ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ନ୍ୟାଯ୍ୟ ଦାବି ଅନୁଦାନ ଓ ପେନସନ୍ ପ୍ରଦାନ ନିମନ୍ତେ ବାରମ୍ବାର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ। ଏ ଦିଗରେ ଗଠିତ ପାଞ୍ଚଜଣିଆ ଉଚ୍ଚସ୍ତରୀୟ ସରକାରୀ କମିଟିଙ୍କ ରିପୋର୍ଟକୁ ଆଧାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଇବର୍ଷର ପୂର୍ତ୍ତି ପାଳନ କରିବା ପୂର୍ବରୁ ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନିଅନ୍ତୁ। ନଚେତ୍ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତାର ୮ଟି ସାମିଲ ସଂଗଠନ ଯଥା- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍ଷ୍ଟା), ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କଲେଜ ଶିକ୍ଷକ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।
ପ୍ରକାଶଥାଉକି, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଅବସର ନେବା ପରେ ଟଙ୍କାଟିଏ ପେନସନ୍ ନପାଇ ହା ହତାଶ ମଧ୍ୟରେ କାଳାତିପାତ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହି ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଟି ଦୀର୍ଘ ୩୦ ବର୍ଷ ଚାକରି କଲା ପରେ ଅବସର ନେବା ବେଳେ ଶୂନ୍ୟ ହସ୍ତରେ ବିଦାୟ ନେଉଛି । ସେମାନଙ୍କ ପାଇଁ ପେନସନ୍ ନାହିଁ କି ଚାକିରି ସର୍ତ୍ତାବଳୀ ନାହିଁ। ଅବସର ପରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ପାନଦୋକାନ କରୁଛି ବା କେଉଁଠି ମୂଲ ଲାଗୁଛି।
ବାର୍ଦ୍ଧକ୍ୟ ଅବସ୍ଥାରେ ଔଷଧ ଟୋପାଏ ଖାଇବାକୁ ମଧ୍ୟ ତା ପାଖରେ ସମ୍ବଳ ନାହିଁ। ରାଜ୍ୟର ଲୋକପ୍ରିୟ ସରକାର ତୁରନ୍ତ ଏହି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ୧୯୮୧ ପେନସନ୍ ରୁଲ ଅନୁଯାୟୀ ପେନସନ୍ ପ୍ରଦାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଇତିମଧ୍ୟରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ୫୬୦୦ ଓ ମହାବିଦ୍ୟାଳୟରୁ ପ୍ରାୟ ୧୫୦୦ ରୁ ଅଧିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଅବସର ନେଇଛନ୍ତି ବା ମୃତ୍ୟୁବରଣ କରିଛନ୍ତି। ସେହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ସରକାର ଅଦ୍ୟାବଧି ନିଯୁକ୍ତିର ବ୍ୟବସ୍ଥା ସୃଷ୍ଟି କରି ନାହାଁନ୍ତି। ବିଗତ ସରକାର ମଧ୍ୟ ଏହି ବର୍ଗର ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିର ବ୍ୟବସ୍ଥା କରି ନଥିଲେ।
ଅନେକ ବିଦ୍ୟାଳୟରେ ଜଣେ କିମ୍ବା ଦୁଇଜଣ ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ପ୍ରାୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ସଠିକ୍ ରହିଥିଲେ ମଧ୍ୟ ବିଦ୍ୟାଳୟରୁ ଶିକ୍ଷକ ଅବସର ନେବା ପରେ ପିଲାସଂଖ୍ୟା ଦୃଷ୍ଟିରୁ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଅଭାବ ପରିଲକ୍ଷିତ ହେଉଛି, ଯାହା ଫଳରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। କିନ୍ତୁ ବର୍ତ୍ତମାନର ଜନପ୍ରିୟ ସରକାର ଏହି ବର୍ଗର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ ଏବଂ ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସମାନ ସରକାରୀ ସୁବିଧା ଯୋଗାଇ ଦେଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ୍ ଦୀର୍ଘ ୩୫ରୁ ୪୦ ବର୍ଷ ଧରି ଚାଲୁଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ଅଚିରେ ଭାଙ୍ଗିଯିବ।
୨୦୧୩ ଅନୁଦାନ ଆଇନ୍ରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ମାଗଣାରେ ଶିକ୍ଷାଦାନ କରି ଆସୁଛନ୍ତି। ସେହି ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସମସ୍ତ ସରକାରୀ ସୁବିଧା ଯଥା- ସାଇକେଲ, ବହି, ପୋଷାକ ଓ ମଧ୍ୟାହ୍ନ ଭୋଜନ ଇତ୍ୟାଦିରୁ ବଞ୍ଚିତ ଅଟନ୍ତି। ତେଣୁ ସେମାନଙ୍କୁ ଅନୁଦାନ ପ୍ରଦାନ କରିବା କ୍ଷେତ୍ରରେ ସରକାର ଆଉ ଟାଳଟୁଳ ନୀତି ଅବଲମ୍ବନ ନକରି ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଜ୍ୱଳନ୍ତ ସମସ୍ୟାକୁ ହୃଦୟଙ୍ଗମ କରି ସେହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଅନ୍ତୁ। ସମସ୍ତ ବିଦ୍ୟାଳୟକୁ ସରକାରୀ କରଣ, ଅବସର ନେଇଥିବା ଏବଂ ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ପୂର୍ବକ ସରକାର ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ନିଅନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଯଥାଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରନ୍ତୁ, ନଚେତ୍ ଆଗାମୀ ଦିନରେ ସମନ୍ୱୟ ସମିତି ରାଜରାସ୍ତାକୁ ଓହ୍ଲାଇବ ଏବଂ ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟସରକାର ଦାୟୀ ରହିବେ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ.କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ରମାକାନ୍ତ ଲେଙ୍କା, ପ୍ରସନ୍ନ ତ୍ରିପାଠୀ, ଗଦାଧର ଶତପଥି ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢ଼ ଚେତାବନୀ ଦେଇଛନ୍ତି।


