ଚିଲିକା: ପ୍ରାର୍ଥୀ ଘୋଷଣା ପରେ ସୋମବାର ଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ

Published: Apr 20, 2024, 8:58 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚିଲିକା ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବହୁ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଆଜି ବିଜେଡି ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ଏହି ତାଲିକାରେ ବିଜେଡିରୁ ଚିଲିକା ବିଧାନସଭା ପ୍ରାର୍ଥୀ ଭାବେ ରଘୁନାଥ ସାହୁଙ୍କ ନାମ ପ୍ରକାଶ ପାଇଛି। ଯାହାକୁ ନେଇ ରଘୁନାଥଙ୍କ କାର୍ଯ୍ୟାଳୟରେ ସମର୍ଥକ ମାନେ ଉତ୍ସବ ପାଳନ କରିଥିବାବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

୨୦୦୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ଲାଗି କଂଗ୍ରେସ ଦଳ ଛାଡି ବିଜେଡିରୁ ବିଧାୟକ ହୋଇଥିବା ବେଳେ ୨୦୧୪ ରେ ସ୍ୱଳ୍ପ ବ୍ୟବଧାନ ଭୋଟରେ ଡଃ ବିଭୁତି ଭୂଷଣ ହରିଚନ୍ଦନଙ୍କ ଠାରୁ ପରାଜୟ ହୋଇଥିଲେ ରଘୁନାଥ। ୨୦୧୯ ରେ ପ୍ରାର୍ଥୀ ନହୋଇ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରଘୁନାଥ ସମର୍ଥନ କରିବା ସହ ଦଶ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ।

ଦୀର୍ଘ ୧୫ ବର୍ଷ ଧରି ବିଜେଡି ଦଳରେ ରହି ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ସହ ସୁଖଦୁଃଖରେ ଅଞ୍ଚଳବାସୀଙ୍କ ନିକଟତର ହୋଇ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ଦେଇଆସିଛନ୍ତି ରଘୁନାଥ। ନିଜର ନିଷ୍ଠାପର ସେବା ମନୋବୃତ୍ତି, ସ୍ଥାନୀୟ ଜନସାଧାରଣଙ୍କ ଭଲ ପାଇବା ଏବଂ ପ୍ରତି ମୁହୂର୍ତ୍ତରେ ଦଳୀୟ ସଂଗଠନ ବଜାୟ ରଖିଥିବା ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କ ଉପରେ ଭରସା କରି ଟିକେଟ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଟିକେଟ ଘୋଷଣା ପରେ ନିର୍ବାଚନ ମଣ୍ଡଳୀ ସାରା ରଘୁଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସିରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିବାବେଳେ ଚିଲିକାର ବିକାଶ ଦିଗରେ ଯଥା ଚିଲିକାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା, ସମସ୍ତ ବର୍ଗର ଲୋକଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ସର୍ବଦା ପ୍ରୟାସ କରିବେ ବୋଲି କହିଛନ୍ତି।

ଏଥିସହିତ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ଆପଣାର କରିବା ସହ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଅଗାଢ ଭଲ ପାଇବା ଓ ବିଶ୍ୱାସ ନେଇ ନିର୍ବାଚନ ବୈତରଣୀରେ ବିପୁଳ ମାତ୍ରାରେ ବିଜୟୀ ଲାଭ କରିବେ ବୋଲି ଆଶା ରଖିଛନ୍ତି ଶ୍ରୀ ସାହୁ।

୨୦୧୪ ପରଠାରୁ ଚିଲିକାରେ ଲାଗିଥିବା ବିକାଶର ବ୍ରେକକୁ ଚଳିତ ନିର୍ବାଚନ ଜିତି ପୁନଶ୍ଚ କ୍ଷିପ୍ର ଗତିରେ ଉନ୍ନୟନ ଆରମ୍ଭ କରିବେ ବୋଲି ଆଶାବାଦୀ ଅଛନ୍ତି ଶ୍ରୀ ସାହୁ।

ତେବେ ଆସନ୍ତା ସୋମବାର ଦିନ ସେ ଏକ ବିରାଟ ପଟୁଆରରେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ନିଜ ସମର୍ଥକଙ୍କ ଗହଣରେ ଆସି ବାଣପୁର ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।

Related posts