ କୋଟି, ଆଇଟି ଓ ଇଲେକ୍ଟ୍ରୋନିକ୍ ପାଇଁ ୩୦୨ କୋଟି, ଶିଳ୍ପ, ଇସ୍ପାତ ଓ ଖଣି ପାଇଁ ୧୮୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୃଷି ଏବଂ ଖଣି କ୍ଷେତ୍ରରେ ସହଯୋଗ ନିମନ୍ତେ ବୁରୁଣ୍ଡି ରାଷ୍ଟ୍ରଦୂତଙ୍କ ଅନୁରୋଧ

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲା ବୁଡିରିଗାନ୍ୟା ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଶନିବାର ଅନୁରୋଧ କରିଛନ୍ତି।

ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତି ବୁଡିରିଗାନ୍ୟା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ ଆସିଥିବା ବେଳେ କହିଛନ୍ତି ଯେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ଗବେଷଣା ପ୍ରତି ଖୁବ୍ ଆଗ୍ରହ ରହିଛି ଏବଂ ଆମ ଦେଶ ଖଣି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟା ସମେତ ଶିକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଭାଗିତା କରିବା ନେଇ ଆଗ୍ରହୀ ରହିଛୁ।

ବୁରୁଣ୍ଡି ରାଷ୍ଟ୍ରଦୂତ ସୋଆ ପରିଦର୍ଶନ ସମୟରେ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋ ଭାଇସ୍‌ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଅନୁଷ୍ଠାନର ଡିନ୍ ଓ କର୍ମକର୍ତା ମାନେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ସେ ସୋଆର ଗବେଷଣା କ୍ଷେତ୍ର ଏବଂ ଶିକ୍ଷାଦାନ ପ୍ରକ୍ରିୟାକୁ ବେଶ ପ୍ରଶଂସା କରିଥିଲେ।

ସୋଆରେ ୧୩ ଟି ବିଭିନ୍ନ ଦେଶରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଏହି ବିଶ୍ୱବିଦ୍ୟାଳୟ ବିଦେଶରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପରିବେଶ ମଧ୍ୟରେ ଉପଯୁକ୍ତ ଯତ୍ନ ନେଉଥିବାର ଜାଣି ସେ ଖୁସି ବ୍ୟକ୍ତ କରିବା ସହ ବୁରୁଣ୍ଡି ଛାତ୍ରଛାତ୍ରୀମାନେ ମଧ୍ୟ ସୋଆରେ ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଆଶା ପ୍ରକାଶ କରିଥିଲେ।

କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଭାକ୍ସିନ୍ ବାହାର କରିବାରେ ଭାରତର ପଦକ୍ଷେପକୁ ଶ୍ରୀମତି ବୁଡିରିଗାନ୍ୟା ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଫେସର ପି.କେ. ନନ୍ଦ ସୋଆର ଶୈକ୍ଷିକ ପ୍ରଣାଳୀ ଓ ଗବେଷଣା ସମ୍ପର୍କରେ ତଥ୍ୟ ଉପସ୍ଥାପା କରିଥିବା ବେଳେ ଅନ୍ତର୍ଜାତୀୟ ସମ୍ପର୍କ ଓ ଆଡମିଶନ୍ ନିର୍ଦ୍ଦେଶକ ଡଃ ନଚିକେତା ଶର୍ମା ସୋଆକୁ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଉପସ୍ଥାପନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୦ ସଚିବ ସ୍ତରୀୟ ଅଧିକାରୀ

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲାରେ ୩ ମାସ ପାଇଁ ୧୦ ସଚିବ ସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ତଦାରଖ କରିବେ।

ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଅଧିକାରୀ ପାଇଲେ ନିଯୁକ୍ତି:

୧- ବଲାଙ୍ଗିର ଜିଲ୍ଲା ଦାୟିତ୍ବରେ ସୁରେନ୍ଦ୍ର କୁମାର

୨- ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ରଞ୍ଜନା ଚୋପ୍ରା

୩- ଗଜପତି ଜିଲ୍ଲା ଦାୟିତ୍ବରେ ଭାସ୍କର ଜ୍ୟୋତି ଶର୍ମା

୪- କଳହାଣ୍ଡି ଜିଲ୍ଲା ଦାୟିତ୍ବରେ ସତ୍ୟବ୍ରତ ସାହୁ

୫- କନ୍ଧମାଳ ଜିଲ୍ଲା ଦାୟିତ୍ବରେ ମଧୁସୂଦନ ପାଢୀ

୬- କୋରାପୁଟ ଜିଲ୍ଲା ଦାୟିତ୍ବରେ ସନ୍ତୋଷ ଷଡଙ୍ଗୀ

୭- ମାଲକାନଗିରି ଜିଲ୍ଲା ଦାୟିତ୍ବରେ ଏନ.ବି. ଜାୱେଲ

୮- ନବରଙ୍ଗପୁର ଜିଲ୍ଲା ଦାୟିତ୍ବରେ ଅରବିନ୍ଦ ଅଗ୍ରୱାଲ

୯- ନୂଆପଡା ଜିଲ୍ଲା ଦାୟିତ୍ବରେ ବିଷ୍ଣୁପଦ ସେଠୀ

୧୦- ରାୟଗଡ଼ା ଜିଲ୍ଲା ଦାୟିତ୍ବରେ ନିକୁଞ୍ଜ ଧଳ ନିଯୁକ୍ତ ହୋଇଛନ୍ତି