ଖୁବ ଶିଘ୍ର ରାଜ୍ୟରେ ଆସିବ ଛେଳି ପ୍ରଜନନ ନୀତି, ଚାଲିଛି ପ୍ରସ୍ତୁତି

Published: May 31, 2023, 1:04 pm IST

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବିକାନିର୍ବାହ ନିମନ୍ତେ ପ୍ରାଣୀପାଳନ ଏକ ପ୍ରମୁଖ ଅଙ୍ଗ ହୋଇଥିବା ପରିପ୍ରେକ୍ଷୀରେ ଏକ ଯୁଗୋପଯୋଗୀ ଛେଳି ପ୍ରଜନନ ନୀତି ପ୍ରସ୍ତୁତ କରି ଚାଷୀମାନଙ୍କୁ ଉନ୍ନତ ମାନର ଛେଳି ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଛେଳି ପ୍ରଜନନ ନୀତି ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କ୍ଷୁଦ୍ର ପ୍ରାଣୀମାନଙ୍କ ନିମନ୍ତେ ଗୋଟିଏ ପ୍ରଜନନ ନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯେଉଁଥିରେ ଛେଳି, ମେଣ୍ଢା ଓ ଘୁଷୁରୀଙ୍କୁ ଅଲଗା ଅଲଗା ସ୍ଥାନିତ କରାଯାଇପାରିବ।

ରାଜ୍ୟର ଭୌଗୋଳିକ ଓ କୃଷି ଜଳବାୟୁକୁ ଦୃଷ୍ଟିରେ ରଖି ଛେଳି ପ୍ରଜନନ ନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବୈଠକର ସୂଚନା ଅନୁଯାୟୀ ନୂତନ ପ୍ରଜନନ ନୀତିରେ ରାଜ୍ୟରେ ଉପଲବ୍ଧ ବ୍ଲାକ୍‌ବେଙ୍ଗଲ୍‌ ଏବଂ ଗଞ୍ଜାମ ଆଦି ଅତି ଉଚ୍ଚ ମାନର ଜେନେଟିକ୍‌ ପ୍ରଜାତିର ଛେଳିକୁ ସଂରକ୍ଷଣ କରାଯିବା ସହିତ ଏହାକୁ ଅଧିକ ଉନ୍ନତ କରାଯିବା ପାଇଁ ପଦକ୍ଷେପ ନିଆଯିବ।

ସେହିପରି ଦେଶୀ ଛେଳିକୁ ଯମୁନାପୁରୀ, ବିଟଲ୍‌, ଶିରୋହୀ, ଗଞ୍ଜାମ ଏବଂ ବ୍ଲାକ୍‌ ବେଙ୍ଗଲ୍‌ ସହିତ କ୍ରସ୍‌ବି୍ରଡିଂ କରାଯାଇ ଉନ୍ନତ ମାନର ଛେଳି ଉତ୍ପାଦନ କରାଯିବ। ରାଜ୍ୟରେ ଥିବା ନାରାୟଣପାଟଣା, ରାଇଘର, ମାରାଗୁଡ଼ା, ଘୁମୁସରୀ ଆଦି ସ୍ଥାନୀୟ ପ୍ରଜାତିର ଛେଳିକୁ ଚିହ୍ନଟ କରାଯାଇ ପ୍ରଜନନ କରାଯିବା ପାଇଁ ପ୍ରଜନନ ନୀତିରେ ଗୁରୁତ୍ୱ ଦିଆଯାଉଛି।

ବୈଠକରେ ସ୍ଥାନୀୟ ପ୍ରଜାତିର ଛେଳି ରାଇଘର, ଘୁମୁସରୀ, ନାରାୟଣପାଟଣା, ମାରାଗୁଡ଼ା ଆଦି ପ୍ରଜାତିର ଛେଳିକୁ ନ୍ୟାସନାଲ ବୁ୍ୟରୋ ଅଫ୍‌ ଆନିମଲ ଜେନେଟିକ୍‌ ରିସୋର୍ସରେ ପଂଜିକୃତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରସ୍ତୁତ କରାଯାଉଥିବା ଛେଳି ପ୍ରଜନନ ନୀତିର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Related posts